ପ୍ରଶଂସାରେ ବିକାଶ ନାହିଁ

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସଫଳତା ପରେ ଏବେ ପାରାଲିମ୍ପିକ୍ସରେ ଗତ ୩ ଦିନରେ ଦୁଇଟି ସ୍ଵର୍ଣ୍ଣ ସହ ୧୦ ପଦକ ହାସଲ କରି ପାରା ଆଥ୍‌ଲେଟ୍‌ମାନେ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲ୍ସ ଷ୍ଟାଣ୍ଡିଂ ଏସ୍‌ଏଚ୍‌ଆଇ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ପାଇଥିବା ବେଳେ ଜାଭେଲିନ୍‌ ଥ୍ରୋରେ ସୁମିତ ଆଣ୍ଟିଲ ସ୍ଵର୍ଣ୍ଣ ପଦକ ଜିତିବା ସହ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ଜାଭେଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝରିଆ ଓ ଡିସ୍‌କସ୍‌ ଥ୍ରୋରେ ଯୋଗେଶ କାଥୁନିୟା ରୌପ୍ୟ ପଦକ ଜିତିଛନ୍ତି। ଅନୁରୂପ ଭାବେ ମହିଳା ସିଙ୍ଗଲ୍ସ କ୍ଲାସ ୪ ଟେବୁଲ ଟେନିସରେ ଭାବିନାବେନ୍‌ ପଟେଲ ରୌପ୍ୟ, ଟି ୪୬/୪୭ ପୁରୁଷ ହାଇଜମ୍ପ୍‌ରେ ନିଶାଦ କୁମାର ରୌପ୍ୟ, ଟି ୪୨ ହାଇଜମ୍ପ୍‌ରେ ମାରିଆପ୍ପାନ୍‌ ରୌପ୍ୟ ଜିତିଥିବା ବେଳେ ଶରଦ କୁମାର ବ୍ରୋଞ୍ଜ, ଜାଭେଲିନ୍‌ ଥ୍ରୋରେ ସୁନ୍ଦର ସିଂ ଗୁର୍ଜର ଓ ୧୦ ମିଟର ଏୟାର ପିସ୍ତଲରେ ସିଂହରାଜ ଆଦାନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଗତ ୫୩ ବର୍ଷ ମଧ୍ୟରେ ଭାରତୀୟ ପାରା ଆଥ୍‌ଲେଟମାନେ ସମୁଦାୟ ୧୨ଟି ପଦକ ଜିତିଥିବା ବେଳେ ଟୋକିଓ ପାରାଲିମ୍ପିକ୍ସରେ ଅଦ୍ୟାବଧି ୧୦ଟି ପଦକ ଜିତିବା ଉତ୍ସାହଜନକ। ଲୋକସଂଖ୍ୟା ଦୃଷ୍ଟିରୁ ଭାରତୀୟ ପାରା ଆଥଲେଟ୍‌ଙ୍କ ପଦକ ହାସଲ ବିଶ୍ୱସ୍ତରରେ ଆଶାନୁରୂପ ହୋଇପାରି ନାହିଁ। ପଡ଼ୋଶୀ ଚାଇନା ୬୨ଟି ସ୍ବର୍ଣ୍ଣ ସହ ୧୩୨ ପଦକ ହାସଲ କରି ଶୀର୍ଷ ସ୍ଥାନରେ ରହିଛି।
ସକ୍ଷମ କ୍ରୀଡ଼ାବିତ୍‌ଙ୍କ ପାଇଁ ଭାରତରେ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରାଯାଇପାରି ନାହିଁ। ଏଭଳିସ୍ଥଳେ ପାରା ଆଥ୍‌ଲେଟ୍‌ଙ୍କ ପାଇଁ ସେମାନଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତାକୁ ପୂରଣ କଲାଭଳି ଅନୁକୂଳ ଭିତ୍ତିଭୂମି ଓ ସେହି ଧରଣର ପ୍ରଶିକ୍ଷଣ କଥା କଳ୍ପନା କରିବା କଷ୍ଟକର। ଭାରତରେ ଜାତୀୟ ସ୍ତରରେ ତାହାର ଘୋର ଅଭାବ ରହିଛି। ଯଦି ରାଜ୍ୟଗୁଡ଼ିକୁ ଦେଖାଯାଏ, ସେଠାରେ ସାଙ୍ଗଠନିକ ଢାଞ୍ଚା ଅଦ୍ୟାବଧି ବ୍ୟବସ୍ଥିତ ହୋଇପାରି ନାହିଁ। ଭିନ୍ନକ୍ଷମଙ୍କ ଗମନାଗମନ, ଶିକ୍ଷାନୁଷ୍ଠାନଠାରୁ ଆରମ୍ଭକରି କାର୍ଯ୍ୟାଳୟ ଯାଏ ସେଭଳି ଉନ୍ନତ ସୁବିଧା ଯୋଗାଇ ଦିଆଯାଇପାରୁ ନାହିଁ। ଏପରି କି ଅନେକ ସ୍ଥାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭଲ ଶୌଚାଳୟଟିଏ ମଧ୍ୟ ନାହିଁ। ତେଣୁ କୁହାଯାଇପାରେ ଯେ, ଆଜି ଯେଉଁମାନେ ରାଜ୍ୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ନାମ ଅର୍ଜନ କରି ଜାତୀୟ ସ୍ତର ଯାଏ ପହଞ୍ଚତ୍ଛନ୍ତି, ତାହା ବ୍ୟକ୍ତିଗତ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି। ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପାରା ଆଥ୍‌ଲେଟମାନଙ୍କ ଚୟନ ଓ ପ୍ରଶିକ୍ଷଣ ଦାୟିତ୍ୱ ନେଇଥାଏ। ଦୁଃଖର ବିଷୟ ଯେ, କେତେକ ରାଜ୍ୟରେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ପାଇଁ ତୃଣମୂଳ ସ୍ତରରେ ଖୁବ୍‌ କମ୍‌ ସୁବିଧା ଯୋଗାଇ ଦିଆଯାଉଛି। ଜିଲାଠାରୁ ରାଜ୍ୟ ସ୍ତର ଯାଏ ସେମାନଙ୍କ ଚୟନ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଦକ୍ଷ ଦିବ୍ୟାଙ୍ଗ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବା ପାଇଁ ବାଟ ପାଇପାରୁନାହାନ୍ତି। ପରିବାରଠାରୁ ଆରମ୍ଭକରି ସାମାଜିକ ବ୍ୟବସ୍ଥାରେ ଜଣେ ଦିବ୍ୟାଙ୍ଗଙ୍କ ରୁଚି ଓ ପସନ୍ଦକୁ କୌଣସି ପ୍ରାଧାନ୍ୟ ଦିଆଯାଉ ନାହିଁ। ସରକାରୀ ସ୍ତରରେ ଗୋଟିଏ କୋଠରିରେ ଯଦି ର଼୍ୟାମ୍ପ ନିର୍ମାଣ କରି ଦିଆଯାଉଛି, ତେବେ ତାହାକୁ ଦିବ୍ୟାଙ୍ଗ ଅନୁକୂଳ ବୋଲି ଦର୍ଶାଯାଉଛି। ବାସ୍ତବରେ ସୁବିଧା ସେଇଠି ଶେଷ ହୁଏ ନାହିଁ। ତାହା କେବଳ ମାତ୍ର ଏକ କ୍ଷୁଦ୍ର ଆରମ୍ଭ। କିନ୍ତୁ ସବୁ ପ୍ରକାର ଅସୁବିଧା ସତ୍ତ୍ୱେ ଯେତେବେଳେ ନିଜ ସାମର୍ଥ୍ୟ ବଳରେ ଜଣେ ଦିବ୍ୟାଙ୍ଗ ଅନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷ ପ୍ରତିପାଦନ କରୁଛନ୍ତି, ସେତେବେଳେ ତାଙ୍କୁ ପିସିଆଇ ଓ ଆନୁଷଙ୍ଗିକ ରାଜ୍ୟସ୍ତରୀୟ ସଙ୍ଗଠନଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି।
୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୧୨୧ କୋଟି ଲୋକସଂଖ୍ୟାରେ ୨ କୋଟି ୬୮ ଲକ୍ଷ ଦିବ୍ୟାଙ୍ଗ ଅଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ନିଶ୍ଚୟ ବଢ଼ିଥିବ। ପାରା ଆଥ୍‌ଲେଟଙ୍କ ସଫଳତା ପରେ ସେମାନଙ୍କୁ ବିଭିନ୍ନ ରାଜ୍ୟ ସରକାର ପୁରସ୍କାର ଆକାରରେ ଅର୍ଥ ରାଶି ଘୋଷଣା କରୁଛନ୍ତି। ସମ୍ପ୍ରତି ପାରାଲିମ୍ପିକ୍ସ ସରିଗଲା ପରେ ‘କାଶିଆ କିଏ ନା କପିଳା କିଏ’ ନ୍ୟାୟରେ ସରକାର ଓ କ୍ରୀଡ଼ା ସଙ୍ଗଠନଗୁଡ଼ିକ ସବୁ କିଛି ଭୁଲି ଯାଉଥିବା ଉଦାହରଣ ପୂର୍ବରୁ ଦେଖିଆସିଛୁ। ଫଳରେ ସେମାନଙ୍କ କ୍ରୀଡ଼ା ଦକ୍ଷତାର ସାମଗ୍ରିକ ବିକାଶ ହୋଇପାରୁ ନାହିଁ। କ୍ରୀଡ଼ା ବାହାରକୁ ଯାଇ ଦେଖିଲେ ଅନେକ ଦିବ୍ୟାଙ୍ଗ ଉପଯୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇବାରେ ବାଛବିଚାରର ଶିକାର ହେଉଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଏହି ବର୍ଗ ଅନ୍ୟମାନଙ୍କ ଭଳି ସମାନ ପ୍ରକାର ସୁବିଧା ଓ ସୁଯୋଗ ପାଇବା ପାଇଁ ହକ୍‌ଦାର। ବିଶେଷକରି ଏମାନଙ୍କ ପ୍ରତି ସଭିଁଙ୍କ ମନୋଭାବରେ ପରିବର୍ତ୍ତନ ଆସିବା ସହ ଏମାନଙ୍କ ପାଇଁ ପ୍ରଣୀତ ନୀତିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାର ସମୟ ଉପନୀତ। କେବଳ ସାମୟିକ ପ୍ରଶଂସା କଲେ ଭିତ୍ତିଭୂମି, କର୍ମନିଯୁକ୍ତିଠାରୁ ଆରମ୍ଭକରି ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ଆପେ ଆପେ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri