ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ ପ୍ରସଙ୍ଗ। ଜଣେ ଅସୁର ବହୁ ସାଧନା କରି ଶିବଙ୍କଠାରୁ ଗୋଟିଏ ବର ପାଇଥିଲା, ବରଟି ଥିଲା ଏମିତି ଯେ ଅସୁର ଯେକୌଣସି ବ୍ୟକ୍ତିର ମୁଣ୍ଡକୁ ଛୁଇଁଦେବା ମାତ୍ରେ ତା’ର ମୁଣ୍ଡ ପାଉଁଶରେ ପରିଣତ ହୋଇଯାଉଥିଲା। ଏଇ ବର ପାଇବା ପରେ ସଂପୃକ୍ତ ଅସୁରଟି ତା’ର ଶତ୍ରୁମାନଙ୍କୁ ବିନାଶ କରିବାର ସହଜସାଧ୍ୟ ଉପାୟଟିଏ ପାଇଗଲା, କ୍ରମେ ତା’ର ଗୋଟିଏ ନଁା ହୋଇଗଲା ଭସ୍ମାସୁର । ତା’ର ଅହଂକାର ଏତେ ବଢ଼ିଗଲା ଯେ ସେ ଚାହିଁଲା ସେଇ ବରକୁ ବରଦାତା ଶିବଙ୍କ ଉପରେ ପ୍ରୟୋଗ କରିବ। ଶିବ ଏହା ଜାଣିପାରିଲେ, ସେ ବିଷ୍ଣୁଙ୍କର ଶରଣାପନ୍ନ ହେଲେ। ବିଷ୍ଣୁ କାଳବିଳମ୍ବ ନ କରି ନିଜକୁ ଜଣେ ସୁନ୍ଦରୀ ନୃତ୍ୟାଙ୍ଗନା ଭାବରେ ରୂପ ବଦଳେଇ ଦେଲେ ଏବଂ ଭସ୍ମାସରକୁ କହିଲେ ସେ ଯଦି ନୃତ୍ୟରେ ତାଙ୍କୁ ପରାଜିତ କରିପାରିବେ ତା’ହେଲେ ତାଙ୍କର ପାଣିଗ୍ରହଣ କରିବାକୁ ସେ ରାଜି। ଭସ୍ମାସୁର ଭାବିଲା ସେ ବି ନୃତ୍ୟରେ ସେଇ ନର୍ତ୍ତକୀକୁ ପରାସ୍ତ କରିପାରିବ। ତେଣୁ ସେ ନୃତ୍ୟ ପଟ୍ଟିୟସୀକୁ ଅନୁକରଣ କରି ନାଚିବାକୁ ଲାଗିଲେ । ପ୍ରଥମେ ପ୍ରଥମେ ସେଇ ନର୍ତ୍ତକୀ (ମୋହିନୀ : ବିଷ୍ଣୁଙ୍କ ପ୍ରତିରୂପୀ) ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ଏଇ ଆତ୍ମ ପ୍ରଶଂସାରେ ଖୁସି ଥିବାବେଳେ ମୋହିନୀ ନିଜ ମୁଣ୍ଡକୁ ଛୁଇଁ ଦେବାରୁ ଭସ୍ମାସୁର ଅନୁରୂପ ଅଭିନୟ କରିବାକୁ ଆଗେଇ ଆସିଲେ ଏବଂ କିଛି ବୁଝିବା ପୂର୍ବରୁ ଭସ୍ମାସୁର ନିଜେ ଭସ୍ମ ହୋଇ ସାରିଥିଲା। ପୁରାଣର ଏଇ କଥାବସ୍ତୁକୁ ପୁନର୍ବାର ଅଧ୍ୟୟନ କଲା ପରେ ଆଉ କ’ଣ ବୁଝିବାକୁ ବାକି ରହିବ ଯେ ଅନ୍ୟ କେହି ମଣିଷ ଛଡ଼ା ଭସ୍ମାସୁରର ଅଭିନୟ କରିପାରିବ? ଏହା କୌଣସି ନାଟକର ଅଭିନୟ ନୁହେଁ ଏହା ହେଉଛି ସତସତିକା ଅଭିନୟ, ଯାହା ମଣିଷ କରି ଚାଲିଛି।
ମଣିଷ ଯେଉଁ ବରଦାନ ପାଇ ନିଜକୁ କ୍ଷମତାଶାଳୀ ବୋଲି ଭାବୁଛି ସେ ସବୁ ପ୍ରକୃତିରୁ ନୁହେଁ କି? ସେ ଖାଦ୍ୟ ହେଉ ବା ପାନୀୟ, ହେଉ ସେ ବସ୍ତ୍ର ଅଥବା ବାସଗୃହ – ସବୁକିଛି ସେ ପାଉଛି ସେଇ ପ୍ରକୃତିରୁ। ଅଥଚ ପ୍ରକୃତିକୁ କାବୁ କରି ତାକୁ ଧ୍ୱଂସ କରିବାକୁ ଚାହୁଁଛି ପ୍ରତିନିୟତ। ତା’ର ଧାରଣା ହୁଏତ ସେଇ ପୌରାଣିକ ଚରିତ୍ର ଭସ୍ମାସୁରର ଚିନ୍ତାର ଅନୁରୂପ – ସେ ଯଦି ବରଦାତା ଶିବଙ୍କୁ ଧ୍ୱଂସ କରିପାରିବ, ତାହେଲେ ସିନା ସେ ଶିବଙ୍କଠାରୁ ଅଧିକ କ୍ଷମତାଶାଳୀ ବୋଲି ବିବେଚିତ ହେବ । ଏଇ କ୍ଷମତା ଆହରଣ ଓ ତା’ର ପ୍ରମାଣ ଭିତରେ ନିମଜ୍ଜମାନ ମଣିଷ ଆଧୁନିକ ଭସ୍ମାସୁର ନୁହେଁ ତ ଆଉ କ’ଣ!
ଆପଣଙ୍କୁ ଅବିଶ୍ୱାସ୍ୟ ଲାଗିଲେ ବି ସତ ଯେ ସଦ୍ୟ ପ୍ରକାଶିତ ୟୁଏନ୍‌ଇପି (ୟୁନାଇଟେଡ ନେସନ୍ସ ଏନଭାଇରନମେଣ୍ଟ ପ୍ରୋଗ୍ରାମ)ରିପୋର୍ଟରେ ଦର୍ଶାଇଛି ଯେ, ସାରା ବିଶ୍ୱରେ ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ଏକ ଡଲାର ଖର୍ଚ୍ଚ ହେଉଥିବା ବେଳେ ଏହାକୁ ଧ୍ୱଂସ କରିବା ପାଇଁ ୩୦ ଡଲାର ଖର୍ଚ୍ଚ କରାଯାଉଛି। ଅର୍ଥାତ୍‌ ଧ୍ୱଂସ ପାଇଁ ଖର୍ଚ୍ଚ ସଂରକ୍ଷଣର ୩୦ଗୁଣ। ମିଳିତ ଜାତିସଂଘର ପର୍ଯ୍ୟାବରଣ କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟନିର୍ବାହୀ ଇଙ୍ଗର ଆଣ୍ଡରସନ୍‌ଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସାରା ବିଶ୍ୱ ୨୦୨୩ ମସିହାରେ ୭.୩ ଟ୍ରିଲିୟନ ଡଲାର ପର୍ଯ୍ୟାବରଣକୁ କ୍ଷତି କରୁଥିବା ପଦକ୍ଷେପରେ ବିନିଯୋଗ କରିଛି। ତନ୍ମଧ୍ୟରୁ ବ୍ୟକ୍ତିଗତ ଉଦ୍ୟୋଗ ମାଧ୍ୟମରେ ୪.୯ ଟ୍ରିଲିଅନ ଡଲାର ବିନିଯୋଗ ହୋଇଛି ମୁଖ୍ୟତଃ ଶିଳ୍ପ ସ୍ଥାପନରେ, ଇନ୍ଧନ ଖୋଜିବାରେ ବା ଖଣିଖାଦାନରେ। ଏହା ଛଡ଼ା ବିଭିନ୍ନ ଦେଶ ରାଷ୍ଟ୍ରୀୟ ଅର୍ଥ ଖର୍ଚ୍ଚ କରିଛନ୍ତି ପ୍ରାୟ ୨.୪ ଟ୍ରିଲିୟନ ଡଲାର, ଯାହାର ବିନିଯୋଗ ହୋଇଛି ଫସିଲ ଫୁଏଲ ସବ୍‌ସିଡି, କୃଷି, ଜଳ, ଗମନାଗମନ ଏବଂ ନିର୍ମାଣ କାର୍ଯ୍ୟରେ। ଏହି ଅର୍ଥର ତିରିଶ ଭାଗରୁ ଭାଗେ ଖର୍ଚ୍ଚ ହୋଇଛି ପ୍ରକୃତିର ସଂରକ୍ଷଣଜନିତ ବିଭିନ୍ନ କାର୍ଯ୍ୟକ୍ରମରେ। ଆମର କାର୍ଯ୍ୟକ୍ରମ ସୂଚେଇ ଦେଉଛି ଆମେ କେମିତି ଧ୍ୱଂସ ଦିଗରେ ଅଗ୍ରସର ହେଉଛନ୍ତି।
କାହାକୁ ଅଜଣା ନାହିଁ ଯେ ୨୦୦୦ ମସିହାରେ ସହସ୍ରାବ୍ଦର ବିକାଶ ଲକ୍ଷ୍ୟ ସମ୍ବଳିତ ଏକ ଶପଥ ପତ୍ର ମିଳିତ ଜାତିସଂଘ ତରଫରୁ ଜାରି କରାଯାଇଥିଲା। ଏହାକୁ ସଂକ୍ଷେପରେ ଏମ୍‌ଡିଜି (ମିଲେନିୟମ ଡେଭଲପ୍‌ମେଣ୍ଟ ଗୋଲ୍ସ) ବୋଲି କୁହାଯାଉଥିଲା। ସେତେବେଳେ ଆଠଗୋଟି ଲକ୍ଷ୍ୟ ପୂରଣ କରିବାକୁ ସହଯୋଗୀ ରାଷ୍ଟ୍ରମାନେ ଅଙ୍ଗୀକାରବଦ୍ଧ ହୋଇଥିଲେ ଏବଂ ଦୁଇହଜାର ପନ୍ଦର ସୁଦ୍ଧା ଲକ୍ଷ୍ୟ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂରଣ ହୋଇ ନ ପାରିବାରୁ ୨୦୧୫ରେ ଏକ ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହାତକୁ ନିଆଗଲା ଯାହା ୨୦୩୦ ସୁଦ୍ଧା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।
ଏହାକୁ ଏସ୍‌ଡିଜି ବା ସଷ୍ଟେନେବଲ ଡେଭଲପ୍‌ମେଣ୍ଟ ଗୋଲ୍ସ ବୋଲି କୁହାଯାଏ। ଏଥିରେ ସତର ଗୋଟି ଲକ୍ଷ୍ୟ ଲିପିବଦ୍ଧ ହୋଇଥିଲା। ସିଧା ସଳଖ ଭାବରେ ପାଞ୍ଚଟି ଏହା ଭିତରୁ ପର୍ଯ୍ୟାବରଣର ବିକାଶ ସହିତ ସଂଯୁକ୍ତ। ମାତ୍ର ପରୋକ୍ଷ ବିଚାରକୁ ଗଣିଲେ ସବୁତକ ପରିବେଶ ସମ୍ପର୍କିତ।
ପରିବେଶ ଅନୁକୂଳ ବିକାଶର ନକ୍‌ସା ଦିନକୁ ଦିନ ରୁଗ୍‌ଣ ହେବାର ମୁଖ୍ୟ କାରଣ ହେଲା ଯେଉଁ ଦେଶମାନେ ସମୃଦ୍ଧ ତାଲିକାରେ ଅଛନ୍ତି ସେମାନେ ସଂପୃକ୍ତ କାର୍ଯ୍ୟ ପାଇଁ ବ୍ୟୟ ବରାଦ କରିବାକୁ ଅନିଚ୍ଛୁକ। ୨୦୧୫ରେ ପ୍ୟାରିସ୍‌ ବୁଝାମଣା ନଁାରେ ଗୋଟିଏ ନିର୍ଦ୍ଧାରଣ ପତ୍ର ପାରିତ ହୋଇଥିଲା ବିଶ୍ୱର ରାଷ୍ଟ୍ରମାନଙ୍କ ଦ୍ୱାରା। ଏଥିରେ ବିଶ୍ୱତାପନ ପ୍ରଭାବକୁ ନୂ୍ୟନତମ ସ୍ତରକୁ ନେବା ପାଇଁ ବିବିଧ ବ୍ୟବସ୍ଥା ରହିଥିଲା। ୨୦୧୭ ରେ ଆମେରିକାର ସେତେବେଳର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଇ ରାଜିନାମାରୁ ଯୁକ୍ତରାଷ୍ଟ୍ର ଓହରିଗଲା ବୋଲି ଘୋଷଣା କଲେ । ତାଙ୍କର ଯୁକ୍ତି ଥିଲା ଏହା ଫଳରେ ଆମେରିକାକୁ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ିବ ଏବଂ ଆମେରିକା ଅର୍ଥନୀତି କ୍ଷତିଗ୍ରସ୍ତ ହେବ। ପରବର୍ତ୍ତୀ ସମୟରେ ପୂର୍ବତନ ରାଷ୍ଟ୍ରପତି ବାଇଡ଼େନ୍‌ ଏହି ଚୁକ୍ତିକୁ ସମର୍ଥନ କରିଥିଲେ ମଧ୍ୟ ପୁନର୍ବାର ଟ୍ରମ୍ପ ନିର୍ବାଚିତ ହେଲା ପରେ ଏହି ରାଜିନାମାକୁ ଶକ୍ତ ଧକ୍କା ଲାଗିଛି।
ବିକଶିତ ଦେଶର ଲୋକମାନେ ବୋଧହୁଏ ଅନୁଭବ କରିପାରନ୍ତି ନାହିଁ ଯେ ସେମାନଙ୍କ ଦ୍ୱାରା ପୃଥିବୀର କେତେ ଅଧିକ ଶକ୍ତି ଉପଯୋଗ ହୁଏ। ଆମେରିକାର ପ୍ରତି ପରିବାରରେ ବହୁ ସଂଖ୍ୟକ ଦାମୀ ଗାଡ଼ି ଥାଏ ଏବଂ ସେମାନେ ବହୁ କୋଠରି ବିଶିଷ୍ଟ ଘରେ ବସବାସ କରନ୍ତି । ସେହି ଘରଗୁଡ଼ିକୁ ଉଷୁମ ରଖିବାକୁ ଏବଂ ଗାଡ଼ିଗୁଡ଼ିକୁ ଚଳନକ୍ଷମ କରିବା ପାଇଁ ଯାହା ଖର୍ଚ୍ଚ ହୁଏ ତାହାର ଆକଳନ ସାଧାରଣଠାରୁ ଯଥେଷ୍ଟ ଅଧିକ। ସେମାନଙ୍କର ଊର୍ଜା ବ୍ୟବହାରକୁ ଲକ୍ଷ୍ୟ କଲେ ଅନୁଭବ ହୋଇପାରେ, ପୁରାଣରେ ଆଲୋଚିତ କୁମ୍ଭକର୍ଣ୍ଣ ପରି ଅସୁରଠାରୁ ସେମାନେ ଜଣେ ଜଣେ କମ୍‌ ନୁହନ୍ତି।
ମାଟିରୁ ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ପ୍ରକୃତିର ପରିଧି। ଜଳକୁ ଆମର ଜୀବନ କୁହାଯାଏ । ପାନୀୟ ଜଳ ବିନା ମଣିଷ ବଞ୍ଚତ୍ବା ଅସମ୍ଭବ । ମାତ୍ର ବିଶ୍ୱରେ ଯେତିକି ଜଳ ଅଛି ତାହା ମଧ୍ୟରୁ ମାତ୍ର ଏକ ପ୍ରତିଶତ କେବଳ ପାନୀୟ ଜଳ ପାଇଁ ଉପଯୋଗୀ। ଜଳଉତ୍ସଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଜାଣିପାରନ୍ତି ନାହିଁ କାରଣ ଆମର ଭୁଲ୍‌ ଧାରଣା ଯେ ଆମର ସାଗର ମହାସାଗରଗୁଡ଼ିକ ଅଛନ୍ତି। ମାତ୍ର ସାଗରର ଜଳକୁ ପାନୀୟ ଜଳ ଭାବରେ ବ୍ୟବହାର କରିବା ପାଇଁ ଏତେ ଖର୍ଚ୍ଚ ହେବ ତାହାର କଳନା କରାଯାଇପାରିବ ନାହିଁ।
ଆମର ବାୟୁ ମଣ୍ଡଳ ଏବେ ପ୍ରଦୂଷିତ। ଖାଦ୍ୟ ଶସ୍ୟ ଉପତ୍ାଦନ ପାଇଁ ଆମେ ମାଟି ଉପରେ ନିର୍ଭରଶୀଳ, ମାତ୍ର ମୃତ୍ତିକାକ୍ଷୟ ବିପଜ୍ଜନକସ୍ତରରେ। ବାୟୁକୁ ଆହୁରି ବିଷାକ୍ତ କରୁଛି ଯୁଦ୍ଧର ବିଭୀଷିକା। ଏସବୁକୁ ଲକ୍ଷ୍ୟ କଲେ ଲାଗିବ ମଣିଷ ଭସ୍ମାସୁର ପାଲଟିଯାଇଛି ଏବଂ ସେ ନିଜକୁ ମାରିବା ପାଇଁ ଯେମିତି ଉତ୍ସାହରେ ଆଗେଇ ଚାଲିଛି। ବିକାଶ ଧାରା ପ୍ରକାରାନ୍ତରେ ପାଲଟିଛି ବିନାଶର ଜୟଯାତ୍ରା। ଏଥିରୁ କ’ଣ ମୁକ୍ତି ମିଳିବ?

ନିରଞ୍ଜନ ସାହୁ
ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri