ଜନଜାତି ସଂସ୍କୃତି ଓ ନାରୀ ସଶକ୍ତୀକରଣ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି ଏକ ସୁଦୀର୍ଘ ସାଂସ୍କୃତିକ ପରମ୍ପରା ସୃଷ୍ଟି କରିଥିବା ଆଦିବାସୀମାନେ ହିଁ ଏ ଦେଶର ମୂଳ ବାସିନ୍ଦା ବା ଆଦିମ ଅଧିବାସୀ। ଜନଜାତି ମଣିଷ ପ୍ରକୃତିର ସନ୍ତାନ। ପ୍ରକୃତି ଏମାନଙ୍କ ଜୀବନ ଓ ଜୀବିକାର ଆଧାର। ବଣ ଝରଣା ପରି ଏମାନଙ୍କ ମନ ସ୍ବଚ୍ଛ ଓ ପ୍ରବାହଧର୍ମୀ। ଅରଣ୍ୟ ପରି ଜାଙ୍ଗଲିକ ଏମାନଙ୍କ ଜୀବନଚର୍ଯ୍ୟା। ଆପଣା ଐତିହ୍ୟପୂର୍ଣ୍ଣ ରୀତିନୀତି, ଚାଲିଚଳନ, ବେଶପୋଷାକ, ଖାଦ୍ୟପେୟ, ସଂସ୍କାର ଓ ଧର୍ମ ବିଶ୍ୱାସକୁ ଜାବୁଡ଼ି ଧରି ଏମାନେ ଗୋଷ୍ଠୀବଦ୍ଧ ଜୀବନ ବଞ୍ଚନ୍ତି। ଜୀବନରେ ଦୁଃଖ ଆସେ, ଯନ୍ତ୍ରଣା ଆସେ, ହେଲେ ସେଥିରେ ଆଦୌ କାତର ହୁଏନି ପାର୍ବତ୍ୟ ମଣିଷ। ମହୁଲ ଫୁଲର ମହକ ଓ ସଲପର ମାଦକତା ଭିତରେ ସେମାନେ ଅନୁଭବ କରନ୍ତି ପ୍ରାଚୁର୍ଯ୍ୟମୟ ଜୀବନର ଉଲ୍ଲାସ। ସଭ୍ୟତାର ମାପକାଠିରେ ସେମାନେ ହୋଇପାରନ୍ତି ଅନୁନ୍ନତ, ମାତ୍ର ସେମାନଙ୍କ ସାଂସ୍କୃତିକ ପରମ୍ପରା ଯେମିତି ବୈଚିତ୍ର୍ୟମୟ, ସାମାଜିକ ଜୀବନବୋଧ ସେମିତି ସୌହାର୍ଦ୍ଦପୂର୍ଣ୍ଣ। ବିଶେଷକରି ଜନଜାତି ସଂସ୍କୃତିରେ ନାରୀର ସ୍ଥିତି, ସୁରକ୍ଷା ଓ ସ୍ବାଧୀନତା ପ୍ରସଙ୍ଗ ଆସିଲେ ଖୁବ୍‌ ଉଚ୍ଚାଙ୍ଗ ମନେହୁଏ ସେମାନଙ୍କ ସାଂସ୍କୃତିକ ପରମ୍ପରା ଓ ସାମାଜିକ ବିଚାରଧାରା।
ଆଦିବାସୀ ଲଳନା ପାହାଡ଼ ଦେଶର ଶ୍ରୀ ଓ ଶୋଭା। ସେମାନେ ପ୍ରକୃତି ପରି ସୁନ୍ଦର ଓ ମାଟି ମା’ପରି ମମତାମୟୀ। ସେମାନଙ୍କ ଚାଲିରେ ଥାଏ କବିତାର ଛନ୍ଦ ଓ କଥାରେ ସଙ୍ଗୀତର ମାଧୁରିମା। ପାହାଡ଼ି କନ୍ୟା ଯେତିକି ସୁନ୍ଦର ସେତିକି ବେପରୁଆ। ପ୍ରକୃତି କନ୍ୟା ନିଜସ୍ବ ସୌନ୍ଦର୍ଯ୍ୟ ଓ ଲାଳିତ୍ୟରେ ସ୍ବୟଂ ସମ୍ପୂର୍ଣ୍ଣ ହେଲେ ବି ଅଳଙ୍କାର ପ୍ରତି ଥାଏ ସେମାନଙ୍କର ବିଶେଷ ଆକର୍ଷଣ। ବେଶଭୂଷା ସେମାନଙ୍କର ସରଳ ଓ ନିରାଡ଼ମ୍ବର। ମୋଟା ସୂତାର ଶାଢ଼ି ଏମାନଙ୍କ ପରିଧାନ। ଦେହର ଆଭରଣ ପ୍ରତି ବେପରୁଆ। ଜଡ଼ାତେଲ ଲଗେଇ ଖୋଷା ବାନ୍ଧନ୍ତି ଏବଂ ସେଥିରେ ଖୋସନ୍ତି ଧୋବ ଫରଫର ଫୁଲପେନ୍ଥା।
ଆଦିବାସୀ ସମାଜରେ ନାରୀ ଓ ପୁରୁଷ ବିଭିନ୍ନ ନୁହନ୍ତି, ବରଂ ମନୁଷ୍ୟ ଭାବରେ ସମାନ। ଏହି ବିଚାରବୋଧ ଯୋଗୁ ଜନଜାତି ସମାଜରେ ଦେଖିବାବୁ ମିଳେନି ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ଭଳି ଘୃଣ୍ୟ ବ୍ୟବସ୍ଥା। ପରିବାରକୁ କନ୍ୟା ସନ୍ତାନଟିଏ ଆସିଲେ ତାକୁ ସେମାନେ ବୋଝ ବୋଲି ଭାବନ୍ତିନି କି ଲିଙ୍ଗଗତ ବୈଷମ୍ୟର ଶିକାର ହୋଇ କନ୍ୟାସନ୍ତାନକୁ ଭୋଗିବାକୁ ପଡ଼େନି ମାନସିକ ନିର୍ଯାତନା। ବଣ ଝରଣାର ଅମାନିଆ ଗତି ପରି ସ୍ବଚ୍ଛନ୍ଦ ଓ ସାବଲୀଳ ଭାବରେ ସେ ଅତିବାହିତ କରେ ତା’ର ଶୈଶବ ଓ କୈଶୋର। ଆଦିବାସୀ ଝିଅ (ଧାଙ୍ଗଡ଼ୀ) ପ୍ରକୃତିକୋଳର ମୁକ୍ତନାରୀ। ଜ୍ୟୋତ୍ସ୍ନା ଭଳି ନିର୍ମଳ, ପବନ ଭଳି ଉଦାର, ଝରଣା ଭଳି ଚଞ୍ଚଳ ଓ ବଣର ପକ୍ଷୀପରି ସେ ମୁକ୍ତ ଏବଂ ସ୍ବାଧୀନ। ତା’ର ଇଚ୍ଛା ଉପରେ ନଥାଏ କାହାରି ଲଗାମ। ଦେହ ଉପରେ ଯୌବନର ରଙ୍ଗ ବୋଳି ହୋଇଗଲେ ମନରେ ଲାଗିଯାଏ କଳ୍ପନାର ଡେଣା। ଧାଙ୍ଗଡ଼ୀ ଜୀବନରେ ଆରମ୍ଭ ହୁଏ ଯୌବନର ଉପାସନା। ନୃତ୍ୟ ଗୀତ ପ୍ରତି ଆଦିବାସୀ ଯୁବତୀର ଦୁର୍ବାର ଆକର୍ଷଣ। ନୃତ୍ୟଗୀତ ତା’ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଧାଙ୍ଗଡ଼ା ଓ ଧାଙ୍ଗିଡ଼ୀ ଏକାଠି ମିଶି ଗୋଜିଆ ପର୍ବତର ସରୁ ଚଟାଣ ଉପରେ ଛାଡ଼ି ଦିଅନ୍ତି ଗୀତର ଲହରୀ। ପୁଷ୍‌ ପୂନେଇଁ ଓ ଚଇତି ପରବ ବେଳେ ଧାଙ୍ଗଡ଼ା ବସାରୁ ଭାସିଆସେ ଗୀତ ଓ ବାଜାର ଧୁନ୍‌। ସେ ଧୁନ୍‌ରେ ଥାଏ ଧାଙ୍ଗଡ଼ୀମାନଙ୍କ ପ୍ରତି ଆଦର, ସ୍ନେହ ଓ ମଧୁର ସମ୍ବୋଧନ। ସେଥିରେ ଫାଟି ପଡ଼େ ଧାଙ୍ଗଡ଼ୀ ମନର ସରାଗ। ଆଖିରେ ଆଖିଏ ସ୍ବପ୍ନ ନେଇ ସେ ଧାଙ୍ଗଡ଼ା ବସା ଆଡ଼କୁ ଧାଏଁ ତୋଫା ଜହ୍ନ ଆଲୁଅରେ। ଧାଙ୍ଗଡ଼ା ସହ ବାହୁରେ ବାହୁ ଛନ୍ଦି, ହୃଦୟରେ ହୃଦୟ ଯୋଡ଼ି ଝୁଲି ଝୁଲି ନାଚେ ଡୁଙ୍ଗ୍‌ଡୁଙ୍ଗାର ତାଳେ ତାଳେ। ଏଥିରେ ଯୋଗ ଦିଅନ୍ତି ଗାଁସାରା ଲୋକେ। ବୁଢ଼ାମାନେ ସାଜନ୍ତି ଦେଖଣାହାରି। ଥରେ ନାଚଗୀତ ଆରମ୍ଭ ହୋଇଗଲେ ରାତି ପାହିଯାଏ, ହେଲେ ଥକି ପଡ଼େନି ଧାଙ୍ଗଡ଼ୀର ପାଦ। ମନ ଭିତରେ ଚେଇଁ ଉଠେ ଉଦ୍ଦାମ ପାଶବିକତା। ତାକୁ ସେ ନିଜ ଭିତରେ ବିଲୀନ ହେବାକୁ ନଦେଇ ହୁଏତ ସ୍ବୀକାର କରିନିଏ ବଣର ଝୋଲା କୂଳରେ କିମ୍ବା ଢେଉଢେଉକା ପାହାଡର ଡଙ୍ଗର ଉପରେ।
ଧାଙ୍ଗଡ଼ା ଧାଙ୍ଗଡ଼ୀମାନଙ୍କ ପ୍ରାଣରେ ଏହି ଅଦମ୍ୟ ବାସନା, ସତେ ଯେମିତି ପ୍ରକୃତି ଓ ପୁରୁଷର ସ୍ବାଭାବିକ ଜୀବନ ପ୍ରକ୍ରିୟା। ସେଥିରେ ନଥାଏ କୃତ୍ରିମତା ବା ପ୍ରବଞ୍ଚନା। ଏହା କେବଳ ଆନନ୍ଦର ଉଦ୍‌ବୋଧନ ନୁହେଁ, ଅମୃତର ଅନ୍ବେଷଣ। ବିବାହ ନ ସରିବାଯାଏ ଆକଟ କରେନି ସମାଜ। ପରମ୍ପରାର ପଥର ପାଚେରି ଭିତରେ ଥାଇ ଧାଙ୍ଗଡ଼ା ଧାଙ୍ଗଡ଼ୀ ଅନୁଭବ କରନ୍ତି ମିଳନର ଆନନ୍ଦ, ପ୍ରେମର ସାର୍ଥକତା। ସେ ପ୍ରେମରେ କିନ୍ତୁ ନଥାଏ ସାମାନ୍ୟତମ ଆବିଳତା। ଧାଙ୍ଗଡ଼ା ଏଠି ଧାଙ୍ଗଡ଼ୀର ମନ ଜିଣେ ନାନା ଉପାୟରେ। ସେ ଗୀତ ଗାଏ, ବାଜା ବଜାଏ ଓ ମିଠା ମିଠା କଥା କହେ ଧାଙ୍ଗଡ଼ୀର ମନ ମୋହିବା ପାଇଁ। ସବୁ ସତ୍ତ୍ୱେ ବି ଧାଙ୍ଗଡ଼ୀର ମନ ଜିଣି ନ ପାରିଲେ ସେ ଫେରିଯାଏ, ହେଲେ ଆଦିବାସୀ ସମାଜରେ କେବେ ଘଟେନି ବଳାକତ୍ାର ଭଳି ଅସାମାଜିକ ଘଟଣା। ପ୍ରେମ ଏଠି ଅବାଧ। ମାତ୍ର ସେ ପ୍ରେମରେ ଦେହର ଦାବି ଅପେକ୍ଷା ହୃଦୟର ଆହ୍ବାନ ବେଶି। ସେଥିପାଇଁ ସକାଳର ଶାଳପତ୍ରରେ ବିନ୍ଦୁଏ ବର୍ଷାଜଳ ପରି ସର୍ବଦା ଚିକ୍‌ ଚିକ୍‌ କରୁଥାଏ ଆଦିବାସୀ ଯୁବତୀର ନିର୍ଭେଜାଲ ମନ ଓ ଶୁଦ୍ଧ ସତୀତ୍ୱ।
ଆଦିବାସୀ ନାରୀ ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ ହେଉଛି ବିବାହ। ସେମାନଙ୍କ ସମାଜରେ ଝିକାଟଣା ବିବାହ, ପ୍ରେମ ବିବାହ ଓ ପ୍ରାୟୋଜିତ ବିବାହ ଆଦି ନାନା ପ୍ରକାର ବିବାହ ପ୍ରଚଳିତ ଥିଲେ ବି ପ୍ରେମ ବିବାହକୁ ଅଧିକ ପସନ୍ଦକରେ ଆଦିବାସୀ ଯୁବତୀ। ନାଚଗୀତ ମାଧ୍ୟମରେ ଏମାନେ ବ୍ୟକ୍ତ କରନ୍ତି ମନର ଭାବ। ବିଭିନ୍ନ ପର୍ବପର୍ବାଣି ଅବସରରେ ଆୟୋଜିତ ନାଚଗୀତରେ ମନ ଆକର୍ଷିତ ହେଲେ ପରସ୍ପରକୁ ବିବାହ କରନ୍ତି ଏବଂ ଏହି ଉଦୁଉଦିଆ (ପ୍ରେମ ବିବାହ)କୁ ସ୍ବୀକୃତି ଦିଏ ସମାଜ। ସେମାନଙ୍କ ବାହାଘରରେ ଯୌତୁକ ପ୍ରଥା ନାହିଁ, ବରଂ ଏଠି ବରପକ୍ଷକୁ ଦେବାକୁ ହୁଏ କନ୍ୟାସୁନା। ବିଧବା ନାରୀକୁ ଅଶୁଭ ସଂକେତ ବୋଲି କେବେ ବିବେଚନା କରେନି ଆଦିବାସୀ ସମାଜ। ଏଠି ବିଧବା ବିବାହ ଏକ ସାଧାରଣ କଥା। ଛାଡ଼ପତ୍ର ବ୍ୟବସ୍ଥାଟି ମଧ୍ୟ ଖୁବ୍‌ ସହଜ। ସ୍ବାମୀ ସ୍ତ୍ରୀ ଯେ କେହି ଚାହିଁଲେ ଅପରକୁ ପରିତ୍ୟାଗ କରି ଦ୍ୱିତୀୟ ବିବାହ କରିପାରେ ନିଜ ମନଇଚ୍ଛାରେ। ହେଲେବି ଆଦିବାସୀ ସମାଜରେ ଛାଡ଼ପତ୍ର ସଂଖ୍ୟା ଖୁବ୍‌ ନଗଣ୍ୟ।
ପୁରୁଷର ଉପାର୍ଜନ ଉପରେ ନିର୍ଭର କରି ଦିନ କାଟେନି ଆଦିବାସୀ ରମଣୀ। ସେ କେତେବେଳେ ଘରେ ରନ୍ଧାବଢ଼ା କରେ ତ କେତେବେଳେ ଖରାବର୍ଷାକୁ ଖାତିର ନ କରି ଲାଗିଥାଏ ଚାଷ କାମରେ। କେବେ ତା’ ମୁଣ୍ଡରେ ପାଣି ମାଠିଆ ତ’ କେବେ ଜାଳକାଠର ବୋଝ। କଠିନ ପରିଶ୍ରମ କରି ବଞ୍ଚତ୍ବାରେ ଥାଏ ସେମାନଙ୍କର ଆନନ୍ଦ। ତେଣୁ ବିବାହ ବେଳେ ସେମାନେ କେବେ ଖୋଜନ୍ତିନି ବରର ଆର୍ଥିକ ସ୍ବଚ୍ଛଳତା। ଆଦିବାସୀ ସ୍ତ୍ରୀ ଜୀବନର ବନ୍ଧୁର ପଥରେ ପୁରୁଷର ସହଯାତ୍ରିଣୀ, ସହକର୍ମିଣୀ ଓ ସାହାଯ୍ୟକାରିଣୀ। ସେ ପସରା ମୁଣ୍ଡାଏ ସିନା ଦାୟିତ୍ୱ ମୁଣ୍ଡାଏ ନାହିଁ। ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କଲେ ବି ପରିବାର ଭିତରେ ଜାହିର କରେନି ମୁରବିପଣିଆ। ଆପଣା ପୁରୁଷ ହିଁ ଆଦିବାସୀ ନାରୀ ଜୀବନର ସର୍ବସ୍ବ। ସେଥିପାଇଁ ପୁରୁଷ ପ୍ରତି ନିଜର ଆନୁଗତ୍ୟରେ ଥାଏ ତା’ର ପରିତୃପ୍ତି। ଏହି ମାନସିକତା ଯୋଗୁ ନିଜର ସାମର୍ଥ୍ୟ ଓ ସ୍ବାତନ୍ତ୍ର୍ୟ ସତ୍ତ୍ୱେ କୌଣସି କ୍ଷେତ୍ରରେ ସ୍ବାମୀକୁ କେବେ ଅବହେଳା ଓ ଅବମାନନା କରିବାକୁ ଚାହେଁନି ଆଦିବାସୀ ନାରୀ। ଏହି ଦୃଷ୍ଟିରୁ ଆଦିବାସୀ ସମାଜ ପୁରୁଷପ୍ରଧାନ ହେଲେ ବି ନାରୀର ସମ୍ମାନ ପ୍ରତି ଏଠି ଆଦୌ ଊଣା ନୁହେଁ ପୁରୁଷର ପ୍ରତିବଦ୍ଧତା। ନାରୀକୁ ସମ୍ମାନ ଓ ସୁରକ୍ଷା ସେଠାରେ ସ୍ଲୋଗାନ ନୁହେଁ, ବରଂ ଏକ ସାଂସ୍କୃତିକ ଅକଲବନ୍ଦୀ, ଏକ ସାମାଜିକ ଦାୟିତ୍ୱବୋଧ। ସେଥିପାଇଁ ଆଦିବାସୀ ନାରୀ ସ୍ବାଧୀନ, ସଶକ୍ତ ଓ ସୁରକ୍ଷିତ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?