ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି ଆସିଲା; ରେଡିଓର ସ୍ବର ନରମି ଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଘଣ୍ଟା ତା’ର ଅସ୍ତିତ୍ୱ ବଜାୟ ରଖିଲା । ଏବେ ପ୍ରାୟ ଭଳିକି ଭଳି ଘଣ୍ଟା ସବୁଠାରେ ଦେଖିବାକୁ ମିଳୁଛି। ହାତରେ ଘଣ୍ଟା, କାନ୍ଥରେ ଘଣ୍ଟା, ବାଇକ୍‌ରେ ଘଣ୍ଟା, ମୋବାଇଲ୍‌ରେ ଘଣ୍ଟା ଏମିତି କି ବଡ଼ ବଡ଼ ଛକଜାଗାରେ ବି ଘଣ୍ଟା । ହେଲ଼େ ଲାଜର କଥା ଘଣ୍ଟା ସିନା ସମସ୍ତଙ୍କ ହାତରେ କିନ୍ତୁ ସମୟ ବାବଦରେ ପ୍ରାୟ କେହି ସଚେତନ ନୁହନ୍ତି। ଯାହାକୁ ପଚାରିବେ ଉତ୍ତର ମିଳୁଛି ଭାଇ ଟାଇମ୍‌ କାହିଁ? ଏପରି ଶସ୍ତା ଓ ଦାୟିତ୍ୱହୀନ ଉତ୍ତର ଏବେ ପ୍ରାୟ ସମସ୍ତଙ୍କର ମଜ୍ଜାଗତ ହୋଇଗଲାଣି। କିନ୍ତୁ ଏହାଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସମାଜର ଚିତ୍ର ବିକୃତ ହେଉନି କି? ପାଖରେ ପ୍ରଚୁର ଧନ ଥାଇ ଦାନ ନ ଦେଲେ ଯେପରି ଧନର ଗୁରୁତ୍ୱ କମିଯାଏ, ବୁଦ୍ଧି ଥାଇ ତାକୁ ଉଚିତ ସ୍ଥାନରେ ପ୍ରୟୋଗ ନ କଲେ ଯେପରି ତାହା ମୂଲ୍ୟହୀନ ହୋଇଯାଏ, ଠିକ୍‌ ସେହିପରି ହାତରେ ଘଣ୍ଟା ବାନ୍ଧି ସମୟର ମୂଲ୍ୟକୁ ନ ବୁଝିଲେ ଏହା କେବଳ ଫ୍ୟାଶନ ଓ ପ୍ରହସନ ନୁହେଁ କି? ସୁବର୍ଣ୍ଣପୁରୀ ମାଲିକ ରାବଣ ପାଖରେ ସୁନାର ଅଭାବ ନ ଥିଲା କିନ୍ତୁ କାହାକୁ ହାତଟେକି ତୋଳାଏ ସୁନା ଦେବା କଥା ରାମାୟଣରେ ଉଲ୍ଲେଖ ନାହିଁ। ଧୃତରାଷ୍ଟ୍ରଙ୍କ ପାଖରେ ଶାସ୍ତ୍ର ଜ୍ଞାନ ଓ ବୁଦ୍ଧି କିଛି କମ୍‌ ନ ଥିଲା କିନ୍ତୁ ବୁଦ୍ଧିକୁ ଉଚିତ ସ୍ଥାନରେ ପ୍ରୟୋଗ କରିବା କଥା ମହାଭାରତରେ ଦେଖିବାକୁ ମିଳେ ନାହିଁ। ଅନୁରୂପ ଭାବରେ ମଣିଷ ପାଖରେ ଘଣ୍ଟା ଥିଲେ ବି ସମୟର ସଦୁପଯୋଗ କରିବାରେ ସେ ବିଫଳ। କହିବା କାହାକୁ? ଅତୀତରେ ଘଣ୍ଟାର ଏତେ ପ୍ରଚଳନ ନ ଥିଲା କିନ୍ତୁ ମଣିଷ ସମୟ ବିଷୟରେ ବେଶ୍‌ ସଜାଗ ଥିଲା। କୁଆ, କୁକୁଡ଼ାଙ୍କ ଡାକରେ ସେ ନିଦରୁ ଉଠିଯାଉଥିଲା। ମୁଣ୍ଡ ଉପରକୁ ଖରା ଆସିଲେ ହଳ ଫିଟାଇ ଘରମୁହଁା ହେଉଥିଲା, ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚିଲେ ଗାଁ ଦାଣ୍ଡରେ ସଞ୍ଜବତି ଜଳୁଥିଲା। ଦେଉଳରେ ଘଣ୍ଟ ବାଜିଲେ ଲୋକେ ଭାଗବତ ଟୁଙ୍ଗିରେ ରୁଣ୍ଡ ହେଉଥିଲେ। କେବଳ ସେତିକି ନୁହେଁ; ରାମାୟଣରେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ସମୟକୁ ସମ୍ମାନ ଦେବାରେ ଥିଲେ ସଚେଷ୍ଟ। ରାଣୀ କୈକେୟୀ ବର ମାଗିବାର ଠିକ୍‌ ପରଦିନ ତପତ୍ରତା ପୂର୍ବକ ବନବାସକୁ ବାହାରିବା, ଚଉଦବର୍ଷକୁ ସତ୍‌ସଙ୍ଗରେ ଲଗାଇବା ଓ ଭରତଙ୍କ ଅନୁରୋଧ ରକ୍ଷାକରି ଠିକ୍‌ ସମୟରେ ଘରବାହୁଡ଼ିବା ଆଦି ପ୍ରଭୁଙ୍କର ସମୟ ସଚେତନତାକୁ ପ୍ରମାଣ କରେ। ସେହିପରି ଗୀତାରେ ଶ୍ରୀକୃଷ୍ଣ କହିଲେ ଯେ ସମୟ ବା କାଳ ହିଁ ଭଗବାନ ଯାହାକୁ ଧରି ରଖିବା ଅସାଧ୍ୟ। ତେଣୁ ସମୟକୁ ସମ୍ମାନ ଦେଇ ତା’ର ସଦୁପଯୋଗ କଲେ ସଫଳତା ନିଶ୍ଚିତ। ପ୍ରଭୁଙ୍କର ଏହି ଦିବ୍ୟ ଚେତନା ଅର୍ଜୁନଙ୍କୁ କଲା ବିଶ୍ୱବିଜୟୀ। କିନ୍ତୁ ସମ୍ପ୍ରତି ସମୟାନୁବର୍ତ୍ତିତା ଠପ୍‌ ହୋଇଗଲା ପରି ମନେହେଉଛି। ସଭାକୁ ମନ୍ତ୍ରୀ, ନେତା, ଅତିଥି ଆସୁନାହାନ୍ତି ଠିକ୍‌ ସମୟରେ। ପରୀକ୍ଷାକୁ ଛାତ୍ର ମଧ୍ୟ ଆସୁନାହାନ୍ତି ନିର୍ଦ୍ଧାରିତ ସମୟରେ। ବର ବାହାରିବା ବେଳ ଠିକ୍‌ ରହୁନି କି ହାତଗଣ୍ଠି ଆଉ ନିର୍ଦ୍ଧାରିତ ଅମୃତ ବେଳାରେ ପଡ଼ୁନି ଫଳତଃ ବିଶୃଙ୍ଖଳା ଚାରିଆଡ଼େ। ପିଲାଦିନେ ପଢିଥିବା ଗୀତ ‘ଘଣ୍ଟା ଚାଲେ ଟିକ୍‌ ଟିକ୍‌, କଣ୍ଟା ତା’ର କହୁଛି/କାମ କର ଠିକ୍‌ ଠିକ୍‌ ବେଳ ଗଡ଼ି ଯାଉଛି’ ଆଜି ସାତସପନ ହୋଇଯାଇଛି। ଉଦ୍‌ଯୋଗୀ ହେବାର ଆଶା ଆଉ କାହାର ନାହିଁ କେବଳ ଭୋଗୀ ହେବାର ଲାଳସା ସମସ୍ତଙ୍କୁ ଘାରିଛି।
ପାଠକେ! ପ୍ରତ୍ୟେକ ଗ୍ରହ, ଉପଗ୍ରହ ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସେମାନଙ୍କର ନିର୍ଦ୍ଧାରିତ କକ୍ଷକୁ ପରିକ୍ରମା କରିପାରୁଛନ୍ତି, କୁଆ, କୁକୁଡ଼ା, କୋଇଲି, ପିମ୍ପୁଡ଼ି ଆଦି ଯଦି ସମୟର ମହତ୍ତ୍ୱକୁ ବୁଝିପାରୁଛନ୍ତି, ତେବେ ଆଜିର ଯନ୍ତ୍ର ମଣିଷ ସମୟର ମନ୍ତ୍ରକୁ ମାନିବାକୁ ବୀତସ୍ପୃହ କାହିଁକି? ସେ ସୂର୍ଯ୍ୟୋଦୟ ଦେଖିପାରୁନି କି ସନ୍ଧ୍ୟାରେ ପ୍ରାର୍ଥନା କରିପାରୁନି। କେବଳ ପର ଆଲୋଚନାରେ ନ ହେଲେ ମୋବାଇଲରେ ରିଲ୍ସ ଦେଖିବାରେ ସମୟ ଯାଉଛି। ସଫଳତା ଆସିବ କୁଆଡ଼ୁ? ରାବଣ ଆଉ କ’ଣ କଲାକି? ସ୍ବର୍ଗକୁ ନିଶୁଣି ବାନ୍ଧିବାର କଳା ତାକୁ ଜଣାଥିଲେ ମଧ୍ୟ କାଳକ୍ଷେପଣ ନୀତି ଯୋଗୁ କାର୍ଯ୍ୟ ହାସଲ କରିବା ବଦଳରେ କାଳ ହାତରେ ଧରାପଡ଼ିଲା। କିନ୍ତୁ ଅନ୍ୟପଟେ ସମୟାନୁବର୍ତ୍ତିତାର ଜାଗ୍ରତ ପ୍ରହରୀ ଗାନ୍ଧିଜୀଙ୍କର ନାମ କାଳକାଳକୁ ରହିଗଲା। ଏହା ସତ୍ୟ ଯେ, ସମୟକୁ ସତ୍‌ ବିନିଯୋଗ କରୁଥିବା ମଣିଷ କେବେହେଲେ ଶ୍ରୀହୀନ ହୁଏନା।
ମନେପଡ଼େ କାହାଣୀଟିଏ – ଗୋଟିଏ ପୋଖରୀରେ ତିନୋଟି ବଡ଼ ମାଛ ଥିଲେ। ଗୋଟିଏ ଅନାଗତବିଧାତା ଅର୍ଥାତ୍‌ ଆଗୁଆ ହୁସିଆର, ଦ୍ୱତୀୟଟି ପ୍ରତ୍ୟୁପତ୍ନ୍ନମତି ଅର୍ଥାତ୍‌ ଉପସ୍ଥିତ ବୁଦ୍ଧିସମ୍ପନ୍ନ ଓ ତୃତୀୟଟି ଦୀର୍ଘସୂତ୍ରୀ ଅର୍ଥାତ୍‌ ଅଳସୁଆ। ଲୋକମାନେ ପୋଖରୀରୁ ମାଛଧରିବେ ବୋଲି ଜାଣି ଅନାଗତବିଧାତା ଗଳାବାଟ ଦେଇ ଖସିଗଲା, ପ୍ରତ୍ୟୁପତ୍ନ୍ନମତି ମଧ୍ୟ ବୁଦ୍ଧିବଳରେ ଖସିଗଲା କିନ୍ତୁ ବିଚରା ଦୀର୍ଘସୂତ୍ରୀ ସମୟର ଅପବ୍ୟବହାର ଯୋଗୁ ଜାଲରେ ପଡ଼ିଲା। ଏହି କାହାଣୀ ଆମ ଜୀବନକୁ ଟିକେ ବଦଳାଇ ପାରନ୍ତାନି?

ଡ. ସାରଦା ପ୍ରସାଦ କର
ଅଧ୍ୟାପକ
ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ: ୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri