ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ସଙ୍ଗୀନ ମାମଲାରେ ସଂପୃକ୍ତ ସ୍ବାମୀ କରୁଣା ମୁଦୁଲି, ଶ୍ୱଶୁର କୁମ ମୁଦୁଲି ଓ ଶାଶୁ ଧନେଶ୍ୱର ମୁଦୁଲିଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କୁ ପ୍ରଥମେ JMFC କୋର୍ଟ ଓ ପରେ ଜିଲା କୋର୍ଟକୁ ପଠାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଓଡ୍ରି ପଞ୍ଚାୟତ ବଡ଼ ବୋଫଲା ଗ୍ରାମର ଭଜମନ ନାଏକଙ୍କ ଝିଅ ବନିତା ପ୍ରାୟ ୪ ମାସ ତଳେ ମହୁଲ ପାଟଣା ପଞ୍ଚାୟତ କାଦୋବେଡ଼ା ଗ୍ରାମର କରୁଣା ମୁଦୁଲିଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଗତ ଶୁକ୍ରବାର ସକାଳେ ପାରିବାରିକ କଳହକୁ କେନ୍ଦ୍ର କରି ଶ୍ୱଶୁର ଘର ଲୋକେ ବନିତାଙ୍କୁ ଅମାନୁଷିକ ଭାବେ ଲାତ, ବିଧା ଓ ଗୋଇଠା ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅତି ଚତୁରତାର ସହ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅଭିଯୁକ୍ତମାନେ ବନିତାଙ୍କ ମୃତଦେହକୁ ଘର ଭିତରେ ଏକ ଖଟ ଉପରେ ଶୁଆଇ ଦେଇଥିଲେ।
ଭଜମନ ନାଏକଙ୍କ ଅଭିଯୋଗ କ୍ରମେ ଥୁଆମୂଳ ରାମପୁର ଥାନାରେ କେସ ନମ୍ବର ୫୨/୨୬ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ସଦର ଏସଡିପିଓ (SDPO) ନରେଶ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଭବାନୀପାଟଣାରୁ ଆସିଥିବା ଏକ ସାଇଣ୍ଟିଫିକ ଟିମ୍ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ଏସଆଇ (SI) ସନ୍ତୋଷ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କ ସଂପୃକ୍ତି ସ୍ପଷ୍ଟ ହେବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ରବିବାର ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ତଥ୍ୟକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।