ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’ ବା ଚର୍ବିଳ ଯକୃତ୍‌ ଅସୁସ୍ଥତାଟି ଅନ୍ୟତମ। ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ ଏହି ବ୍ୟାଧିଟିର ଲକ୍ଷଣମାନ ସହଜରେ ଜଣାପଡେନି। ବେଳହୁଁ ସତର୍କ ନ ରହିଲେ ଫ୍ୟାଟି ଲିଭର ଯୋଗୁ ଶରୀରରେ ବସା ବାନ୍ଧେ ଲିଭର ସିରୋସିସ। ଲିଭର ସିରୋସିସର ଆରୋଗ୍ୟ ନାହିଁ।
ଫ୍ୟାଟି ଲିଭର ମୁଖ୍ୟତଃ ଦୁଇ ପ୍ରକାର-ଆଲକହଲିକ୍‌ ଏବଂ ନନ୍‌-ଆଲକହଲିକ୍‌। ଅନିୟନ୍ତ୍ରିତ ମଦ୍ୟପାନ ଯୋଗୁ ଲିଭରରେ ଫ୍ୟାଟ୍‌ ଜମିଲେ ତାହା ଜାତ କରେ ଆଲକହଲିକ ଫ୍ୟାଟି ଲିଭର। ତେବେ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସରେ ବେନିୟମ ଫଳରେ ପ୍ରକାଶ ପାଏ ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର। ଏହି ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର ବେଶି ଉଦବେଗର ବିଷୟ। ବେଳେବେଳେ ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର ହୋଇପଡେ ବଂଶଗତ। ପୃଥିବୀ ଜନସଂଖ୍ୟାର ଏକ ଚତୁର୍ଥାଂଶ ନନ୍‌-ଆଲକହଲିକ ଫ୍ୟାଟି ଲିଭରର ଶିକାର।
ଅସୁସ୍ଥତା ଧରାପଡ଼ିଲେ ବିଶେଷଜ୍ଞ ଔଷଧ ଲେଖିଦିଅନ୍ତି ଏବଂ ସତର୍କ କରିଦିଅନ୍ତି ଯେ ଏଥିପାଇଁ ଖାଦ୍ୟାଭାସରେ ପରିବର୍ତ୍ତନ ଲୋଡ଼ା। ହେଲେ ରୋଗୀ ଖାଦ୍ୟ ପ୍ରତି କି କି ସତର୍କତା ଅବଲମ୍ବନ କରିବ? କ’ଣ ଖାଇବ? କି କି ଖାଦ୍ୟ ବାଦ୍‌ ଦେବ? ଅସୁସ୍ଥତା ନିବାରଣ ପାଇଁ ନିୟମିତ ବ୍ୟାୟାମ ତଥା ଶାରୀରିକ ପରିଶ୍ରମ ଯେପରି ପ୍ରୟୋଜନ, ଖାଦ୍ୟରେ ପରିବର୍ତ୍ତନ ମଧ୍ୟ ଭୀଷଣ ଜରୁରୀ। ତେବେ ଏହାର ଅର୍ଥ ଏଇଆ ନୁହେଁ ଯେ ଯେଉଁମାନେ ମୋଟା, ସେମାନେ ପତଳା ହୋଇଗଲେ ହିଁ ଫ୍ୟାଟି ଲିଭର ଠିକ୍‌ ହୋଇଯିବ। ଓଜନ କମେଇବାର ଖାଦ୍ୟ ଏବଂ ଫ୍ୟାଟି ଲିଭରକୁ ଆରୋଗ୍ୟ କରିବାର ଖାଦ୍ୟ ସମ୍ପୂର୍ଣ୍ଣ ଅଲଗା। ଏହାର କାରଣ ହେଲା, ଦ୍ୱିତୀୟଟି କ୍ଷେତ୍ରରେ ଯକୃତ୍‌ରେ ଚର୍ବି କମେଇବା ସଙ୍ଗେ ସଙ୍ଗେ ଯକୃତର ଉତସେଚକ ବା ଏନଜାଇମଗୁଡିକର କ୍ଷରଣକୁ ସ୍ବାଭାବିକ କରାଯାଇଥାଏ। ସୁତରାଂ, ଫ୍ୟାଟି ଲିଭରରେ ଆକ୍ରାନ୍ତ ହେଲେ ଖାଦ୍ୟାଭ୍ୟାସର ବ୍ୟାପାରରେ ଯଥାର୍ଥ ସାବଧାନତା ଜରୁରୀ।
ଫ୍ୟାଟି ଲିଭର କ’ଣ : ଯକୃତ୍‌ ବା ଲିଭର ହେଉଛି ଶରୀରର ଦ୍ୱିତୀୟ ବୃହତ ଅଙ୍ଗ। ସୁସ୍ଥ ଲିଭରରେ କିଛି ଫ୍ୟାଟ୍‌ ବା ଚର୍ବି ଥାଏ। କିନ୍ତୁ ସେହି ଫ୍ୟାଟ୍‌ର ମାତ୍ରା ଅତିରିକ୍ତ ହୋଇଗଲେ ତାହାକୁ ଡାକ୍ତରୀ ଭାଷାରେ ଫ୍ୟାଟି ଲିଭର ବା ଚର୍ବିଳ ଯକୃତ ବୋଲି କହନ୍ତି। ଲିଭରରେ ଫ୍ୟାଟ୍‌ ଜମିବାର ମାତ୍ରା ଲିଭରର ମୋଟ ଓଜନର ୫ରୁ ୧୦ ଶତାଂଶ ହୋଇଗଲେ ହିଁ ଜାତ ହୁଏ ଜଟିଳତା। ଏପରି ପରିସ୍ଥିତି ଉପୁଜିଲେ ଲିଭରର ଆକାର ବଢ଼ିଯାଏ। ନଷ୍ଟ ହୋଇଯାଇପାରେ ଲିଭର କୋଷଗୁଡିକ। ଲିଭର ନିଜର ଏହି କ୍ଷତି ପୂରଣ କରିବା ପାଇଁ ଚେଷ୍ଟା କରିବା ଫଳରେ ତିଆରି ହୋଇପଡେ ସ୍କାର୍‌ ଟିସୁ। ଏହି ସ୍କାର ଟିସୁ ଜାତ ହେବା ସମସ୍ୟାକୁ କୁହାଯାଏ ଫାଇବ୍ରୋସିସ ବା ତନ୍ତୁମୟତା। ଏହାର ପରିମାଣରେ ସୃଷ୍ଟି ହୁଏ ଲିଭର ସିରୋସିସ ହେବାର ଆଶଙ୍କା ଏବଂ ଶେଷରେ ଲିଭର ଫେଲ୍ୟୁଓର ହୋଇ ଲିଭର କାର୍ଯ୍ୟ କରିବା ନିମିତ୍ତ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇପାରେ। ଜାଣିରଖନ୍ତୁ ଯେ ଯକୃତକୁ କୁହାଯାଏ ଶରୀରର ରୋଷେଇଘର। ଖାଦ୍ୟ ହଜମ, ଶକ୍ତି ସଂରକ୍ଷଣ ଓ ବିଷାକ୍ତ ଉତ୍ପାଦନର ନିଷ୍କାସନ ହେଉଛି ଲିଭରର କାର୍ଯ୍ୟ।
କେଉଁମାନଙ୍କଠାରେ ଫ୍ୟାଟି ଲିଭର ହେବାର ଆଶଙ୍କା ବେଶି
-ଅଧିକ ପରିମାଣର ଚର୍ବି ଓ ତେଲଜାତୀୟ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତି।
-ଟାଇପ-୨ ଡାଇବେଟିସ ରୋଗୀ।
-ପୃଥୁଳକାୟ ଲୋକ।
-ଯେଉଁମାନଙ୍କର ରକ୍ତରେ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସେରାଇଡ୍‌ର ମାତ୍ରା ଅଧିକ।
-ଉଚ୍ଚ ରକ୍ତଚାପ ରୋଗୀ।
-କର୍ଟିକୋଷ୍ଟିରଏଡ୍‌ ଔଷଧ ଓ କ୍ୟାନ୍‌ସର ଚିକିତ୍ସାରେ ବ୍ୟବହୃତ ଔଷଧ ସେବନ କରୁଥିବା ରୋଗୀ।
-ହେପାଟାଇଟିସ-ସି ଥିଲେ ଫ୍ୟାଟି ଲିଭର ଜାତ ହୋଇପାରେ।
ଲକ୍ଷଣ : ଫ୍ୟାଟି ଲିଭର ଏକ ଗୁରୁତର ବ୍ୟାଧି। ପ୍ରଥମ ଅବସ୍ଥାରେ ଏହା କୌଣସି ଲକ୍ଷଣ ପ୍ରକାଶ କରୁ ନ ଥିବାରୁ ଏହାକୁ ଗୋଟିଏ ନିଃଶବ୍ଦ ବ୍ୟାଧି ବୋଲି କହନ୍ତି। ତେବେ ସାଧାରଣ ଭାବରେ ପ୍ରକାଶ ପାଇପାରେ କ୍ଳାନ୍ତି, ଓଜନ ହ୍ରାସ, ପେଟରେ ଅସ୍ବସ୍ତି, ପେଟ ଫମ୍ପା ଇତ୍ୟାଦି ଲକ୍ଷଣ। କିନ୍ତୁ ଅସୁସ୍ଥତା ବୃଦ୍ଧି ପାଇଲେ ଜାତ ହୁଏ ସିରୋସିସ ଏବଂ ବଢ଼ିଯାଏ ଉଚ୍ଚ ରକ୍ତଚାପ, ଡାଇବେଟିସ ଓ କିଡ୍‌ନୀଜନିତ ରୋଗର ଆଶଙ୍କା।
ପରୀକ୍ଷା : ଏହି ରୋଗର ନିର୍ଣ୍ଣୟ ପାଇଁ ଲିଭର ଫଙ୍କ୍‌ସନ ଟେଷ୍ଟ (ଏଲ୍‌ଏଫ୍‌ଟି), ରକ୍ତ ପରୀକ୍ଷା, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ସ୍କାନ୍‌, ଅଲଟ୍ରାସାଉଣ୍ଡ ପରୀକ୍ଷା ଏବଂ ଫାଇବ୍ରୋସ୍କାନ କରାଯାଇଥାଏ।
ଚିକିତ୍ସା : ଫ୍ୟାଟି ଲିଭରର ଚିକିତ୍ସା ପାଇଁ କୌଣସି ସନ୍ତୋଷଜନକ ଔଷଧ ନାହିଁ। ତେଣୁ ଆବଶ୍ୟକ ଖାଦ୍ୟ ନିୟନ୍ତ୍ରଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ।
କ’ଣ ଖାଇବା ମନା : ପ୍ରତ୍ୟେକ ବ୍ୟକ୍ତିର ଜୀବନ ଯାତ୍ରାର ଧାରଣ ଅନୁସାରେ ସେମାନଙ୍କର ଖାଦ୍ୟ ଭିନ୍ନ। ତେବେ ପ୍ରତ୍ୟେକଙ୍କ କ୍ଷେତ୍ରରେ ଖାଦ୍ୟରେ ନିଷେଧାଜ୍ଞାଗୁଡିକ ପ୍ରାୟତଃ ସମାନ। ମଦ୍ୟପାନ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ଅଭ୍ୟାସଟିକୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ପଡ଼ିବ। କାରଣ ମଦ୍ୟପାନ ସଙ୍ଗେସଙ୍ଗେ ଲିଭରରେ ଚର୍ବି ଜମିବାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଚିନି ନ ଖାଇବା ସମ୍ପୂର୍ଣ୍ଣ ଜରୁରୀ। ଫ୍ୟାଟି ଲିଭରର ସବୁଠାରୁ ବଡ ଶତ୍ରୁ ହେଉଛି ଚିନି ବା ଶର୍କରା। ବିସ୍କୁଟ, ବ୍ୟାଣ୍ଡି ସୋଡା ପାନୀୟ, ମୃଦୁ ପାନୀୟ, ପ୍ୟାକେଟଜାତ ଫଳରସ ଏବଂ ମିଷ୍ଟାନକୁ ସମ୍ପୂର୍ଣ୍ଣ ଏଡାଇବାକୁ ପଡ଼ିବ। ଅତିରିକ୍ତ ଲୁଣ ଖାଇବା ମଧ୍ୟ ଅନୁଚିତ। କାରଣ ଗବେଷଣାରୁ ଜଣାପଡିଛି ଯେ, ବ୍ୟଞ୍ଜନରେ ପଡ଼ିଥିବା ଲୁଣ ବ୍ୟତୀତ ଥାଳି କଡରେ ଅତିରିକ୍ତ ଲୁଣ ଖାଇବା ଆଦୌ ନିରାପଦ ନୁହେଁ। ଲୁଣି ବିସ୍କୁଟ, କ୍ୟାନ୍‌ଡ ଫୁଡ୍‌, ଫାଷ୍ଟ ଫୁଡ୍‌ ଇତ୍ୟାଦି ଲୁଣିଆ ଖାଦ୍ୟ ବର୍ଜନୀୟ। ଉଚ୍ଚ ତାପମାତ୍ରାରେ ଓ ଅତିରିକ୍ତ ତେଲ ବ୍ୟବହାର କରି ଭଜାଭଜି ଓ ଛଣାଛଣି ଖାଦ୍ୟ ମଧ୍ୟ ବର୍ଜନୀୟ। ମଇଦା ଏବଂ ବନସ୍ପତିରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ରେଡ୍‌ ମିଟ୍‌ ଫ୍ୟାଟି ଲିଭରରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ପୂରାପୂରି ନିଷେଧ। ତେବେ ରୋଗୀ ଖାଇପାରିବ ଦେଶୀ କୁକୁଡା ମାଂସ। (କ୍ରମଶଃ…)

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

Mahashivratri ୨୦୨୫: ମହାଶିବରାତ୍ରିରେ ଦାନ କରନ୍ତୁ ଏସବୁ ଜିନିଷ, ଜୀବନରେ ରହିବ ନାହିଁ ଧନଧାନ୍ୟର ଅଭାବ !

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହୁଏ।...

7 Famous beaches in INDIA: ଥରେ ଗଲେ ଭୁଲିଯିବେ ଗୋଆ, ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଭାରତର ଏହି ୭ ସମୁଦ୍ରକୂଳ …

ଖରାଦିନେ ବୁଲିବାକୁ ଇଚ୍ଛା ହେଲେ ସମୁଦ୍ରକୂଳ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟେ। ଭାରତରେ ସମୁଦ୍ରତଟ ଦେଖିବା ଲାଗି ୯ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଯିବାକୁ...

7 Mistakes after Marriage: ବିବାହ ପରେ ଭୁଲ୍‌ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍‌, ଭାଙ୍ଗିଯାଇପାରେ ସମ୍ପର୍କ…

ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା...

ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା…

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ...

Egg vs Paneer: ଓଜନ ହ୍ରାସ ପାଇଁ କେଉଁ ପ୍ରୋଟିନ୍‌ ଅଧିକ ସ୍ବାସ୍ଥ୍ୟକର? ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

ପ୍ରୋଟିନ୍‌ ଆମ ଶରୀର ପାଇଁ ସବୁଠାରୁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ମଧ୍ୟରୁ ଗୋଟିଏ। ଏହା ଆମିନୋ ଏସିଡରେ ଗଠିତ ଏକ ସୂକ୍ଷ୍ମ ପୋଷକ ତତ୍ତ୍ୱ। ଏହା...

ପିଲାଙ୍କୁ ଡାଏବେଟିସ୍‌ରୁ କେମିତି କରିବେ ରକ୍ଷା: ଏହି ୫ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

ଡାଏବେଟିସ୍‌ ଏବେ କେବଳ ବୟସ୍କଙ୍କୁ ନୁହେଁ, ଛୋଟ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଭାରତରେ ପିଲାମାନଙ୍କ ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

Maha Shivratri 2025 : ମହାଶିବରାତ୍ରିରେ ମହାସଂଯୋଗ, ଏହି ୩ ରାଶିର ଖୋଲିଯିବ ଭାଗ୍ୟ, ହେବ ଧନ ଲାଭ, ଚାକିରିରେ…

ପ୍ରତିବର୍ଷ ମହାଶିବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଏଥର ୨୦୨୫ରେ ଏହି ଶିବରାତ୍ର ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି...

ଦିନକୁ ମାତ୍ର ୨୦ ମିନିଟ୍‌ କରନ୍ତୁ ଡ୍ୟାନ୍ସ: ମିଳିବ ଜବରଦସ୍ତ ଫାଇଦା

ଆଜିକାଲି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଶରୀରର ସଠିକ ଯତ୍ନ ନେବା କାଠିକର ପାଠ ହୋଇଯାଇଛି। ସାରା ଦିନ ବସି କାମ କରିବା ଯୋଗୁ ଅଧିକାଂଶ ଲୋକଙ୍କଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri