ଆଗକୁ ଆସୁଛି ପାର୍ବଣୟ ଋତୁ: ଦୋଛକିରେ ଜରିମେଢ଼ କାରିଗରଙ୍କ ଜୀବିକା

ଚୌଦ୍ୱାର,୯। ୮(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ, ଶଟ୍‌ଡାଉନ ନୀତି ଆପଣାଉ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବାସୀ ଓଡ଼ିଆ ରୋଜଗାର ଆଶାରେ ପୁଣି ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ଅନ୍ୟ କେତେଜଣ ଜୀବିକା ପନ୍ଥା ବଦଳାଇବାରେ ଲାଗିଛନ୍ତି। ଏହାକୁ ଲକ୍ଷ୍ୟ ରଖି ସରକାର କିଛିଦିନ ହେବ ନୀତିନିୟମ ଓ କଟକଣା ଉପରେ କିଛି କୋହଳ ମନୋଭାବ ପ୍ରତିପୋଷଣ କରିଛନ୍ତି। ହେଲେ ବିବାହ, ବ୍ରତ, ପୂଜାପାର୍ବଣ, ଜାନିଯାତ୍ରା, ମନ୍ଦିର ମଠ ଉପରେ ଏଯାବତ୍‌ କଟକଣା ଲାଗୁ ରହିଛି। ଏହି ପରିପ୍ରେକ୍ଷୀରେ ବିଶେଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ଜରିମେଢ଼ ତିଆରିରେ ପରିବାର ପ୍ରତିପୋଷଣ କରୁଥିବା କାରିଗର ପରିବାରର ଲୋକେ। ଆଗକୁ ଖୁଦୁରକୁଣୀ, ଗଣେଶ ପୂଜା, ଦୁର୍ଗା ପୂଜା ଭଳି ପାର୍ବଣୟ ଋତୁ ଆସୁଛି। ଠିକଣା ସମୟରେ କାର୍ଯ୍ୟ ସାରିବାକୁ ମେଢ଼ କାରିଗରଙ୍କ ପାଖରେ ବର୍ଷ ଆରମ୍ଭରୁ ମେଢ଼ ତିଆରି ପାଇଁ ବିଭିନ୍ନ ପୂଜା ମଣ୍ଡପରୁ ଆସିଥାଏ ଅଗ୍ରିମ ଟଙ୍କା। ହେଲେ ଚଳିତବର୍ଷ ଏପର୍ଯ୍ୟନ୍ତ କୌଣସିଠାରୁ ଅଗ୍ରିମ ଟଙ୍କା ଆସି ନ ଥିବା କଟକ ଜିଲା ଚୌଦ୍ୱାର ଅଞ୍ଚଳର ଚଷାପଡ଼ା, ପାଇକରାପୁର ଓ ଗୋଡ଼ିପାଟଣାରେ ଜରିମେଢ କାର୍ଯ୍ୟ କରି ପେଟ ପୋଷୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର କାରିଗରମାନେ କହିଛନ୍ତି। ତଥାପି କରୋନା ହାରିବ, ଆଉ ଦେବଦେବୀଙ୍କ ପୂଜା ହେବ ବୋଲି କାରିଗରମାନେ ମନରେ ଆଶା ଓ ବିଶ୍ୱାସ ରଖିଛନ୍ତି। ଏହି ଆଶା ନେଇ ପରିବାରର ମହିଳା, ପିଲାଠାରୁ ସମସ୍ତ ସଦସ୍ୟ କାଗଜ ଓ ଜରିରେ ମେଢ଼ ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବାଉଁଶ ବତା, କାଗଜ, ଜରି, ନାନା ରଙ୍ଗର ଭେଲବେଟ୍‌ ଚୁମୁକି ଓ ମାଳି ପ୍ରଭୃତି କୋଲକାତାରୁ ଆଣି ଘରେ ରଖିଛନ୍ତି। ହୁଏତ ପୂଜା ପାର୍ବଣ ପାଇଁ ସାମାନ୍ୟ କଟକଣା ହଟିଯାଇପାରେ ବୋଲି ରାମଚନ୍ଦ୍ର ଗିରି, ବିଭୂତି ଭୂଷଣ ରାଉତ, ଆଶିଷ ଗିରି ମେଢ଼ କାରିଗର କୁହନ୍ତି। ଏବେ ମେଢ଼ ସବୁ ପ୍ରାୟ ଚାନ୍ଦିରେ ହେଉଥିଲେ ମଧ୍ୟ ଜରି ମେଢ଼ର ମଧ୍ୟ ଚାହିଦା କମି ନାହଁି ବୋଲି ପାଇକରାପୁରର ପୁରଣା କାରିଗର ରାମଚନ୍ଦ୍ର ଗିରି କୁହନ୍ତି। ୧୯୬୦ରେ ଏହି ମେଢ଼ ମାତ୍ର ୬୦ ଟଙ୍କାରେ ମିଳୁଥିବା ବେଳେ ଏବେ ମେଢ଼ର ମୂଲ୍ୟ ୧୦ହଜାରରୁ ଆରମ୍ଭ କରି ଦେଢ଼ଲକ୍ଷ ଟଙ୍କାରେ ପହଞ୍ଚତ୍ଲାଣି। ବରାଦ ମୁତାବକ ଜରି ଓ କାଗଜ ତିଆରି ମେଢ ତିଆରି କରାଯାଏ। ଏଠି ତିଆରି ହେଉଥିବା ମେଢ଼ର ଚାହିଦା ଥିବାରୁ କଟକ, ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ଚଣ୍ଡିଖୋଲ ସମେତ ରାଜ୍ୟ ବାହାରକୁ ମଧ୍ୟ ମେଢ଼ ଯାଏ। ତେବେ ବର୍ତ୍ତମାନର ସ୍ଥିତି ସଙ୍ଗିନ ଥିବାରୁ ପରିବାର ପ୍ରତିପୋଷଣ ଦୁର୍ବିଷହ ହୋଇପଡ଼ିଛି। କେତେଜଣ କାରିଗର ପେଟ ପୋଷିବା ପାଇଁ କୌଳିକ ବୃତ୍ତିକୁ ଭୁଲି ଅନ୍ୟ ପନ୍ଥା ଆପଣାଇଲେଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି ସରକାରୀ ସହାୟତା ମିଳନ୍ତା, ତାହାହେଲେ ଆଗାମୀ ପିଢି ଏହି କାମକୁ ଆପଣାଇପାରନ୍ତେ ବୋଲି କାରିଗର ସୁସନ୍ଧ୍ୟା ପ୍ରଧାନ, ସୁଧାକର ପାଣୁ କୁହନ୍ତି। ସୂଚନା ଥାଉ କି, ଗତ ୨ ମାସ ତଳେ କଟକ ଏବଂ ଚୌଦ୍ୱାର ଅଞ୍ଚଳର ୭୦ରୁ ଊର୍ଦ୍ଧ୍ୱ ଜରିମେଢ କାରିଗର ସରକାରଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦିଲୀପ ପଣ୍ଡା ଓ ଦେବେନ୍ଦ୍ର ରାଉତ କହିଛନ୍ତି।