ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦୁଇଟି ଫଟୋ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ଅଧିନାୟକତ୍ୱରେ ଭାରତକୁ ୨୦୨୬ ଟି-୨୦ ବିଶ୍ୱକପ ଚାମ୍ପିୟନ କରାଇଥିବା ସୂର୍ଯ୍ୟ ନିଜ ପତ୍ନୀ ଦେବିଶା ସେଟ୍ଟୀ ଏବଂ ପରିବାର ସହ ନୂଆଦିଲ୍ଲୀରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହାର ଠିକ ପରେ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ମାତ୍ର ୪-୫ ଦିନ ମଧ୍ୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ସହ ତାଙ୍କର ଏହି କ୍ରମାଗତ ସାକ୍ଷାତକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସାକ୍ଷାତର ଫଟୋ କେବଳ ସୂର୍ଯ୍ୟ ନୁହନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଏହା ପରେ ଏବେ ଅନୁମାନ ଲଗାଯାଉଛି ଯେ, ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲରେ ଶେଷ ମୁହୂର୍ତ୍ତରେ ବାଉଣ୍ଡାରି ଲାଇନଠାରୁ ମାତ୍ର କିଛି ମିଲିମିଟର ପୂର୍ବରୁ ଡେଭିଡ ମିଲରଙ୍କ ଏକ ଚମତ୍କାର କ୍ୟାଚ ଧରି ଭାରତକୁ ଟ୍ରଫି ଜିତାଇଥିବା ସୂର୍ଯ୍ୟ, ଠିକ ସେହିଭଳି ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ରାଜନୀତିକୁ ପ୍ରବେଶ କରି ଭାଜପାକୁ ବଡ଼ ବିଜୟ ଦେଇପାରନ୍ତି।
ଯଦି ଏହି ଅନୁମାନ ସତ ହୁଏ, ତେବେ ସୂର୍ଯ୍ୟଙ୍କ ରାଜନୈତିକ ପ୍ରବେଶ କେବଳ ଶାସକ ଦଳ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଲାଭଦାୟକ ହେବ ନାହିଁ, ବରଂ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ପାଇଁ ମଧ୍ୟ ବଡ଼ କ୍ଷତିର କାରଣ ହୋଇପାରେ। ସୂର୍ଯ୍ୟ ମହାରାଷ୍ଟ୍ରର ମୁମ୍ବାଇ ରଣଜୀ ଟ୍ରଫି ଦଳ ପାଇଁ ଖେଳନ୍ତି। କ୍ରିକେଟ ସହ ତାଙ୍କର ସମ୍ପର୍କ ମହାରାଷ୍ଟ୍ର ସହ ଥିଲେ ମଧ୍ୟ ଉତ୍ତରପ୍ରଦେଶ ସହ ତାଙ୍କର ମୂଳ ସମ୍ପର୍କ ମଧ୍ୟ ସେତିକି ଗଭୀର।
ତେବେ ଆଉ ଏକ ଚର୍ଚ୍ଚା ହେଉଛି ଯେ, ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସୂର୍ଯ୍ୟକୁମାର ଯାଦବଙ୍କ ପତ୍ନୀ ଦେବିଶା ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶର କୌଣସି ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସୂର୍ଯ୍ୟଙ୍କ ସାକ୍ଷାତକୁ ଭବିଷ୍ୟତର ରାଜନୈତିକ ରଣନୀତି ସହ ଯୋଡ଼ି ଦେଖାଯାଉଛି।
ଏହି ଅନୁମାନ ପଛରେ ଉତ୍ତରପ୍ରଦେଶର ଯାଦବ ଭୋଟ ବ୍ୟାଙ୍କକୁ ସବୁଠାରୁ ବଡ଼ ରାଜନୈତିକ ସମୀକରଣ ଭାବେ ଦେଖାଯାଉଛି। ୟୁପି ରାଜନୀତିରେ ଯାଦବ ସମ୍ପ୍ରଦାୟ ପାରମ୍ପରିକ ଭାବେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ଏକ ମଜବୁତ ଭୋଟ ବ୍ୟାଙ୍କ ଭାବେ ପରିଚିତ। ସୂର୍ଯ୍ୟକୁମାର ଯାଦବ ଦେଶର ଜଣେ ଅତ୍ୟନ୍ତ ଲୋକପ୍ରିୟ ଏବଂ ଚର୍ଚ୍ଚିତ କ୍ରିକେଟର। ଯାଦବ ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ତାଙ୍କର ଏକ ସ୍ବତନ୍ତ୍ର ପ୍ରଶଂସକ ଗୋଷ୍ଠୀ ରହିଛି। ଏଭଳି ସ୍ଥିତିରେ ସେ କିମ୍ବା ତାଙ୍କ ପତ୍ନୀ ଭାଜପା ଟିକେଟରେ ନିର୍ବାଚନ ଲଢ଼ିଲେ ଏହାର ସିଧାସଳଖ ପ୍ରଭାବ ଯାଦବ ଭୋଟରଙ୍କ ଉପରେ ପଡ଼ିପାରେ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଜନସଂଖ୍ୟା ପ୍ରାୟ ୨୪ କୋଟି ହୋଇଥିବା ବେଳେ ଏଠାରେ ଯାଦବ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୦ରୁ ୧୧ ପ୍ରତିଶତ ବୋଲି ଆକଳନ କରାଯାଏ। ଏଭଳି ସ୍ଥିତିରେ ସୂର୍ଯ୍ୟ କିମ୍ବା ତାଙ୍କ ପତ୍ନୀ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଏହା ଭାଜପା ପାଇଁ ଏକ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ।

