ନଦୀର ନାମ ନର୍ଦ୍ଦମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ବିଶ୍ୱ ମହାମାରୀ କରୋନାକୁ ପ୍ରତିହତ କରିବାକୁ ଦିଆଯାଇଥିବା ସାମାଜିକ ଦୂରତ୍ୱର ଆହ୍ବାନ ମଧ୍ୟରେ ଏଇ ଚାରିମାସ ହେଲା ବେଶ୍‌ ବଢ଼ିଯାଇଛି ବନ୍ଧୁ, ସମ୍ପର୍କୀୟ ବା ଜ୍ଞାତି ପରିଜନଙ୍କ ମଧ୍ୟରେ ପାର୍ଥିବ ଦୂରତା। ପ୍ରାତଃଚାଲି ସମୟର ଭେଟଭାଟ ବା ସନ୍ଧ୍ୟାକାଳୀନ ବନ୍ଧୁ ମିଳନ ତ ପ୍ରାୟ ସ୍ବପ୍ନ ହୋଇଯାଇଛି ସେଇ ଅଦୃଶ୍ୟ ଭାଇରସ୍‌ ଅସୁରଟିର ଦୟାରୁ। ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକମାନେ ସେହି ଅସୁରଟିର ସହଜ ଶିକାର ହୋଇଯା’ନ୍ତି ବୋଲି ତୁହାକୁ ତୁହା ପ୍ରଚାର ହେଲା ପରେ ବୁଢ଼ାମାନଙ୍କ ସାନ୍ଧ୍ୟ ଆସର ଏକ ପ୍ରକାର ନିର୍ବାସନରେ ବିତାଡ଼ିତ। କାରାକକ୍ଷର କାଳକୋଠରିରେ ଚରମ ଏକାକିତ୍ୱ ମଧ୍ୟରେ ନିଜକୁ ଅବରୁଦ୍ଧ କରି ରଖିବା ହିଁ ଯେମିତି କରୋନାର ପରୋକ୍ଷ ଅଭିଶାପ! କେବଳ ଟେଲିଫୋନ୍‌ ମାଧ୍ୟମରେ ସମବୟସ୍କ ବନ୍ଧୁମାନଙ୍କ ସହ ନିଜକୁ ବାଣ୍ଟିବା ହିଁ ଏକମାତ୍ର ସାନ୍ତ୍ୱନା!!
ସେଦିନ ଏମିତି ଏକ ଫୋନ୍‌ ବାର୍ତ୍ତାଳାପ ମଧ୍ୟରେ ଜଣେ ବନ୍ଧୁଙ୍କଠୁଁ ଶୁଣିବାକୁ ମିଳିଲା ଏକ ଆବେଗସିକ୍ତ ଉଚ୍ଚାରଣ। ବିଶ୍ୱବକ୍ଷରୁ କରୋନାର ବିତାଡ଼ନ ପାଇଁ ସହସ୍ର ସହସ୍ର ସ୍ବାସ୍ଥ୍ୟବିଜ୍ଞାନୀ କୋଟି କୋଟି ଟଙ୍କା ବ୍ୟୟରେ ବହୁବିଧ ଗବେଷଣା ଚାଲୁ ରଖିଥିଲା ବେଳେ ଆମର ଏ ବନ୍ଧୁ ମହାମାରୀର କାରଣ ସମ୍ପର୍କରେ ଏକ ଅଦ୍ଭୁତ ଯୁକ୍ତି ଉପସ୍ଥାପିତ କରି ଏ ଲେଖକକୁ ତଟସ୍ଥ କରି ଦେଇଥିଲେ। ବନ୍ଧୁ କହୁଥିଲେ, ”ଯୁଗ ଯୁଗ ଧରି ପାଣି, ପବନ ଓ ଆଲୋକ ଦେଇ ଏହି ସୃଷ୍ଟିକୁ ବଞ୍ଚାଇ ରଖିଥିବା ପ୍ରକୃତି ଆଉ କେତେ ସହନ୍ତା! ନିଜ ଜ୍ଞାନବିଜ୍ଞାନ ଓ ଧନଯୌବନରେ ଉନ୍ମତ୍ତ ହୋଇ ମଣିଷ ପ୍ରକୃତି ଉପରେ ଯେମିତି ଅତ୍ୟାଚାର କରି ଆସୁଛି, ତାହାର ପରିଣାମ ଆଉ କିଏ ଭୋଗନ୍ତା!! ଏ ସୃଷ୍ଟି କ’ଣ କେବଳ ମଣିଷମାନଙ୍କର ପୈତୃକ ସମ୍ପତ୍ତି? ମଣିଷ ସହ ଏଠାରେ ସୃଷ୍ଟି ହୋଇଥିବା ପଶୁପକ୍ଷୀ, କୀଟପତଙ୍ଗ ସଭିଙ୍କର ସମାନ ଅଧିକାର ଅଛି ବୋଲି ମଣିଷ ବୁଝିଲାନି। ତା’ ଖାଇବା ପାଇଁ ସ୍ରଷ୍ଟା ଏଠି ଏତେ ପ୍ରକାର ଖାଦ୍ୟ ଖଞ୍ଜି ଦେଇଥିଲେ ବି ନିଜ ରସନା ତୃପ୍ତ କରିବାକୁ ସାପ, ବେଙ୍ଗ, ମୂଷା, ବାଦୁଡ଼ି ସମସ୍ତଙ୍କୁ ମାରି ଖାଇଲା ଏ ସର୍ବଗିଳା ମଣିଷ। ତା’ର ଏହି ଅନାଚାରର ପ୍ରତିଶୋଧ ନେବାପାଇଁ ଏବେ ରୁଦ୍ର ରୂପ ଧରି ମୁଣ୍ଡ ଟେକିଛି ପ୍ରକୃତି। ମାତ୍ର ବିଡ଼ମ୍ବନାର ବିଷୟ, ଏତେ ପରାଭବ ଭୋଗିଲା ପରେ ବି ମଣିଷ ତଥାପି ଚେତୁନାହିଁ।“
ଟେଲିଫୋନ୍‌ରେ ସମଗ୍ର ମଣିଷ ଜାତି ବିରୋଧରେ ବିଷୋଦ୍‌ଗାର କରୁଥିବା ବନ୍ଧୁଙ୍କର ଏ କ୍ଷୋଭ ଶେଷ ହୋଇଥିଲା ସଂପୂର୍ଣ୍ଣ ଆଞ୍ଚଳିକ ସ୍ତରରେ, ସେ ରହୁଥିବା ରାଜଧାନୀର ଏକ ଉପାନ୍ତ ଅଞ୍ଚଳର କେତେକ ପରିବେଶ ବିରୋଧୀ ଯୁବକମାନଙ୍କ ନୀତିବହିର୍ଭୂତ କାର୍ଯ୍ୟାନୁଷ୍ଠାନରେ। କଥା ହେଲା, ତାଙ୍କ କଲୋନୀର ମଧ୍ୟସ୍ଥଳରେ ରାସ୍ତା ଉପରେ ଏକ ବୁଲା କୁକୁର ମରି ପଡ଼ିଥିଲା। କୁକୁରଟିର ମୃତ୍ୟୁର କାରଣ ଯାହା ହେଉନା କାହିଁକି, ମ୍ୟୁନିସିପାଲିଟିର ସଫେଇ ଗାଡ଼ିକୁ ବାରମ୍ବାର ଖବର ଦେବା ସତ୍ତ୍ୱେ ସେମାନେ ନ ଆସିବା କାରଣରୁ ଜନ୍ତୁଟିର ଗଳିତ ଶବର ଦୁର୍ଗନ୍ଧ ସମଗ୍ର ପରିବେଶକୁ ବିଷାକ୍ତ କରିଦେଇଥିଲା। ଏମିତି ସମୟରେ କଲୋନୀର କେଇଜଣ ପରିବେଶପ୍ରେମୀ ଯୁବକ କୁକୁରଟିର ଶବ ସତ୍କାର କରିବାକୁ ଆଗେଇ ଆସିଲେ ଓ ସଂପୃକ୍ତ ସଫେଇ କର୍ମଚାରୀଙ୍କ ସମେତ ସମଗ୍ର ମ୍ୟୁନିସିପାଲିଟିର ସପ୍ତପୁରୁଷ ଉଦ୍ଧାର କରି କୁକୁରଟିର ଗଳିତ ଶବକୁ ବୋହି ନେଇ ଅନତି ଦୂରରେ ବହିଯାଉଥିବା କୁଆଖାଇ ନଦୀରେ ବିସର୍ଜନ କରିଆସିଲେ।
ପ୍ରଚଣ୍ଡ କ୍ରୋଧରେ ଥରୁଥିଲେ ବନ୍ଧୁ। ଟେଲିଫୋନ୍‌ରେ ଏହି ସମବୟସ୍କ ବନ୍ଧୁଟି ପାଖରେ ପେସ୍‌ କରୁଥିଲେ ତାଙ୍କ ଅସ୍ବସ୍ତି ଓ ଅଶାନ୍ତି। ”ଆମର କି ଅଧିକାର ଅଛି ଚାଇନାର ଉହାନ ସହରର ସେଇ ବାଦୁଡ଼ିଖିଆ ମଣିଷଙ୍କୁ ଆଜିର ଏ ବିଶ୍ୱ ବିତ୍ପାତ ପାଇଁ ଦାୟୀ କରିବାକୁ! ସାପ, ବେଙ୍ଗ ବା କୁକୁର, ବାଦୁଡ଼ିଙ୍କ ମାଂସ ଖାଇ ସେମାନେ ଏକ ଅସନ୍ତୁଳିତ ପରିବେଶ ପାଇଁ ଯେତିକି ଦାୟୀ, ଏକ କୁକୁରର ଗଳିତ ଶବକୁ ନଦୀକୁ ଫିଙ୍ଗି ଆମେ ସେମାନଙ୍କଠୁଁ କୋଉ କମ୍‌ ଦାୟୀ ଯେ!! ସରକାରଙ୍କ ଜଳଯୋଗାଣ ସଂସ୍ଥା କୁଆଖାଇ ନଦୀର ଜଳକୁ ଯେତେ ବିଶୋଧନ କରି ଛାଡ଼ିଲେ ବି ପାଣି ପିଇବା ବେଳେ ସେଇ କୁକୁରଟିର ଗଳିତ ଶବ ମୋ ଆଖି ଆଗରେ ନାଚି ଯାଉଛି ଓ ପାଣି ପ୍ରତି ବିକାର ଆସୁଛି। ଇତର ପଶୁମାନେ ଆଖିବୁଜି ନର୍ଦ୍ଦମା ପାଣି ପିଇଲା ଭଳି ଆମେ ଆଖି ବୁଜି ସେଇ ପାଣି ପିଇବାକୁ ପଡୁଛି।“
ବନ୍ଧୁ ତାଙ୍କର ଅସ୍ବସ୍ତି ବୟାନ କରି ଫୋନ୍‌ ରଖିଦେଲେ। ଯେକୌଣସି ଅବ୍ୟବସ୍ଥା ବିରୁଦ୍ଧରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ସବୁବେଳେ ଏହିଭଳି। କେଇ ସମୟ ପାଇଁ ହୋହଲ୍ଲା, ପାଟିତୁଣ୍ଡ ବା ଅତି ବେଶିରେ ସରକାରୀ ଦପ୍ତର ଆଗରେ ମିଳିତ ହଟ୍ଟଗୋଳ। ଅବସ୍ଥା ଅସମ୍ଭାଳ ହେଲେ କର୍ତ୍ତୃପକ୍ଷଙ୍କ ଆବିର୍ଭାବ ଓ ଘଟଣାର ତଦନ୍ତ ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ମିଳିଲା ପରେ ବେଶ୍‌ କିଛିଦିନ ପାଇଁ ନିର୍ବାସନରେ ଚାଲିଯାଏ ଲୋକମାନଙ୍କର ପ୍ରତିବାଦ ଓ ପ୍ରତିକ୍ରିୟା। ଅବ୍ୟବସ୍ଥା ସେମିତି ଲମ୍ବି ଲମ୍ବି ଚାଲିଥାଏ ଓ ଉଦାସୀନତାର ନିଦବଟିକା ଖାଇ ବାଧ୍ୟ ନିଦ୍ରାରେ ଶୋଇ ଘୁଙ୍ଗୁଡି ମାରୁଥାନ୍ତି ସାଧାରଣ ଜନତା!!!
କୁଆଖାଇ ନଦୀରେ ଗୋଟିଏ କୁକୁରର ଗଳିତ ଶବ ପ୍ରକ୍ଷେପଣକୁ ନେଇ ମୁଣ୍ଡ କୋଡ଼ି ହେଉଥିବା ବନ୍ଧୁଙ୍କୁ କିଏ କେମିତି ବୁଝନ୍ତା ଯେ କେବଳ କୁଆଖାଇ ନୁହେଁ କି ଓଡ଼ିଶାର ନଦୀସମୂହ ନୁହେଁ, ସମଗ୍ର ଭାରତବର୍ଷର କୌଣସି ନଦୀ ଆଉ ସେହି ପ୍ରାଚୀନ ଦେବକନ୍ୟାର ପ୍ରତିରୂପ ହୋଇ ପ୍ରବାହିତ ହେଉନାହାନ୍ତି। ଧୋବାଘାଟଠୁଁ ଆରମ୍ଭ କରି ଗୋରୁମଇଁଷିଙ୍କ ଗାଧୁଆ ତୁଠ ଯାଏ ବିଭିନ୍ନ ଭାବେ ଯାବତୀୟ ପ୍ରଦୂଷଣ ମଧ୍ୟରେ ଏମାନଙ୍କର ପବିତ୍ରତା ଏମିତି ନଷ୍ଟଭ୍ରଷ୍ଟ ହୋଇଯାଇଛି ଯେ ତାକୁ ମୁହଁରେ ଦେବା ଦୂରେ ଥାଉ, ଚର୍ମରୋଗ ଭୟରେ ତହିଁରେ ସ୍ନାନ କରିବାକୁ ବି ଦୁଇଥର ଚିନ୍ତା କରିବାକୁ ପଡ଼ିବ। ଶିଶୁଙ୍କ ଡାଇପରଠାରୁ ମହିଳାଙ୍କ ମାସିକ ପ୍ୟାଡ୍‌ ଯାଏ, ଯିଏ ଯାହା ପାଇଲା ତାକୁ ନେଇ ନଦୀଗର୍ଭରେ ବିସର୍ଜନ କରିବା ଯେମିତି ଏକ ଅଲିଖିତ ଆଇନ। ପୁଣି ଏସବୁ ବ୍ୟକ୍ତି-ବ୍ୟଭିଚାର ବାହାରେ ନଦୀ ପାର୍ଶ୍ୱରେ ଗଢ଼ି ଉଠିଥିବା ବିଭିନ୍ନ କଳକାରଖାନାର ବିଷାକ୍ତ ଅବଶେଷଗୁଡ଼ିକର ଶେଷ ଠିକଣା ପାଲଟିଯାଏ ଏହିସବୁ ନଦୀ, ଯେମିତି ସହରର ନାଳନର୍ଦ୍ଦମାର ସଙ୍ଗମସ୍ଥଳ ଥାଏ କଟକର କାଠଯୋଡ଼ି, କଲିକତାର ହୁଗୁଳି ଓ ବାରାଣସୀର ଗଙ୍ଗା ଭଳି ନଦୀସମୂହ।
କେଇ ବର୍ଷ ତଳେ ଜଣେ ବନ୍ଧୁ ତାଙ୍କ ପରଲୋକଗତ ପିତାଙ୍କ ଅସ୍ଥି ବିସର୍ଜନ କରିବାକୁ ବାରାଣସୀ ଯାଇଥିଲେ। ପୁରୀ ସ୍ବର୍ଗଦ୍ୱାରରେ ଶବ ସତ୍କାର କଲେ ମୃତକ ସିଧାସଳଖ ସ୍ବର୍ଗ ଯାତ୍ରା କରନ୍ତି ବୋଲି ଯେଉଁ ବିଶ୍ୱାସଟିଏ ଆମ ଓଡ଼ିଆଙ୍କ ଚେତନାରେ ବସା ବାନ୍ଧି ରହିଛି ତାହାର ଏକ ପରିବର୍ଦ୍ଧିତ ସଂସ୍କରଣ ହେଉଛି ସ୍ବର୍ଗଦ୍ୱାରରୁ ଅସ୍ଥି ସଂଗ୍ରହ କରି ତାକୁ ନେଇ ବାରାଣସୀର ଗଙ୍ଗା ଗର୍ଭରେ ବିସର୍ଜନ କରିବା। ତଦନୁଯାୟୀ ବନ୍ଧୁଙ୍କର ବାରାଣସୀ ଯାତ୍ରାରେ ସେ ଯେଉଁ ଅନୁଭୂତି ଅର୍ଜନ କରି ଫେରିଥିଲେ ଅତ୍ୟନ୍ତ ବିରକ୍ତିର ସହ ବୟାନ କରି ସେ କହୁଥିଲେ, ”ତାହା କ’ଣ ସେହି ପୁରାଣବର୍ଣ୍ଣିତ ହିମାଳୟସମ୍ଭୂତା ପୁଣ୍ୟତୋୟା ଗଙ୍ଗା, ଯେଉଁ କର୍ଦ୍ଦମାକ୍ତ ଜଳରେ ମୁଁ ଆଖି ବୁଜି ନାକ ବନ୍ଦ କରି ଅତି କଷ୍ଟରେ ବୁଡ଼ଟିଏ ପକାଇ ଉଠି ପଡ଼ିଥିଲି!“
ଗ୍ରୀକ୍‌ ଦାର୍ଶନିକ ହେରାକ୍ଲିଟସ୍‌ ଏକଦା କହିଥିଲେ, ”ଏକା ନଦୀରେ ତୁମେ ଦୁଇଥର ଗାଧୋଇ ପାରିବ ନାହିଁ!“ କଥାଟି ଯେଉଁ ତତ୍ତ୍ୱ ଆଧାରିତ ଦର୍ଶନ ହୋଇଥାଉ ନା କାହିଁକି, ଆମେ ବାଲ୍ୟକାଳରେ ଯେଉଁ ନଦୀରେ ଗାଧୋଇଥିଲେ ସଭ୍ୟତାର ବିକାଶ ଓ ଆଧୁନିକତାର ଆବାହନ ମଧ୍ୟରେ ସେ ନଦୀ ଏମିତି ପ୍ରଦୂଷିତ ହୋଇଯାଇଛି ଯେ ଦ୍ୱିତୀୟ ବାର ସେ ନଦୀରେ ଗାଧୋଇବାକୁ ଆଉ ମନ କହିବ ନାହିଁ। ବିଜ୍ଞାନ ମାନବ ସଭ୍ୟତାକୁ ବହୁଭାବେ ବିକଶିତ କରିଥିଲେ ମଧ୍ୟ ନଦୀ କୁହାଯାଉଥିବା ପ୍ରକୃତିର ଏହି ମହତ୍‌ ଦାନକୁ ମଣିଷ ବିକଶିତ କରିବା ପରିବର୍ତ୍ତେ ନିରନ୍ତର ନର୍ଦ୍ଦମାରେ ପରିଣତ କରିଚାଲିଛି, ଯେଉଁଥିପାଇଁ ଶ୍ରାବଣର ଆଦ୍ୟ ପର୍ବରେ ମଧ୍ୟ ପୂର୍ଣ୍ଣଗର୍ଭା ନଦୀ ଶୂନ୍ୟଗର୍ଭା ଦିଶୁଛି।
ଜଳ ହିଁ ପ୍ରତ୍ୟେକ ଜୀବନର ସଂଜୀବନୀ ଶକ୍ତି। ବିଶାଳ ଜଳରାଶିକୁ ନିଜ ଗର୍ଭରେ ଧାରଣ କରି କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା ପ୍ରତ୍ୟେକ ନଦୀ ସମଗ୍ର ପ୍ରାଣୀ ଜଗତର ରକ୍ଷା କବଚ। ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ପ୍ରାନ୍ତରେ ପ୍ରବହମାନ ନଦୀ ସମୂହ ସେହି ଭୂଖଣ୍ଡର ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଆମ ଜନ୍ମଭୂମି ଭାରତବର୍ଷର ବକ୍ଷଦେଶରେ ପ୍ରବାହିତ ପ୍ରତ୍ୟେକ ନଦୀ ଏହି ଭୂଖଣ୍ଡର ଗୌରବୋଜ୍ଜ୍ୱଳ ଐତିହ୍ୟର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ସ୍ବାକ୍ଷର। ଗଙ୍ଗାଠାରୁ ଗୋଦାବରୀ ଯାଏଁ, ପୁଣି କୃଷ୍ଣାଠାରୁ କାବେରୀ ପର୍ଯ୍ୟନ୍ତ ସମସ୍ତ ନଦୀ ଯୁଗ ଯୁଗ ଧରି ବୈଶିଷ୍ଟ୍ୟମୟ ଭାରତର ଆଦିପର୍ବର ପ୍ରଥମ ପରିଚୟ। ସେହିପରି ଚିରସଲିଳା ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ବା ବୈତରଣୀ ଉତ୍କଳୀୟ ଭୂଗୋଳର ଉଜ୍ଜ୍ୱଳ ସଙ୍କେତ, ଓଡ଼ିଶା ଇତିହାସର ଅମ୍ଳାନ ସ୍ବାକ୍ଷର ଓ ସର୍ବୋପରି ଓଡ଼ିଆ ଜାତିର ଦୀପ୍ତିମାନ ଜୀବନରେଖା। ମଣିଷ ଆୟୁଷର ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସେ ଆସେ ଓ ପୁଣି ଚାଲିଯାଏ। ମାତ୍ର ଯୁଗ ଯୁଗ ଧରି ପ୍ରତ୍ୟେକ ମଣିଷକୁ ବଞ୍ଚାଇ ରଖିଥିବା ନଦୀ ଅକ୍ଷୟ, ଅମର ଓ ଚିର ଆୟୁଷ୍ମାନ୍‌। ସେ ଆମକୁ ବଞ୍ଚାଏ, ବଢ଼ାଏ ଓ ସଂସାରରୁ ବିଦାୟ ନେଲାପରେ ଆମ ଅସ୍ଥିକୁ ତା’ ଗର୍ଭରେ ସାଇତି ରଖେ। ସେ ଆମ ସଭ୍ୟତା ଓ ସଂସ୍କୃତିକୁ ଅନନ୍ତ କାଳ ଯାଏଁ ସମୃଦ୍ଧ କରି ଚାଲିଥାଏ ନିଜ ପ୍ରବାହର ଛଳ ଛଳ ରାଗିଣୀରେ। ସୁତରାଂ, ଆସନ୍ତୁ! ନଦୀକୁ ସବୁମତେ ରକ୍ଷା କରିବା, ସମ୍ମାନ ଜଣାଇବା ଓ ଗର୍ବର ସହ ତା’ର ଜୟଗାନ କରି କହିବା, ‘ନଦୀ ଆମର ଓ ଆମେ ନଦୀର’!

ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri