ଓ୍ବାଶିଂଟନ,୨୦।୧୦: ଫ୍ରାନ୍ସରେ ଘଟୁଥିବା ଦଙ୍ଗାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଅସନ୍ତୋଷ ପ୍ରକାର କରିଛନ୍ତି ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଚେତାବନୀ ଦେଇଛନ୍ତି। ମଙ୍ଗଳବାର (ଅକ୍ଟୋବର ୨୦) ଟ୍ରମ୍ପ କହିଛନ୍ତି ଯେ ପ୍ୟାରିସ ଏକ ‘ମୁସଲିମ ସହର’ହେବା ଦିଗରେ ଅଗ୍ରସର ହେଉଛି। ଏହା ବ୍ୟତୀତ, ପ୍ରବାସୀ ସମସ୍ୟା ଉପରେ ଟ୍ରମ୍ପ କଠୋର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରବାସୀମାନଙ୍କର ଆଗମନ ଯୋଗୁ ଜନସଂଖ୍ୟାଗତ ଗଠନରେ ଦ୍ରୁତ ପରିବର୍ତ୍ତନ ଆସିଛି।
ଫ୍ରାନ୍ସରେ ୫ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହି ଅଶାନ୍ତି ସମୟରେ ହଜାର ହଜାର ଲୋକ ଆହତ ହୋଇଥିଲେ ଏବଂ ଅନେକ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ହ୍ବାଇଟ ହାଉସରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ କହିଲେ, ‘ସେ ମୋର ଜଣେ ବନ୍ଧୁ। ମୁଁ ତାଙ୍କୁ ବହୁତ ଆଗରୁ କହିଥିଲି ଯେ ଆପଣ ଫ୍ରାନ୍ସକୁ ନେଇ ଏକ ବଡ଼ ଭୁଲ କରୁଛନ୍ତିଆପଣ ସାରା ବିଶ୍ୱରୁ ଲୋକଙ୍କୁ ଆସିବାକୁ ଅନୁମତି ଦେଉଛନ୍ତି।’
ଟ୍ରମ୍ପ ଆହୁରି ମଧ୍ୟ କହିଲେ, ‘ସାରା ବିଶ୍ୱରୁ ଲୋକମାନେ ଫ୍ରାନ୍ସକୁ ଆସୁଥିଲେ, ଏବଂ ଆପଣ ଜାଣନ୍ତି ଯେ ପ୍ୟାରିସ ଖୁବ ଶୀଘ୍ର ଏକ ମୁସଲିମ ସହର ହେବାକୁ ଯାଉଛିଯାହା କୌଣସି ବୁଝାମଣାର ଅଂଶ ନଥିଲା।’
ସୂଚନାଯୋଗ୍ୟ, ଫ୍ରାନ୍ସର ଅନେକ ସହରରେ ଦଙ୍ଗା ସୃଷ୍ଟି ହୋଇଛି, ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଶନିବାର ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୫,୫୦,୦୦୦ ଲୋକ ଅଂଶଗ୍ରହଣ କରିଥିଲେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ହିଂସାତ୍ମକ ରୂପ ନେଇଥିବା ଏହି ବିକ୍ଷୋଭ ସମୟରେ ମୋଟ ୨,୩୯୭ ଜଣଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ, ୯୯୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି ଯେ, ବିକ୍ଷୋଭ ସମୟରେ ଘଟିଥିବା ହିଂସାକାଣ୍ଡ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଶାନ୍ତି କାରଣରୁ ଦେଶର ଅନେକ ସହରରେ ଜନଜୀବନ ଠପ ହୋଇଯାଇଛି ଏବଂ ସେଠାରେ କର୍ଫ୍ୟୁ ଜାରି କରାଯାଇଛି।

