ଶେଷ ସର୍ବୋତ୍ତମ ଆଶା

ଇଂ. ମାୟାଧର ସ୍ବାଇଁ

ବର୍ତ୍ତମାନ ପୃଥିବୀର ପରିବେଶଗତ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଏଥିପାଇଁ ମନୁଷ୍ୟ ହିଁ ଦାୟୀ, ଏଥିରେ କୌଣସି ସନ୍ଦେହ ନାହିଁ। ଜଳବାୟୁ ସଂକ୍ରାନ୍ତୀୟ ଆନ୍ତଃ ସରକାରୀ ପରିଷଦ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଏହାକୁ ସ୍ପଷ୍ଟ ରୂପେ ଉଲ୍ଲେଖ କରିଛି। ବିଶ୍ୱ ତାପନ ବୃଦ୍ଧି ପାଇଁ ଦାୟୀ ସବୁଜଗୃହ ଗ୍ୟାସ୍‌ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ। ଏହା ମୁଖ୍ୟତଃ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଅନ୍ୟ କଳକାରଖାନାରେ କୋଇଲା ଦହନ ଯୋଗୁ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ବାୟୁମଣ୍ଡଳକୁ ଶୂନ-କାର୍ବନ୍‌ ଉତ୍ସର୍ଜନ ଆବଶ୍ୟକ। ଅର୍ଥାତ୍‌ ଆମେ ଯେତିକି ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଉତ୍ସର୍ଜନ କରିବା, ତାହା ଉଦ୍ଭିଦ ଜଗତ ଓ ଜଳରାଶି ଦ୍ୱାରା ଅବଶୋଷିତ ହୋଇଯାଉଥିବ। ଏଠାରେ କୋଇଲାକୁ ନେଇ ସମସ୍ୟା ହେଉଛି। ଅନେକ ଦେଶରେ ଏହା ହେଉଛି ମୁଖ୍ୟ ଶକ୍ତି ଉତ୍ସ। ଉଦାହରଣ ସ୍ବରୂପ, ଆମ ଦେଶରେ ଉତ୍ପାଦିତ ମୋଟ ବିଦ୍ୟୁତ୍‌ର ପ୍ରାୟ ୫୮ ପ୍ରତିଶତ କୋଇଲାରୁ ଆସୁଛି। କୋଇଲା ଅଧିକାଂଶ ଦେଶରେ ପ୍ରଚୁର ପରିମାଣରେ ଓ ସୁଲଭ ମୂଲ୍ୟରେ ଉପଲବ୍‌ଧ। ଏଣୁ ଏହା ଉପରେ ଅଙ୍କୁଶ ଲଗାଇଲେ ଏହା ଦେଶର ଡିଜିପି ଓ ଅର୍ଥନୀତିକୁ ପ୍ରଭାବିତ କରିବ। ଏଥିପାଇଁ କେତେକ ଦେଶ କୋଇଲାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ବିଶେଷକରି ଅଧିକ କାର୍ବନ୍‌ ଉତ୍ସର୍ଜନକାରୀ ଦୁଇ ଦେଶ ଭାରତ ଓ ଚାଇନା ପାଇଁ ଏହା ହେଉଛି ଚିନ୍ତାଜନକ।
୨୦୧୫ ମସିହାରେ ପ୍ୟାରିସ୍‌ ରାଜିନାମାରେ ବିଶ୍ୱ ତାପମାନ ବୃଦ୍ଧିକୁ ଏହି ଶତାବ୍ଦୀ ଶେଷ ସୁଦ୍ଧା ଦୁଇ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଏବଂ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ପାଇଁ ଚେଷ୍ଟା କରିବାକୁ ସମସ୍ତ ଦେଶ ରାଜି ହୋଇଥିଲେ। ଏଥିପାଇଁ ପ୍ରତ୍ୟେକ ଦେଶ ସ୍ବେଚ୍ଛାରେ କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ଘୋଷଣା କରିଥିଲେ। ଏହି ରାଜିନାମାକୁ ଦକ୍ଷ ଭାବେ କାର୍ଯ୍ୟକାରୀ କରିବାପାଇଁ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ତାପନ ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ୨୦୫୦ ମସିହା ସୁଦ୍ଧା ଶୂନ-କାର୍ବନ ଉତ୍ସର୍ଜନ ନିହାତି ଦରକାର ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାକୁ ଗ୍ଲାସ୍‌ଗୋ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘ ୨୦୫୦ ମସିହା ସୁଦ୍ଧା ଏହା ହାସଲ କରିବା ପାଇଁ ଘୋଷଣା କରିଥିବାବେଳେ ଚାଇନା, ରୁଷିଆ ଓ ସଉଦି ଆରବ ୨୦୬୦ ସୁଦ୍ଧା ଏହାକୁ ହାସଲ କରିବା ପାଇଁ ଘୋଷଣା କରିଛନ୍ତି। ଗ୍ଲାସ୍‌ଗୋ ସମ୍ମିଳନୀରେ ଯୋଗଦେଇ ଭାରତର ପ୍ରଧାନମନ୍ତ୍ରୀ ୨୦୭୦ ମସିହା ସୁଦ୍ଧା ଭାରତ ଶୂନ୍‌-କାର୍ବନ୍‌ ଉତ୍ସର୍ଜନ ହାସଲ କରିବ ବୋଲି କହିଛନ୍ତି।
ଅଙ୍ଗାରକାମ୍ଳ ବ୍ୟତୀତ ଜଳବାୟୁ ପରିବର୍ତ୍ତନର ଅନ୍ୟ ଦୁଇ ପ୍ରମୁଖ କାରଣ ହେଉଛି ଜଙ୍ଗଲ କ୍ଷୟ ଓ ମିଥେନ୍‌ ଗ୍ୟାସ୍‌ ଉତ୍ସର୍ଜନ। ୨୦୩୦ ସୁଦ୍ଧା ଜଙ୍ଗଲ କ୍ଷୟ ବନ୍ଦ କରିବା ପାଇଁ ଗ୍ଲାସ୍‌ଗୋ ସମ୍ମିଳନୀରେ ଯୋଗ ଦେଇଥିବା ଶହେଟି ଦେଶର ନେତା ପ୍ରତିଶ୍ରୁତି ଦେଇଛନ୍ତି। ପୃଥିବୀରେ ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଡୋନେସିଆ ଓ କଙ୍ଗୋ ଆଦି ଦେଶ ଏହାକୁ ସମର୍ଥନ କରିଛନ୍ତି। ସେହିପରି ୨୦୩୦ ସୁଦ୍ଧା ମିଥେନ୍‌ ଗ୍ୟାସ୍‌ ଉତ୍ସ ଦିନକୁ ଦିନ ୨୦୨୦ ମସିହା ତୁଳନାରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ଅଧିକାଂଶ ମିଥେନ୍‌ ଧାନକ୍ଷେତ ଓ ଗୋରୁମାନଙ୍କ ଠାରୁ ନିର୍ଗତ ହୋଇଥାଏ। ଏଣୁ ଏହାର ନିୟନ୍ତ୍ରଣ ପାଇଁ କୌଣସି ଦେଶ ଗୁରୁତ୍ୱ ଦେଇ ନ ଥାଆନ୍ତି।
ଭାରତ ହେଉଛି ବିଶ୍ୱର ଷଷ୍ଠ ଅର୍ଥନୀତି ସମୃଦ୍ଧ ଓ ଚତୁର୍ଥ ଶ୍ରେଷ୍ଠ କାର୍ବନ ଉତ୍ସର୍ଜନକାରୀ ଦେଶ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତରେ ଅନୁଭୂତ ହେଲାଣି। ଭାରତ ଆରମ୍ଭରୁ ପ୍ୟାରିସ୍‌ ରାଜିନାମାକୁ ସମର୍ଥନ କରିଆସିଛି। କିନ୍ତୁ ଆମର ମୁଖ୍ୟ ଶକ୍ତି ଉତ୍ସ ହେଉଛି କୋଇଲା । ଏହାର ନିୟନ୍ତ୍ରଣ ଭାରତର ଅର୍ଥନୀତି ଉପରେ ପଡିବ। ତଥାପି ୨୦୭୦ ମସିହା ସୁଦ୍ଧା ଶୂନ୍‌ କାର୍ବନ ଉତ୍ସର୍ଜନ ପାଇଁ ଭାରତ ପ୍ରତିଶ୍ରୁତି ଦେଇଛି। ଏହା ସହିତ ଭାରତ ଅନ୍ୟ କେତୋଟି ଉଲ୍ଲେଖନୀୟ ଘୋଷଣା କରିଛି। ଭାରତ ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନରୁ ପାଞ୍ଚଶହ ଗିଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ଏବଂ ଏହା ମୋଟ ବିଦ୍ୟୁତ୍‌ ଉତ୍ପାଦନର ଅଧା ହେବ। ପ୍ରଧାନମନ୍ତ୍ରୀ ପୁନଶ୍ଚ ଘୋଷଣା କରିଛନ୍ତି ଯେ ଭାରତ ବର୍ତ୍ତମାନ ଓ ୨୦୩୦ ମସିହା ମଧ୍ୟରେ ୧ ବିଲିୟନ୍‌ ଟନ୍‌ କାର୍ବନ ଉତ୍ସର୍ଜନ ହ୍ରାସ କରିବ ଏବଂ ସେହି ବର୍ଷ ସୁଦ୍ଧା ଏହା ଅର୍ଥନୀତିରେ ୪୫ ପ୍ରତିଶତ କାର୍ବନ ଇଣ୍ଟେନ୍‌ସିଟି ହ୍ରାସ କରିବ। ଏହା ସହିତ ଯେଉଁ ବିକଶିତ ଦେଶଗୁଡିକ ଯୋଗୁ ଆଜିର ଏହି ସମସ୍ୟା ଉପୁଜିଛି, ସେମାନେ ବିକାଶଶୀଳ ଦେଶଗୁଡିକୁ ଜଳବାୟୁ ସଂକ୍ରାନ୍ତୀୟ ପଦକ୍ଷେପ ନେବା ପାଇଁ ଆର୍ଥିକ ସାହାଯ୍ୟ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବିକଶିତ ଦେଶଗୁଡିକ ସେମାନଙ୍କ ‘ଜିଡିପି’ର ଅତି କମ୍‌ରେ ଏକ ପ୍ରତିଶତ ଅର୍ଥ ବିକାଶଶୀଳ ଦେଶଗୁଡିକର ସବୁଜ ପ୍ରକଳ୍ପଗୁଡିକୁ ଅନୁଦାନ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଗ୍ଲାସ୍‌ଗୋ ସମ୍ମିଳନୀରେ ଅନେକ ରାଷ୍ଟ୍ରମୁଖ୍ୟ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହାକୁ ମନୁଷ୍ୟ ସମାଜ ଦେହରେ ବନ୍ଧା ଯାଇଥିବା ‘ପ୍ରଳୟ ଉପକରଣ’ କହିଛନ୍ତି। ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ପ୍ରକାଶ କରିଛନ୍ତି ଯେ ଲୋକମାନେ ନିଜ ସମାଧି ଖୋଳୁଛନ୍ତି। ବାର୍ବାଡୋସ୍‌ର ପ୍ରଧାନମନ୍ତ୍ରୀ ପୃଥିବୀର ନେତାମାନଙ୍କୁ କହିଛନ୍ତି, କାର୍ବନ ଉତ୍ସର୍ଜନକୁ ଜରୁରିକାଳୀନଭିତ୍ତିରେ ନିୟନ୍ତ୍ରଣ ନ କଲେ ତାଙ୍କ ଭଳି ଦ୍ୱୀପ ଦେଶଗୁଡିକର ଲୋକମାନଙ୍କ ପାଇଁ ଏହା ‘ମୃତ୍ୟୁଦଣ୍ଡ’ ସଦୃଶ ହେବ।
ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ବିପଦରୁ ପୃଥିବୀକୁ ରକ୍ଷା କରିବା ପାଇଁ ଗ୍ଲାସ୍‌ଗୋ ସମ୍ମିଳନୀକୁ ‘ଶେଷ ସର୍ବୋତ୍ତମ ଆଶା’ କୁହାଯାଇଛି। ଏହି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଯଦି ଦୃଢ ଭାବେ ପାଳନ କରା ନ ଯାଏ, ତା’ହେଲେ ଜଳବାୟୁ ପରିବର୍ତ୍ତନର ବିପଦରୁ ପୃଥିବୀକୁ ରକ୍ଷା କରିବା ଅସମ୍ଭବ ହୋଇପଡିବ ଏବଂ ଆମର ପରପିଢ଼ି ଏଥିପାଇଁ ଆମମାନଙ୍କୁ କଦାପି କ୍ଷମା କରିବେ ନାହିଁ।
୭୦, ଲକ୍ଷ୍ମୀବିହାର ଫେଜ୍‌-୧, ଭୁବନେଶ୍ୱର
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri