Categories: ବାଣିଜ୍ୟ

ରାଜ୍ୟଗୁଡ଼ିକ ପାଇଁ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ସଙ୍କଟାପନ୍ନ ହୋଇଛି। କୋଭିଡ୍‌-୧୯ ଯୋଗୁ ରାଜ୍ୟଗୁଡିକର ବିତ୍ତୀୟ ସ୍ଥିତି ମଧ୍ୟ ଦୋହଲିଯାଇଛି। ଟିକସ ସଂଗ୍ରହ ଉନ୍ନତ ନ ଥିବା ବେଳେ ରାଜ୍ୟଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏଥିଲାଗି ବଜାରରୁ ଅଧିକ ପରିମାଣରେ ଋଣ ଉଠାଇବାକୁ ପଡୁଛି। ଫଳରେ ରାଜ୍ୟଗୁଡିକ ଉପରେ ଋଣ ଚାପ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ରାଜ୍ୟଗୁଡିକ ଆଗାମୀ କିଛି ବର୍ଷ ଅଧିକ ଚ୍ୟାଲେଞ୍ଜିଂ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଷ୍ଟେଟ୍‌ ଫାଇନାନ୍ସ ସଂକ୍ରାନ୍ତ ରିପୋର୍ଟରେ ପ୍ରକାଶ ପାଇଛି। ବଜାରରେ ଚାହିଦା ନ ଥିବା ବେଳେ ରାଜ୍ୟ ସ୍ତରରେ ଖର୍ଚ୍ଚ ବଢୁଛି। ଫଳରେ ଏହା ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ବର୍ତ୍ତମାନ ଖର୍ଚ୍ଚ ହେଉଥିବା ପୁଞ୍ଜି ଠିକ୍‌ ବାଟରେ ଖର୍ଚ୍ଚ ହେବା ଏବଂ ବଜେଟର ବିଶ୍ୱସନୀୟତା ୨ଟି ପ୍ରମୁଖ ପ୍ରସଙ୍ଗ ବୋଲି ଏଥିରେ କୁହାଯାଇଛି। ମହାମାରୀ ପୂର୍ବରୁ ଆସିଥିବା ବଜେଟରେ କୁହାଯାଇଥିଲା ଯେ, ରାଜ୍ୟଗୁଡିକର ହାରାହାରି ମୋଟ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୨.୪% ରହିବ। ମାତ୍ର ଲକ୍‌ଡାଉନ ପରେ ହୋଇଥିବା ଆକଳନ ମୁତାବକ ନିଅଣ୍ଟ ରାଜ୍ୟ ଜିଡିପିର ହାରାହାରି ପ୍ରାୟ ୪.୬% ରହିପାରେ। ପ୍ରକୃତ ସ୍ଥିିତିରେ ଏହା ୨.୮% ମଧ୍ୟ ରହିପାରେ ବୋଲି ଅନ୍ୟ ଏକ ଆକଳନରେ କୁହାଯାଇଛି। ସେହିଭଳି ଫାଇନାନ୍ସ ଦୃଷ୍ଟିକୋଣରୁ ରାଜ୍ୟଗୁଡିକର ମୋଟ ବିତ୍ତୀୟ ନିଅଣ୍ଟ ଏବଂ ଜିଡିପି ଅନୁପାତ ପ୍ରାୟ ୪% ରହିବା ନେଇ ଆକଳନ ହୋଇଥିବା ବେଳେ ଏହା ବଜେଟରେ ଧାର୍ଯ୍ୟ ଲକ୍ଷ୍ୟ ୨.୮% ରହିଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
୨୦୨୦-୨୧ରେ ଅର୍ଦ୍ଧାଧିକ ରାଜ୍ୟ ରାଜସ୍ବ ଉନ୍ନତ ହେବା ନେଇ ବଜେଟରେ ଲକ୍ଷ୍ୟ ରଖିଥିଲେ। ମାତ୍ର କୋଭିଡ୍‌-୧୯ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ଏବଂ ଟିକସ ସଂଗ୍ରହ ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନର ସୀମା ଏବଂ କରୋନା ମହାମାରୀ ସଂକ୍ରମଣର ହାର ପ୍ରଭାବ ମଧ୍ୟ ରାଜ୍ୟଗୁଡିକର ରାଜସ୍ବ ଉପରେ ରହିବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ବିଭିନ୍ନ ଖର୍ଚ୍ଚ କମାଇବା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଉଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଜିଏସ୍‌ଟି ସଂଗ୍ରହ ୪୭.୨% କମିଛି। ରାଜ୍ୟଗୁଡିକର ମୋଟ ଟିକସ ସଂଗ୍ରହରେ କେନ୍ଦ୍ରୀୟ ଯୋଗଦାନ ୨୫ରୁ ୨୯% ଏବଂ ନିଜସ୍ବ ଟିକସ ୪୫ରୁ ୫୦% ରହିଥାଏ। ଟିକସ ସଂଗ୍ରହ ଉନ୍ନତ ହେଉ ନ ଥିବାରୁ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବଢ଼ାଇଛନ୍ତି। ସେହିଭଳି ୨୫ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଦ ଉପରେ ଟିକସ ବୃଦ୍ଧି କରିଥିବା ନଜରକୁ ଆସିଛି। ଏହା ସହ ସ୍ଥିତି ସମ୍ଭାଳିବା ଲାଗି ବିଭିନ୍ନ ପଦକ୍ଷେପ ରାଜ୍ୟ ନେଉଥିବା ଜଣାପଡିଛି।

Share