
ମୁମ୍ବାଇ,୩ା୭: ଦକ୍ଷିଣ ବମ୍ବେ (SoBo)ର ବାସିନ୍ଦା ୨୫ ବର୍ଷୀୟା ଅନହଦଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ଖୋଲାଖୋଲି ଭାବରେ ତାଙ୍କ ଦରମା ଏବଂ ମାସିକ ଖର୍ଚ୍ଚ ବିଷୟରେ କହିଛନ୍ତି। ଅନହଦ କହିଛନ୍ତି ଯେ, ସେ ପ୍ରତି ମାସରେ ୨.୬୭ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଅନହଦ କହିଛନ୍ତି, ସେ ତାଙ୍କ କ୍ୟାରିଅର ଆରମ୍ଭରୁ ଏତେ ବିପୁଳ ପରିମାଣର ଟଙ୍କା ରୋଜଗାର କରୁଛନ୍ତି।
ପେସାରେ ଜଣେ ମାର୍କେଟିଂ ପ୍ରଫେସନାଲ ଅନହଦ ମଧ୍ୟ କହିଛନ୍ତି, ସେ ଆମେରିକାରେ ୭୫ ଲକ୍ଷ ଟଙ୍କାର ଚାକିରି ଛାଡ଼ି ମୁମ୍ବାଇରେ ଏକ ଦୂରବର୍ତ୍ତୀ ଚାକିରି ମାଧ୍ୟମରେ ବାର୍ଷିକ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୨୪ରେ ସ୍ନାତକ ସମାପ୍ତ କରିବା ପରେ ଅନହଦ ନ୍ୟୁୟର୍କ ଚାଲିଗଲେ। ଏଠାରେ ସେ କୌଣସି ଦରମା ବିନା ଏକ ଭାରତୀୟ ଗ୍ରୋସରୀ ଦୋକାନରେ ଇଣ୍ଟର୍ନ ଭାବରେ କାମ କରିବା ଆରମ୍ଭ କଲେ।
ଏହା ପରେ ସେ ଏକ ମାର୍କେଟିଂ ଏଜେନ୍ସିରେ ଚାକିରି କଲେ ଯେଉଁଠାରେ ତାଙ୍କୁ ପ୍ରତି ଘଣ୍ଟାରେ କେବଳ ୨୦ ଡଲାର ମିଳୁଥିଲା, ଯାହା ଯଥେଷ୍ଟ ନ ଥିଲା। ତା’ପରେ ଅନହଦଙ୍କୁ ବାର୍ଷିକ ୬୦୦୦୦ (ପ୍ରାୟ ୫୧ ଲକ୍ଷ ଟଙ୍କା)ର ପୂର୍ଣ୍ଣକାଳୀନ ଚାକିରିର ପ୍ରସ୍ତାବ ମିଳିଲା ଏବଂ ଏହା ପରେ ଏପ୍ରିଲରେ ତାଙ୍କୁ ୭୫୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୪ ଲକ୍ଷ ଟଙ୍କାର ଚାକିରି ମିଳିଲା। କିନ୍ତୁ ଭିଜା ସମ୍ବନ୍ଧୀୟ ସମସ୍ୟା ଏବଂ ଚାପ ଯୋଗୁ ସେ ଭାରତ ଫେରି ଆସିଲେ। ଏବେ ତାଙ୍କ କମ୍ପାନୀ ତାଙ୍କୁ ଦୂରରୁ କାମ କରିବାକୁ ଅନୁମତି ଦେଇଛି, ତେଣୁ ସେ ଘରେ ବସି ପ୍ରତି ମାସରେ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଅନହଦ କହିଥିଲେ, ସେ ମୁମ୍ବାଇରେ ତାଙ୍କ ବାପାମାଆଙ୍କ ସହିତ ରୁହନ୍ତି, ତେଣୁ ତାଙ୍କର ଭଡ଼ା କିମ୍ବା ଗ୍ରୋସରୀ ଖର୍ଚ୍ଚ ସଞ୍ଚୟ ହୁଏ। ପ୍ରତି ମାସରେ ମିଳୁଥିବା ୨.୬୭ ଲକ୍ଷ ଟଙ୍କା ଦରମା ମଧ୍ୟରୁ ୧.୮୦ ଲକ୍ଷ ଟଙ୍କା ସିଧାସଳଖ ତାଙ୍କ ଏସ୍ଆଇପିକୁ ଯାଏ। ଏହା ପରେ, ୮୭୦୦୦ ଟଙ୍କାରୁ ସେ ବାହାରକୁ ଖାଇବାକୁ ଯିବା, ପାର୍ଲରକୁ ଯିବା ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବା ଇତ୍ୟାଦି ଖର୍ଚ୍ଚ ଚଳାଉଛନ୍ତି। ଅନହଦ କହିଥିଲେ ଯେ, ଜୁନରେ ସେ ବାହାରେ ଖାଇବାରେ ୧୬୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଏସବୁ ପରେ ମଧ୍ୟ ଅନହଦ ବାକି ଟଙ୍କାକୁ ସଞ୍ଚୟ ରଖନ୍ତି।