ଦୁର୍ନୀତିର ଚେର

ବୈକୁଣ୍ଠନାଥ ମିଶ୍ର

ପ୍ରାକ୍‌ ସ୍ବାଧୀନତା କାଳରେ ବିଦେଶୀ ଶାସକଙ୍କ ଉତ୍ପୀଡ଼ନରେ ଦେଶବାସୀ ଅକଥନୀୟ ଦୁରବସ୍ଥା ଭୋଗୁଥିଲେ । ଆଶାଥିଲା ବିଦେଶୀ ଶାସନର ଅବସାନ ପରେ ସ୍ବଦେଶୀ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ସେମାନେ ଏକ ନୂତନ ସୂର୍ଯ୍ୟର ଆଭାରେ ଆଲୋକିତ ହେବେ। କିନ୍ତୁ କ୍ଷୋଭ ଓ ପରିତାପର କଥା ଯେ ସମାଜ ଆଜି ଘୋର ବିଶୃଙ୍ଖଳିତ। ନୀତି ନୈତିକତା ସ୍ଥାନରେ ଚାଲିଛି ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜୁତି। ଦୁର୍ନୀତି ଚରମ ସୀମାକୁ ସ୍ପର୍ଶ କରିଛି। ଆମ ରାଜ୍ୟ କଥା ଚିନ୍ତାକଲେ ଜଣାଯାଏ ଯେ ଏପରି କୌଣସି କାର୍ଯ୍ୟାଳୟ ନାହିଁ ଯେଉଁଠି ସ୍ବଚ୍ଛତା ଓ ନିରପେକ୍ଷତାର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରାଯାଉଛି। ଉପୁରି, ଲାଞ୍ଚ, ଟିପ୍‌ସ, ପିସି ଓ ଫ୍ରିବି ଇତ୍ୟାଦି କେତେ ନାଁରେ ଲୋକଙ୍କୁ ଶୋଷଣ କରାଯାଉଛି। ସର୍ବୋଚ୍ଚ ଅଧିକାରୀଙ୍କଠାରୁ ସର୍ବନିମ୍ନ ପିଅନ ପର୍ଯ୍ୟନ୍ତ ସମସ୍ତଙ୍କର ନିଜ ବେତନ ବ୍ୟତିରେକେ ଅନ୍ୟାୟ ଉପାର୍ଜନର ଲିପ୍ସା।

ଆମ ଦେଶର ଦୁର୍ନୀତି ଓ ଭ୍ରଷ୍ଟଚାରର ସ୍ଥିତି ଅତ୍ୟନ୍ତ ଲଜ୍ଜାଜନକ। ଟ୍ରାନ୍ସପରେନ୍ସ ଇଣ୍ଟର ନ୍ୟାଶନାଲ ଦ୍ୱାରା ୨୦୨୩ରେ ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ ଦୁର୍ନୀତି ତାଲିକାରେ ଭାରତର ସ୍ଥାନ ୯୨ ଦର୍ଶାଯାଇଛି। ଉଦ୍‌ବେଗର କଥା, ଏସିଆ ମହାଦେଶର ଦୁର୍ନୀତିଗ୍ରସ୍ତ ଦେଶଙ୍କ ତାଲିକାରେ ଶୀର୍ଷରେ ରହିଛି ଭାରତ। ଏହି କ୍ରମରେ ଓଡ଼ିଶାର ସ୍ଥିତି ସର୍ବଭାରତୀୟ ସ୍ତରରେ ନୈରାଶ୍ୟଜନକ। ବିଶେଷଭାବେ ଓଡ଼ିଶାରେ ରାଜସ୍ବ, ଅବକାରୀ, ସ୍ବାସ୍ଥ୍ୟ ଓ ପୋଲିସ ବିଭାଗର ଦୁର୍ନୀତି ସବୁ ସୀମା ଅତିକ୍ରମ କରିଛି। ଅନ୍ୟ ବିଭାଗରେ ଯେ ଦୁର୍ନୀତି ନାହିଁ ସେକଥା ନୁହେଁ, ମାତ୍ର ଏହା ଏକ ଆପେକ୍ଷିକ ଆକଳନ। ଶିକ୍ଷାବିଭାଗ ଯାହା ଦିନେ ଥିଲା ସ୍ବଚ୍ଛ ଓ ନିର୍ମଳ, ତାହା ମଧ୍ୟ ଆଜି ଦୁର୍ନୀତି କଳଙ୍କରେ କାଳିମାମୟ। ପ୍ରବୀଣ ସାହିତି୍ୟକ ସୁରେନ୍ଦ୍ର ମହାନ୍ତିଙ୍କ ସମୟର ଏକ ହାସ୍ୟକର କଥା। ଜଣେ ବ୍ୟକ୍ତି କଥା ଛଳରେ ସୁରେନ୍ଦ୍ରଙ୍କୁ କହିଲେ, ଆଜ୍ଞା ଦୁର୍ନୀତି କ’ଣ ମୁଁ ଜାଣେ ନାହିଁ। ସୁରେନ୍ଦ୍ର ତତ୍‌କ୍ଷଣାତ୍‌ ପଚାରିଲେ ଆପଣ କ’ଣ କରନ୍ତି? ବ୍ୟକ୍ତି ଜଣକ ଉତ୍ତର ଦେଲେ ଆଜ୍ଞା ମୁଁ ଜଣେ ଅଧ୍ୟାପକ। ସୁରେନ୍ଦ୍ର ହାସ୍ୟାତ୍ମକ ଭାବେ କହିଲେ ‘ବଳଦ ଜାଣେ କି ସମ୍ଭୋଗ ସୁଖ’। ଏଥିରୁ ଜଣାଯାଏ ଶିକ୍ଷାବିଭାଗ ଦିନେ ଥିଲା ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ।
ଏଇ କେତେବର୍ଷ ହେଲା ଦେଖାଯାଉଛି ଯେ ମାଳମାଳ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି ଇଞ୍ଜିନିୟର, ବିଡିଓ ଓ ଅନ୍ୟ ଅଧିକାରୀ ସମୂହ। ସେମାନେ ଜଣେ ଜଣେ ଆଧୁନିକ କୁବେର। ଟିଭି ପରଦାରେ ସେମାନଙ୍କଠାରୁ ଜବତ ହୋଇଥିବା ଧନରନତ୍କୁ ଦେଖିଲେ ମନେହୁଏ ସେମାନେ ଗୋଟିଏ ଗୋଟିଏ କ୍ଷୁଦ୍ର ରନତ୍ଭଣ୍ଡାରର ମାଲିକ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଛୋଟବଡ ହୋଇ ପ୍ରାୟ ୫୮ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ଧରା ପଡିଲେଣି, ଯେଉଁମାନଙ୍କର ସମ୍ପତ୍ତି ତାଲିକା ସାଧାରଣ ଅନୁମାନଠାରୁ ଊଦ୍ଧର୍‌ବରେ। କାହାର ୪୨ପ୍ଲଟ ତ କାହାର ୫୨, କାହାର ୮୦ ତ କାହାର ୯୦। ଏତଦ୍‌ ବ୍ୟତୀତ ଗଣ୍ଡାଗଣ୍ଡା ଫ୍ଲାଟ୍‌, କେଜି କେଜି ସୁନା, ମୋଟା ଅଙ୍କର ଗଚ୍ଛିତ ଜମାରାଶି ଓ ନାମୀଦାମୀ ମୋଟରଗାଡ଼ି। କେଉଁ ଅଧିକାରୀଙ୍କ ନିଜ ବୈଧ ରୋଜଗାରର ୨୦୦ ଗୁଣରୁ ଅଧିକ ସମ୍ପତ୍ତି ତ ଆଉ କାହାର ୩୦୦ଗୁଣରୁ ଅଧିକ। ବିଗତ ପାଞ୍ଚ/ସାତ ବର୍ଷ ଭିତରେ ଦୁର୍ନୀତି ସୀମା ଲଙ୍ଘନ କରିଛି। କେବଳ ୨୦୨୨ରେ ସମଗ୍ର ଭାରତରେ ୨୦୩୬ ଦୁର୍ନୀତି ମାମଲାରେ ମାତ୍ର ୭୨୨ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି। ସେହିପରି ଉକ୍ତ ସମୟ ସୀମା ମଧ୍ୟରେ ଓଡ଼ିଶାରେ ୨୪୬ଟି କେସ୍‌ର ବିଚାର ହୋଇ ମାତ୍ର ୧୦୭ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି। ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ଶତକଡା ୩୯.୬ ହୋଇଥିବା ବେଳେ ଓଡ଼ିଶାରେ ଏହି ହାର ୩୬.୪ ପ୍ରତିଶତ। ଦୁର୍ନୀତି ବଢ଼ିବାର ମୂଳକାରଣ ହେଲା ଦୁର୍ବଳ ଆଇନ ଓ ତନ୍ମଧ୍ୟରେ ଥିବା ଗଳାବାଟ। ଲାଞ୍ଚ ଗ୍ରହୀତା ଲାଞ୍ଚକୁ ଆଉ ଅପରାଧ ମନେ ନ କରି ଏହାକୁ ପୌରୁଷ ବୋଲି ମନେକରୁଛନ୍ତି।
ଏହି ଲାଞ୍ଚଖୋର ବାବୁମାନଙ୍କୁ ମିଳୁଛି ସରକାରୀ ଆଶୀର୍ବାଦ। ଜଣେ ଅବସରପ୍ରାପ୍ତ ଅଧିକାରୀ କହନ୍ତି, ଯେଉଁ ଦୁର୍ନୀତିଖୋର ବାବୁମାନେ ଧରା ହେଉଛନ୍ତି ସେମାନେ ତାଙ୍କ ଚାକିରି କାଳ ମଧ୍ୟରେ କେତେ ମନ୍ତ୍ରୀ ଓ ବିଧାୟକଙ୍କୁ ପିସି ଦେଇ ଆସିଛନ୍ତି। ବର୍ତ୍ତମାନ ଅବସର ସମୟ ପାଖେଇ ଆସିବାରୁ ଆଉ ସେମାନଙ୍କଠାରୁ ପିସି ମିଳିବାର ସମ୍ଭାବନା ନାହିଁ। ତାଙ୍କୁ ଭିଜିଲାନ୍ସ ହାତରେ ଧରାଇଦେଲେ ଦୁଇଟି ଲାଭ। ଗୋଟିଏ ହେଲା ସରକାରଙ୍କର ଶୂନ୍ୟ ସହନଶୀଳତାକୁ ପ୍ରତିପାଦିତ କରିବା ଓ ଦ୍ୱିତୀୟଟି ହେଲା ଭବିଷ୍ୟତରେ ତାଙ୍କଠାରୁ କୌଣସି ବିପଦର ଆଶଙ୍କା ନ ରହିବା। ସେ ଅଧିକାରୀଙ୍କ କଥାରେ ସତ୍ୟତା ଥିବାପରି ମନେହୁଏ। କାରଣ ଉପରିସ୍ଥ ହାକିମଙ୍କର ଅନୁକମ୍ପା ବିନା ଜଣେ ଏତେମାତ୍ରାରେ କଳାଧନ ଠୁଳ କରିବା ସମ୍ଭବ ନୁହେଁ। ଅନ୍ୟଏକ ଘଟଣାକ୍ରମରେ ଇଞ୍ଜିନିୟରମାନଙ୍କର ଲାଞ୍ଚଖୋର ଉପତ୍ୀଡନରେ ଅତିଷ୍ଠ ହୋଇ ଠିକାଦାର ଏପରିକି ସାଧାରଣ ବ୍ୟକ୍ତିଟିଏ ଭିଜିଲାନ୍ସରେ ଧରାଇଦିଏ। ତା’ପରେ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆବିର୍ଭାବ ଘଟିଲା ପରି ବାବୁଙ୍କର ଗଚ୍ଛିତ ଧନଭଣ୍ଡାର ଲୋକଲୋଚନକୁ ଆସେ। ବର୍ତ୍ତମାନ ଏପରି ଏକ ସମୟ ଆସିଛି ପିଅନକୁ କିଛି ହାତଗୁଞ୍ଜା ନ ଦେଲେ ଅଫିସ ପ୍ରକୋଷ୍ଠକୁ ପ୍ରବେଶ ଅନୁମତି ଦୁଷ୍ପ୍ରାପ୍ୟ।
ଲାଞ୍ଚଗ୍ରହଣ କରିବାର ମାଧ୍ୟମ ଭିନ୍ନ ଭିନ୍ନ ପ୍ରକାରର। ଆଜକୁ ପ୍ରାୟ ୩୦ ବର୍ଷ ତଳେ ଏ ଲେଖକ ନିଜର ଏକ ବକେୟା କାମ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ ପ୍ରୟାସରେ ପିଅନର ସାହାଯ୍ୟ ଲୋଡ଼ିଲା। ପିଅନ କହିଲା ଆପଣ ଜାଣନ୍ତି ଆମ ସାର୍‌ ଅତିକଡ଼ା। ସେ କାହାଠାରୁ କିଛି ନିଅନ୍ତି ନାହିଁ। ଆପଣ ଯଦି ସାକ୍ଷାତ ଚାହାନ୍ତି ତେବେ ସାର୍‌ଙ୍କ ବାସଭବନ ସନ୍ନିକଟ ଛକରେ ଥିବା ମିଠା ଦୋକାନରୁ ମାତ୍ର ଏକ କିଲୋ ମିଠା ନେଇ ଯିବେ। ମୁଁ ତାହା ହିଁ କଲି। କଟକର ସେ ନିର୍ଦ୍ଦିଷ୍ଟ ଦୋକାନୀଠାରୁ ମିଠା ନେଇ ପଇସା ଦେଲାବେଳକୁ ଦୋକାନୀ କହିଲେ ଆପଣ ଯାଆନ୍ତୁ। ଆଗେ କାମ ହୋଇଯାଉ। ଫେରିଲେ ପଇସା ଦେବେ। ସେତେବେଳେ ମିଠା କେଜି ପ୍ରତି ଦରଥିଲା ମାତ୍ର ପଚାଶଟଙ୍କା। ମୁଁ ଭାବିଲି ଦୋକାନୀ ମୋତେ କେମିତି ବିଶ୍ୱାସ କରିବ। ପରେ ଜାଣିଲି ସାର୍‌ଙ୍କ ସହ ମିଠା ଦୋକାନୀର ନିବିଡ଼ ସମ୍ପର୍କ। ମୁଁ ଫେରିଆସି ଦୋକାନୀଙ୍କୁ ଯେତେବେଳେ ପଇସା ଯାଚିଲି ସେତେବେଳେ ସେ ମୋ’ଠାରୁ ପାଞ୍ଚଶହ ଟଙ୍କା ଦାବିକଲେ। ମୁଁ ହତଭମ୍ବ ହୋଇ ମୋ’ ପାଖରେ ଥିବା ପାଞ୍ଚଶହ ଟଙ୍କା ଦାଖଲ କଲି। ଦୋକାନୀ କହିଲେ ସାର୍‌ଙ୍କ ସ୍ପେଶାଲ ମିଠା। କେବଳ ସେହି ମିଠା ହିଁ ସାର୍‌ ଓ ତାଙ୍କ ପରିବାର ଖାଆନ୍ତି। ପ୍ରତି ରବିବାର ଓ ଛୁଟିଦିନ ସାର୍‌ଙ୍କ ସାକ୍ଷାତ ନିମନ୍ତେ ଶତାଧିକ ଲୋକ ଆସନ୍ତି। ସାର୍‌ ଏତେ ମିଠା କରନ୍ତି କ’ଣ? ପରେ ଜାଣିଲି ଲୋକଟି ମିଠାଦେଇ ଆସିବା ପରେ ଦୋକାନୀର ପିଲାଯାଇ ସେ ମିଠାକୁ ନେଇଯାଏ। ସେହି ଏକ କେଜି ମିଠା ଦୋକାନୀ ସମସ୍ତଙ୍କୁ ଦିଏ। ସନ୍ଧ୍ୟା ପରେ ଦୋକାନୀ ନିଜେ ଯାଇ ସାର୍‌ଙ୍କ ସମସ୍ତ ଟଙ୍କା ଦେଇଆସେ। ଜଣେ ଜଣେ ଯାଉଥିବାରୁ କେହି କାହା କଥା ଜାଣନ୍ତି ନାହିଁ। ସାମାନ୍ୟ ମିଠା କେଜିଏ ଭାବି କେହି ପ୍ରତିବାଦ କରନ୍ତି ନାହିଁ। ପ୍ରତି ରବିବାର ଓ ଛୁଟିଦିନ ସାର୍‌ଙ୍କର ରୋଜଗାର ପଚାଶହଜାର ଟଙ୍କାରୁ ଅଧିକ। ସେତେବେଳେ ସାର୍‌ଙ୍କର ମାସିକ ଆୟ ବେତନ ବ୍ୟତୀତ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ, ଯେଉଁଥିରୁ କାହାରିକୁ କିଛି ଭାଗ ଦେବାକୁ ପଡୁ ନ ଥିଲା। ଚୋରଘର ସବିଦିନ ଅନ୍ଧାର ନ ଥାଏ। ଏକଥା ଉପରିସ୍ଥ ହାକିମଙ୍କ କାନକୁ ଗଲା ଓ ଉପଯୁକ୍ତ ପ୍ରମାଣ ସହ ସାର୍‌ଙ୍କୁ ଧରାଯାଇ ନିଲମ୍ବନ କରାଗଲା। ପରିତାପର ବିଷୟ ଏହି ଯେ ଦୁର୍ନୀତି ଏକ ମହାଦ୍ରୁମରେ ପରିଣତ ହୋଇସାରିଛି ଓ ଚେର ଏତେ ଗଭୀରକୁ ଯାଇଛି ଯେ ତା’ର ମୂଳୋପତ୍ାଟନ ବୋଧହୁଏ ଆଉ ସମ୍ଭବ ନୁହେଁ। ଏଥକୁ କେବଳ ଈଶ୍ୱର ହିଁ ଭରସା।

ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri