
ମହାକାଳପଡ଼ା,୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ଦଳିତ ଶ୍ରେଣୀର ପିଲାମାନେ ପାଠ ପଢିବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ସେଥିପାଇଁ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଖରା ଦିନ ଛୁଟି ସରିବା ପରେ ଗତ ୨୦ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ହେଲେ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟର ପିଲାମାନେ ସ୍କୁଲରେ ପହଞ୍ଚି ପାରିନାହାଁନ୍ତି। କାରଣ ମା’ବାପା ନିରକ୍ଷର ଯୋଗୁ ଖରାଛୁଟି ପରେ କେବେ ବିଦ୍ୟାଳୟ ଖୋଲିଲା ସେମାନେ ଜାଣି ପାରୁ ନାହାଁନ୍ତି ବୋଲି ଜଣେ ଆଦିବାସୀ ଛାତ୍ରଙ୍କ ମା’ପୁଷ୍ପା ଭକ୍ତା କହିଛନ୍ତି। ପୁଷ୍ପାଙ୍କ କହିବା କଥା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆଦ୍ୟାବଧି ବିଦ୍ୟାଳୟ ଖୋଲିଲା ବୋଲି କହୁ ନାହାଁନ୍ତି। ଆମ ପାଖରେ ବିଦ୍ୟାଳୟକୁ ଯିବା ପାଇଁ ଗାଡ଼ି ଭଡ଼ା ନାହିଁ। ବାଧ୍ୟ ହୋଇ ଗ୍ରାମର ୮ ଜଣ ଆଶ୍ରମ ବିଦ୍ୟାଳୟ ଛାତ୍ର ଗାଁରେ ଖେଳକୁଦ ମାତିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ସାନ୍ତାଳି ଶବରପଡ଼ା ଗ୍ରାମର ୮ ଜଣ ଛାତ୍ର ପଟ୍ଟାମୁଣ୍ଡାଇ ବ୍ଲକ କୂଳସାହି ଆବାସିକ ଆଶ୍ରମ ବିଦ୍ୟାଳୟରେ ପଢ଼ୁଛନ୍ତି। ଖରାଛୁଟିରେ ଘରକୁ ଆସିଥିଲେ। ହେଲେ ସ୍କୁଲ ଖୋଲିବା ପରେ ସେଠାକୁ ଯାଇନାହାନ୍ତି। ତୁରନ୍ତ ଏହି ଆଦିବାସୀ ଶବର ଛାତ୍ରୀଛାତ୍ରମାନଙ୍କୁ ଆବାସିକ ବିଦ୍ୟାଳୟକୁ ଯିବାର ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ବୃଦ୍ଧିଜୀବୀମାନେ କହିଛନ୍ତି। ଅନ୍ୟପକ୍ଷେ ଏହି ଅଞ୍ଚଳରେ ଆଦିବାସୀ ସାନ୍ତାଳୀ ଭାଷାଭାଷୀ ପରିବାର ବସବାସ କରୁଛନ୍ତି। ସେଥିପାଇଁ ଉକ୍ତ ଗାଁରେ ଏକ ସାନ୍ତାଳୀ ଅଲଚିକ ଲିପି ଭାଷାର ଆବାସିକ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିରଞ୍ଚି ନାରାୟଣ ଦାସ ଓ ଲକ୍ଷ୍ମୀକାନ୍ତ ସ୍ବାଇଁ ପ୍ରମୁଖ ବୃଦ୍ଧିଜୀବୀ ଦାବି କରିଛନ୍ତି। ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଲେ ବାର ନମ୍ବର, ଲୁଣି ମାଠିଆ, ବାଘୁଆ ମେଦ, ସିଂପଡ଼ା , ଜମ୍ମୁ , ସୁନିତି , ପନ୍ଦର ମାଇଲ , ଜଙ୍ଗଲି ଘେରୀ ଓ ଶବର ପଡ଼ା ଗ୍ରାମର ପିଲାମାନେ ପାଠ ପଢିବାର ସୁଯୋଗ ପାଇବେ ବୋଲି କହିଛନ୍ତି ସାମାଜିକ କର୍ମୀ ସୁବାସ ସ୍ବାଇଁ। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ ପଚାରିବାରୁ ଏନେଇ କୁଳସାହି ପ୍ରଧାନ ଶିକ୍ଷକଙ୍କ ସହିତ କଥା ହୋଇଛି। ପିଲାମାନଙ୍କୁ ସ୍କୁଲରେ ପହଞ୍ଚାଇବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।