ଶିବରାତ୍ରିର ରହସ୍ୟ

ଜଗଦାନନ୍ଦ ଜୀ

ଶିବ ପୁରାଣର କୋଟିରୁଦ୍ର ସଂହିତାରେ ଉଲ୍ଲେଖ କରାଯାଇଛି ଶିବରାତ୍ରି ବ୍ରତ ଭକ୍ତ, ସାଧକ, ଉପାସକ ପୂଜା ଅନୁଷ୍ଠାନ କରିବା ଦ୍ୱାରା ଭୋଗ ଓ ମୋକ୍ଷ ପ୍ରାପ୍ତିର ଅଧିକାରୀ ହୋଇଥାଏ। ଏକଦା ବ୍ରହ୍ମା,ବିଷ୍ଣୁ ତଥା ପାର୍ବତୀ ମହାନ୍‌ ଶିବରାତ୍ରିର ପୁଣ୍ୟଫଳ ବିଷୟରେ ଜାଣିବାର ଆଗ୍ରହ କରି ମହାଦେବଙ୍କୁ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମହାଦେବ କହିଥିଲେ, ମୋକ୍ଷାର୍ଥ ମୋକ୍ଷକୁ ପ୍ରାପ୍ତ କରିବା ପାଇଁ ଚାରୋଟି ବ୍ରତ ନିୟମପୂର୍ବକ ପାଳନ କଲେ ମଙ୍ଗଳ ହୋଇଥାଏ। ଯଥା ଭଗବାନ ଶିବଙ୍କର ପୂଜା, ରୁଦ୍ର ମନ୍ତ୍ର ଜପ, ଶିବ ମନ୍ଦିରରେ ଜାଗର ଉପବାସ, କାଶୀ କ୍ଷେତ୍ରରେ ଶରୀର ତ୍ୟାଗ। ଶିବ ପୁରାଣରେ ମୋକ୍ଷାର୍ଥର ମୋକ୍ଷ ଏହି ଚାରୋଟି ସନାତନ ମାର୍ଗ ଭାବରେ କୁହାଯାଇଛି। ଏହି ଚାରୋଟି ମଧ୍ୟରେ ଶିବ ମନ୍ଦିରରେ ଜାଗର ଉପବାସର ବିଶେଷ ମହତ୍ତ୍ୱ ରହିଛି। ନିଷ୍କାମ ଓ ସକାମ ଭାବରେ ସମସ୍ତ ମନୁଷ୍ୟ ବର୍ଣ୍ଣ ଆଶ୍ରମ, ସ୍ତ୍ରୀ, ବାଳକ ତଥା ଦେବତାଙ୍କ ପାଇଁ ସର୍ବଶ୍ରେଷ୍ଠ ମଙ୍ଗଳମୟ ଭାବରେ ଗ୍ରହଣ କରାଯାଇଛି। ପ୍ରାୟତଃ ସମସ୍ତ ଦେବଦେବୀଙ୍କ ପୂଜା, ବ୍ରତ, ଅନୁଷ୍ଠାନ ଦିନରେ ହିଁ ଅନୁଷ୍ଠିତ ହେବା କ୍ଷେତ୍ରେ ଭଗବାନ ଶିବଙ୍କ ରାତ୍ରି ପୂଜା କାହିଁକି ପ୍ରିୟ? ଏହା ମଧ୍ୟ ଫାଲ୍‌ଗୁନ ଚତୁର୍ଦ୍ଦଶୀ ତିଥିରେ? ଏହାକୁ ନେଇ ଅନେକ ବିଦ୍ବାନ୍‌ ଗୁଣୀ, ଜ୍ଞାନୀ ମତ ପ୍ରକାଶକରି କୁହନ୍ତି, ମହାଦେବ ଶିବ ସଂହାର ଶକ୍ତି, ତମଗୁଣର ଅଧିଷ୍ଠାତା ଅଟନ୍ତି, ଅତଃ ତମୋମୟୀ ରାତ୍ରି ତାଙ୍କର ପ୍ରିୟ ହେବା ସ୍ବାଭାବିକ। ରାତ୍ରି ସଂହାର କାଳର ପ୍ରତିନିଧି ଓ ରାତ୍ରିର ଆଗମନରେ ସର୍ବପ୍ରଥମେ ପ୍ରକାଶର ସଂହାର ଏବଂ ଶେଷରେ ନିଦ୍ରା ଦ୍ୱାରା ଚେତନାର ସଂହାର ହୋଇ ସମ୍ପୂର୍ଣ୍ଣ ବିଶ୍ୱ ସଂହାରିଣୀ ରାତ୍ରିର କୋଳରେ ଅଚେତ ହୋଇଯାଆନ୍ତି। ଏହି ବିଶେଷ କାରଣ ଯୋଗୁ ପ୍ରାକୃତିକ ଦୃଷ୍ଟିରୁ ଶିବଙ୍କର ରାତ୍ରି ଅତିପ୍ରିୟ ହୋଇଥାଏ। ସେଥିପାଇଁ ଶଙ୍କରଙ୍କର ଆରାଧନା କେବଳ ରାତ୍ରିର ପ୍ରାରମ୍ଭରେ କରାଯାଏ।
ଶିବରାତ୍ରି କୃଷ୍ଣପକ୍ଷରେ ହେବା ସ୍ବାଭାବିକ। ଶୁକ୍ଳପକ୍ଷରେ ଚନ୍ଦ୍ରମା ସବଳ ହୋଇ କୃଷ୍ଣପକ୍ଷରେ କ୍ଷୀଣ ହୁଅନ୍ତି। ତାଙ୍କରି ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସଂସାରରେ ସମ୍ପୂର୍ଣ୍ଣ ରସମାନ ପଦାର୍ଥ ବୃଦ୍ଧି ଓ କ୍ଷୟ ହେବା ସ୍ବାଭାବିକ ଓ ପ୍ରତ୍ୟକ୍ଷ । କ୍ରମଶଃ ଚନ୍ଦ୍ର ଅମାବାସ୍ୟା ବେଳକୁ ସମ୍ପୂର୍ଣ୍ଣ କ୍ଷୀଣ ହୋଇ ଯାଆନ୍ତି। ସଚରାଚର ଜଗତର ମନର ଅଧିଷ୍ଠାତା ଚନ୍ଦ୍ରମା କ୍ଷୀଣ ହେବାମାତ୍ରେ ତା’ର ପ୍ରଭାବ ଅଣ୍ଡ, ପିଣ୍ଡ, ବାଧ ଅନୁଯାୟୀ ସମ୍ପୂର୍ଣ୍ଣ ଭୂମଣ୍ଡଳ ଉପରେ ପଡ଼ିଥାଏ ଏବଂ ଜୀବର ଅନ୍ତକରଣରେ ତାମସୀ ଶକ୍ତି ପ୍ରବୃଦ୍ଧ ହୋଇ ଅନେକ ପ୍ରକାର ନୈତିକ ଓ ସାମାଜିକ ଅପରାଧର କାରଣ ହୋଇଥାଏ। ଏହି ଶକ୍ତିଗୁଡ଼ିକର ଆଧ୍ୟାତ୍ମିକ ଶବ୍ଦ ବା ଭାଷାରେ ଭୂତ ପ୍ରେତାଦି କୁହାଯାଏ। ତେଣୁ ଶିବଙ୍କୁ ଏମାନଙ୍କର ନିୟନ୍ତ୍ରକ ଭାବେ ଗ୍ରହଣ କରାଯାଇଛି। ଦିନରେ ଯଦ୍ୟପି ଜଗଦାତ୍ମା ସୂର୍ଯ୍ୟ ସ୍ଥିତିରେ ଆତ୍ମତତ୍ତ୍ୱର ଜାଗୁରକତା। ସେହି କାରଣ ଯୋଗୁ ଏହି ତାମସୀ ଶକ୍ତି ନିଜର ବିଶେଷ ପ୍ରଭାବ ଦେଖାଇ ନ ଥାଏ। କିନ୍ତୁ ଚନ୍ଦ୍ର ବିହୀନ ଅନ୍ଧକାର ରାତ୍ରିର ଆଗମନ ହେବା ସଙ୍ଗେ ସଙ୍ଗେ ନିଜର ପ୍ରଭାବ ଦେଖାଇଥାଏ। ସେଥିପାଇଁ ଚନ୍ଦ୍ରକ୍ଷୟ ଅମାବାସ୍ୟା ତିଥି ଆସିବା ପୂର୍ବରୁ ସମ୍ପୂର୍ଣ୍ଣ ତାମସୀ ବୃତ୍ତି ଉପାସନାର୍ଥେ ଏହି ବୃତ୍ତିର ଏକମାତ୍ର ଅଧିଷ୍ଠାତା ଭଗବାନ ଆଶୁତୋଷଙ୍କ ଆରାଧନା କରିବାର ବିଧାନ ଶାସ୍ତ୍ରକାରମାନେ ନିର୍ଣ୍ଣୟ କରିଛନ୍ତି। ତେଣୁ ଶିବ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଉପାସନାର ସ୍ବତନ୍ତ୍ରତା ରହିଛି।
ଆଉ ଏକ ରହସ୍ୟମୟ ଗାଥା ଅନୁସାରେ କଳ୍ପର ପ୍ରାରମ୍ଭରେ ଭଗବାନ ବ୍ରହ୍ମା କ୍ଷୀରସାଗରରେ ପହଞ୍ଚି ସେଠାରେ ସେ ଦେଖିଲେ ଭଗବାନ ନାରାୟଣ ଶେଷନାଗଙ୍କ ଉପରେ ବିଶ୍ରାମ କରୁଛନ୍ତି। ଭୂମିଦେବୀ, ଶ୍ରୀଦେବୀ, ମହାଲକ୍ଷ୍ମୀ ଭଗବାନଙ୍କ ଶ୍ରୀଚରଣ ସେବା କରୁଛନ୍ତି। ବ୍ରହ୍ମା ଏଭଳି ଦୃଶ୍ୟ ଦେଖି କ୍ରୋଧକୁ ସମ୍ଭାଳି ନ ପାରି ନାରାୟଣଙ୍କ ସମ୍ମୁଖକୁ ଯାଇ ପଚାରିଲେ କିଏ ତୁମେ ? ଉଠ ଦେଖ ମୁଁ ତୁମର ସ୍ବାମୀ, ଜଗତପିତା ସମ୍ମୁଖରେ ଉପସ୍ଥିତ ହୋଇଛି। ଭଗବାନ ନାରାୟଣ କହିଲେ, ତୁମେ ସ୍ବୟଂ ମୋ ନାଭିକମଳରୁ ଜାତ ହୋଇଛ, ଏଣୁ ତୁମେ ମୋର ପୁତ୍ର। ଦୁହିଁଙ୍କ ମଧ୍ୟରେ ବାଦବିବାଦ ଆରମ୍ଭ ହୋଇ ମହା ବିନାଶକାରୀ ଯୁଦ୍ଧରେ ପରିଣତ ହୋଇଥିଲା। ଦେବଗଣ ଏହା ଦେଖି ମହାଦେବଙ୍କ ନିକଟକୁ ଯାଇ ସୃଷ୍ଟି ରକ୍ଷା ନିମନ୍ତେ ପ୍ରାର୍ଥନା କରିଥିଲେ। ମହାଦେବ ସେହି ସମୟରେ ଉଭୟ ଯୁଦ୍ଧ କରୁଥିବା ସ୍ଥାନ ମଧ୍ୟରେ ଜ୍ୟୋତିର୍ମୟ ସ୍ତମ୍ଭରୂପେ ପ୍ରକଟିତ ହୋଇଥିଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ବାରା ପ୍ରୟୋଗ ହୋଇଥିବା ମହେଶ୍ବର ଓ ପାଶୁପତ ଅସ୍ତ୍ର ଧୀରେ ଧୀରେ ସେହି ଜ୍ୟୋତିର୍ମୟ ଲିଙ୍ଗରେ ଲୀନ ହୋଇଥିଲା। ବ୍ରହ୍ମା ଓ ବିଷ୍ଣୁ ଉଭୟେ ସେହି ସ୍ତମ୍ଭ ବା ଲିଙ୍ଗର ପୂଜାର୍ଚ୍ଚନା ଆରମ୍ଭ କଲେ। ଏହି ଲିଙ୍ଗ ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପ୍ରକଟ ହୋଇଥିବା ଯୋଗୁ ସେଦିନରୁ ଲିଙ୍ଗ ପୂଜା ହୋଇ ଆସୁଛି। ବ୍ରହ୍ମା ଓ ବିଷ୍ଣୁ ଉଭୟେ ପଚାରିଲେ ମହାଭାଗ ଆମେ ଲିଙ୍ଗର ଆଦିଅନ୍ତ ପ୍ରାପ୍ତ କରିପାରିଲୁ ନାହିଁ, ମନୁଷ୍ୟ କେମିତି ପୂଜାର୍ଚ୍ଚନା କରିବ। ମହାଦେବ ଏହି ଲିଙ୍ଗକୁ ଦ୍ବାଦଶ ଜ୍ୟୋତି ଲିଙ୍ଗରେ ବିଭକ୍ତ କଲେ। ଏହି ଦିନକୁ ମହାଶିବରାତ୍ରି ଭାବରେ ଆମେ ସମସ୍ତେ ପାଳନ କରି ଆସୁଅଛୁ।
ସଂସ୍କୃତି ଗବେଷକ,ଜୟପୁର, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri