ରାଷ୍ଟ୍ରସେବା ଭାବ

ମନେକରାଯାଉ ବିଶ୍ୱର କୌଣସି ଏକ ସର୍ବମାନ୍ୟ ସଂସ୍ଥା (ଜାତିସଂଘ) ଦ୍ୱାରା ସମଗ୍ର ୟୁରୋପ, ଅଷ୍ଟ୍ରେଲିଆ ମହାଦେଶ ସମେତ ଅଧା ଆଫ୍ରିକାରେ ଏକକାଳୀନ ନିର୍ବାଚନ ଆୟୋଜନ କରିବାକୁ ଯୋଜନା କରାଯାଏ, ତେବେ ତାହା ସମ୍ଭବ ହେବ କି? ବୋଧହୁଏ ଏହାର ଉତ୍ତର ହେବ- ନା। କାରଣ ସେହି ଅଢ଼େଇଟି ମହାଦେଶ ଅର୍ଥାତ୍‌ ଶତାଧିକ ଦେଶର ପ୍ରାୟ ଶହେ କୋଟି ଭୋଟରଙ୍କୁ ନେଇ ଏକକାଳୀନ ନିର୍ବାଚନ କରିବା ବିଶ୍ୱ ସମୁଦାୟଙ୍କ ପାଇଁ ଗୋଟେ ନିହାତି ଅବାସ୍ତବ କଥା। କିନ୍ତୁ ଏଭଳି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଭାରତର ଏହି ସାମ୍ବିଧାନିକ ସଂସ୍ଥାଟି କାଁ ଭାଁ ପରିଲକ୍ଷିତ ହୋଇଥିବା କେତୋଟି ତ୍ରୁଟି/ଅବ୍ୟବସ୍ଥାକୁ ବାଦ୍‌ ଦେଲେ, ଅବାସ୍ତବ ମନେହେଉଥିବା କାର୍ଯ୍ୟଟିକୁ ଯେଭଳି ସୁଚାରୁ ରୂପେ, ଅତ୍ୟନ୍ତ ନିଷ୍ଠାର ସହିତ ସମ୍ପାଦନ କରୁଛନ୍ତି, ତାହା ଅବଶ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଓ ଅଭିନନ୍ଦନୀୟ। ଏଇମାତ୍ର ସମାପିତ ହୋଇଯାଇଛି ଅଷ୍ଟାଦଶ ଲୋକ ସଭା ନିର୍ବାଚନ ସମେତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ। ସଫଳତାର ସହିତ ପୂର୍ଣ୍ଣାହୁତି ଦିଆସରିଛି ଗଣତନ୍ତ୍ରର ମହାପର୍ବକୁ, ନିର୍ବାଚନ ପ୍ରକ୍ରିୟା ଘୋଷଣାଠାରୁ ସରକାର ଗଠନ ପ୍ରକ୍ରିୟା ପର୍ଯ୍ୟନ୍ତ। ବିଶାଳ ଏହି ଉପମହାଦେଶ (ଅର୍ଥାତ୍‌ ଅଢ଼େଇଟି ମହାଦେଶ)ର ଅତ୍ୟନ୍ତ ଅସାଧ୍ୟ, କଠିନ ମନେହେଉଥିବା ରୋଚକପୂର୍ଣ୍ଣ ମହାପର୍ବର ବାସ୍ତବତାକୁ ପରୀକ୍ଷଣ/ନିରୀକ୍ଷଣ/ଅନୁଧ୍ୟାନ କରିବାକୁ ତଥା ଉପଭୋଗ କରିବାକୁ ଏବଂ କିଛି ଅନୁଭୂତି ସାଉଁଟିବାକୁ ୨୩ଟି ଦେଶର ୭୫ଜଣ ପ୍ରତିନିଧି ଭାରତ ଆସିଥିଲେ। ବିପୁଳ ବ୍ୟବସ୍ଥାସମ୍ପନ୍ନ ଭାରତର ଏହି ବିଶାଳକାୟ ନିର୍ବାଚନ ପ୍ରକ୍ରିୟାକୁ ଅବଲୋକନ କରି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେବା ସହିତ ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ଏହାକୁ ପରିଚାଳନା କରୁଥିବା ସଂସ୍ଥା ସମେତ ଏଥିରେ ନିୟୋଜିତ କର୍ମଚାରୀ, ସେନା, ପୋଲିସ ବାହିନୀଙ୍କୁ ଯେଉଁ ଶବ୍ଦ ଓ ଭାବରେ ଉଚ୍ଚ ପ୍ରଶଂସା କଲେ, ତାହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ତାଙ୍କ ପାଇଁ ସବୁଠୁ ଚକିତଜନକ ବିଷୟ ହେଲା, ଭାରତରେ ଏପରି ବିଶାଳ ବ୍ୟସ୍ତବହୁଳ ବ୍ୟବସ୍ଥା ଚାଲୁଥିବା ବେଳେ ସମଗ୍ର ଦେଶର କୌଣସି ଗୋଟିଏ ହେଲେ ବି ସଂସ୍ଥା ସ୍ଥାଣୁ ପାଲଟିନଥିଲା ବରଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା/କାର୍ଯ୍ୟସବୁ ସୁରୁଖୁରୁରେ ଚାଲୁଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଆଜି କାର୍ଯ୍ୟରତ ଥିବା ୪ କୋଟି ୬୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ ପ୍ରାୟ ଦେଢ଼କୋଟିରୁ ଅଧିକ କର୍ମଚାରୀ। ଯେଉଁମାନଙ୍କ ସକ୍ରିୟ ସହଯୋଗ ବିନା ଏଠାରେ ନିର୍ବାଚନ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଏବଂ ଅକଳ୍ପନୀୟ।
ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତର ୨୦ ଲକ୍ଷ ପୋଲିସଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଅସୀମ ତ୍ୟାଗ। ପ୍ରାୟ ୧୦୦ କୋଟି ମତଦାତାଙ୍କ ପାଇଁ ତିଆରି ହୋଇଥିଲା ସାଢ଼େ ଦଶଲକ୍ଷ ଭୋଟଦାନ କେନ୍ଦ୍ର ଏବଂ ପ୍ରସ୍ତୁତ ହୋଇ ରହିଥିଲା ୫୫ ଲକ୍ଷ ଇଭିଏମ୍‌। ନିର୍ବାଚନକୁ ଯଥାସମ୍ଭବ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରି ରଖିବାକୁ ସାଧ୍ୟମତେ ପ୍ରୟାସ କରିଥିଲେ ନିର୍ବାଚନ କମିଶନ। ସେଥିପାଇଁ ଏହାକୁ ତଦାରଖ କରିବାକୁ ନିୟୋଜିତ ହୋଇଥିଲେ ୬୮ ହଜାର ମନିଟରିଂ ଟିମ୍‌। ଏସବୁକୁ ସହଜ, ସହଳ ଓ ସୁଗମ କରିବାକୁ ନିର୍ବାଚନରେ ବ୍ୟବହୃତ ହୋଇଥିଲା ୪ଲକ୍ଷ ମୋଟର ଯାନ। ଆହୁରି ସ୍ବତନ୍ତ୍ର ଭାବେ ବ୍ୟବହୃତ ହୋଇଥିଲା ୧୩୫ ରେଲଗାଡ଼ି ଓ ୧୬୯୨ ହେଲିକପ୍ଟର। ବୁଥ୍‌ମାନଙ୍କରେ ଭୋଟଗ୍ରହଣ ପାଇଁ ସଫଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଦେଢ଼କୋଟି ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ। ନିର୍ବାଚନ ପରିଚାଳନାରେ ଆମ୍ଭର ଏଠି ଯେତିକି ଲୋକ ନିୟୋଜିତ ହୁଅନ୍ତି, ଫିନ୍‌ଲାଣ୍ଡ ପରି ୟୁରୋପର ୩/୪ଟି ଦେଶର ସମୁଦାୟ ଲୋକସଂଖ୍ୟା ବି ସେତିକି ହେବେ ନାହିଁ। ଅଷ୍ଟାଦଶ ଲୋକ ସଭା ନିର୍ବାଚନ ଏଥର ଏଭଳି ସମୟରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ସାରା ଭାରତ ତତଲା ତାଓ୍ବାରେ ସିଝୁଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଏଥିରେ ନିୟୋଜିତ କର୍ମଚାରୀମାନେ ସମର୍ପିତ ମନୋଭାବ ନେଇ ଆଗେଇ ଆସିଥିଲେ ରାଷ୍ଟ୍ରୀୟ କାର୍ଯ୍ୟରେ। ରାଷ୍ଟ୍ରର ଏଭଳି ଏକ ଜରୁରୀ ଆବଶ୍ୟକତା ବେଳେ ଦେଶ ପ୍ରତି ପବିତ୍ର ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇଥିବା ପ୍ରତିଟି କର୍ମଚାରୀ ଜଣେ ଜଣେ ସୈନିକ ନୁହନ୍ତି କି? ମହିଳାମାନଙ୍କ ପାଇଁ ବିଶେଷ ସୁବିଧା ନ ଥାଇ, ଭୋଟ ଗ୍ରହଣ କେନ୍ଦ୍ରରେ ସ୍ନାନ, ଶୌଚ, ଖାଇବା, ରହିବା ଆଦି ସମସ୍ୟା ଥିବା ସତ୍ତ୍ୱେ ସେମାନେ ବିନା ଦ୍ବିଧାରେ ଆଗେଇ ଆସିଥିଲେ ରାଷ୍ଟ୍ରସେବାରେ। ମହିଳା କର୍ମଚାରୀ କିଏ ନିଜର କଅଁଳା ଶିଶୁକୁ ଛାଡ଼ ଦାୟିତ୍ୱ ନିର୍ବାହ କରୁଥିଲେ ତ ଆଉ କିଏ ରୋଗଶଯ୍ୟାରେ ଶାୟିତ ସ୍ବାମୀଙ୍କୁ ଛାଡ଼ି ରାଷ୍ଟ୍ରସେବାକୁ ପ୍ରାଧାନ୍ୟ ଦେଇଥିଲେ। ପୋଲିସ କର୍ମଚାରୀମାନେ ତ ମାସ ମାସ ଧରି ଛୁଟି ନ ନେଇ ଦିନରାତି ଏକ କରି ଖରାତାତିକୁ ତିଳେ ବି ଖାତିର ନ କରି ନିରବଚ୍ଛିନ୍ନ ଭାବେ ୪୮/୭୨ ଘଣ୍ଟା କର୍ତ୍ତବ୍ୟ କରୁଥିବାର ଦେଖାଯାଇଛି। ପରିବାର, ମାତାପିତା, ପିଲାଛୁଆଙ୍କୁ ପଛ କରି ନିଦ ଓ ଭୋକ ଭୁଲି ରାଜ୍ୟଠୁଁ ଜିଲା ପର୍ଯ୍ୟନ୍ତ, ବିଶେଷକରି ଜିଲା ନିର୍ବାଚନ ଅଧିକାରୀ (ଜିଲାପାଳ), ଜିଲା ସୁରକ୍ଷା ଅଧିକାରୀ (ଏସ୍‌ପି) ଏବଂ ତାଙ୍କ ଅଧସ୍ତନ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ, ଅକ୍ଳାନ୍ତ ପରିଶ୍ରମ ଅତୀବ ପ୍ରଶଂସନୀୟ। ନିୟୋଜିତ ମହିଳା କର୍ମଚାରୀମାନେ ଯେତେବେଳେ ହାତରେ ଇଭିଏମ୍‌ ବାକ୍ସ ଧରି ଭୋଟଗ୍ରହଣ କେନ୍ଦ୍ର ଅଭିମୁଖେ ସାହସ ଓ ସଂକଳ୍ପର ସହିତ ବୀରତ୍ୱଭଙ୍ଗୀରେ ଯାତ୍ରା କରୁଥା’ନ୍ତି, ସେତେବେଳେ ତାଙ୍କୁ ଦେଖିଲେ ମନେହୁଏ ସତେଯେମିତି ବୀରାଙ୍ଗନା ଦୁର୍ଗାବତୀ ଅବା ଲକ୍ଷ୍ମୀବାଈ, ଅବନ୍ତି ବାଈ ଅବା ରାଣୀ ଚେନ୍ନାମା, ଗାଇଦିନିଲୁ ପ୍ରମୁଖ।
ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକାକୁ ଅଣଦେଖା କରାଯାଇ ପାରିବ ନାହିଁ। ଘରଦ୍ୱାର ଭୁଲି ଗଣମାଧ୍ୟମ ପ୍ରତିନିଧି/କର୍ମଚାରୀମାନେ ଅହରହ ସଜାଗ ରହି ଅତ୍ୟନ୍ତ ନିଷ୍ଠାର ସହିତ ନିଜ ନିଜର ଗୁରୁଦାୟିତ୍ୱକୁ ନିର୍ବାହ କରିଥିଲେ। ଦେଶସେବାର ଭାବ ଓ ସୈନିକର ମନ ନେଇ କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିବା କର୍ମଚାରୀଙ୍କ ମଧ୍ୟରୁ ୩୩ ଜଣ ବି ଶହୀଦ ହୋଇଗଲେ। ବିଶ୍ୱମାରୀ କରୋନା କାଳରେ ଲୋକସେବା/ଦେଶସେବା କରି ବଳିଦାନ ଦେଇଥିବା ବ୍ୟକ୍ତିଙ୍କୁ ଶହୀଦର ସମ୍ମାନ ମିଳିଲା ପରି ଗଣତନ୍ତ୍ରର ଅତି ଗୁରୁତ୍ୱପୂର୍ଣ୍ଣ ଏହି ମହାପର୍ବରେ ଜୀବନ ହାରୁଥିବା କର୍ମଚାରୀମାନଙ୍କୁ ଶହୀଦର ସମ୍ମାନ ଦେଲେ ଖୁବ୍‌ ଭଲହୁଅନ୍ତା। ଯାହା ବି ହେଉ, ସଭିଙ୍କ ଭିତରେ ଭରି ରହିଥିବା ଏପରି ଦେଶସେବା ଭାବ ଅକ୍ଷୁଣ୍ଣ ରହୁ। ଭାରତର ଗୌରବ, ଗରିମା ଗଗନଶ୍ଚୁମ୍ବୀ ହେଉ। ଭାରତର ଗଣତନ୍ତ୍ର ଆହୁରି ଗରୀୟାନ୍‌ ହେଉ।

  • ଉପେନ୍ଦ୍ର ବିଶ୍ୱାଳ
    ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
    ମୋ: ୯୪୩୭୪୩୬୦୭୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?