Posted inଫୁରସତ

ଅନନ୍ୟ ଶୈବପୀଠ ଭୀମାଶଙ୍କର

ପ୍ରସିଦ୍ଧ ଶୈବପୀଠ ଭୀମାଶଙ୍କର ମହାରାଷ୍ଟ୍ରର ପୁଣେଠାରୁ ପ୍ରାୟ ୧୨୭ କି.ମି. ଦୂରରେ ଥିବା ସହ୍ୟାଦ୍ରି ନାମକ ପର୍ବତ ଉପରେ ଅବସ୍ଥିତ। ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ହେଉଛି ଗୋଟିଏ…

ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ଭୀମାଶଙ୍କର ମହାରାଷ୍ଟ୍ରର ପୁଣେଠାରୁ ପ୍ରାୟ ୧୨୭ କି.ମି. ଦୂରରେ ଥିବା ସହ୍ୟାଦ୍ରି ନାମକ ପର୍ବତ ଉପରେ ଅବସ୍ଥିତ। ଏହି ଶୈବପୀଠ ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ଉକ୍ତ ମନ୍ଦିର ନିକଟରୁ ଭୀମା ନାମକ ଏକ ନଦୀ ପ୍ରବାହିତ ହୋଇ କୃଷ୍ଣା ନଦୀରେ ମିଶିଛି।

ଆବିର୍ଭାବକୁ ନେଇ ଲୋକକଥା
ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବକୁ ନେଇ ଏକ ଲୋକକଥା ରହିଛି। ଲଙ୍କାପତି ରାବଣଙ୍କ ସାନଭାଇ କୁମ୍ଭକର୍ଣ୍ଣଙ୍କର ଜଣେ ପୁତ୍ର ହେଲେ ଭୀମାସୁର। ତାଙ୍କ ବାପା କୁମ୍ଭକର୍ଣ୍ଣଙ୍କର ମୃତ୍ୟୁ ଭଗବାନ ରାମଙ୍କ ହାତରେ ହୋଇଥିବା କଥା ଭୀମାସୁରଙ୍କୁ ପ୍ରଥମେ ଜଣା ନ ଥିଲା। ପରେ ସେ ଯେତେବେଳେ ତାଙ୍କ ମାତାଙ୍କଠାରୁ ସମସ୍ତ କଥା ଜାଣିଲେ, ତାଙ୍କ ଭିତରେ ପ୍ରତିଶୋଧର ହିଂସା ଜାଗ୍ରତ ହୋଇଥିଲା। ନିଜ ଉଦ୍ଦେଶ୍ୟକୁ ସାକାର କରିବାକୁ ଯାଇ ସେ ପ୍ରଥମେ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବ୍ରହ୍ମା ତାଙ୍କୁ ବିଜୟୀ ହେବାର ଆଶୀର୍ବାଦ ଦେଇଥିଲେ। ଏହାପରେ ଭୀମାସୁର ମନୁଷ୍ୟଙ୍କ ସମେତ ଦେବଦେବୀଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ। ଭୟଭୀତ ଦେବଦେବୀ ଉପାୟଶୂନ୍ୟ ହୋଇ ଶେଷରେ ଭଗବାନ ଶିବଙ୍କ ଶରଣ ପଶିଥିଲେ, ଯଦ୍ଦ୍ବାରା ଶିବ ଓ ଭୀମାସୁରଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଆଉ ଏହି ଯୁଦ୍ଧରେ ପ୍ରଭୁଙ୍କ ହାତରେ ଭୀମାସୁରଙ୍କର ବଧ ହେଲା। ଯେଉଁ ସ୍ଥାନରେ ଏହି ଘଟଣାଟି ଘଟିଥିଲା ତାହା ଥିଲା ମହାରାଷ୍ଟ୍ରସ୍ଥିତ ସହ୍ୟାଦ୍ରି ପାହାଡ଼। ପରବର୍ତ୍ତୀ ସମୟରେ ଦେବତାମାନଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ ରୂପରେ ଏହି ସ୍ଥାନରେ ଆବିର୍ଭୂତ ହୋଇ ପୂଜା ପାଇବାକୁ ଲାଗିଲେ।

ଲୋକବିଶ୍ୱାସ
ଯେଉଁ ଭକ୍ତ ଶ୍ରଦ୍ଧାର ସହକାରେ ସୂର୍ଯ୍ୟୋଦୟ ସମୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନାମକୁ ସ୍ମରଣ କରି ଭୀମାଶଙ୍କର ମନ୍ଦିର ପରିଦର୍ଶନ କରିଥାନ୍ତି, ତାଙ୍କର ସାତ ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।

ମନ୍ଦିରର ଗଠନଶୈଳୀ
ଭୀମାଶଙ୍କର ମନ୍ଦିର ନାଗରା ଶୈଳୀର ବାସ୍ତୁକଳାରେ ତିଆରି ଏକ ପ୍ରାଚୀନ ତଥା ନୂଆ ସଂରଞ୍ଚନାର ସମ୍ମିଶ୍ରଣ। ଏହି ମନ୍ଦିରର ସ୍ଥାପତ୍ୟ କଳାକୁ ଦେଖିଲେ ପ୍ରାଚୀନ କାଳର ବାସ୍ତୁଶିଳ୍ପୀମାନଙ୍କର କୁଶଳୀ କାରିଗରି ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଥାଏ। କୁହାଯାଏ, ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜ ଏହି ମନ୍ଦିରରେ ପୂଜା ପାଇଁ ଅନେକ ବ୍ୟବସ୍ଥା କରାଇଥିଲେ।

ଆଉ କ’ଣ ଦେଖିବେ
ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବନ୍ୟଜୀବ ଅଭୟାରଣ୍ୟ ରହିଥିବା ଦେଖିବାକୁ ମିଳିଥାଏ। ତା’ଛଡ଼ା ହନୁମାନ ହ୍ରଦ, ଗୁପ୍ତ ଭୀମାଶଙ୍କର, ଭୀମା ନଦୀର ଉତ୍ପତ୍ତିସ୍ଥଳ, ନାଗଫଣୀ, ବମ୍ବେ ପଏଣ୍ଟ, ସାକ୍ଷୀ ବିନାୟକ ଭଳି ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ବି ପର୍ଯ୍ୟଟକ ଏଠାରେ ଦେଖିବାକୁ ପାଇବେ। ସେହିପରି ଟ୍ରେକିଂ ପ୍ରିୟ ପର୍ଯ୍ୟଟକ ଏଠାରେ ଟ୍ରେକିଂର ମଜା ମଧ୍ୟ ଉଠାଇପାରିବେ।

କେବେ ଓ କେମିତି ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ଯାଇହେବ। ତେବେ ମହାଶିବରାତ୍ରୀ ସମୟରେ ଏଠାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ସେହି ସମୟରେ ଏଠାରେ ବେଶ୍‌ ଜନଗହଳି ଦେଖିବାକୁ ମିଳିଥାଏ। ତା’ଛଡ଼ା ଯେଉଁମାନେ ଏଠାରେ ଟ୍ରେକିଂ କରିବାକୁ ଇଚ୍ଛା ରଖିଥାନ୍ତି ସେମାନେ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟରେ ଏଠାକୁ ଆସି ଟ୍ରେକିଂର ଭରପୂର ମଜା ନେଇପାରିବେ। ସେହିପରି ଏଠାକୁ ଯିବାପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ଭଲ ସୁବିଧା ରହିଛି। ପର୍ଯ୍ୟଟକ ଚାହିଁଲେ ପ୍ରଥମେ ପୁଣେରେ ପହଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ଯୋଗେ ସୁବିଧାରେ ଯାଇ ଭୀମାଶଙ୍କର ମନ୍ଦିରରେ ପହଞ୍ଚତ୍ପାରିବେ। ତେବେ ମହାଶିବରାତ୍ରି ସମୟରେ ଏଠାରେ ବହୁ ଭକ୍ତଙ୍କ ସମାଗମ ହେଉଥିବାରୁ ସରକାରଙ୍କ ତରଫରୁ କେତୋଟି ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?