ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ବିପକ୍ଷରେ ଭାରତୀୟ ବ୍ୟାଟର୍ମାନେ ବିଫଳ ହେଉଥିବା ବେଳେ ଏକାକୀ ଲଢ଼ିଛନ୍ତି ଅଭିଷେକ ଶର୍ମା। ରବିବାର ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଇଣ୍ଡିଆ-ଏ ଓ ପାକିସ୍ତାନ-ଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଅଭିଷେକ ମାତ୍ର ୪୨ ବଲ୍ରୁ ୭୦ ରନ୍ର ଲଢ଼ୁଆ ଇନିଂସ ଖେଳିଛନ୍ତି । ତାଙ୍କ ଇନିଂସରେ ୬ଟି ଚୌକା ଓ ୬ଟି ଛକା ସାମିଲ ଥିଲା।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ-ଏ ଦଳ ୩୧୩ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୩୧୪ ରନ୍ର ବଡ଼ ଲକ୍ଷ୍ୟ ରହିଥିଲା। ଏହି ଲକ୍ଷ୍ୟର ପିଛା କରିବାକୁ ଆସି ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପାକିସ୍ତାନୀ ବୋଲର୍ମାନେ ଆରମ୍ଭରୁ ସେମାନଙ୍କୁ ଚାପରେ ରଖିଥିଲେ। ବଢ଼ୁଥିବା ଚାପ ମଧ୍ୟରେ ବୈଭବ ୧୩ ବଲ୍ରୁ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଆୟୁଷ ବଦୋନି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ମାତ୍ର ୨୬ ରନ୍ରେ ଭାରତ ଦୁଇଟି ୱିକେଟ୍ ହରାଇଥିଲା।
ଦଳର ୱିକେଟ୍ ପଡ଼ୁଥିବା ବେଳେ ଅଭିଷେକ ଧୈର୍ଯ୍ୟ ହରାଇ ନଥିଲେ । ସୁଯୋଗ ମିଳିବା ମାତ୍ରେ ବଡ଼ ସଟ୍ ଖେଳି ରନ୍ ଗତି ବଢ଼ାଇଥିଲେ । ଅନ୍ୟପଟେ ଅଧିନାୟକ ତିଳକ ବର୍ମା ରନ୍ କରିବାକୁ ସଂଘର୍ଷ କରୁଥିବାରୁ ଅଭିଷେକଙ୍କ ଉପରେ ଚାପ ଅଧିକ ରହିଥିଲା। ତିଳକ ପ୍ରଥମ ୩୬ଟି ବଲ୍ରୁ ମାତ୍ର ୮ ରନ୍ କରିପାରିଥିଲେ। ଏଭଳି ସ୍ଥିତିରେ ଅଭିଷେକ ଗୋଟିଏ ପଟେ ଦଳର ଇନିଂସ ସମ୍ଭାଳିବା ସହ ଆକ୍ରମଣ ଜାରି ରଖିଥିଲେ।
ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ବୈଭବ ସୂର୍ଯ୍ୟବଂଶୀ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ନିରାଶ କରିଛନ୍ତି। ପାକିସ୍ତାନ-ଏ ବିପକ୍ଷରେ ସେ ୧୩ ବଲ୍ରୁ ମାତ୍ର ୧୧ ରନ୍ କରିଥିଲେ । ଏହା ପୂର୍ବରୁ ନେପାଳ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ୩୨ ବଲ୍ରୁ ୨୬ ରନ୍ କରିଥିଲେ । ସେହି ମ୍ୟାଚ୍ରେ ଭାରତ ୩୦୬ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ପାକିସ୍ତାନ ବିପକ୍ଷରେ ମଧ୍ୟ ବୈଭବ ଅଧିକ ସମୟ କ୍ରିଜ୍ରେ ରହିପାରି ନଥିଲେ।

