କାବୁଲ,୬ ।୯: ବେଳକୁ ବେଳ ତାଲିବାନର କଠୋର ନିୟମରେ ବ୍ୟସ୍ତବିବ୍ରତ ହୋଇ ପଡିଲେଣି ଆଫଗାନ ବାସୀ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଶେଷ କରି ମହିଳାଙ୍କ ଉପରେ ତା’ର ଅତ୍ୟାଚାର ବୃଦ୍ଧି ପାଉଥିବା କୁହାଯାଉଛି । ଏବେ ତାଲିବାନ କହିଛି ୟୁନିଭର୍ସିଟିରେ ପଢୁଥିବା ମହିଳାମାନେ ୟୁନିଭର୍ସିଟି ଆସିବା ବେଳେ ଅବାୟା ରୋବ ଅବା ନିକାବ ପିନ୍ଧି ଆସିବାକୁ ପଡିବ । କାରଣ ଏହାଦ୍ୱାରା ସେମାନଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଘୋଡାଇ ହୋଇ ରହିବ । ପୁଣି ଝିଅପୁଅ ଏକାଠି ବସି କ୍ଲାସ କରିପାରିବେ ନାହିଁ । ଯଦି ଏହା ସମ୍ଭବ ନ ହୁଏ ତେବେ ଏମାନଙ୍କୁ ଅଲଗା ଅଲଗା ଲାଇନରେ ବସାଇ ମଝିରେ ପରଦା ଟାଣିବାକୁ ପଡିବ । କେବଳ ସେତିକି ନୁହେଁ ଛାତ୍ରୀମାନଙ୍କୁ ପଢାଇବାକୁ ମହିଳା ଶିକ୍ଷୟିତ୍ରୀଙ୍କୁ ନିୁଯୁକ୍ତି ଦିଆଯିବ ଯଦି ଏହା ସମ୍ଭବ ନ ହେଲା ତେବେ କୌଣସି ବୁଢା ଶିକ୍ଷକଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯିବ । ସେହିପରି ସ୍କୁଲର ଛାତୀଛାତ୍ରଙ୍କ ପାଇଁ ଏକ ଲମ୍ବା କଟକଣାର ଲିଷ୍ଟ ତାଲିବାନ ପ୍ରସ୍ତୁତ କରିଛି । ଗୋଟିଏ ପଟେ ସ୍କୁଲ , କଲେଜ ଖୋଲିବାକୁ ଅନୁମତି ଦେଇଥିବା ବେଳେ ଅନ୍ୟପଟେ ଏଭଳି କଡା ନିୟମ ଯୋଗୁ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକ ଭୟର ପରିବେଶ ଭିତରେ ଜୀବନ କାଟୁଛନ୍ତି ।