ଭାରତରେ କ୍ଷୁଧାର ସ୍ଥିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ସଦ୍ୟ ପ୍ରକାଶିତ ଚଳିତବର୍ଷର ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଭାରତ ପୁଣିଥରେ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡ଼ିଛି। କ୍ଷୁଧା ଓ ଅନାହାର ପରିସ୍ଥିତି ଥିବା ବିଶ୍ୱର ୧୨୫ଟି ଦେଶକୁ ନେଇ ଆୟର୍ଲାଣ୍ଡ୍‌ର ସଂସ୍ଥା କନ୍‌ସର୍ଣ୍ଣ ୱାଲର୍‌ଡ ୱାଇଡ୍‌ ଓ ଜର୍ମାନ ସଂସ୍ଥା ୱେଲ୍ଟ ହଙ୍ଗର୍‌ ହିଲାଇଫ୍‌ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଚଳିତବର୍ଷ ଭାରତ ୧୧୧ତମ ସ୍ଥାନରେ ରହିଛି। ଗତବର୍ଷ ୧୨୧ଟି ଦେଶକୁ ନେଇ ହୋଇଥିବା ଏହି ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନରେ ଥିବା ବେଳେ ଚଳିତବର୍ଷ ତାହା ୪ଟି ସ୍ଥାନ ତଳକୁ ଖସିଛି। କ୍ଷୁଧା ସୂଚକାଙ୍କରେ ମୋଟ ୧୦୦ରୁ ୨୮.୭ ସ୍କୋର ରଖିଥିବା ଭାରତରେ କ୍ଷୁଧାର ସ୍ଥିତିକୁ ଏହି ରିପୋର୍ଟରେ ଗୁରୁତର ବୋଲି ଉଲ୍ଲେଖ କରାଯାଇଛି। ଏଥିରେ ‘୦’ ସ୍କୋରର ଅର୍ଥ ହେଲା କ୍ଷୁଧାର ପରିସ୍ଥିତି ନଥିବା। ତେବେ କ୍ଷୁଧା ଓ ପୁଷ୍ଟିହୀନତାକୁ ନିରାକରଣ କରିବାରେ ଆମେ ବିଶ୍ୱର ଅନ୍ୟ ଦେଶଙ୍କଠାରୁ ଅନେକ ପଛରେ ରହିଛେ- ଏହା ରିପୋର୍ଟରୁ ସ୍ପଷ୍ଟ ହେଉଛି। ଏ କ୍ଷେତ୍ରରେ ଆମେ ଆମର ପଡ଼ୋଶୀ ଦେଶଗୁଡ଼ିକଠାରୁ ବି ଖରାପ ସ୍ଥିତିରେ ରହିଥିବା ରିପୋର୍ଟ କହୁଛି। ପଡ଼ୋଶୀ ଦେଶ ନେପାଳ (୬୯), ପାକିସ୍ତାନ (୧୦୨), ବାଂଲାଦେଶ (୮୧) ଓ ଶ୍ରୀଲଙ୍କା (୬୦) ଆଦି ଆମଠାରୁ ଆଗରେ ରହିଛନ୍ତି। କେବଳ ଆଫଗାନିସ୍ତାନ ଓ ହାଇତି ସମେତ ୧୨ଟି ଉପ ସାହାରା ଦେଶ ହିଁ ଆମଠାରୁ ଏ କ୍ଷେତ୍ରରେ ତଳେ ରହିଛନ୍ତି। ଦେଶକୁ ବିଶ୍ୱଗୁରୁ ଓ ମହାଶକ୍ତିରେ ପରିଣତ କରିବାର ଆସ୍ଫାଳନ କରୁଥିବା ଶାସକମାନଙ୍କ ଶାସନରେ କ୍ଷୁଧା ଓ ଅନାହାରର ମୁକାବିଲାରେ ବିଶ୍ୱର ଅଧିକାଂଶ ଦେଶଠାରୁ ଆମ ଦେଶ ଲଗାତାର ଭାବେ ଖରାପ ସ୍ଥିତିରେ ରହିବା ଲଜ୍ଜାଜନକ ମନେହୁଏ।
ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଦେଶରେ ରହିଥିବା କ୍ଷୁଧାର ପରିସ୍ଥିତିକୁ ମାପିବାର ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି ବିଶ୍ୱ କ୍ଷୁଧା ସୂଚକାଙ୍କ। ତେବେ କ୍ଷୁଧା ସୂଚକାଙ୍କ ଯେଉଁସବୁ ମାପକାଠିର ଆଧାରରେ ପ୍ରସ୍ତୁତ ହେଉଛି ତା’ମଧ୍ୟରେ ରହିଛି ୧) ପୁଷ୍ଟିହୀନତା, ୨) ଚାଇଲ୍ଡ୍‌ ୱେଷ୍ଟିଂ (ଶିଶୁର ଉଚ୍ଚତା ତୁଳନାରେ ଓଜନ ନ ବଢ଼ିବା), ୩) ଚାଇଲ୍ଡ ଷ୍ଟଂଟିଙ୍ଗ୍‌ (ଶିଶୁର ବୟସ ତୁଳନାରେ ଉଚ୍ଚତା ଅତ୍ୟଧିକ କମ୍‌ ହେବା) ଏବଂ ୪) ଶିଶୁ ମୃତ୍ୟୁହାର। ଉପରୋକ୍ତ ଚାରୋଟିଯାକ ପରିମାପକରେ ନୈରାଶ୍ୟଜନକ ସ୍ଥିତିଟି ବ୍ୟକ୍ତିଟିର ଶରୀର ପାଇଁ ଆବଶ୍ୟକୀୟ ଖାଦ୍ୟର ପରିମାଣ (କ୍ୟାଲୋରୀ) ଏବଂ ଖାଦ୍ୟର ବିଭିନ୍ନ ଉପାଦାନ ବା ସୂକ୍ଷ୍ମ ପୋଷକ (ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌)ର ଅଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଚଳିତବର୍ଷର ରିପୋର୍ଟରେ ସବୁଠାରୁ ଲଜ୍ଜାଜନକ ବିଷୟଟି ହେଲା, ଉପରୋକ୍ତ ସମସ୍ତ ମାପକାଠିରେ ଆମେ ବହୁତ ପଛରେ ରହିଛୁ।
ବିଶ୍ୱରେ ପୁଷ୍ଟିହୀନତା, ଶିଶୁଙ୍କ ଅନଗ୍ରସରତା ଏବଂ ମୃତ୍ୟୁହାରରେ ଭାରତର ସ୍ଥିତି ବହୁ ତଳେ ଅଛି। ଶରୀରରେ ପୁଷ୍ଟିହୀନତାର ଅର୍ଥ ହେଉଛି ଅର୍ଥାତ୍‌ ବଂଚିବା ପାଇଁ ଶରୀରରେ ଆବଶ୍ୟକୀୟ କ୍ୟାଲୋରୀର ଅଭାବ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ୧୬.୬% ଲୋକ ପୁଷ୍ଟିହୀନତାର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଚାଇଲ୍ଡ୍‌ ୱେଷ୍ଟିଂର ଅର୍ଥ ହେଲା ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ବୃଦ୍ଧି ନ ଘଟିବା। ଏହା ଏକ ଭୟଙ୍କର ପୁଷ୍ଟିହୀନତାକୁ ସୂଚାଉଛି ଏବଂ ଏ କ୍ଷେତ୍ରରେ ଭାରତର ହାର ଚଳିତବର୍ଷ ୧୮.୭%ରେ ପହଞ୍ଚତ୍ ଉଦ୍‌ବେଗଜନକ ସ୍ଥିତିରେ ରହିଛି, ଯାହାକି ଯୁଦ୍ଧଗ୍ରସ୍ତ ୟେମେନ୍‌ (୧୪.୪%) ଓ ସୁଦାନ (୧୩.୭%) ଠାରୁ ଅଧିକ। ଏହା ଶିଶୁଙ୍କ ମଧ୍ୟରେ ଅତିଶୟ ପୁଷ୍ଟିହୀନତାକୁ ଦର୍ଶାଉଛି। ଅନ୍ୟତମ ମାପକାଠି ରୂପେ ପରିଚିତ ଚାଇଲ୍ଡ ଷ୍ଟଂଟିଙ୍ଗ୍‌ର ଅର୍ଥ ହେଲା ପୁଷ୍ଟିହୀନତା କାରଣରୁ ବୟସ ତୁଳନାରେ ଶିଶୁର ଉଚ୍ଚତାରେ ଆବଶ୍ୟକୀୟ ବୃଦ୍ଧି ନ ହେବା। ଏ କ୍ଷେତ୍ରରେ ବି ଭାରତର ସ୍ଥିତି ଖରାପ ରହିଛି। କ୍ଷୁଧା ସୂଚକାଙ୍କର ସର୍ବଶେଷ ମାପକାଠି ହେଉଛି ଦେଶରେ ଶିଶୁ ମୃତ୍ୟୁହାର। ଯଦିଓ ଆମ ଦେଶରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ୩.୪% ରହିଛି, କିନ୍ତୁ ତାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ତୁଳନାରେ ବହୁତ ଅଧିକ। ସମୟ ପୂର୍ବରୁ ଜନ୍ମ ଏବଂ କମ୍‌ ଓଜନର ଶିଶୁ ଜନ୍ମ ହେବା ଶିଶୁ ମୃତ୍ୟୁର ସବୁଠାରୁ ବଡ଼ କାରଣ ହୋଇଛି, ଯାହାକି ଦେଶରେ ଗୁରୁତର ପୁଷ୍ଟିହୀନତା ସ୍ଥିତିକୁ ପ୍ରମାଣିତ କରୁଛି।
ରିପୋର୍ଟରୁ ଜଣାପଡ଼ିଛି , ଭାରତରେ ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ଏବେ ୩.୧% ରହିଛି। ପୁନଶ୍ଚ ଉଚ୍ଚତା ତୁଳନାରେ ଓଜନରେ କମ୍‌ ଥିବା ଶିଶୁଙ୍କ ହାର ବିଶ୍ୱରେ ସର୍ବାଧିକ ଅର୍ଥାତ୍‌ ୧୮.୭%। ଏହାବାଦ୍‌ ୧୫ରୁ ୨୪ ବର୍ଷ ମଧ୍ୟରେ ମହିଳାଙ୍କ ରକ୍ତହୀନତା ହାର ୫୮.୧% ରହିଛି। ୨୦୦୦ରେ କ୍ଷୁଧାର ଏହି ସ୍କୋର ବା ତୀବ୍ରତା ୩୮.୮% ଥିବା ବେଳେ ୨୦୧୨ ବେଳକୁ ସେଥିରେ ଯଥେଷ୍ଟ ଉନ୍ନତି ହୋଇ ୨୮.୮%କୁ ହ୍ରାସ ପାଇଥିଲା। ଚଳିତବର୍ଷ ତାହା ୨୮.୭% ରହିଛି। ଏହାର ଅର୍ଥ ହେଲା ଗତ ଏକ ଦଶନ୍ଧି ମଧ୍ୟରେ ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ନ ହୋଇ ସ୍ଥିର ରହିଛି।
ଏଠାରେ ପ୍ରଶ୍ନ ଉଠେ, ବାର୍ଷିକ ପାଞ୍ଚ ଟ୍ରିଲିଅନ୍‌ ଅର୍ଥନୀତି ହେବାର ସ୍ବପ୍ନ ଦେଖୁଥିବା ଭାରତର ଶାସକମାନେ, ଦେଶରେ ଏତେ ସଂଖ୍ୟାରେ ଲୋକ ଭୋକିଲା ଓ ପୁଷ୍ଟିହୀନତାର ଶିକାର କାହିଁକି, ତା’ର ଉତ୍ତର ଦେବାକୁ ନାରାଜ। ତେବେ ବିଶ୍ୱରେ ଅନାହାରର କାରଣ ଯେ ଖାଦ୍ୟର ଅଭାବ ବା ଅନୁପଲବ୍ଧତା ନୁହେଁ, ଏକଥା କେହି ନହେଲେ ବି କମ୍‌ସେ କମ୍‌ ସରକାର ଭଲରୂପେ ଜାଣନ୍ତି। ବରଂ ସମାଜରେ ଶ୍ରେଣୀ ବିଭାଜନ ଜନିତ ଆର୍ଥିକ ଅସମାନତା ଏବଂ ତାକୁ ଦୂର କରିବାରେ ସରକାରୀ ନୀତି ଅଭାବ କାରଣରୁ ସମାଜର ଏକ ବଡ଼ଭାଗ ଜନତା ଅନାହାର ଏବଂ ପୁଷ୍ଟହୀନତା ମଧ୍ୟରେ ବଞ୍ଚତ୍ବାକୁ ବାଧ୍ୟ ହେଉଛନ୍ତି। ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ଲଗାତର ବଢ଼ୁଥିଲେ ବି ସମୁଚିତ ବଣ୍ଟନ ଅଭାବରୁ ଖାଦ୍ୟାଭାବ ଲାଗି ରହି ମୁଣ୍ଡପିଛା ତା’ର ଉପଲବ୍ଧତା କମିବାରେ ଲାଗିଛି।
ବଜାରରେ ଖାଦ୍ୟ ପଦାର୍ଥର ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ତଥା ଖାଦ୍ୟ ସୁରକ୍ଷା ଓ ପୁଷ୍ଟିଜନିତ କାର୍ଯ୍ୟକ୍ରମ ବାବଦରେ ବଜେଟରେ ଲଗାତର ଅନୁଦାନ ହ୍ରାସ ଯୋଗୁଁ ଦେଶରେ କ୍ଷୁଧା ଓ ପୁଷ୍ଟିହୀନତା ବୃଦ୍ଧି ପାଉଛି। ବିଶ୍ୱର ଖାଦ୍ୟ ବଜାରରେ ଖାଦ୍ୟଶସ୍ୟ କାରବାର କରୁଥିବା ବଡ଼ ବଡ଼ କମ୍ପାନୀଙ୍କ ଏକଚାଟିଆ କାରବାର ବଢ଼ିଚାଲିଥିବା ବେଳେ ଆମ ଦେଶରେ ତାହା ଦେଖିବାକୁ ମିଳିଛି। ଆଦାନୀର ଉଇଲମାର କମ୍ପାନୀ ସମ୍ପ୍ରତି ଭାରତର ଖାଇବା ତେଲର ବଜାରର ସିଂହଭାଗକୁ ଅକ୍ତିଆର କରିଛି। ଖାଇବା ତେଲର ଦାମ୍‌ ଆଜି ଶହେରୁ କମ୍‌ ହେଉନଥିବା ବେଳେ ଡାଲି ଦର ଲୋକଙ୍କ ପହଞ୍ଚରୁ ବାହାରେ ରହିଛି। ତେବେ କେବଳ ତେଲ କି ଡାଲି ନୁହେଁ ଦେଶର ଖାଦ୍ୟଶସ୍ୟର ବଜାରରେ ବଡ଼ ବଡ଼ ଦେଶୀ ବିଦେଶୀ କମ୍ପାନୀ ନିଜର ଏକାଧିକାର ପ୍ରତିଷ୍ଠା କରି ମୁନାଫାକୁ ଲୁଟିବାକୁ ଚାହୁଁଛନ୍ତି।
ତେବେ କେନ୍ଦ୍ର ସରକାର ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଦେଶରେ ଭୋକିଲାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ। ଖୋଦ୍‌ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ୍‌ କାଉନ୍‌ସିଲ ଫର୍‌ ମେଡିକାଲ୍‌ ରିସର୍ଚ୍ଚ’ (ଆଇସିଏମ୍‌ଆର୍‌) ସଂସ୍ଥା, ଜଣେ ବୟସ୍କ ବ୍ୟକ୍ତି ପାଇଁ ମାସିକ ସର୍ବନିମ୍ନ ୧୫ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ନିଜର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ପ୍ରତି ବ୍ୟକ୍ତି ମାସିକ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ହିଁ ଦେଉଛନ୍ତି। ଏପରିକି କୋଭିଡ୍‌ ସମୟରେ ଦେଶର ଗରିବ ଲୋକଙ୍କୁ ଏହି ପାଞ୍ଚ କିଲୋ ବ୍ୟତୀତ ମାସିକ ଯେଉଁ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଦେଉଥିଲେ ତାକୁ ଇତିମଧ୍ୟରେ ବନ୍ଦ କରିଦେବା ଫଳରେ କେବଳ ୫ କିଲୋ ହିଁ ମିଳୁଛି। ଶରୀରର ପୁଷ୍ଟିହୀନତା ଦୂର ପାଇଁ ଡାଲି, ଖାଇବା ତେଲ ଓ ସବୁଜ ପନିପରିବାର ଆବଶ୍ୟକତା ରହିଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଚାଉଳ ବା ଗହମରେ ସୀମିତ ରହିଛି।
ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ କ୍ରମାଗତ ହ୍ରାସ। କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ଓ ବେକାରି ଯୋଗୁ ବଜାରରୁ ଖାଦ୍ୟ କିଣିବାକୁ ଅଧିକରୁ ଅଧିକ ଲୋକ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତିରେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ର ସଦ୍ୟତମ ରିପୋର୍ଟ ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମ୍‌ନାକୁ ଆଣିଛି। କିନ୍ତୁ ପରିତାପର ବିଷୟ, କେନ୍ଦ୍ର ସରକାର ଏହି ରିପୋର୍ଟକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷା ନୀତି ଓ କାର୍ଯ୍ୟକ୍ରମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚେଷ୍ଟା କରିବା ବଦଳରେ ନିଜର ଦୋଷକୁ ଲୁଚାଇବାକୁ ତାକୁ ଅସ୍ବୀକାର କରିଛନ୍ତି। ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ତେବେ ଯେଉଁ ଦେଶର ୮୦ କୋଟି ଲୋକ ମାସିକ ପାଞ୍ଚ କିଲୋ ସରକାରୀ ରାଶନ ଉପରେ ନିର୍ଭରଶୀଳ, ସେଠାରେ କ୍ଷୁଧାର ସ୍ଥିତିକୁ ପ୍ରମାଣିତ କରିବାକୁ କୌଣସି ଗବେଷଣାର ଆବଶ୍ୟକତା ନାହିଁ।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri