ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୁନନ୍ଦା ଗଭୀର ଅସନ୍ତୋଷ ପ୍ରକାଶ କରିଥିବାବେଳେ ତାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା। ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ସୁନନ୍ଦା ଭାଜପାକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି।
୨୦୨୨ ଜିଲା ପରିଷଦ ନିର୍ବାଚନରେ ୨୧ ଓ ୨୪ ନମ୍ବର ଜୋନ୍‌ର ନେତୃତ୍ୱ ନେଇ ବିଜେଡିର ଭୋଟହାରକୁ ବୃଦ୍ଧି କରିଥିବା ସୁନନ୍ଦାଙ୍କୁ ବାଦ୍‌ ଦିଆଯାଇ ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିବା ବଡ଼ଧରଣର ଦଳୀୟ ବିଦ୍ରୋହ ସୃଷ୍ଟି କରିଛି। ସୁନନ୍ଦାଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବିଶ୍ୱରଞ୍ଜନଙ୍କ ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କୁ ଏଥର ବିଜେଡି ସୁଯୋଗ ଦେଇଛି ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ତେବେ ବିଶ୍ୱରଞ୍ଜନ ୨୦୧୪ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ବିଜେଡି ତାଙ୍କ ଉପରେ ଭରସା କରି ବଡ଼ ରିସ୍କ ନେଇଛି ବୋଲି ଅନେକେ ମତ ଦେଉଛନ୍ତି। ୨୦୧୯ ନିର୍ବାଚନରେ ଭାଜପାରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇ ୪,୦୬୨ ଭୋଟରେ ସୁନନ୍ଦାଙ୍କଠାରୁ ହାରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ। ସେବେଠାରୁ ବିଜେଡିର ପ୍ରାୟ ସବୁ କାର୍ଯ୍ୟକ୍ରମ ସୁନନ୍ଦା ଏବଂ ବିଶ୍ୱରଞ୍ଜନଙ୍କ ଦ୍ୱାରା ସମାନ୍ତରାଳ ଭାବେ ହୋଇ ଆସୁଥିଲା। ଗତ ଜିଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ଦୁଇ ନେତାଙ୍କୁ ୨ଟି ଲେଖାଏ ଆସନର ଦାୟିତ୍ୱ ଦିଆଯାଇଥିଲା। ବିଶ୍ୱରଞ୍ଜନ ଭାଗରେ ପଡ଼ିଥିବା ୨୨ ନମ୍ବର ଜିଲା ପରିଷଦ ଜୋନ୍‌ରେ ୩୯% ଓ ୨୩ ନମ୍ବର ଜୋନ୍‌ରେ ୫୧% ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୨ ନମ୍ବରର ଆସନରେ ଭାଜପା ୩୫% ଭୋଟ ପାଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା। ସେହିପରି ସୁନନ୍ଦା ଭାଗରେ ପଡିଥିବା ୨୧ ନମ୍ବର ଜୋନ୍‌ରେ ୫୧% ଓ ୨୪ ନମ୍ବର ଜୋନ୍‌ରେ ୫୦% ଭୋଟ ପାଇ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିଲେ। କିନ୍ତୁ ବିଶ୍ୱରଞ୍ଜନ ବିଜେଡିରେ ଯୋଗଦେବାବେଳକୁ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ପୂରଣ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
୨୦୦୦ ମସିହାରୁ ବରୀ ଆସନ ବିଜେଡି ହାତରେ ରହିଆସିଛି। ୨୦୧୯ ନିର୍ବାଚନ ପୂର୍ବରୁ ସୁନନ୍ଦା ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ବିଜେଡି ୨୦୧୯ରେ ପ୍ରାର୍ଥୀ କରି ୪ଥରର ବିଧାୟକ ଥିବା ଦେବାଶିଷ ନାୟକଙ୍କୁ ବାଦ୍‌ ଦେଇଥିଲା। ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକଙ୍କୁ କଡ଼ା ଟକ୍କର ଦେଇ ୭,୧୭୩ ଭୋଟରେ ହାରିଥିବା ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୨୦୧୯ରେ ଭାଜପା ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନଠାରୁ ଭାଜପା ଶାସକ ଦଳର ବିକଳ୍ପ ଭାବେ ଭୋଟରଙ୍କ ସାମ୍ନାରେ ଉଭା ହୋଇଛି। ଗତ ସାଧାରଣ ନିର୍ବାଚନରେ ବିଜେଡି ୪୮.୨୮% ଓ ଭାଜପା ୪୫.୫୮% ଭୋଟ ପାଇଥିଲା। ବିଜେଡି ୨୦୧୯ ଭଳି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ବଦଳାଇଥିବାବେଳେ ଏହାର ମୁକାବିଲା କରିବାକୁ ଭାଜପା କେଉଁଭଳି ରଣନୀତି ଆପଣାଉଛି ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହୋଇଯିବ। ହେଲେ ଭାଜପା ପାଇଁ ପ୍ରାର୍ଥୀ ଚୟନ କଷ୍ଟକର ହୋଇପଡ଼ିଛି। କିଛିମାସ ପୂର୍ବେ ପୂର୍ବତନ ବିଧାୟକ ଦେବାଶିଷ ନାୟକ ଏବଂ ଏହାର ବହୁ ପୂର୍ବରୁ ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଭାଜପାରେ ସାମିଲ ହୋଇ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତେବେ ବିଧାୟିକା ସୁନନ୍ଦା ଯଦି ଭାଜପାକୁ ଫେରନ୍ତି ଏବଂ ଟିକେଟ ପାଆନ୍ତି, ତେବେ ବିଜେଡିକୁ ପୁଣି କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ବିଜେଡିର ବିଦ୍ରୋହର ଫାଇଦା ଉଠାଇବା ପାଇଁ ବରୀରେ ପ୍ରାର୍ଥୀ ଘୋଷଣା ନ କରି ଅପେକ୍ଷାରେ ରହିଥିବା ମନେହେଉଛି। କିନ୍ତୁ ସୁନନ୍ଦା ଯଦି ଭାଜପା ପ୍ରାର୍ଥୀ ହୁଅନ୍ତି, ତା’ହେଲେ ଦେବାଶିଷ ଏବଂ ଉମେଶ ତାହାକୁ ଗ୍ରହଣ କରିବେ ନା ବିଦ୍ରୋହୀ ହେବେ ତାହା ଏବେ ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ବିଜେଡି ଟିକେଟ ଆଶାୟୀ ଥିବା ଯୁବନେତା ସଞ୍ଜୀବ ଜେନା ମଧ୍ୟ ଏବେ ନିରାଶ ହୋଇଥିବାରୁ ସେ ତାଙ୍କ ସମର୍ଥକମାନଙ୍କୁ ନେଇ ଦେବାଶିଷଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି। ପ୍ରାର୍ଥୀ ଚୟନକୁ ନେଇ ଯଦି ଭାଜପାରେ ବିଦ୍ରୋହ ନ ହୁଏ, ତେବେ ଦଳ ପାଇଁ ବିଜୟ ସୁଯୋଗ ରହିଛି ବୋଲି ଚର୍ଚ୍ଚା ହେଉଛି।
ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ କହିଛନ୍ତି, ଆଗାମୀ ଦିନରେ ବରୀର ବିକାଶ ଦ୍ୱିଗୁଣିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମନ୍ତ୍ରକୁ ଲୋକାଭିମୁଖୀ କରାଇବା ପାଇଁ ସେ ସମସ୍ତ କର୍ମୀମାନଙ୍କୁ ନେଇ ଉଦ୍ୟମ ଜାରି ରଖିବେ।
ଅନ୍ୟପକ୍ଷରେ କଂଗ୍ରେସରୁ ଜିଲା ସଭାନେତ୍ରୀ ଆରତି ଦେଓ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତେବେ ବରୀରେ କଂଗ୍ରେସ ଶେଷଥର ପାଇଁ ୧୯୯୫ରେ ବିଜୟୀ ହୋଇଥିଲା। ଏହାପରଠାରୁ ପ୍ରତି ନିର୍ବାଚନରେ ଦଳର ଭୋଟହାର ଆଖିଦୃଶିଆ ହ୍ରାସ ପାଇଆସିଛି। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ମାତ୍ର ୭,୦୮୨(୪.୭%) ଭୋଟ ପାଇଥିଲେ। ଏଥର ବିଜେଡି ଓ ଭାଜପା ପ୍ରାର୍ଥୀ ମଧ୍ୟରେ ହିଁ ଲଢ଼େଇ ହେବ ବୋଲି କୁହାଯାଉଥିବାବେଳେ ଆରତି ସେମାନଙ୍କୁ କେତେ ଟକ୍କର ଦେଇପାରୁଛନ୍ତି ତାହା ନିର୍ବାଚନ ଫଳାଫଳରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧଳାଜହର କାରବାରର ପର୍ଦ୍ଦାଫାଶ: ୯୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ପୋଲିସ ହାତରେ ଧରାପଡ଼ିଲେ ଦମ୍ପତି

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଟାଉନ୍ ଥାନା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି । ବୁଧବାର ପୋଲିସ ଚଢ଼ାଉ କରି ବ୍ରାଉନ୍…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

‘ଅକ୍ବାନ’ ଆଲର୍ଟ: ଗୁଡ଼ାରି ବ୍ଲକ ପ୍ରଶାସନର ଜରୁରୀ ବୈଠକ, ମୁଖ୍ୟାଳୟ ନ ଛାଡ଼ିବାକୁ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ

ଗୁଡ଼ାରି,୧୮ା୧୧(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’କୁ ଦୃଷ୍ଟିରେ ରଖି ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…

କେନ୍ଦୁଝରର ଗୌରବ: ବିଶିଷ୍ଟ କବି ଭୈରବ ଚନ୍ଦ୍ର ବେହେରାଙ୍କୁ ମିଳିଲା ମର୍ଯ୍ୟାଦାଜନକ ‘ଉତ୍କଳ ସାହିତ୍ୟ ରତ୍ନ ସମ୍ମାନ’

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମର ବିଶିଷ୍ଟ କବି, ଗାଳ୍ପିକ ତଥା ଶିକ୍ଷାବିତ୍ ଭୈରବ ଚନ୍ଦ୍ର ବେହେରାଙ୍କୁ…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?