ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ

 

ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ ବେଶ୍‌ ପରିଚିତ। ହେଲେ ସେଇ ଆଦିବାସୀ ସମ୍ପ୍ରଦାୟ ସମାଜର ପ୍ରାୟତଃ ସମସ୍ତ ଉତ୍ସ, ସୁବିଧା ଓ ସୁଯୋଗଠାରୁ ବହୁତ ଦୂରରେ, ନ ହେଲେ ବହୁତ ପଛରେ। ବିଶେଷକରି ଆଦିବାସୀ ମହିଳାମାନଙ୍କ କଥା ଯଦି କହିବା,ତେବେ ସେମାନଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆଦିବାସୀ ମହିଳାଙ୍କର କାର୍ଯ୍ୟଦକ୍ଷତା ଓ କ୍ଷମତା, କଷ୍ଟ ସହିଷ୍ଣୁତା, ଉଦ୍‌ଯୋଗିତା ଓ ପରିଶ୍ରମୀ ପ୍ରକୃତି ସାମ୍ନାରେ ସେମାନଙ୍କ ସରଳତା, ନିରୀହତା ଓ ଶିକ୍ଷା ଅଭାବ ବାଧକ ସାଜେ। ବହୁ ସମୟରେ ସେମାନେ ଶୋଷଣ, ଅବହେଳା ଓ ଠକାମିର ଶିକାର ହୁଅନ୍ତି। ଆଦିବାସୀ ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ ସେମାନଙ୍କୁ ସଶକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସେମାନଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ପାରମ୍ପରିକ ପନ୍ଥା ପଛରେ ପଡିଯାଉଛି। ଏହି ଡିଜିଟାଲ ଯୁଗରେ ଆଦିବାସୀ ମହିଳା ସଶକ୍ତୀକରଣରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ) ଏକ ପରିବର୍ତ୍ତନଶୀଳ ସୁଯୋଗ ଉପସ୍ଥାପନ କରିପାରିବ। କୃତ୍ରିମ ବୁଦ୍ଧିମତ୍ତାର ସାଧନ ଏବଂ କୌଶଳଗୁଡିକୁ ଉପଯୋଗ କରି ଆମେ ଆଦିବାସୀ ମହିଳା ସମ୍ମୁଖୀନ ହେଉଥିବା ସମସ୍ୟାର ନିର୍ଦ୍ଦିଷ୍ଟ ସମାଧାନ କରିପାରିବା। ସେମାନଙ୍କୁ ସେମାନଙ୍କର ସାମର୍ଥ୍ୟକୁ ପରିପ୍ରକାଶ କରାଇବା ସହିତ ଦେଶର ଅର୍ଥନୀତିରେ ଯୋଗଦାନ କରିବାକୁ ସକ୍ଷମ ମଧ୍ୟ କରିପାରିବା।
କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଆଦିବାସୀ ମହିଳା ସଶକ୍ତୀକରଣକୁ ଅନୁଧ୍ୟାନ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଲିଙ୍ଗଗତ ସମାନତାର ସ୍ଥିତିକୁ ବୁଝିବା ଏକାନ୍ତ ଆବଶ୍ୟକ। ବିଶ୍ୱ ଆର୍ଥିକ ମଞ୍ଚର ବିଶ୍ୱ ଲିଙ୍ଗଗତ ବ୍ୟବଧାନ ବିବରଣୀ ୨୦୨୧ ଅନୁଯାୟୀ, ଆର୍ଥିକ ଅଂଶଗ୍ରହଣ ଏବଂ ସୁଯୋଗରେ ବିଶ୍ୱର ଲିଙ୍ଗଗତ ବ୍ୟବଧାନରେ ମାତ୍ର ୫୮%ହ୍ରାସ ପାଇଛି। ଆର୍ଥିକ ନେତୃତ୍ୱ ପଦବୀରେ ମହିଳାମାନେ ଅଳ୍ପ ଉପସ୍ଥାପିତ। ହାରାହାରି ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ରୋଜଗାର କରୁଛନ୍ତି ଏବଂ ଅର୍ଥନୈତିକ ସୁଯୋଗ ପାଇବାରେ ଅନେକ ପ୍ରତିବନ୍ଧକର ସାମ୍ନା ମଧ୍ୟ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ବ୍ୟବଧାନକୁ ହ୍ରାସ କରିବାରେ ଅଗ୍ରଗତି ହୋଇଥିବାବେଳେ ବିଶେଷତଃ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା,ଇଞ୍ଜିନିୟରିଂ ଏବଂ ଗଣିତ(STEM)କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ରହିଯାଉଛି। ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ମହିଳାମାନେ କେବଳ ୩୫% ଷ୍ଟେମ୍‌ ଛାତ୍ର। ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅଧିକ ଅନ୍ତର୍ଭୁକ୍ତ ଏବଂ ସହାୟତାର ଆବଶ୍ୟକତା ରହିଛି। ତାହା ସହିତ ମାତୃ ମୃତ୍ୟୁ ହାର, ପରିବାର ଯୋଜନା ସେବା ତଥା ମହିଳାଙ୍କ ସ୍ବାସ୍ଥ୍ୟସେବା ଏବଂ ପ୍ରଜନନ ଅଧିକାରରେ ମଧ୍ୟ ସନ୍ତୋଷଜନକ ସ୍ଥିତି ପରିଲକ୍ଷିତ ହେଉ ନାହିଁ। ମହିଳା ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଓ ଅସମାନତାକୁ ଦୂର କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତ୍ୱ ଦେଉଛି। ତାହାଛଡ଼ା ମହିଳାମାନେ କେବଳ ୨୫% ସଂସଦୀୟ ଆସନ ପାଇପାରୁଛନ୍ତି। ରାଜନୈତିକ ପ୍ରତିନିଧିତ୍ୱରେ ଲିଙ୍ଗଗତ ବ୍ୟବଧାନକୁ ହ୍ରାସ କରି, ମହିଳାଙ୍କ ସ୍ବରକୁ ପ୍ରାଧାନ୍ୟ ଦେଇ, ନିଷ୍ପତ୍ତି ପ୍ରକ୍ରିୟାରେ ସେମାନଙ୍କର ମତକୁ ସ୍ଥାନ ଦେଇ, ସକ୍ରିୟ ରାଜନୀତିରେ ଯୋଗ ଦେବା ଲାଗି ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ଯଦି ଗଭୀର ଅନୁଧ୍ୟାନ କରାଯାଏ, ତେବେ ଅନ୍ୟ ମହିଳାଙ୍କ ତୁଳନାରେ ଆଦିବାସୀ ମହିଳାଙ୍କ ସ୍ଥିତି ଅଧିକ ଶୋଚନୀୟ। ୧୯୫୦ ମସିହାରେ ଭାରତର ସମ୍ବିଧାନ ଦ୍ୱାରା ଆଦିବାସୀ ଜନସଂଖ୍ୟାକୁ ଦିଆଯାଇଥିବା ସୁରକ୍ଷା ସତ୍ତ୍ୱେ,ଅନୁସୂଚିତ ଜନଜାତିମାନେ ପଛୁଆ ଗୋଷ୍ଠୀ ହୋଇ ରହିଛନ୍ତି। ସେମାନେ କେବଳ ସାଧାରଣ ଜନତାଙ୍କ ତୁଳନାରେ ନୁହେଁ, ଅନୁସୂଚିତ ଜାତିଙ୍କ ତୁଳନାରେ ମଧ୍ୟ ସମ୍ବେଦନଶୀଳ ସ୍ଥିତିରେ। ଅଶିକ୍ଷା ଏବଂ ଅଜ୍ଞତା ହେତୁ ଭାରତରେ ଆଦିବାସୀ ମହିଳାମାନେ ଅନ୍ୟ ମହିଳାଙ୍କ ତୁଳନାରେ ବହୁମୁଖୀ ଅସୁବିଧାର ସାମ୍ନା କରୁଛନ୍ତି। ପରିସଂଖ୍ୟାନ ତଥ୍ୟରୁ ଜଣାପଡୁଛି ଯେ, ଆଦିବାସୀ ମହିଳାମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆନୁଷ୍ଠାନିକ ଶିକ୍ଷା ପାଇପାରୁନାହାନ୍ତି, ଯାହାଦ୍ୱାରା ଦାରିଦ୍ର୍ୟଚକ୍ର ସେଇ ଆଦିବାସୀଙ୍କ ଲାଗି ଚିରସ୍ଥାୟୀ ହୋଇ ରହୁଛି। ଏହା ମଧ୍ୟ ପରିଲକ୍ଷିତ କରାଯାଇଛି ଯେ ଆଦିବାସୀ ମହିଳାଙ୍କ ମଧ୍ୟରେ ମାତୃ ମୃତ୍ୟୁ ହାର ଅଧିକ। ଅଧିକାଂଶ ଆଦିବାସୀ ମହିଳା ପୁଷ୍ଟିହୀନତାର ଶିକାର। ପୁଷ୍ଟିହୀନତାଜନିତ ଆଦିବାସୀ ମହିଳାମାନେ କମ୍‌ ଓଜନ ବିଶିଷ୍ଟ ଶିଶୁଙ୍କୁ ଜନ୍ମ ଦେଉଛନ୍ତି,ଯାହା ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ବଢ଼ାଇ ଥାଏ। ତାହା ସହିତ ସେମାନେ ନିଜ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ପର୍ଯ୍ୟାପ୍ତ ଯତ୍ନ ଯୋଗାଇବାରେ ସକ୍ଷମ ମଧ୍ୟ ହୁଅନ୍ତି ନାହିଁ। ତାହା ପରବର୍ତ୍ତୀ ସମୟରେ ବଢୁଥିବା ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଓ କୁପୋଷଣର କାରଣ ହୋଇଥାଏ, ଯାହା ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶକୁ ବାଧା ଦେଇଥାଏ। ଆଦିବାସୀ ମହିଳାଙ୍କ ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ସେମାନଙ୍କ ଘରର ଆର୍ଥିକ ଅବସ୍ଥା ଉପରେ ମଧ୍ୟ କୁପ୍ରଭାବ ପକାଇ ଥାଏ। ସରକାରୀ ତଥ୍ୟ ଅନୁଯାୟୀ,ରୋଜଗାର ଏବଂ ଉଦ୍ୟୋଗ ପାଇଁ ସୀମିତ ସୁଯୋଗ ସହିତ ଆଦିବାସୀ ମହିଳାମାନେ ଆର୍ଥିକ ଅଭାବ ଓ ଅସମାନତା ଦ୍ୱାରା ଅଧିକ ପ୍ରଭାବିତ। ଆଦିବାସୀ ମହିଳାଙ୍କ ପାଖରେ ଅନ୍ୟ ମହିଳାଙ୍କ ତୁଳନାରେ ଶିକ୍ଷା,ସ୍ବାସ୍ଥ୍ୟ ଓ ସାମାଜିକ ଉତ୍ଥାନ ଲାଗି ଲୋଡ଼ା ସୁଯୋଗ ଅତି ସୀମିତ। ସେଇ ସୀମିତତା ଭିତରେ କେତେବେଳେ ବାଧା ସାଜେ ଅନ୍ଧବିଶ୍ୱାସ ତ କେତେବେଳେ ଅଜ୍ଞତା,କେତେବେଳେ ପ୍ରକୃତି ତ କେତେବେଳେ ସାମାଜିକ ପରିବେଶ,କେତେବେଳେ ଅର୍ଥ ତ କେତେବେଳେ ଅର୍ଥହୀନ ସାମାଜିକ ସମସ୍ୟା,କେତେବେଳେ ରାଜନୀତି ତ କେତେବେଳେ ଭୌଗୋଳିକ ପରିସ୍ଥିତି। ଏଇସବୁ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବାଟ କାଟି ଆଗେଇ ଆସିବାଟା ଆଦିବାସୀ ମହିଳାଙ୍କ ଲାଗି ଏକ ପାହାଡ଼ ସଦୃଶ। ତାହା ସତ୍ତ୍ୱେ ଆଦିବାସୀ ମହିଳାମାନେ ସଂଘର୍ଷ ଜାରି ରଖି ଆଗେଇ ଆସୁଛନ୍ତି ଓ ଆହୁରି ଆଗକୁ ଯିବାର ଚିନ୍ତନ ମଧ୍ୟ କରୁଛନ୍ତି। ଆବଶ୍ୟକ କେବଳ ସାହାଯ୍ୟ, ସହଯୋଗ,ସମ୍ମାନ ଓ ଉଦ୍‌ବୋଧନ।
ଆଦିବାସୀ ମହିଳା ସଶକ୍ତୀକରଣ କହିଲେ, କେବଳ ସାମାଜିକ ବା ଅର୍ଥନୈତିକ ଅଭିବୃଦ୍ଧିକୁ ବୁଝାଇବା ପରିବର୍ତ୍ତେ, ଆଦିବାସୀ ମହିଳାଙ୍କ ପୂର୍ଣ୍ଣ ବିକାଶ, ଆତ୍ମନିର୍ଭରଶୀଳତା,ଗୁଣାତ୍ମକ ଶିକ୍ଷା ତଥା ଉତ୍ତମ ସ୍ବାସ୍ଥ୍ୟ, ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶୀଦାର ସହିତ ସାଂସ୍କୃତିକ,ଐତିହ୍ୟ ଏବଂ ନିଜସ୍ବ ପରିଚୟର ସଂରକ୍ଷଣ ସମେତ ସଶକ୍ତୀକରଣର ଏକାଧିକ ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାରେ ଗୁରୁତ୍ୱ ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ, କୃତ୍ରିମ ବୁଦ୍ଧିମତ୍ତା ଆଦିବାସୀ ମହିଳା ସଶକ୍ତୀକରଣକୁ ଅଗ୍ରଗତି କରିବା ପାଇଁ ଏକ ସମ୍ଭାବ୍ୟ ଅନୁକ୍ରମଣିକା ଭାବରେ ଉଭା ହୋଇପାରିବ। କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ସ୍ବାସ୍ଥ୍ୟ ସେବା ଯେପରି ପ୍ରେଡିକ୍ଟିଭ ଆନାଲିଟିକ୍ସ, ଟେଲିମେଡିସିନ, ଡାଇଗ୍ନୋଷ୍ଟିକ ଆଲଗୋରିଦମ, ସୁଦୂର ଆଦିବାସୀ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରିପାରିବ, ଯାହାଫଳରେ ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସାର ପ୍ରଭାବ ଏବଂ ମାନ ବୃଦ୍ଧି ପାଇବ।
ମୋ:୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri