Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଦକ୍ଷିଣ ଭାରତର ଚେରାପୁଞ୍ଜି

କର୍ନାଟକର ସିମୋଗା ଜିଲାରେ ଥିବା ଅଗୁମ୍ବେ ନିଜର ପ୍ରାକୃତିକ ପରିବେଶ, ସବୁଜ ବନାନୀ, ତଥା ଝରଣା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ଅଧିକ ମାତ୍ରାରେ ବର୍ଷା ହେବାକୁ ନେଇ ଏହା ନାଁରେ ରେକର୍ଡ ବି ରହିଛି…

କର୍ନାଟକର ସିମୋଗା ଜିଲା ଅନ୍ତର୍ଗତ ତୀର୍ଥହଲ୍ଲୀ ତାଲୁକାରେ ଥିବା ଅଗୁମ୍ବେ ନିଜର ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ସବୁଜ ବନାନୀ ଓ ଝରଣା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ଏହା ଦକ୍ଷିଣ ଭାରତର ଏମିତି ଏକ ସ୍ଥାନ, ଯେଉଁଠାରେ ବର୍ଷା ସବୁଠୁ ଅଧିକ ହୋଇଥାଏ ବୋଲି ସୂଚନା ରହିଛି। ସେଥିପାଇଁ ଅନେକେ ଅଗୁମ୍ବେକୁ ‘ଦକ୍ଷିଣ ଭାରତର ଚେରାପୁଞ୍ଜି’ ବୋଲି କହିଥାନ୍ତି। କାରଣ ମେଘାଳୟସ୍ଥିତ ଚେରାପୁଞ୍ଜିରେ ବିଶ୍ୱର ସବୁଠାରୁ ଅଧିକ ବର୍ଷା ହୋଇଥାଏ ବୋଲି ରେକର୍ଡ ରହିଛି।

ଅଗୁମ୍ବେ ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ
ସୂଚନାନୁଯାୟୀ, ଅଗୁମ୍ବେ ହେଉଛି ମାତ୍ର ୩ ବର୍ଗ କି.ମି. ବ୍ୟାପ୍ତ ଏକ ପାହାଡ଼ି ଗାଁ। ଚତୁଃପାର୍ଶ୍ୱରୁ ଏହାକୁ ଘେରି ରହିଛି ଜଙ୍ଗଲ ପରିବେଷ୍ଟିତ ଉଚ୍ଚ ଉଚ୍ଚ ପାହାଡ଼। ତା’ସାଙ୍ଗକୁ ସ୍ଥାନେ ସ୍ଥାନେ ଉକ୍ତ ପାହାଡ଼ରୁ ଝରି ଆସୁଥିବା ଝରଣାର ଅପୂର୍ବ ଦୃଶ୍ୟ ଏଠାକାର ଶୋଭାକୁ ବେଶ୍‌ ବଢାଇ ଦେଇଥାଏ। ତେବେ ଅଗୁମ୍ବେକୁ ଘେରି ରହିଥିବା ଘଞ୍ଚ ଜଙ୍ଗଲରେ ବିଭିନ୍ନ ପ୍ରକାରର ବନ୍ୟ ଜୀବଜନ୍ତୁ, ଜଡିବୁଟି ତଥା ବନସ୍ପତି ବୃକ୍ଷ ମଧ୍ୟ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଲୋକଙ୍କର ମୁଖ୍ୟ ରୋଜଗାର ସେହି ଜଙ୍ଗଲଜାତ ଦ୍ରବ୍ୟରୁ ହିଁ ହୋଇଥାଏ ବୋଲି ଅନୁମାନ କରାଯାଏ। ତା’ଛଡ଼ା କୁହାଯାଏ, ଏହି ଘଞ୍ଚ ଜଙ୍ଗଲ ହିଁ ହେଉଛି ଏଠାରେ ପ୍ରଚୁର ବର୍ଷା କରାଇବାର ମୁଖ୍ୟ କାରଣ। ଖାସ୍‌ ସେଥିପାଇଁ ଭାରତ ସରକାର ଏଠାରେ ‘ଅଗୁମ୍ବେ ରେନ୍‌ ଫରେଷ୍ଟ ରିସର୍ଚ୍ଚ ଷ୍ଟେଶନ’ର ସ୍ଥାପନା କରିଛନ୍ତି।

ନିକଟସ୍ଥ ପର୍ଯ୍ୟଟନସ୍ଥଳୀ
ଅଗୁମ୍ବେର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକ ଏଠାକାର ନିକଟତମ ଅଞ୍ଚଳରେ ମଧ୍ୟ ବୁଲି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ଦେଖିପାରିବେ। ଯେମିତିକି:

ଝରଣା: ଅଗୁମ୍ବେର ନିକଟବର୍ତ୍ତୀ ଅଞ୍ଚଳରେ ବରକନା, କୁଞ୍ଚତ୍କଲ୍‌, ଓନାକେ ଅବି, ଜୋଗିଗୁଣ୍ଡି ଏବଂ କୋଡଲୁ ତୀର୍ଥ, ସିରିମାନେ ନାମରେ ଏକାଧିକ ଝରଣା ଦେଖିବାକୁ ମିଳିଥାଏ।

ସନ୍‌ସେଟ୍‌ ପଏଣ୍ଟ୍‌: ଅଗୁମ୍ବେର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା ଫଗ୍‌ ଫିଲ୍ଡ ଭ୍ୟାଲେର ସନ୍‌ସେଟ୍‌ ପଏଣ୍ଟ। ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟ ଦେଖିବାକୁ ଏଠାରେ ଅଧିକାଂଶ ସମୟ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ: ଅଗୁମ୍ବେର ଘଞ୍ଚ ଜଙ୍ଗଲରେ ଅନେକ ବିରଳ ପଶୁଙ୍କୁ ଦେଖିବାକୁ ମିଳିଥାଏ। ଯେମିତିକି: ବାଘ, ଚିତାବାଘ, ଶମ୍ବର, ଜଙ୍ଗଲୀ ଗୁଣ୍ଡୁଚିମୂଷା, ଗୟଳ, ବୋବାଉଥିବା ହରିଣ, ଲଙ୍ଗୁର ଇତ୍ୟାଦି। ତା’ଛଡ଼ା ବିଭିନ୍ନ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥାନ୍ତି। ମୁଖ୍ୟତଃ ଦୁନିଆର ସବୁଠାରୁ ବିଷଧର ସର୍ପ ଭାବେ ଜଣା କିଙ୍ଗ୍‌ କୋବ୍ରା ମଧ୍ୟ ଏହି ଜଙ୍ଗଲରେ ଅଧିକ ସଂଖ୍ୟାରେ ରହିଥାନ୍ତି। କୁହାଯାଏ, ଉକ୍ତ ଜଙ୍ଗଲଟି ହେଉଛି ଏହି ସର୍ପଙ୍କ ପାଇଁ ଏକ ସୁରକ୍ଷିତ ଆବାସସ୍ଥଳୀ।

ଆଧ୍ୟାତ୍ମିକ ପୀଠ: ଅଗୁମ୍ବେ ବେଣୁଗୋପାଳକ୍ରିଷ୍ଣା ମନ୍ଦିର ହେଉଛି ଏଠାକାର ଏକ ପ୍ରମୁଖ ଆଧ୍ୟାତ୍ମିକ ପୀଠ। ଶ୍ରୀ ବେଣୁଗୋପାଳ କ୍ରିଷ୍ଣା ହେଉଛନ୍ତି ଏହି ମନ୍ଦିରର ମୁଖ୍ୟ ଦେବତା। ପ୍ରତିବର୍ଷ ଫେବୃୟାରୀ ମାସରେ ତାଙ୍କର ଏକ ବାର୍ଷିକ ଉତ୍ସବ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେହିପରି ଶ୍ରୀଙ୍ଗେରୀ ଶାରଦମ୍ବା ମନ୍ଦିର ହେଉଛି ଅଗୁମ୍ବେର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳୀ।
ମାଲ୍‌ଗୁଡି ଡେଜ୍‌ ସହ ସମ୍ପର୍କ

ଲୋକପ୍ରିୟ ଟେଲିଭିଜନ୍‌ ସିରିଏଲ୍‌ ମାଲ୍‌ଗୁଡ଼ି ଡେଜ୍‌ର କେତେକ ଏପିସୋଡ୍‌ର ଶୁଟିଂ ଏହିଠାରେ ହୋଇଥିଲା ବୋଲି ସୂଚନା ମଧ୍ୟ ରହିଛି। ତେଣୁ ଏହିଥିରୁ ଅନୁମାନ କରିହୁଏ ଯେ, ଅଗୁମ୍ବେର ଲୋକପ୍ରିୟତା କେତେ ରହିଛି।

ଟ୍ରେକିଂର ମଜା ନେଇହେବ
ଅଗୁମ୍ବେରେ ବହୁ ଉଚ୍ଚ ଉଚ୍ଚ ପାହାଡ ରହିଥିବାରୁ, ଏଠାରେ ଟ୍ରେକିଂ ପାଇଁ ବହୁ ସୁବିଧା ଥିବା ଅନୁମାନ କରାଯାଏ। ତା’ଛଡ଼ା ଫଟୋଗ୍ରାଫିରେ ରୁଚି ରହିଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ କହିଲେ ଆଦୌ ଭୁଲ୍‌ ହେବନାହିଁ।

କେବେ ଓ କେମିତି ଯିବେ
ଅଗୁମ୍ବେରେ ବର୍ଷା ଯେହେତୁ ଅଧିକ ହୋଇଥାଏ, ତେଣୁ ବର୍ଷାଦିନକୁ ଛାଡ଼ି ଅନ୍ୟ ଯେ କୌଣସି ସମୟରେ ଏଠାକୁ ଗଲେ ବୁଲିବାକୁ ସୁବିଧା ହୋଇଥାଏ। ହେଲେ ଯେଉଁମାନେ ବର୍ଷାପ୍ରିୟ, ସେମାନଙ୍କ ପାଇଁ ବର୍ଷାଦିନେ ଏଠାକୁ ବୁଲିଯିବା ଉତ୍ତମ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ମାଙ୍ଗାଲୋର୍‌ରୁ ମାତ୍ର ୯୮ କି.ମି. ଏବଂ ବାଙ୍ଗାଲୋର୍‌ରୁ ମାତ୍ର ୪୫୭ କି.ମି. ଦୂରରେ ଥିବା ଅଗୁମ୍ବେକୁ ପର୍ଯ୍ୟଟକ ବସ୍‌ ହେଉ ଅବା ଟ୍ରେନ୍‌ ଅଥବା ବିମାନ ଯୋଗେ ମଧ୍ୟ ସୁବିଧାରେ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?