୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ ବର୍ଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିବଙ୍ଗରେ ଶାସନ କ୍ଷମତା ଗତ ୧୦ବର୍ଷ ଧରି ତୃଣମୂଳ କଂଗ୍ରେସ ନିକଟରେ ରହିଛି। ତାମିଲନାଡ଼ୁର ଶାସନ କ୍ଷମତାରେ ଅଛି ଡିଏମ୍‌କେ। କେରଳରେ ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ମେଣ୍ଟ ଶାସନରେ ରହିଛି। ପୁଡୁଚେରୀରେ ମେଣ୍ଟ ସରକାରରେ ଭାରତୀୟ ଜନତା ପାର୍ଟି(ଭାଜପା)ସାମିଲ ହୋଇଛି। ଦେଖିବାକୁ ଗଲେ ୨୦୨୬ରେ ଯେଉଁ ସମସ୍ତ ରାଜ୍ୟରେ ନିର୍ବାଚନ ହେବ ସେଥିମଧ୍ୟରୁ ୩ଟି ରାଜ୍ୟରେ ଅଣ-ଭାଜପା ଦଳ ଶାସନ କ୍ଷମତାରେ ରହିଛି। କେବଳ ଆସାମରେ ଭାଜପା ସରକାର ରହିଛି। ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସଫଳତା ପାଇବା ପରେ ଭାଜପାର ମନୋବଳ ବୃଦ୍ଧି ପାଇଛି। ଏବେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଚାଲିଛି। ଫେବୃୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି। ଗତ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ‘ଇସ୍‌ ବାର୍‌ ୨୦୦ ପାର୍‌’ ସ୍ଲୋଗାନ ଭାଜପା ଦେଇ ସଫଳ ହୋଇପାରି ନଥିଲା। ପଶ୍ଚିବଙ୍ଗରେ ନାରୀ ନିର୍ଯାତନା, ଅନୁପ୍ରବେଶ ଓ ଦୁର୍ନୀତିକୁ ଭାଜପା ଆସନ୍ତା ନିର୍ବାଚନରେ ପ୍ରସଙ୍ଗ କରିପାରେ। ଏହି ସମସ୍ତ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ମେଣ୍ଟ କରିବା ନିଶ୍ଚିତ। ଏଣୁ ୨୦୨୬ର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରଠାରୁ ରାଜନୈତିକ ଦଳଗୁଡ଼ିକ ମେଣ୍ଟ ଓ ନିର୍ବାଚନୀ ରଣନୀତି କରିବାରେ ଚଳଚଞ୍ଚଳ ରହିବେ। ୩ ଅଣ-ଭାଜପା ଶାସିତ ରାଜ୍ୟ ଦଖଲ କରିବାକୁ ଭାଜପା ସମସ୍ତ ପ୍ରକାର ବଳ, କୌଶଳ ଲଗାଇବାର ସମ୍ଭାବନା ରହିଛି।
‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଆସନ୍ତା ବର୍ଷର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ୧୨୯ତମ ସମ୍ବିଧାନ ସଂଶୋଧନ ଭାବେ ପରିଗଣିତ ୨୦୨୪ରେ ଆଗତ ଏହି ବିଲ୍‌ ଏବେ ସଂସଦୀୟ ସିଲେକ୍ଟ କମିଟି ନିକଟରେ ରହିଛି। ଏହାର କାର୍ଯ୍ୟକାଳ ଇତିମଧ୍ୟରେ ବୃଦ୍ଧି କରାଯାଇଛି। ଆଗାମୀ ବଜେଟ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ କମିଟି ରିପୋର୍ଟ ଉପସ୍ଥାପିତ କରିବେ। କମିଟି ଇତିମଧ୍ୟରେ ଅନେକ ଆଇନ ବିଶାରଦଙ୍କ ମତାମତ ଗ୍ରହଣ କରିଛନ୍ତି। ତେବେ ନିର୍ବାଚନ କମିଶନଙ୍କୁ ବିଲ୍‌ରେ ଯେଉଁ କ୍ଷମତା ପ୍ରଦାନ କରାଯାଇଛି ତାହା ଉପରେ ପ୍ରଶ୍ନ ଉଠିଛି ସଂସଦର ବଜେଟ ଅଧିବେଶନ ସମୟରେ ବିଲ୍‌ ଆଗତ ହେବାର ସମ୍ଭାବନା କମ୍‌। ମୌସୁମୀ ଅଧିବେଶନ ସମୟରେ ବିଲ୍‌ ଆଗତ ହେବା ଆଶା କରାଯାଉଛି। ସେତେବେଳକୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇସାରିଥିବ। ସିଲେକ୍ଟ କମିଟି ରିପୋର୍ଟ ପରେ ନୂଆ ବିଲ୍‌ର ଢାଞ୍ଚା କ’ଣ ରହିବ ତାହା ଆସନ୍ତାବର୍ଷ ଜଣାପଡ଼ିବ।
ସେହିପରି ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୨୫ ମସିହା ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟରେ ଆଗତ ହୋଇଥିଲେ ମଧ୍ୟ କଡ଼ା ବିରୋଧ ଯୋଗୁ ଏହାର ଅଧିକ ତର୍ଜମା ନିମନ୍ତେ ବିଲ୍‌କୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଯାଇଛି। ଏହି କମିଟିରେ ବିଭିନ୍ନ ଦଳରୁ ୨୧ ଜଣ ଲୋକ ସଭା ସଦସ୍ୟ ଓ ୧୦ ଜଣ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ଶୀତ ଅଧିବେଶନ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ କୁହାଯାଇଥିଲା। କିନ୍ତ ତାହା ହୋଇପାରି ନାହିଁ। ଏହି ରିପୋର୍ଟ ମଧ୍ୟ ୨୦୨୬ରେ ସଂସଦରେ ଆଗତ ହେବା ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ ଗୁରୁତର ଅପରାଧ ମାମଲାରେ ଜଡ଼ିତ ଥାଇ ଗିରଫ ହୋଇ ୩୦ ଦିନ ଜେଲରେ ରହିଲେ ତାଙ୍କୁ ପଦରୁ ବହିଷ୍କାର କରାଯିବା ବ୍ୟବସ୍ଥା ଏହି ବିଲ୍‌ରେ ରହିଛି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ବହିଷ୍କାର କରିବାର କ୍ଷମତା ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ବହିଷ୍କାର କରିବାର କ୍ଷମତା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀଙ୍କୁ ଉପ-ରାଜ୍ୟପାଳ ବହିଷ୍କାର କରିପାରିବେ।
୨୦୨୬ରେ ଆରମ୍ଭ ହେବ ଜନଗଣନା। ଭାରତୀୟ ଜନଗଣନା ଆଇନ-୧୯୪୮ ଓ ନିୟମାବଳୀ-୧୯୯୦ ଅନୁଯାୟୀ ଏହା ହେବ। ସ୍ବାଧୀନତା ପରେ ଏହା ଦେଶର ୮ମ ଜନଗଣନା। ପ୍ରଥମ ଥର ପାଇଁ ସାଧାରଣ ଜନଗଣନାରେ ଜାତିଭିତ୍ତିକ ଗଣନା ସାମିଲ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥାରେ ହେବ। ଶେଷ ଜାତିଭିତ୍ତିକ ଜନଗଣନା ୧୯୩୧ ମସିହାରେ କରାଯାଇଥିଲା। ଭାରତୀୟ ଜନଗଣନା ପାଇଁ କ୍ଷେତ୍ରସ୍ତରରେ ୩୦ ଲକ୍ଷ କର୍ମଚାରୀ ନିୟୋଜିତ ହେବେ। ବ୍ୟୟବରାଦ ରହିଛି ୧୧,୭୧୮ କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୃହ ଗଣନା ଓ ଚିହ୍ନଟ କାର୍ଯ୍ୟ କରାଯିବ। ପ୍ରାୟ ୫୫୦ ଦିନ ଧରି ଏହି କାର୍ଯ୍ୟ ଚାଲିବ। ବିଭିନ୍ନ ବର୍ଗର ଜନସଂଖ୍ୟା, ଜାତି, ଅର୍ଥନୀତି, ଶିକ୍ଷା, ସାକ୍ଷରତା, ଭାଷା, ଜୀବନଶୈଳୀ ଆଦି ସମ୍ପର୍କରେ ତୃଣମୂଳ ସ୍ତରରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରାଯିବ, ଯାହା ପରବର୍ତ୍ତୀ ୧୦ ବର୍ଷ ପାଇଁ ଦେଶର ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ଦସ୍ତାବିଜ୍‌ ହେବ। ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି କାର୍ଯ୍ୟ ସମାପ୍ତ ଅବଧି ୨୦୨୬ ଅକ୍ଟୋବର ୧ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଦେଶର ଅନ୍ୟାନ୍ୟ ରାଜ୍ୟ ପାଇଁ ୨୦୨୭ ମାର୍ଚ୍ଚ ୧ ତାରିଖ ଧାର୍ଯ୍ୟ କରାଯାଇଛି। ୨୦୧୧ରେ ଦେଶର ଶେଷ ଜନଗଣନା ହୋଇଥିଲା। ନିୟମ ଅନୁଯାୟୀ ୨୦୨୧ ରେ ଏହା ହୋଇଥାନ୍ତା। କିନ୍ତୁ କୋଭିଡ ସଂକ୍ରମଣ ଯୋଗୁ ଜନଗଣନା ପ୍ରାୟ ୬ ବର୍ଷ ବିଳମ୍ବିତ ହୋଇଛି। ଫଳରେ ସରକାରୀ ଯୋଜନା ୨୦୧୧ ଜନସଂଖ୍ୟା ଭିତ୍ତିରେ ଚାଲିଛି। ଚଳିତ ଜନଗଣନା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଲୋକସଂଖ୍ୟା ଭିତ୍ତିରେ ଲୋକ ସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ଏବଂ ସଂସଦ ପାଇଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି। ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ୧୨୮ତମ ସମ୍ବିଧାନ ସଂଶୋଧନ ଭାବେ ଦଳମତ ନିର୍ବିଶେଷରେ ୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା।
୨୦୨୬ ବଜେଟରେ ୮ମ ବେତନ କମିଶନ ରିପୋର୍ଟ ପାଇଁ ସରକାରଙ୍କୁ ଆଂଶିକ ବ୍ୟୟ ବରାଦ କରିବାକୁ ପଡ଼ିବ। ୨୦୨୫ ଜାନୁଆରୀରେ ବେତନ କମିଶନ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଅକ୍ଟୋବରରେ ୩ ଜଣିଆ କମିଶନ ଗଠନ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ୧୮ ମାସ ସମୟ ଦିଆଯାଇଛି। ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ପ୍ରଦାନ ପାଇଁ ମଧ୍ୟ କମିଶନଙ୍କୁ କୁହାଯାଇଛି। ପୂର୍ବ ଧାରାକୁ ଯଦି ଦେଖାଯାଏ ବେତନ କମିଶନ ରିପୋର୍ଟ ୨୦୨୬ ଜାନୁଆରୀରୁ ଲାଗୁ ହେବା କଥା। କିନ୍ତୁ ଏ ବାବଦରେ ସରକାରୀ ଭାବେ ଅଦ୍ୟାବଧି କିଛି କୁହାଯାଇ ନାହିଁ।
ନ୍ୟାଶନାଲ ଜୁଡ଼ିସିଆଲ ଆପଏଣ୍ଟମେଣ୍ଟ କମିଶନ (ଏନ୍‌ଜେଏସି) ବିଷୟ ମଧ୍ୟ ୨୦୨୬ରେ ସୁପ୍ରିମକୋର୍ଟରେ ଉଠିବାର ସମ୍ଭାବନା ରହିଛି। ନୂତନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଥିନେଇ ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ହାଇକୋର୍ଟ, ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ଓ ବଦଳି ଆଦି ନ୍ୟାୟପାଳିକାର ପ୍ରଶାସନିକ କାର୍ଯ୍ୟ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ ଏକ କଲେଜିୟମ ଦ୍ୱାରା କରାଯାଉଛି। ଏହି ଢାଞ୍ଚାର ସଂସ୍କାର ପାଇଁ ୯୯ତମ ସମ୍ବିଧାନ ସଂଶୋଧନ କରି ସରକାର ୨୦୧୪ରେ ଏନ୍‌ଜେଏସି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ। ବିଚାରପତି ନିଯୁକ୍ତି ଓ ବଦଳିରେ ସରକାରଙ୍କ ଅଂଶୀଦାରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ୨୦୧୫ରେ ଅଦାଲତ ଏହି ସମ୍ବିଧାନ ସଂଶୋଧନକୁ ରଦ୍ଦ କରିଥିଲେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏନଜେଏସି ମାମଲାର ଶୁଣାଣିକୁ ୨୦୨୬ରେ ଅଗ୍ରାଧିକାର ଦେବାର ସମ୍ଭାବନା ରହିଛି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ୨୦୨୬ ଦେଶ ପାଇଁ ଘନଘଟାପୂର୍ଣ୍ଣ ହେବାର ସମ୍ଭାବନା ରହିଛି।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩୦


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri