କାରାଗାର ଏବେ ଅଣନିଃଶ୍ୱାସୀ

ଭାରତୀୟ କାରାଗାରଗୁଡିକ ଏବେ ଅଣନିଶ୍ୱାସୀ। ଏହା ହିଁ ବାସ୍ତବତା, ଯାହା ସରକାରୀ ତଥ୍ୟ ଉପରେ ପର୍ଯ୍ୟବସିତ। ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ଅପରାଧୀଙ୍କ ସଂଖ୍ୟା ବଢ଼ୁଛି। ବିଡମ୍ବନାର ବିଷୟ, ସେହି ଅନୁସାରେ କାରାଗାର ସଂଖ୍ୟା କିମ୍ବା ଏହାର ଅନ୍ତେବାସୀ ଆସନ କ୍ଷମତା ବୃଦ୍ଧି ଘଟୁନାହିଁ। ଭାରତରେ ମୋଟ ୧୩୮୨ କାରାଗାର ଥିବାବେଳେ ଏହାର ଅଧାରୁ ଅଧିକରେ ଆସନ କ୍ଷମତାଠାରୁ ଅଧିକ କଏଦୀ ଅଛନ୍ତି। ଅନେକରେ ଏହାର ଚାରିଗୁଣ ଅଧିକ କଏଦୀ ରହୁଛନ୍ତି। ଦେଶର ସବୁଠାରୁ ବଡ଼ କାରାଗାର ‘ତିହାର’ରେ ଏହାର କ୍ଷମତାଠାରୁ ୮ ଗୁଣ ଅଧିକ କଏଦୀ ରହିଛନ୍ତି। ନିକଟରେ ପ୍ରକାଶିତ ‘ଇଣ୍ଡିଆ ଜଷ୍ଟିସ ରିପୋର୍ଟ’ ଅଥବା ଭାରତୀୟ ନ୍ୟାୟ ରିପୋର୍ଟ ଅନୁସାରେ ମୋଟ ୧୩୮୨ କାରାଗାର ମଧ୍ୟରୁ ୧୭୬ଟିରେ ୪ଗୁଣ ଅଧିକ କଏଦୀ ଅଛନ୍ତି। ଏହି ରିପୋର୍ଟ ମୁତାବକ ଜାତୀୟ ସ୍ତରରେ ଧାର୍ଯ୍ୟ କ୍ଷମତାଠାରୁ ୧୩୧ ପ୍ରତିଶତ ଅଧିକ କଏଦୀ କାରାଗାରଗୁଡିକରେ ରହୁଛନ୍ତି। ଆହୁରି ମଧ୍ୟ ୩୪ କାରାଗାରରେ ୨୫୦ରୁ ଅଧିକ ଏବଂ ୮୫ କାରାଗାରରେ ୨୦୦ ପ୍ରତିଶତରୁ ଅଧିକ କଏଦୀ ରହିଛନ୍ତି।
କାରାଗାର ଗହଳି କ୍ଷେତ୍ରରେ ଉତ୍ତରପ୍ରଦେଶ ଆଗୁଆ ଏବଂ ଏହାର ୧୮ଟି କାରାଗାର ମଧ୍ୟରୁ କେବଳ ମୋରାଦାବାଦରେ କଏଦୀଙ୍କ ସଂଖ୍ୟା ୪୯୭ ପ୍ରତିଶତ ଅଧିକ। ଦିଲ୍ଲୀର ‘ତିହାର’ର ଦୁଇଟି କାରାଗାରରେ ଯଥାକ୍ରମେ ୪୧୧ ଏବଂ ୪୬୭ ପ୍ରତିଶତ ଅଧିକ କଏଦୀ ଅଛନ୍ତି। ତେବେ କାରାଗାରଗୁଡିକ ଅଣନିଃଶ୍ୱାସୀ ହେବାର ଏକମାତ୍ର କାରଣ ହେଉଛି ବିଚାରାଧୀନ କଏଦୀଙ୍କ ଦୀର୍ଘ ଅବସ୍ଥାନ। ରିପୋର୍ଟ ଅନୁଯାୟୀ ପ୍ରାୟ ୭୬ ପ୍ରତିଶତ କଏଦୀଙ୍କ ଦୀର୍ଘ ଅବସ୍ଥାନ ଯୋଗୁ କାରାଗାରଗୁଡିକରେ ଅଯଥା ଭିଡ଼ ଦେଖାଦେଇଛି। ବିଗତ ଏକ ଦଶନ୍ଧି ଅର୍ଥାତ୍‌ ୨୦୧୨ରୁ ୨୦୨୨ ମଧ୍ୟରେ କାରାଗାର କ୍ଷମତା ୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଏଦୀଙ୍କ ସଂଖ୍ୟା ୪୮ ପ୍ରତିଶତ ବୃଦ୍ଧି ପାଇଥିଲା। ଏଥିମଧ୍ୟରୁ ବିଚାରାଧୀନ କଏଦୀଙ୍କ ସଂଖ୍ୟା ପ୍ରାୟ ୬୬ରୁ ୭୬ପ୍ରତିଶତ ବୃଦ୍ଧି ଘଟିଛି। ସୂଚନାଯୋଗ୍ୟ ଯେ ଦିଲ୍ଲୀର କାରାଗାରଗୁଡିକରେ ଏହି ବିଚାରାଧୀନ କଏଦୀଙ୍କ ସଂଖ୍ୟା ପ୍ରାୟ ୯୧ ପ୍ରତିଶତ। ସଂଖ୍ୟାଧିକ କଏଦୀଙ୍କ ପାଇଁ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡୁଛି ଏବଂ ପ୍ରତିବର୍ଷ ବଜେଟରେ କାରାଗାର ବାବଦ ବ୍ୟୟ ଅଟକଳ ବୃଦ୍ଧି ପାଉଛି। ପ୍ରତି କଏଦୀଙ୍କ ମୁଣ୍ଡପିଛା ଖର୍ଚ୍ଚ ୬୨ ଟଙ୍କାରୁ ୧୨୧ ଟଙ୍କା ଅର୍ଥାତ୍‌ ୯୬ ପ୍ରତିଶତ ବୃଦ୍ଧି ଘଟିଛି। ସେହି ହିସାବରେ ପୂର୍ବ ଦଶନ୍ଧି ତୁଳନାରେ ବ୍ୟୟ ଅଟକଳ ୧୫୬ରୁ ୧୯୨ ପ୍ରତିଶତକୁ ବୃଦ୍ଧିପାଇଛି।
ପ୍ରାୟ ୫୦ ପ୍ରତିଶତ ରାଜ୍ୟରେ ସର୍ବାଧିକ ମାମଲା ତିନି ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି। ଉଦାହରଣ ସ୍ବରୂପ ବିହାରରେ ବିଭିନ୍ନ ଅଦାଲତରେ ୭୧ ପ୍ରତିଶତ ମାମଲା ପଡ଼ି ରହିଥିବା ବେଳେ ଏହା ପଛକୁ ଅଛି ପଶ୍ଚିମବଙ୍ଗ ଏବଂ ଓଡ଼ିଶା। ଅଧିକନ୍ତୁ ପଞ୍ଜାବ, ଛତିଶଗଡ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ସଂଖ୍ୟା ଅପେକ୍ଷାକୃତ ଭାବେ କମ୍‌ ରହିଛି। ନ୍ୟାୟପାଳିକାରେ ନ୍ୟାୟ ପ୍ରଦାନରେ କଚ୍ଛପ ଗତି ଯୋଗୁ ଆଜିର ଏ ପ୍ରକାର ଅବସ୍ଥା। ବିଶେଷକରି ବିଚାରାଧୀନ କଏଦୀଙ୍କ ସଂଖ୍ୟା ଅସମ୍ଭବ ଭାବେ ବୃଦ୍ଧିପାଉଛି। କାରାଗାର ସଂଶୋଧନ କମିଟି ରିପୋର୍ଟ ଅନୁଯାୟୀ ୬୮ ପ୍ରତିଶତ କଏଦୀ ଭଲଭାବେ ଶୋଇପାରୁଥିବା ବେଳେ ଅବଶିଷ୍ଟ କଏଦୀଙ୍କ ନିମନ୍ତେ ଉପଯୁକ୍ତ ସ୍ଥାନାଭାବ ରହିଛି।
ସୀମିତ ନ୍ୟାୟିକ ସହାୟତା ସହ ବିଚାରପତିଙ୍କ ସଂଖ୍ୟା କମ୍‌ ଥିବାରୁ ମାମଲା ଫଇସଲା ପ୍ରକ୍ରିୟାରେ ଅତିଶୟ ବିଳମ୍ବ ଘଟୁଛି। ଯଦି ଭାରତର ଜନସଂଖ୍ୟା ୧୪୦ କୋଟି ଥିବାବେଳେ ବିଚାରପତିଙ୍କ ସଂଖ୍ୟା ୨୧,୨୮୫। ଅର୍ଥାତ୍‌ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୧୫ ଜଣ ବିଚାରପତି। ବିଚାରପ୍ରକ୍ରିୟା ତ୍ୱରାନ୍ବିତ ନ ହେଲେ କାରାଗାରଗୁଡିକର ଅବସ୍ଥା ସାଂଘାତିକ ହେବ ଏଥିରେ ଆଦୌ ସନ୍ଦେହ ନାହିଁ। ଭାରତୀୟ ନ୍ୟାୟ ରିପୋର୍ଟ-୨୦୨୫ ଅନୁସାରେ ୨୦୨୨ ସୁଦ୍ଧା ୪ ଲକ୍ଷ ୩୬ ହଜାର କଏଦୀ ରହିବା ନିମନ୍ତେ ଉଦ୍ଦିଷ୍ଟ କାରାଗାରଗୁଡିକରେ ୫ ଲକ୍ଷ ୭୩ ହଜାର କଏଦୀ ରହିଥିଲେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଏହି ହାରରେ ୨୦୩୦ ସୁଦ୍ଧା ଆମ ଦେଶରେ ମୋଟ କଏଦୀଙ୍କ ସଂଖ୍ୟା ୬ ଲକ୍ଷ ୬୦ ହଜାର ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ।
ସାଧାରଣତଃ ସ୍ଥାନ, କାଳ, ପରିସ୍ଥିତି, ଭାବନାତ୍ମକ ଉଦ୍‌ବେଗ ଏବଂ ଆପରାଧିକ ମନୋବୃତ୍ତି ଯୋଗୁ ଜଣେ ଅପରାଧ ଜଗତରେ ପାଦ ଥାପି ଅପରାଧୀ ହୋଇ କାରାଗାରରେ ରହିଥାଏ। କିନ୍ତୁ କାରାଗାର ନିର୍ମାଣର ଉଦ୍ଦେଶ୍ୟ ହେଉଛି ଅପରାଧୀଙ୍କୁ ସୁଧାରିବା ଏବଂ କାରାଗାରରେ ରହିବା ସହ ସମାଜଠାରୁ ସ୍ବତନ୍ତ୍ର ରହି ସ୍ବକୀୟ କର୍ମର ପଶ୍ଚାତ୍ତାପ କରିବା। ଏହା ଅନ୍ୟ ଅର୍ଥରେ ସୁଧାର ଗୃହ। ଏଠାରେ ଅବସ୍ଥାନ କରିବାର ଅର୍ଥ ନୁହେଁ ଦଣ୍ଡ ଭୋଗିବା ବରଂ କୃତକର୍ମକୁ ମାନସିକ ଭାବେ ବିଶ୍ଳେଷଣ କରି ଭବିଷ୍ୟତରେ ଏହା ନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। କିନ୍ତୁ ‘ଇଣ୍ଡିଆ ଜଷ୍ଟିସ ରିପୋର୍ଟ-୨୦୨୫ ଅନୁସାରେ ଭାରତର କାରାଗାରଗୁଡିକର ଯେଉଁ ବିକଳ ଅବସ୍ଥା ତାହା ଏହି ଉଦ୍ଦେଶ୍ୟକୁ ପରିପୂରଣ କରିବାରେ ନିଶ୍ଚିତଭାବେ ଅସମର୍ଥ।
ସ୍ଥାନାଭାବ ଯୋଗୁ ବିଭିନ୍ନ ସମସ୍ୟା ହିଁ ଚିନ୍ତାର କାରଣ। ଏଠାରେ ମାନବାଧିକାର ପ୍ରଶ୍ନ ଉଠିବା ସ୍ବାଭାବିକ ବିଷୟ। କଏଦୀଙ୍କ ମଧ୍ୟରେ ମାନସିକ ରୋଗ ବୃଦ୍ଧି ପାଇବାବେଳେ ଆମ କାରାଗାର ପାଇଁ ଅଛନ୍ତି ମାତ୍ର ୨୫ ଜଣ ମନୋଚିକିତ୍ସକ। ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କାରାଗାରଗୁଡିକରେ ୪୩ ପ୍ରତିଶତ ଚିକିତ୍ସା ଅଧିକାରୀଙ୍କ ସଂଖ୍ୟା ଖାଲି ପଡିଛି। ଅତଏବ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ କଏଦୀମାନେ ମାନସିକ ଏବଂ ଶାରୀରିକ ଉଭୟ କ୍ଷେତ୍ରରେ ଯନ୍ତ୍ରଣାର ଶିକାର ହେବା ସ୍ବାଭାବିକ। ଏହା ସାଙ୍ଗକୁ କାରାଗାରଗୁଡିକରେ ବଞ୍ଚିତ, ନିରକ୍ଷର ଏବଂ ଆର୍ଥିକ ଭାବେ ଦୁର୍ବଳ ତଥା ଅନଗ୍ରସର ବର୍ଗର କଏଦୀଙ୍କୁ ସମୟାନୁସାରେ ବିନା ମୂଲ୍ୟରେ ଆଇନ ସେବା ପ୍ରଦାନ କରାଯାଇପାରୁନାହିଁ। ଅନେକ କାରାଗାର ସଂସ୍କାର କମିଟି ନିଜର ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇପାରିନାହିଁ। ଏହା ବ୍ୟତୀତ ସର୍ବୋଚ୍ଚ ଅଦାଲତ ଦୀର୍ଘକାଳୀନ ଜେଲ ସୁଧାର ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ ମଧ୍ୟ ଆମ ଦେଶର ପ୍ରଶାସନର ଉଦାସୀନତା ଉପରୋକ୍ତ ସମସ୍ୟାକୁ ଦ୍ୱିଗୁଣିତ କରିଛି।
ପରିଶେଷରେ କୁହାଯାଇପାରେ ଯେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି। ଯଦି ଉପଯୁକ୍ତ ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯିବା ସହ ବିଚାରପତି ପଦବୀଗୁଡିକ ସମୟାନୁସାରେ ପରିପୂରଣ କରାଯାଇପାରନ୍ତା ତେବେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ ଘଟନ୍ତା ଏବଂ କାରାଗାରରେ କଏଦୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟନ୍ତା ନାହିଁ। ସୁତରାଂ ସରକାର ଏ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବା ଜରୁରୀ, ଯାହା ଦ୍ୱାରା କାରାଗାରଗୁଡିକର ସମସ୍ୟାର ସମାଧାନ ହୋଇପାରିବ।

ସୁକାନ୍ତ କୁମାର ପଟେଲ
ପାର୍ବତୀ ଭବନ, ବସୁନ୍ଧରା ଲେନ-୨, ବିଡାନାସୀ, କଟକ, ମୋ: ୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?