ପାକିସ୍ତାନରୁ ଭାରତ ଆସିଥାଏ ଏସବୁ ଉତ୍ପାଦ, କିଛି ପ୍ରାୟ ପ୍ରତି ଘରେ ହୋଇଥାଏ ବ୍ୟବହୃତ; ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୦: ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ନାହିଁ। ଉଭୟ ଦେଶ ଆତଙ୍କବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ରବ୍ୟର ଆମଦାନୀ-ରପ୍ତାନୀ ଜାରି ରହିଛି। ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିବା ସାମଗ୍ରୀ ମଧ୍ୟରେ ରହିଛି ବହୁଳ ବ୍ୟବହୃତ ବିନାନୀ ସିମେଣ୍ଟ। ପ୍ରାୟ ସମସ୍ତ ଭାରତୀୟଙ୍କ ଘରେ ବ୍ୟବହାର ହେଉଥିବା ସୈନ୍ଧବ ଲବଣ ମଧ୍ୟ ପାକିସ୍ତାନରୁ ଆସିଥାଏ। ତ୍ୱଚାକୁ ଚମକାଇବା ଲାଗି ଉପଯୋଗ କରାଯାଉଥିବା ମୁଲତାନୀ ମାଟି ମଧ୍ୟ ପାକିସ୍ତାନରୁ ଅଧିକ ମାତ୍ରାରେ ଆମଦାନୀ ହୋଇଥାଏ।

ଲାହୋରର କୁର୍ତ୍ତା ଏବଂ ପେଶାବରୀ ଚପଲକୁ ଭାରତୀୟମାନେ ବେଶ ପସନ୍ଦ କରନ୍ତି। ଏମିତିରେ ଉଭୟକୁ ପାକିସ୍ତାନରୁ ଆମଦାନୀ କରାଯାଏ। କପା ତୁଳା, ଚମଡ଼ା ଜାତୀୟ ଉତ୍ପାଦ ବ୍ୟତିତ ପଡ଼ୋଶୀ ଦେଶରୁ କିଛି ଚିକିତ୍ସା ଉପକରଣ ଏବଂ ଚଷମାରେ ବ୍ୟବହାର କରାଯାଉଥିବା କିଛି ଅପ୍ଟିକ୍ସ ମଧ୍ୟ ଭାରତ କ୍ରୟ କରିଥାଏ।

ଲୋକ ସଭାରେ ଏକ ଲିଖିତ ଉତ୍ତରରେ ବାଣିଜ୍ୟ ଏବଂ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ବ୍ୟାପାର ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ବଢ଼ି ୧.୩୫ ବିଲିୟନ ଆମେରିକୀୟ ଡଲାର, ୨୦୨୧-୨୨ରେ ଏହା ୫୧୬.୩୫ ମିଲିୟନ ଆମେରିକୀୟ ଡଲାର ଥିଲା ବୋଲି କହିଥିଲେ।

ପ୍ରକାଶ ଯେ, ୧୯୯୬ରେ ଭାରତ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେଇଥିଲା। ୨୦୦୦ ଦଶକ ଆରମ୍ଭରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ବ୍ୟାପାର ମଧ୍ୟ ବୃଦ୍ଧି ପାଇଥିଲା। ମାତ୍ର ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଦିଆଯାଇଥିବା ଏମ୍‌ଏଫ୍‌ଏନ୍‌ ଯୋଗ୍ୟତାକୁ ରଦ୍ଦ କରିଦିଆଯାଇଥିଲା।

Share