ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ ଦଳର ସକ୍ରିୟ କର୍ମକର୍ତ୍ତା ଅଜିତ ସାହୁ (ଜିତୁ)ଙ୍କର ୩୮ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସୂଚନା ଅନୁସାରେ, ଗତ କିଛି ଦିନ ହେବ ସେ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ। ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଜିତ ନିଜ ଅଞ୍ଚଳରେ ବେଶ ପରିଚିତ ଥିଲେ। ବିଶେଷ କରି ଜଣେ ନିଷ୍ଠାପର ଗୋସେବକ ଭାବେ ସେ ଦୀର୍ଘ ଦିନ ଧରି ଗୋମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ଏହି ଅକସ୍ମାତ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟ ଓ ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ସାମାଜିକ କାର୍ଯ୍ୟରେ ସର୍ବଦା ଆଗଧାଡ଼ିରେ ରହୁଥିଲେ । ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଅଜିତଙ୍କ ଭଳି ଜଣେ ସ୍ନେହୀ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିଙ୍କୁ ହରାଇ ଗଞ୍ଜାମ ସହର ଆଜି ମ୍ରିୟମାଣ ହୋଇପଡ଼ିଛି।

 Dharitri – Odisha’s No.1 Odia Daily

Share
Tags: odisha