ଯେମିତି ପ୍ରଜା ସେମିତି ରାଜା

ଯଚିଦାନନ୍ଦ ଦାଶ

 

ବହୁ ପୁରାତନ କାଳର ଲୋକ କଥାଟିଏ ରହିଆସିଛି – ”ଯେମିତି ରାଜାକୁ ସେମିତି ପ୍ରଜା“, ଯାହାକି ରାଜତନ୍ତ୍ର ଶାସନର ମୂଳଦୁଆ। ଆଗକାଳରେ ରାଜାମାନେ ଯାହା କରୁଥିଲେ ତାହାକୁ ପ୍ରଜାମାନେ ଅନୁସରଣ କରୁଥିଲେ। ରାଜା ଯାହା କହୁଥିଲେ, ସେଇଟା ବେଦର ଗାର ରୂପେ କାର୍ଯ୍ୟକାରୀ ହେଉଥିଲା। ଇତିହାସ କହେ, ହିଟ୍‌ଲର, ଷ୍ଟାଲିନ୍‌ ଓ ନେପୋଲିୟନ ଏକଚ୍ଛତ୍ରବାଦୀ ଶାସକର ପ୍ରମାଣ ଦେଇଯାଇଛନ୍ତି। ରାଜତନ୍ତ୍ରରେ କେତେଜଣ ଭଲ ରାଜା ଥିଲେ, ଯେଉଁମାନେକି ଦେଶକୁ ସୁଶାସନ ଦେଉଥିଲେ। ରାଜତନ୍ତ୍ରକୁ ନେଇ କିଛି ଉଦାହରଣ ଅବତାରଣା କରିବାକୁ ମନେକରେ।
ମୋଗଲ ସମ୍ରାଟ୍‌ ଆଉରଙ୍ଗଜେବଙ୍କ ଶାସନ କାଳରେ ହତ୍ୟା, ହିଂସା, ଲୁଣ୍ଠନ ଏବଂ ହିନ୍ଦୁ ଶିଖ୍‌ ପ୍ରତି ଅତ୍ୟାଚାର ଦୁଃଖଦାୟକ ଥିଲା। ଅନ୍ୟ ଦିଗକୁ ଦେଖିଲେ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ସୁଦକ୍ଷ ଓ ପ୍ରଜାବତ୍ସଳ ରାଜା ଥିଲେ। ସେ ପ୍ରଜାଙ୍କୁ ସୁଶାସନ ଦେବାରେ ସିଦ୍ଧହସ୍ତ ଥିଲେ। ଯେମିତି ରାଜା ସେମିତି ପ୍ରଜାଭକ୍ତିକୁ ବର୍ଣ୍ଣନା କରିବାକୁ ଯାଇ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟଙ୍କର ଏକ ଶ୍ଳୋକର ଉଦାହରଣ ଦେବାକୁ ମନେକରେ ଯଥା –
”ରାଜ୍ଞେଧର୍ମାଣି ଧର୍ମିଷ୍ଠା ପାପେ ପାପାଃ ସମେସମାଃ
ରାଜାନମନୁଃର୍ତନ୍ତେୟଥା ରାଜା ତଥା ପ୍ରଜାଃ ।“
ଅର୍ଥାତ୍‌ ରାଜା ପାପୀ ହେଲେ ପ୍ରଜାମାନେ ମଧ୍ୟ ପାପକର୍ମର ଆଶ୍ରୟ ନେଉଥିଲେ। ରାଜା ଧାର୍ମିକ ହେଲେ ପ୍ରଜାମାନେ ଧର୍ମଭାବନାର ବ୍ରତୀ ହେଉଥିଲେ। ଶାସନର ଢାଞ୍ଚା ଆଦେଶ ଓ ଅନୁଗ୍ରହରେ ଚାଲିଥିଲା। ରାଜା ଆଦେଶ ଦେଉଥିଲେ ଏବଂ ପ୍ରଜା ଅନୁଗ୍ରହର ବଶବର୍ତ୍ତୀ ହେଉଥିଲେ। ଆସନ୍ତୁ ବର୍ତ୍ତମାନର ଶାସନ ବ୍ୟବସ୍ଥାର ଅନୁଶୀଳନକୁ ଆସିବା। ଆଗକାଳର ଶାସନ ଢଙ୍ଗ ବଦଳି ଏବେକାର ଢାଞ୍ଚା ହୋଇଛି, ”ଯେମିତି ପ୍ରଜାକୁ ସେମିତି ରାଜା“, ଯାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭାବରେ ପରିଚିତ। ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ପ୍ରଜା ରାଜା। ସମସ୍ତ ପ୍ରଜା ପାଖରେ ସମାନ ଅଧିକାର। ପ୍ରଜା ମଧ୍ୟରୁ ରାଜା ଚୟନ ହୁଏ । ରାଜାର ଭାବନା ନେଇ ପ୍ରଜା ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି, ଅର୍ଥାତ୍‌ ରାଜା ନିଜେ ଚୟନ କରି ଗାଦିରେ ବସେଇଥାନ୍ତି।
ଗଣତନ୍ତ୍ର ବା ପ୍ରଜାତନ୍ତ୍ରରେ ଭରି ରହିଛି ସେବା ଓ ବିକାଶର ଭାବ। ଏଥିରେ ପ୍ରଜାର ସେବାରେ ରାଜା ନିଜକୁ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ନିୟୋଜିତ କରିିଦିଏ। ଏ ପ୍ରକାର ଶାସନ ବ୍ୟବସ୍ଥାରେ ପ୍ରଜା ହେଉଛି ମୂଳଦୁଆ। ପ୍ରଜାମାନେ ଯେତେ ଭଲ ହେବେ, ସେପରି ତାଙ୍କରି ସେବା ପାଇଁ ଭଲ ରାଜା ଜଣେ ବାଛି ପାରିବେ। ପ୍ରଜା ଯଦି ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ରହିବେ, ରାଜା ଦୁର୍ନୀତିଗ୍ରସ୍ତ ଓ ବିଶୃଙ୍ଖଳିତ ହେବେ। ପ୍ରଜା ବା ଲୋକମାନେ ସୁଚିନ୍ତିତ ମନରେ କଳନା କରିବା ଉଚିତ ଯେ, କେଉଁ ବ୍ୟକ୍ତି ପ୍ରଜାଙ୍କୁ ସୁଶାସନ ଦେଇପାରିବ ଏବଂ ବିକାଶର ପଥରେ ଆଗେଇ ନେଇପାରିବ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଜା ବା ମୁଖିଆ ଯାହା ଚାହିଁବେ, ତାହା କାର୍ଯ୍ୟାନ୍ବୟନ କରିପାରିବେ ନାହିଁ। କୌଣସି ଖରାପ ବିକାଶର ବ୍ୟବସ୍ଥା ପ୍ରଚଳନ କଲେ, ତାକୁ ପ୍ରଜା ବା ବିରୋଧୀଦଳ ବିରୋଧ କରିପାରିବେ। କାରଣ ଭାରତ ଏକ ସଂସଦୀୟ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର। ଦେଶର ନାଗରିକମାନେ ଶାସନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ; ଗଣତନ୍ତ୍ରର ସଫଳତା ଲୋକଙ୍କର ସଂପୃକ୍ତି ବିନା ସମ୍ଭବ ନୁହେଁ।
ଭାରତ ଏକ ନୂତନତ୍ୱର ଆଧାରଶିଳା ଭାବରେ କାମ କରୁଅଛି, ଯେଉଁଥିରେ ଦେଶର ପ୍ରତ୍ୟେକ ନାଗରିକ ନିଜକୁ ବିକାଶ କାର୍ଯ୍ୟ ଦିଗରେ ନିଷ୍ପତ୍ତି ନେବାରେ ନିୟୋଜିତ କରିପାରିବେ। ଫଳରେ ଦେଶରେ ସୁଶାସନ ପ୍ରତିଷ୍ଠା ହୋଇପାରିବ। ଲୋକତନ୍ତ୍ର ଏକ ଅଭିନବ ପରିକଳ୍ପନା। ଏହି ପରିକଳ୍ପନା ଦ୍ୱାରା ବହୁ ନାଗରିକ ବିକାଶର ଅଗ୍ରଗତିରେ ନିଜର ସୁଭାବନାକୁ ଉପସ୍ଥାପନା କରିପାରିବେ। ଫଳରେ ଏକ ଶାସିତ ଏବଂ ବିକାଶୋନ୍ମୁଖୀ ରାଷ୍ଟ୍ର ଭାବେ ଆମ ଦେଶ ଉଭା ହୋଇପାରିବ। ତେଣୁ ଆସନ୍ତୁ ଆମ ଗଣତନ୍ତ୍ରକୁ ଗୌଣ କରିଦବାନି। ବରଂ ପ୍ରତ୍ୟେକ ନାଗରିକ ବା ପ୍ରଜା ନିଜର ଜ୍ଞାନ ଓ ବୁଦ୍ଧିମତ୍ତାକୁ ଏପରି ପ୍ରୟୋଗ କରିବା ଉଚିତ, ଯେପରି ଆମେ ଏକ ସୁପ୍ରଶାସକ ବାଛିପାରିବା ଏବଂ ତତ୍‌ସଙ୍ଗେ ଦେଶର ହିତରେ ନିଜକୁ ନିୟୋଜିତ କରିପାରିବା। ନଚେତ୍‌ ଆମେ ରାଜତନ୍ତ୍ରର ପୂର୍ବ କୀର୍ତ୍ତିମାନ ଯଥା ”ଯେମିତି ରାଜାକୁ ସେମିତି ପ୍ରଜା“ ଅବସ୍ଥାକୁ ଅନ୍ୟଥା ଫେରିଆସିବା।
ମୋ : ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri