ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ କର୍ଲିପାର୍ଟ ବସ୍ତିକୁ ଜଳଯୋଗାଣ ଠପ୍ ହୋଇଯାଇଛି। କର୍ଲିପାର୍ଟର ୨ଟି ବସ୍ତିରେ ବସବାସ କରୁଥିବା ଦୁଇ ଶହରୁ ଊଦ୍ଧର୍ବ ପରିବାର ପିଇବା ପାଣି ନେଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବରୁ କର୍ଲିପାଟ ଗ୍ରାମ ନିକଟ ଦେଇ ଯାଇଥିବା ନାଲାରେ ବସା ଯାଇଥିବା ପ୍ରକଳ୍ପ ଠିକ ଭାବେ କାମ ନ କରିବାରୁ ବସ୍ତି ମୁଣ୍ଡ ଓଭର ହେଡ ଟାଙ୍କି ନିକଟରେ କିଛିଦିନ ପୂର୍ବରୁ ଆଉ ଏକ ଗଭୀର ବୋରଓ୍ବେଲ ଖୋଲା ଯାଇଛି। ୫୦୦ ଫୁଟ ଖୋଲିଥିଲେ ସୁଦ୍ଧା ନୂତନ ପ୍ରକଳ୍ପ ଦ୍ୱାରା ଚାହିଦା ମୁତାବକ ପାଣି ଆସୁ ନ ଥିବା ବସ୍ତିବାସିନ୍ଦା ଜଣାଇଛନ୍ତି। ନୂତନ କେବୁଲ ସଂଯୋଗ କରିବା ସହିତ ଟ୍ୟାଙ୍କରରେ ପାଣି ଯୋଗାଣ ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି। ଗୁରୁବାର ବିଜେଡ଼ି ତରଫରୁ ସ୍ଥାନୀୟ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ବ୍ଲକରେ ଜଳ ଯୋଗାଣ ଅନିୟମିତତାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା।