Categories: ବାଣିଜ୍ୟ

ଯାତ୍ରୀ ଚାହିଦା ଭିତ୍ତିରେ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଯାତ୍ରୀ ଚାହିଦାକୁ ନଜରରେ ରଖି ରେଲଓ୍ବେ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଯୋଜନା ରଖିଛି। ସେହିଭଳି ୨୦୨୪ ସୁଦ୍ଧା ବର୍ତ୍ତମାନର ଓ୍ବେଟିଂ ଲିଷ୍ଟ ତାଲିକାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ୍‌ ରେଲଓ୍ବେ ମାଲବାହୀ ଟ୍ରେନ ଚଳାଚଳକୁ ବଢ଼ାଇବା ନେଇ କାର୍ଯ୍ୟପନ୍ଥା ହାତକୁ ନେଉଛି। ରେଲଓ୍ବେରେ ମାଲବାହୀ ଟ୍ରେନ ଚଳାଚଳର ଅଂଶ ବର୍ତ୍ତମାନ ୨୭% ରହିଛି। ୨୦୩୦ ବେଳକୁ ଏହାକୁ ୪୫% ଯାଏ ବଢ଼ାଯିବାକୁ ଯୋଜନା ରଖାଯାଇଛି। ଏହିସବୁ ଯୋଜନା ନ୍ୟାଶନାଲ ରେଲ ପ୍ଲାନ୍‌ର ଅଂଶ ବିଶେଷ ବୋଲି ଜଣାପଡିଛି।
ଭାରତୀୟ ରେଲଓ୍ବେ ବର୍ତ୍ତମାନ ୨୦୨୪ ଭିଜନ ସହ ଅଗ୍ରସର ହେଉଛି। ଫ୍ରେଟ୍‌ ମୁଭମେଣ୍ଟ ବା ମାଲ ପରିବହନ ୨ ହଜାର ୨୪ ନିୟୁତ ଟନକୁ ବଢାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏହା ୨୦୧୯ରେ ୧୨୧୦ ନିୟୁତ ଟନ୍‌ ଥିଲା। ଗତ ବର୍ଷ ମୋଟ ଜାତୀୟ ମାଲ ପରିବହନ ୪,୭୦୦ ନିୟୁତ ଟନ ରହିଛି। ଏହା ମଧ୍ୟରୁ ୨୭% ଅଂଶ ରେଲଓ୍ବେର ରହିଛି। ୨୦୨୬ ଯାଏ ମୋଟ ଜାତୀୟ ମାଲ ପରିବହନ ୬,୪୦୦ ନିୟୁତ ଟନ୍‌ରେ ପହଞ୍ଚାଇବା ନେଇ ଭାରତୀୟ ରେଳ ଅନୁମାନ ଲଗାଇଛି। ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ ଶୁକ୍ରବାର କହିଛନ୍ତି, ଏହି ଯୋଜନା ସବୁକୁ କାର୍ଯ୍ୟକାରୀ କରାଇବା ଲାଗି ରେଲଓ୍ବେକୁ ୨.୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ଖର୍ଚ୍ଚ କରିବାକୁ ପଡିବ। ଜାତୀୟ ରେଳ ପ୍ଲାନ୍‌ର କାର୍ଯ୍ୟକାରିତା ନେଇ ଅଂଶୀଦାରଙ୍କ ପରାମର୍ଶ ନିଆଯିବ। ଚଳିତ ମାସରେ ଏହି ଯୋଜନାକୁ ଚୂଡାନ୍ତ ରୂପ ଦେବା ନେଇ ଆଶାବାଦୀ ବୋଲି ଯାଦବ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି, ରେଲଓ୍ବେର ଅପରେଟିଂ ଖର୍ଚ୍ଚକୁ କମ୍‌ କରିବା ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ରେଳ ମାଲ ଭଡ଼ାକୁ ମଧ୍ୟ ବ୍ୟବହାରିକ ରୂପ ଦିଆଯିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ୨୦୨୪ ପର୍ଯ୍ୟନ୍ତ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି। ସେହିଭଳି ଯୋଜନା ସବୁକୁ ଆଗକୁ ବଢାଇବା ଲାଗି ପୁଞ୍ଜି ଖର୍ଚ୍ଚ କରାଯାଇଛି। କରୋନା ଯୋଗୁ ଗତ କିଛି ମାସ ହେବ ରେଲଓ୍ବେ ଟ୍ରାଫିକ ବନ୍ଦ ରହିଛି। ଫଳରେ ଯାତ୍ରୀବାହୀ ଟ୍ରେନ ରାଜସ୍ବରେ ରେଲଓ୍ବେକୁ ଗଭୀର କ୍ଷତି ସହିବାକୁ ପଡିଛି। ଚଳିତ ବର୍ଷ ପାସେଞ୍ଜର ଟ୍ରେନ୍‌ରୁ ରାଜସ୍ବ ବାବଦ ପ୍ରାୟ ୧୫,୦୦୦ କୋଟି ଟଙ୍କା ଆସିବା ନେଇ ରେଲଓ୍ବେ ଆକଳନ କରିଛି। ଗତ ବର୍ଷ ଏହା ୫୩ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହି ରାଜସ୍ବ ୪,୬୦୦ କୋଟି ଟଙ୍କା ରହିଛି। ଏହାବାଦ ମାଲ ପରିବହନ ଏବଂ ଲୋଡିଂରେ ୧୦% ବୃଦ୍ଧି ପରିଲକ୍ଷିତ ହୋଇଥିବା ଜଣାପଡିଛି।

Share