ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ପଡ଼ିଆରେ ଶୁକ୍ରବାର ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ଆୟୋଜିତ ସଭାରେ ପାର୍ଥସାରଥୀ ବେଜ ସଂଯୋଜନା କରିଥିବାବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅମୀୟ କୁମାର ମହାନ୍ତି, ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧାରୁଆ ଓ ସାହାରପଡ଼ା ବିଡିଓ ରଣଜିତ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଲିନା କହ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।
ଚାଷୀ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମତ୍ସ୍ୟଚାଷ ଓ ପଶୁପାଳନ ମାଧ୍ୟମରେ ଯୁବକମାନେ ସ୍ୱାବଲମ୍ବୀ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଓ ବିଧାୟକ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିବା ସହ ଚାଷୀମାନଙ୍କ ସମସ୍ୟା ବୁଝିଥିଲେ।
ତେବେ ମେଳାରେ ଚାଷୀଙ୍କ ଉପସ୍ଥିତି ଅତ୍ୟନ୍ତ ନଗଣ୍ୟ ଥିବାବେଳେ ଅଧିକାଂଶ ଚେୟାର ଖାଲି ପଡ଼ିଥିଲା। ଚାଷୀଙ୍କ ତୁଳନାରେ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀରେ ମାତ୍ର ଗୋଟିଏ ଗାଈ ଓ କିଛି କୁକୁଡ଼ା ଦେଖିବାକୁ ମିଳିଥିବାବେଳେ ମତ୍ସ୍ୟ ବିଭାଗ ପକ୍ଷରୁ କୌଣସି ପ୍ରଦର୍ଶନୀ ଷ୍ଟଲ୍ ନଥିଲା। ଫଳରେ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ସତ୍ତ୍ୱେ ମେଳାଟି ଫିକା ପଡ଼ିଥିବା ଦେଖାଯାଇଥିଲା।

