ଜନଜାତି ସଂସ୍କୃତି ଓ ନାରୀ ସଶକ୍ତୀକରଣ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି ଏକ ସୁଦୀର୍ଘ ସାଂସ୍କୃତିକ ପରମ୍ପରା ସୃଷ୍ଟି କରିଥିବା ଆଦିବାସୀମାନେ ହିଁ ଏ ଦେଶର ମୂଳ ବାସିନ୍ଦା ବା ଆଦିମ ଅଧିବାସୀ। ଜନଜାତି ମଣିଷ ପ୍ରକୃତିର ସନ୍ତାନ। ପ୍ରକୃତି ଏମାନଙ୍କ ଜୀବନ ଓ ଜୀବିକାର ଆଧାର। ବଣ ଝରଣା ପରି ଏମାନଙ୍କ ମନ ସ୍ବଚ୍ଛ ଓ ପ୍ରବାହଧର୍ମୀ। ଅରଣ୍ୟ ପରି ଜାଙ୍ଗଲିକ ଏମାନଙ୍କ ଜୀବନଚର୍ଯ୍ୟା। ଆପଣା ଐତିହ୍ୟପୂର୍ଣ୍ଣ ରୀତିନୀତି, ଚାଲିଚଳନ, ବେଶପୋଷାକ, ଖାଦ୍ୟପେୟ, ସଂସ୍କାର ଓ ଧର୍ମ ବିଶ୍ୱାସକୁ ଜାବୁଡ଼ି ଧରି ଏମାନେ ଗୋଷ୍ଠୀବଦ୍ଧ ଜୀବନ ବଞ୍ଚନ୍ତି। ଜୀବନରେ ଦୁଃଖ ଆସେ, ଯନ୍ତ୍ରଣା ଆସେ, ହେଲେ ସେଥିରେ ଆଦୌ କାତର ହୁଏନି ପାର୍ବତ୍ୟ ମଣିଷ। ମହୁଲ ଫୁଲର ମହକ ଓ ସଲପର ମାଦକତା ଭିତରେ ସେମାନେ ଅନୁଭବ କରନ୍ତି ପ୍ରାଚୁର୍ଯ୍ୟମୟ ଜୀବନର ଉଲ୍ଲାସ। ସଭ୍ୟତାର ମାପକାଠିରେ ସେମାନେ ହୋଇପାରନ୍ତି ଅନୁନ୍ନତ, ମାତ୍ର ସେମାନଙ୍କ ସାଂସ୍କୃତିକ ପରମ୍ପରା ଯେମିତି ବୈଚିତ୍ର୍ୟମୟ, ସାମାଜିକ ଜୀବନବୋଧ ସେମିତି ସୌହାର୍ଦ୍ଦପୂର୍ଣ୍ଣ। ବିଶେଷକରି ଜନଜାତି ସଂସ୍କୃତିରେ ନାରୀର ସ୍ଥିତି, ସୁରକ୍ଷା ଓ ସ୍ବାଧୀନତା ପ୍ରସଙ୍ଗ ଆସିଲେ ଖୁବ୍‌ ଉଚ୍ଚାଙ୍ଗ ମନେହୁଏ ସେମାନଙ୍କ ସାଂସ୍କୃତିକ ପରମ୍ପରା ଓ ସାମାଜିକ ବିଚାରଧାରା।
ଆଦିବାସୀ ଲଳନା ପାହାଡ଼ ଦେଶର ଶ୍ରୀ ଓ ଶୋଭା। ସେମାନେ ପ୍ରକୃତି ପରି ସୁନ୍ଦର ଓ ମାଟି ମା’ପରି ମମତାମୟୀ। ସେମାନଙ୍କ ଚାଲିରେ ଥାଏ କବିତାର ଛନ୍ଦ ଓ କଥାରେ ସଙ୍ଗୀତର ମାଧୁରିମା। ପାହାଡ଼ି କନ୍ୟା ଯେତିକି ସୁନ୍ଦର ସେତିକି ବେପରୁଆ। ପ୍ରକୃତି କନ୍ୟା ନିଜସ୍ବ ସୌନ୍ଦର୍ଯ୍ୟ ଓ ଲାଳିତ୍ୟରେ ସ୍ବୟଂ ସମ୍ପୂର୍ଣ୍ଣ ହେଲେ ବି ଅଳଙ୍କାର ପ୍ରତି ଥାଏ ସେମାନଙ୍କର ବିଶେଷ ଆକର୍ଷଣ। ବେଶଭୂଷା ସେମାନଙ୍କର ସରଳ ଓ ନିରାଡ଼ମ୍ବର। ମୋଟା ସୂତାର ଶାଢ଼ି ଏମାନଙ୍କ ପରିଧାନ। ଦେହର ଆଭରଣ ପ୍ରତି ବେପରୁଆ। ଜଡ଼ାତେଲ ଲଗେଇ ଖୋଷା ବାନ୍ଧନ୍ତି ଏବଂ ସେଥିରେ ଖୋସନ୍ତି ଧୋବ ଫରଫର ଫୁଲପେନ୍ଥା।
ଆଦିବାସୀ ସମାଜରେ ନାରୀ ଓ ପୁରୁଷ ବିଭିନ୍ନ ନୁହନ୍ତି, ବରଂ ମନୁଷ୍ୟ ଭାବରେ ସମାନ। ଏହି ବିଚାରବୋଧ ଯୋଗୁ ଜନଜାତି ସମାଜରେ ଦେଖିବାବୁ ମିଳେନି ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ଭଳି ଘୃଣ୍ୟ ବ୍ୟବସ୍ଥା। ପରିବାରକୁ କନ୍ୟା ସନ୍ତାନଟିଏ ଆସିଲେ ତାକୁ ସେମାନେ ବୋଝ ବୋଲି ଭାବନ୍ତିନି କି ଲିଙ୍ଗଗତ ବୈଷମ୍ୟର ଶିକାର ହୋଇ କନ୍ୟାସନ୍ତାନକୁ ଭୋଗିବାକୁ ପଡ଼େନି ମାନସିକ ନିର୍ଯାତନା। ବଣ ଝରଣାର ଅମାନିଆ ଗତି ପରି ସ୍ବଚ୍ଛନ୍ଦ ଓ ସାବଲୀଳ ଭାବରେ ସେ ଅତିବାହିତ କରେ ତା’ର ଶୈଶବ ଓ କୈଶୋର। ଆଦିବାସୀ ଝିଅ (ଧାଙ୍ଗଡ଼ୀ) ପ୍ରକୃତିକୋଳର ମୁକ୍ତନାରୀ। ଜ୍ୟୋତ୍ସ୍ନା ଭଳି ନିର୍ମଳ, ପବନ ଭଳି ଉଦାର, ଝରଣା ଭଳି ଚଞ୍ଚଳ ଓ ବଣର ପକ୍ଷୀପରି ସେ ମୁକ୍ତ ଏବଂ ସ୍ବାଧୀନ। ତା’ର ଇଚ୍ଛା ଉପରେ ନଥାଏ କାହାରି ଲଗାମ। ଦେହ ଉପରେ ଯୌବନର ରଙ୍ଗ ବୋଳି ହୋଇଗଲେ ମନରେ ଲାଗିଯାଏ କଳ୍ପନାର ଡେଣା। ଧାଙ୍ଗଡ଼ୀ ଜୀବନରେ ଆରମ୍ଭ ହୁଏ ଯୌବନର ଉପାସନା। ନୃତ୍ୟ ଗୀତ ପ୍ରତି ଆଦିବାସୀ ଯୁବତୀର ଦୁର୍ବାର ଆକର୍ଷଣ। ନୃତ୍ୟଗୀତ ତା’ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଧାଙ୍ଗଡ଼ା ଓ ଧାଙ୍ଗିଡ଼ୀ ଏକାଠି ମିଶି ଗୋଜିଆ ପର୍ବତର ସରୁ ଚଟାଣ ଉପରେ ଛାଡ଼ି ଦିଅନ୍ତି ଗୀତର ଲହରୀ। ପୁଷ୍‌ ପୂନେଇଁ ଓ ଚଇତି ପରବ ବେଳେ ଧାଙ୍ଗଡ଼ା ବସାରୁ ଭାସିଆସେ ଗୀତ ଓ ବାଜାର ଧୁନ୍‌। ସେ ଧୁନ୍‌ରେ ଥାଏ ଧାଙ୍ଗଡ଼ୀମାନଙ୍କ ପ୍ରତି ଆଦର, ସ୍ନେହ ଓ ମଧୁର ସମ୍ବୋଧନ। ସେଥିରେ ଫାଟି ପଡ଼େ ଧାଙ୍ଗଡ଼ୀ ମନର ସରାଗ। ଆଖିରେ ଆଖିଏ ସ୍ବପ୍ନ ନେଇ ସେ ଧାଙ୍ଗଡ଼ା ବସା ଆଡ଼କୁ ଧାଏଁ ତୋଫା ଜହ୍ନ ଆଲୁଅରେ। ଧାଙ୍ଗଡ଼ା ସହ ବାହୁରେ ବାହୁ ଛନ୍ଦି, ହୃଦୟରେ ହୃଦୟ ଯୋଡ଼ି ଝୁଲି ଝୁଲି ନାଚେ ଡୁଙ୍ଗ୍‌ଡୁଙ୍ଗାର ତାଳେ ତାଳେ। ଏଥିରେ ଯୋଗ ଦିଅନ୍ତି ଗାଁସାରା ଲୋକେ। ବୁଢ଼ାମାନେ ସାଜନ୍ତି ଦେଖଣାହାରି। ଥରେ ନାଚଗୀତ ଆରମ୍ଭ ହୋଇଗଲେ ରାତି ପାହିଯାଏ, ହେଲେ ଥକି ପଡ଼େନି ଧାଙ୍ଗଡ଼ୀର ପାଦ। ମନ ଭିତରେ ଚେଇଁ ଉଠେ ଉଦ୍ଦାମ ପାଶବିକତା। ତାକୁ ସେ ନିଜ ଭିତରେ ବିଲୀନ ହେବାକୁ ନଦେଇ ହୁଏତ ସ୍ବୀକାର କରିନିଏ ବଣର ଝୋଲା କୂଳରେ କିମ୍ବା ଢେଉଢେଉକା ପାହାଡର ଡଙ୍ଗର ଉପରେ।
ଧାଙ୍ଗଡ଼ା ଧାଙ୍ଗଡ଼ୀମାନଙ୍କ ପ୍ରାଣରେ ଏହି ଅଦମ୍ୟ ବାସନା, ସତେ ଯେମିତି ପ୍ରକୃତି ଓ ପୁରୁଷର ସ୍ବାଭାବିକ ଜୀବନ ପ୍ରକ୍ରିୟା। ସେଥିରେ ନଥାଏ କୃତ୍ରିମତା ବା ପ୍ରବଞ୍ଚନା। ଏହା କେବଳ ଆନନ୍ଦର ଉଦ୍‌ବୋଧନ ନୁହେଁ, ଅମୃତର ଅନ୍ବେଷଣ। ବିବାହ ନ ସରିବାଯାଏ ଆକଟ କରେନି ସମାଜ। ପରମ୍ପରାର ପଥର ପାଚେରି ଭିତରେ ଥାଇ ଧାଙ୍ଗଡ଼ା ଧାଙ୍ଗଡ଼ୀ ଅନୁଭବ କରନ୍ତି ମିଳନର ଆନନ୍ଦ, ପ୍ରେମର ସାର୍ଥକତା। ସେ ପ୍ରେମରେ କିନ୍ତୁ ନଥାଏ ସାମାନ୍ୟତମ ଆବିଳତା। ଧାଙ୍ଗଡ଼ା ଏଠି ଧାଙ୍ଗଡ଼ୀର ମନ ଜିଣେ ନାନା ଉପାୟରେ। ସେ ଗୀତ ଗାଏ, ବାଜା ବଜାଏ ଓ ମିଠା ମିଠା କଥା କହେ ଧାଙ୍ଗଡ଼ୀର ମନ ମୋହିବା ପାଇଁ। ସବୁ ସତ୍ତ୍ୱେ ବି ଧାଙ୍ଗଡ଼ୀର ମନ ଜିଣି ନ ପାରିଲେ ସେ ଫେରିଯାଏ, ହେଲେ ଆଦିବାସୀ ସମାଜରେ କେବେ ଘଟେନି ବଳାକତ୍ାର ଭଳି ଅସାମାଜିକ ଘଟଣା। ପ୍ରେମ ଏଠି ଅବାଧ। ମାତ୍ର ସେ ପ୍ରେମରେ ଦେହର ଦାବି ଅପେକ୍ଷା ହୃଦୟର ଆହ୍ବାନ ବେଶି। ସେଥିପାଇଁ ସକାଳର ଶାଳପତ୍ରରେ ବିନ୍ଦୁଏ ବର୍ଷାଜଳ ପରି ସର୍ବଦା ଚିକ୍‌ ଚିକ୍‌ କରୁଥାଏ ଆଦିବାସୀ ଯୁବତୀର ନିର୍ଭେଜାଲ ମନ ଓ ଶୁଦ୍ଧ ସତୀତ୍ୱ।
ଆଦିବାସୀ ନାରୀ ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ ହେଉଛି ବିବାହ। ସେମାନଙ୍କ ସମାଜରେ ଝିକାଟଣା ବିବାହ, ପ୍ରେମ ବିବାହ ଓ ପ୍ରାୟୋଜିତ ବିବାହ ଆଦି ନାନା ପ୍ରକାର ବିବାହ ପ୍ରଚଳିତ ଥିଲେ ବି ପ୍ରେମ ବିବାହକୁ ଅଧିକ ପସନ୍ଦକରେ ଆଦିବାସୀ ଯୁବତୀ। ନାଚଗୀତ ମାଧ୍ୟମରେ ଏମାନେ ବ୍ୟକ୍ତ କରନ୍ତି ମନର ଭାବ। ବିଭିନ୍ନ ପର୍ବପର୍ବାଣି ଅବସରରେ ଆୟୋଜିତ ନାଚଗୀତରେ ମନ ଆକର୍ଷିତ ହେଲେ ପରସ୍ପରକୁ ବିବାହ କରନ୍ତି ଏବଂ ଏହି ଉଦୁଉଦିଆ (ପ୍ରେମ ବିବାହ)କୁ ସ୍ବୀକୃତି ଦିଏ ସମାଜ। ସେମାନଙ୍କ ବାହାଘରରେ ଯୌତୁକ ପ୍ରଥା ନାହିଁ, ବରଂ ଏଠି ବରପକ୍ଷକୁ ଦେବାକୁ ହୁଏ କନ୍ୟାସୁନା। ବିଧବା ନାରୀକୁ ଅଶୁଭ ସଂକେତ ବୋଲି କେବେ ବିବେଚନା କରେନି ଆଦିବାସୀ ସମାଜ। ଏଠି ବିଧବା ବିବାହ ଏକ ସାଧାରଣ କଥା। ଛାଡ଼ପତ୍ର ବ୍ୟବସ୍ଥାଟି ମଧ୍ୟ ଖୁବ୍‌ ସହଜ। ସ୍ବାମୀ ସ୍ତ୍ରୀ ଯେ କେହି ଚାହିଁଲେ ଅପରକୁ ପରିତ୍ୟାଗ କରି ଦ୍ୱିତୀୟ ବିବାହ କରିପାରେ ନିଜ ମନଇଚ୍ଛାରେ। ହେଲେବି ଆଦିବାସୀ ସମାଜରେ ଛାଡ଼ପତ୍ର ସଂଖ୍ୟା ଖୁବ୍‌ ନଗଣ୍ୟ।
ପୁରୁଷର ଉପାର୍ଜନ ଉପରେ ନିର୍ଭର କରି ଦିନ କାଟେନି ଆଦିବାସୀ ରମଣୀ। ସେ କେତେବେଳେ ଘରେ ରନ୍ଧାବଢ଼ା କରେ ତ କେତେବେଳେ ଖରାବର୍ଷାକୁ ଖାତିର ନ କରି ଲାଗିଥାଏ ଚାଷ କାମରେ। କେବେ ତା’ ମୁଣ୍ଡରେ ପାଣି ମାଠିଆ ତ’ କେବେ ଜାଳକାଠର ବୋଝ। କଠିନ ପରିଶ୍ରମ କରି ବଞ୍ଚତ୍ବାରେ ଥାଏ ସେମାନଙ୍କର ଆନନ୍ଦ। ତେଣୁ ବିବାହ ବେଳେ ସେମାନେ କେବେ ଖୋଜନ୍ତିନି ବରର ଆର୍ଥିକ ସ୍ବଚ୍ଛଳତା। ଆଦିବାସୀ ସ୍ତ୍ରୀ ଜୀବନର ବନ୍ଧୁର ପଥରେ ପୁରୁଷର ସହଯାତ୍ରିଣୀ, ସହକର୍ମିଣୀ ଓ ସାହାଯ୍ୟକାରିଣୀ। ସେ ପସରା ମୁଣ୍ଡାଏ ସିନା ଦାୟିତ୍ୱ ମୁଣ୍ଡାଏ ନାହିଁ। ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କଲେ ବି ପରିବାର ଭିତରେ ଜାହିର କରେନି ମୁରବିପଣିଆ। ଆପଣା ପୁରୁଷ ହିଁ ଆଦିବାସୀ ନାରୀ ଜୀବନର ସର୍ବସ୍ବ। ସେଥିପାଇଁ ପୁରୁଷ ପ୍ରତି ନିଜର ଆନୁଗତ୍ୟରେ ଥାଏ ତା’ର ପରିତୃପ୍ତି। ଏହି ମାନସିକତା ଯୋଗୁ ନିଜର ସାମର୍ଥ୍ୟ ଓ ସ୍ବାତନ୍ତ୍ର୍ୟ ସତ୍ତ୍ୱେ କୌଣସି କ୍ଷେତ୍ରରେ ସ୍ବାମୀକୁ କେବେ ଅବହେଳା ଓ ଅବମାନନା କରିବାକୁ ଚାହେଁନି ଆଦିବାସୀ ନାରୀ। ଏହି ଦୃଷ୍ଟିରୁ ଆଦିବାସୀ ସମାଜ ପୁରୁଷପ୍ରଧାନ ହେଲେ ବି ନାରୀର ସମ୍ମାନ ପ୍ରତି ଏଠି ଆଦୌ ଊଣା ନୁହେଁ ପୁରୁଷର ପ୍ରତିବଦ୍ଧତା। ନାରୀକୁ ସମ୍ମାନ ଓ ସୁରକ୍ଷା ସେଠାରେ ସ୍ଲୋଗାନ ନୁହେଁ, ବରଂ ଏକ ସାଂସ୍କୃତିକ ଅକଲବନ୍ଦୀ, ଏକ ସାମାଜିକ ଦାୟିତ୍ୱବୋଧ। ସେଥିପାଇଁ ଆଦିବାସୀ ନାରୀ ସ୍ବାଧୀନ, ସଶକ୍ତ ଓ ସୁରକ୍ଷିତ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri