Categories: ବାଣିଜ୍ୟ

ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭୦ ପ୍ରତିଶତ ରେକର୍ଡ କରାଯାଇଛି।

ମୁଦ୍ରାସ୍ଫୀତି ବୃଦ୍ଧି ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହନୀୟ ପରିସର(୨-୬ ପ୍ରତିଶତ) ମଧ୍ୟରେ ରହିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ମୁଦ୍ରାସ୍ଫୀତି ହାର ୦.୫୪ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି। କ୍ରମାଗତ ତୃତୀୟ ମାସ ଅଟେ ଯେତେବେଳେ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ କମ୍ ରହିଛି।

ତେବେ ସହନୀୟ ସୀମା ଭିତରେ ରହିଥିଲେ ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ଆଗକୁ କଷ୍ଟକର କରିପାରେ। ନିକଟରେ ଶେଷ ହୋଇଥିବା ଆରବିଆଇର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛି।

Share