ଆଇନର ଶାସନ ଏକ ଉପହାସ

ସହଦେବ ସାହୁ

 

ଆମେ କଥାକଥାକେ କହିହେଉଛୁ ଆଇନ ଆଗରେ ସମସ୍ତେ ସମାନ: କାର୍ଯ୍ୟକ୍ଷେତ୍ରରେ ଏ ଗୋଟିଏ ଆଈମା’ଙ୍କ କାହାଣୀ, ଏକ ପୁରାଣ ଗପ! ଆଇନ କହେ ନାହିଁ ମୋ ଆଖିରେ ସମସ୍ତେ ସମାନ, ଆଇନ ଲାଗୁ କରୁଥିବା ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରୁଥିବା ନେତାମାନେ କହନ୍ତି। ଯେତେବେଳେ କେହି ଅଭିଯୋଗ କରେ ଯେ ଅମୁକକୁ ପୋଲିସ୍‌ ଧରୁନାହିଁ ବା ସମୁକକୁ ପୋଲିସ୍‌ ବିନା କାରଣରେ ଥାନା ଭିତରେ ବନ୍ଦ କୋଠରି (ଲକ୍‌ ଅପ୍‌)ରେ ରଖିଛି, ସେତେବେଳେ ଶାସକ ଦଳର ନେତାମାନେ କହନ୍ତି, ବ୍ୟସ୍ତ ହୁଅନି, ଆଇନ ତା’ ବାଟରେ ଯାଉଛି। ଆଇନକୁ ଲାଗୁ କରୁଥିବା ଲୋକେ ସରକାରୀ ଅଧିକାରୀ (ଏକ୍‌ଜିକ୍ୟୁଟିଭ୍‌ ଶାଖାର ଅଙ୍ଗ), ସେମାନେ ନିଜର ମେଧା ଯୋଗୁ ବଛାଯାଇ ରେଗୁଲେଟର୍‌ ବା ନିୟାମକ ହୋଇଛନ୍ତି; କର୍ତ୍ତବ୍ୟରେ ହେଳା କଲେ ସେମାନଙ୍କୁ ଦଣ୍ଡ ମିଳିବାର ବ୍ୟବସ୍ଥା ଅଛି। ହେଳା ମାନେ ଆଇନ ବା ନିୟମକୁ ତା’ ବାଟରେ ଯିବାକୁ ନ ଦେବା। ଯଥା ବା ଠିକ୍‌ ସମୟରେ କାମ କଲେ ଲାଞ୍ଚ କାରବାରର ସମ୍ଭାବନା ରହେ ନାହିଁ, ତେଣୁ କିରାଣି ଓ ଅଫିସରମାନେ ଫାଇଲ୍‌ କାମ ଡେରି କରିବା ହିଁ ଲାଞ୍ଚର ମୂଳ କାରଣ। ମନ୍ତ୍ରୀମାନଙ୍କ ପାଖରେ ଫାଇଲ୍‌ ପଡ଼ିରହିବା କିମ୍ବା ମନ୍ତ୍ରୀଙ୍କ ବିରୋଧରେ ଯାଉଥିବା ବ୍ୟକ୍ତିକୁ ପୋଲିସ୍‌ ବିଭିନ୍ନ ଆଳରେ ଗିରଫ କରିବା, ମୁଖ୍ୟଙ୍କୁ ପଚା ଅଣ୍ଡା ମାରିବା ଘଟଣାକୁ ପୋଲିସ୍‌ ହତ୍ୟା ଉଦ୍ୟମ ମାମଲା କରିପାରେ, ଅଥଚ ଫୁଟ୍‌ପାଥ୍‌ରେ ଶୋଇଥିବା ଦାଦନ ଶ୍ରମିକ ଉପରେ ପ୍ରଭାବଶାଳୀ ଲୋକର ଗାଡ଼ି ଚଢ଼ିଗଲେ, ଗାଡ଼ିର ବ୍ରେକ୍‌ ଫେଲ୍‌ ଦର୍ଶାଯାଇପାରେ।
ସଂସଦୀୟ ଗଣତନ୍ତ୍ରରେ ସଂସଦରେ (ରାଜ୍ୟରେ ବିଧାନସଭାରେ) ଶାସକ ଦଳରୁ ବଛା ହୋଇଥିବା ମନ୍ତ୍ରୀମାନେ ଥାକଥାକିଆ ପ୍ରଶାସନିକ ସେବା (ଏକ୍‌ଜିକ୍ୟୁଟିଭ୍‌ ଶାଖା)ର ସର୍ବୋଚ୍ଚ ଥାକରେ ରହନ୍ତି, ତେଣୁ ସରକାରରେ ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି। ପରବର୍ତ୍ତୀ ନିର୍ବାଚନଯାଏ ସେମାନଙ୍କ କାର୍ଯ୍ୟକାଳ ସୀମିତ ଥିଲେ ବି ସେମାନେ ସେହି କେତେ ଦିନ ପାଇଁ ନିରଙ୍କୁଶ କ୍ଷମତାର ଅଧିକାରୀ ବୋଲି ଭାବନ୍ତି, ସେମାନେ ଚାହାନ୍ତି ନାହିଁ ଅନ୍ୟମାନଙ୍କ ଉପରେ ଆଇନ ଯେପରି ଲାଗୁ ହୁଏ ସେମାନଙ୍କ ଉପରେ ସେପରି ଲାଗୁ ହେଉ। ଲାଗୁ ହେବା ଉପରେ ଜୋର, ଆଇନର ଶବ୍ଦ ଓ ଶବ୍ଦାର୍ଥ ଉପରେ ଜୋର୍‌ ନୁହେଁ; ତେଣୁ ଆଇନର ବାଟ ମାନେ ଆଇନର ମର୍ମକୁ କାମରେ ଲଗାଇବା। ମନ୍ତ୍ରୀଙ୍କ ହସ୍ତକ୍ଷେପ ବା ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ପୋଲିସ୍‌ ବିଭାଗର ପଦକ୍ଷେପକୁ ଅଚଳ କରିଦିଏ ବା ବିପଥଗାମୀ କରେ। ସେମାନେ ଏବଂ ସେମାନଙ୍କୁ ଅନୁକରଣ କରି କେତେକ ଅଧିକାରୀ ଆଇନକୁ ବାଟବଣା କରନ୍ତି। ମନ୍ତ୍ରୀଙ୍କ ଗାଡ଼ି ଆଗରେ ଲାଲବତି ତାହା ସୂଚାଉଥାଏ, ସେମାନଙ୍କ ଗାଡ଼ି ଆଗରେ (ବେଳେବେଳେ ଦି’ କଡ଼ରେ ବି) ଧାବମାନ ଗାଡ଼ିରେ ପୋଲିସଙ୍କ ଉପସ୍ଥିତି ଆମ୍ବୁଲାନ୍ସର ବାଟ ଅଟକାଇ ରୋଗୀକୁ ମୃତ୍ୟୁମୁଖକୁ ପଠାଇପାରେ। ୟୁରୋପର ନର୍ଡିକ୍‌ ଦେଶଗୁଡ଼ିକରେ ଓ ନ୍ୟୁଜିଲାଣ୍ଡରେ ରାଷ୍ଟ୍ରମୁଖ୍ୟ (ରାଜା ହେଉ କି ପ୍ରଧାନମନ୍ତ୍ରୀ) ଗାଡ଼ିଚାଳନାର ଆଇନ ଭଙ୍ଗ କଲେ ଜରିମାନାର ଶିକାର ହେଉଥିବାର ଆମେ ଶୁଣୁ, ତାହା ‘ଆଇନର ଶାସନ’ର ପ୍ରତୀକ (ତାହା ସୁନକଙ୍କ ଉପରେ ଜରିମାନା ବା ଟ୍ରମ୍ପ୍‌ଙ୍କ ଉପରେ ଲାଞ୍ଚ ମାମଲା ହେଉ)। କିନ୍ତୁ ଆମ ଦେଶରେ ରାଜନେତାମାନେ ଏବଂ ରୁଆବଥିବା ବା ବିତ୍ତଶାଳୀ ଲୋକେ ସଂରକ୍ଷିତ ପ୍ରାଣୀ ଶିକାର କଲେ ବା ରାସ୍ତାକଡ଼ ଲୋକଙ୍କୁ ଚକୁଟି ଗାଡ଼ି ଚଳାଇ ଚାଲିଗଲେ ଦଣ୍ଡ ପାଆନ୍ତି ନାହିଁ, ଯଦିବା ମାମଲା ହୁଏ ତାହା ଏତେ ଦିନ ଧରି ଚାଲେ ଯେ ଶେଷରେ ପ୍ରାୟ ନିରପରାଧ ଭାବେ ଖଲାସ ହୋଇଯାଉଛନ୍ତି। ଟିକସ ଫାଙ୍କିବା ବା ଭ୍ରଷ୍ଟ ଆଚରଣରେ ରୋଜଗାର କରିବା ଅନେକ ରାଜନେତାଙ୍କ ପ୍ରକୃତି ହୋଇଗଲାଣି, ସେମାନଙ୍କୁ ସାହାଯ୍ୟ କରୁଥିବା ଅଫିସରମାନେ ବି ଦି’ ଧନ୍ଦା କରୁଛନ୍ତି। ସହଜେ ତ ବିଧାୟକମାନେ କେତେକ ଆଇନ ନିଜର ପତିଆରା ବୃଦ୍ଧି ପାଇଁ କରିଛନ୍ତି, ତା’ ଛଡ଼ା ନିଜକୁ ଆଇନର ଊର୍ଦ୍ଧ୍ୱରେ ରଖିବାକୁ ସେମାନଙ୍କ ସ୍ବାଧିକାର (ପ୍ରଭିଲେଜ୍‌) ବୋଲି ଭାବନ୍ତି, ଆଉ ପୋଲିସ୍‌ ବି ସେମାନଙ୍କୁ ସାହାଯ୍ୟ କରେ। ଆଇନ ଲାଗୁକରୁଥିବା ଅଧିକାରୀ ଅର୍ଥାତ୍‌ ରେଗୁଲେଟରମାନଙ୍କ ବଦଳି କରିବାର ଅଧିକାର ମନ୍ତ୍ରୀମାନେ ଜାହିର କରୁଛନ୍ତି ବୋଲି ରାଜ୍ୟର ପୋଲିସ୍‌ ଏତାଲାରେ ମନ୍ତ୍ରୀଙ୍କ ନାମ ଥିଲେ ତାହା ଲିଭାଇ ଦେଉଛନ୍ତି। ପ୍ରଭାବୀ ଦଳୀୟ କର୍ମୀମାନଙ୍କ ଲବି (ଖେଞ୍ଚା)ରେ ମନ୍ତ୍ରୀମାନେ ଜଣେ ଅଧେ ଅଫିସରଙ୍କୁ ବିନାକାମରେ (ଅଫିସର୍‌ ଅନ୍‌ ଲିଭ୍‌ ବା ଉଇଦାଉଟ୍‌ ଡ୍ୟୁଟି) ବସାଇ ଦେଇପାରନ୍ତି। ଜଣେ ଜଣେ ମୁଖ୍ୟମନ୍ତ୍ରୀ ଉଚ୍ଚତର ଅଧିକାରୀଙ୍କ ଉପରେ ବଦଲା ନେବା ପାଇଁ ସିଆଇଡି ବା ଭିଜିଲାନ୍ସ ଲଗାଇ ଦିଅନ୍ତି, ଦରମା ପାଇଲେ ବି ଲୋକଲଜ୍ଜା ଅଫିସରର ଚରିତ୍ରକୁ ଜାଳିଦିଏ। ଅବଶ୍ୟ ପଇସା ଲୋଭରେ କେତେକ ଅଧିକାରୀ ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତି ନାହିଁ, ଧରାପଡିଥିବା ବ୍ୟକ୍ତି ଯେପରି ଛାଡ଼ ପାଇଯାଏ ଆଇନକୁ ସେପରି ବୁଲାଣିଆ ରାସ୍ତାରେ ନିଅନ୍ତି; କେତେକ ସରକାରୀ ଓକିଲ ଅପରପକ୍ଷକୁ ସାହାଯ୍ୟ କରିବା ପାଇଁ ଚୁପ୍‌ ରହନ୍ତି ତ କେତେକ ସାଂଘାତିକ ଅପରାଧୀକୁ ସରକାରୀ ସାକ୍ଷୀ (ଆପ୍ରୁଭର୍‌) କରି ତାକୁ ଆଇନଫାଶରୁ ଖସେଇଦିଅନ୍ତି। କେତେକ ପୋଲିସ୍‌ ଅଧିକାରୀ ଶାସକ ଦଳର ସୁଦୃଷ୍ଟିରେ ରହିବା ଲାଗି ମନ୍ତ୍ରୀ ତଥା ପ୍ରଭାବୀ ନେତାଙ୍କ ନାମକୁ ଏତାଲାରେ ଥିବା ଅଭିଯୁକ୍ତଙ୍କ ତାଲିକାରୁ ଉଡ଼ାଇଦିଅନ୍ତି, ଅବା ଗୁରୁତର ଅପରାଧର ଦଫା ବଦଳରେ ଲଘୁ ଦଫା ଲଗାନ୍ତି, ପ୍ରମାଣ ଯୋଗାଇବା କଷ୍ଟ ନ କରି ଅପରାଧୀକୁ ଏନ୍‌କାଉଣ୍ଟରରେ ହତ୍ୟା କରନ୍ତି କିମ୍ବା ବିଚାରାଧୀନର ମୃତ୍ୟୁ (କଷ୍ଟୋଡିଆଲ୍‌ ଡେଥ୍‌) ଘଟାନ୍ତି। ଏ କ୍ଷେତ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଲା ବେଳେ ଆମେ ଭୁଲିଯାଉ ଯେ ଆଇନକୁ କାର୍ଯ୍ୟକାରୀ କରୁଥିବା ଲୋକ ସମସ୍ତଙ୍କୁ ସମାନ ଆଖିରେ ଦେଖେ ନାହିଁ, ସେ ହିଁ ଆଇନର ଆଖି, ଆଇନ ତାହାରି ବାଟରେ ହିଁ ଯାଏ।
ଅପରାଧରେ ଅଭିଯୁକ୍ତ ହୋଇ ଜଣେ ନିର୍ଦ୍ଦୋଷରେ ଖଲାସ ହେଲେ ସାଧାରଣତଃ (ସ୍ବାଭାବିକ ପରିସ୍ଥିତିରେ) ଆଶ୍ୱସ୍ତ ଅନୁଭବ କରେ ଓ କଳଙ୍କ ଦୂର ହୋଇଗଲା ବୋଲି ଭାବେ। କିନ୍ତୁ ଆଜିକାଲି ଆମେ ଏପରି ଅସ୍ବାଭାବିକ ସମୟରେ ବା ପରିବେଶରେ ରହିଆସିଲୁଣି ଯେ ଅପରାଧ କରିଥିବା ବିଧାୟକ ବା ସାଂସଦର ବିଚାର ଏତେ ଦିନ ଚାଲୁଛି ଯେ ସେ ଜୀବନଯାକ ଭଦ୍ର ପ୍ରତିନିଧି ଭଳି ଚଳିପାରୁଛି। ଆଉ ଅନ୍ୟପକ୍ଷରେ ସାଧାରଣ ଲୋକଟିଏ ଏତେ ଦୀର୍ଘକାଳ ଜୁଡିସିଆଲ୍‌ କଷ୍ଟୋଡି (ବିଚାରାଳୟ ଅଧୀନରେ) ନାମରେ ଜେଲ୍‌ରେ ରହୁଛି ଯେ, ତାହାର ଶୁଣାଣି ଯଦି ଯଥା ସମୟରେ ସରିଥାନ୍ତା, ସେ ଯେତେ କାଳ ଦଣ୍ଡିତ ହୋଇଥାନ୍ତା ତାହାଠାରୁ ବେଶି କାଳ ଜେଲରେ ରହୁଛି, କେତେକ କ୍ଷେତ୍ରରେ ଜେଲରେ ହିଁ ପ୍ରାଣ ହରାଉଛି। ଗରିବ ବେସାହାରା ଓ ଶାସକଦଳର ଅସୂୟାରେ ଥିବା ଲୋକ ପାଇଁ ଆଇନ କାମ କରେ ନାହିଁ। ଏପରି ଜଳ ଜଳ ଦିଶୁଥିବା ଘଟଣା ବିଚାରପତିଙ୍କୁ କ୍ୱଚିତ୍‌ ଦିଶେ। ଯଦି ସୁପ୍ରିମ୍‌କୋର୍ଟର କୌଣସି ବିଚାରପତି ବା ବିଚାରପତିଙ୍କ ଖଣ୍ଡପୀଠ ଏହାକୁ ସରକାରଙ୍କ ଦୃଷ୍ଟିକୁ ଆଣନ୍ତି, ତେବେ ବି କେତେକ ପୋଲିସ୍‌ ଅଧିକାରୀ ଆଖି ବୁଜିଦିଅନ୍ତି, ତେଣୁ କଷ୍ଟୋଡିଆଲ୍‌ ଡେଥ୍‌ ସଂଖ୍ୟା କମୁନାହିଁ।
ଉଚ୍ଚ ଶ୍ରେଣୀର ଲୋକେ, ବିଚାର-ଆସନରେ ଆସୀନ ବହୁତ ବ୍ୟକ୍ତି ନିମ୍ନସ୍ତରର ଲୋକଙ୍କୁ ସୁନଜରରେ ଦେଖନ୍ତି ନାହିଁ, ଦେଖିବାର ଶିକ୍ଷା ବି ପାଇନାହାନ୍ତି। ସମାଜ ତ ଏକ ପାହାଚ-ପାହାଚିଆ ଟେରେସ୍‌: ଉଚ୍ଚ ପାହାଚରେ ଥିବା ଲୋକେ ନିମ୍ନତର ପାହାଚର ଲୋକଙ୍କୁ ସମାନ ଦୃଷ୍ଟିରେ (ସମସ୍ତରର ଦୃଷ୍ଟିରେ) ଦେଖନ୍ତି ନାହିଁ।
ଧର୍ମାନୁଷ୍ଠାନ ବା ମନ୍ଦିରରେ ପୂଜକମାନେ କହନ୍ତି, ଠାକୁରଙ୍କ ଇଚ୍ଛା ନ ଥିଲେ ପତ୍ର ବି ହଲିବ ନାହିଁ: ନିଜର ପାଉଣା ବା ଦାବି ହାସଲ ପାଇଁ ମନ୍ଦିର-ପରିଚାଳକଙ୍କ ବିରୋଧରେ ରୋଷ ଦେଖାଇବାକୁ ସେମାନେ ଭୋଗରାଗ ବନ୍ଦ କରିଦିଅନ୍ତି, ଭୋଗରାଗ ବନ୍ଦକରିବା କ’ଣ ଠାକୁରଙ୍କ ଇଚ୍ଛା? ଠାକୁରଙ୍କୁ ଉପାସ ରଖିବା କ’ଣ ଠାକୁରଙ୍କ ଇଚ୍ଛା? ରଥ ଉପରେ ତିନି ଠାକୁରଙ୍କ ବାହୁକୁ ତକିଆ ଭଳି ବ୍ୟବହାର କରିବା କ’ଣ ଠାକୁରଙ୍କ ଇଚ୍ଛା? ଯେଉଁ ବୁଦ୍ଧିଜୀବୀମାନେ ଏହାକୁ ସହନ୍ତି, ସେମାନେ କିପରି ଧର୍ମର ଆଇନ ତା’ ବାଟରେ ଯାଉ ନାହିଁ ବୋଲି ଯୁକ୍ତି କରିବେ? ସମାନ ଯୁକ୍ତି ଅନ୍ୟ ସବୁ ଧର୍ମ ସମ୍ବନ୍ଧରେ କୁହାଯାଇପାରେ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?