ଓ୍ବାଶିଂଟନ୍,୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷିଆ ଏବଂ ଚାଇନା ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁ କମ୍ପନ ସୃଷ୍ଟି ହେଉଛି ବୋଲି ଟ୍ରମ୍ପ କହିଛନ୍ତି।
ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷିଆ ଏବଂ ଚାଇନା ପରୀକ୍ଷଣ କରୁଛନ୍ତି, କିନ୍ତୁ ସେମାନେ ଏହା ବିଷୟରେ କଥା ହୁଅନ୍ତି ନାହିଁ। ଆମେ ଏକ ଖୋଲା ସମାଜ। ଆମେ ଭିନ୍ନ। ଆମେ ଏହା ବିଷୟରେ କଥା ହେବା ଉଚିତ। ଆମକୁ ଏହା ବିଷୟରେ କଥା ହେବାକୁ ପଡିବ। ଆମେ ପରୀକ୍ଷଣ କରିବୁ କାରଣ ସେମାନେ ପରୀକ୍ଷଣ କରୁଛନ୍ତି। ଉତ୍ତର କୋରିଆ ଏବଂ ପାକିସ୍ତାନ ମଧ୍ୟ ପରୀକ୍ଷଣ କରୁଛନ୍ତି।
ଟ୍ରମ୍ପଙ୍କ ଏହି ବିବୃତ୍ତି ସେତେବେଳେ ଆସିଥିଲା, ଯେତେବେଳେ ତାଙ୍କୁ ପୋସାଇଡନ ଅଣ୍ଡରୱାଟର ଡ୍ରୋନ ସମେତ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବା ପାଇଁ ରୁଷିଆର ସାମ୍ପ୍ରତିକ ନିଷ୍ପତ୍ତି ବିଷୟରେ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ, ଯଦି ତୁମେ ଲକ୍ଷ୍ୟ କର, ଉତ୍ତର କୋରିଆ ନିରନ୍ତର ପରୀକ୍ଷଣ କରୁଛି। ଅନ୍ୟ ଦେଶମାନେ ମଧ୍ୟ ପରୀକ୍ଷଣ କରୁଛନ୍ତି। ଆମେ ଏକମାତ୍ର ଦେଶ ଯିଏ ପରୀକ୍ଷା କରୁନାହିଁ। ଆଗକୁ ଆମେ ଅନ୍ୟ ଦେଶ ପରି ପରମାଣୁ ଅସ୍ତ୍ର ପରୀକ୍ଷା କରିବୁ। ଆମେରିକା ପାଖରେ ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି।
Dharitri – Odisha’s No.1 Odia Daily


