Posted inଫୁରସତ

ବିକାଶର ଜୟଯାତ୍ରା

ବର୍ଷଯାକ ଜାକିଜୁକି ବସି ଘୁମାଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି, ବାହା ତିଥି ପୂର୍ବରୁ ଝାଡ଼ିଝୁଡ଼ି ହୋଇଉଠନ୍ତି- ଇନ୍‌କମ୍‌ଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ାଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର ଧରିଲେ ସେମିତି ଜାଣିବେ ଯେ ଦେଶରେ ନିର୍ବାଚନ ସମୟ ପାଖେଇ ଆସିଲାଣି। ଦେଶର ଯାବତୀୟ ସର୍ଭେ କାମ ବେଳେ ଯେମିତି ସରକାରଙ୍କ ପ୍ରାଥମିକ ଶିକ୍ଷକମାନେ ମନେପଡ଼ନ୍ତି ସେମିତି ନର୍ବାଚନ ପାଖେଇ ଆସିଲେ ଏ ଚଢ଼ାଉ ବିଭାଗବାଲାଙ୍କୁ ସବୁ ବିରୋଧୀ ଦୁର୍ନୀତିଗ୍ରସ୍ତଙ୍କ ଭଳି ଦିଶନ୍ତି । ଠିକ୍‌ ନିର୍ବାଚନ ପୂର୍ବରୁ ତାଙ୍କୁ କେଉଁ ଦେବତାଙ୍କ ଦୈବବାଣୀ ହୁଏ କେଜାଣି ନିର୍ଭୁଲ ଓ ଠିକ୍‌ ଜାଗାରେ ଚଢ଼ାଉ କରନ୍ତି । ତା’ମାନେ ନୁହେଁ ଯେ ବର୍ଷ ତମାମ କିଛି ଚଢ଼ାଉ ହୁଏନି । ହୁଏ; ଅବଶ୍ୟ ସେସବୁ ଚାଇନା ବାଣ ଭଳି କେତେବେଳେ ସୁରୁ ସୁରେଇ ଫୁଟିଯାଏ ଜଣାପଡ଼େନି । କିନ୍ତୁ ନିର୍ବାଚନ ପୂର୍ବରୁ ହେଉଥିବା ଚଢାଉରେ ଦେଶ ହଲ୍‌ଚଲ୍‌ ହୋଇଯାଏ । ଜବତ ପରିମାଣ ଦେଖିଲେ ଆଖି ତରାଟି ହୋଇଯାଏ । ଟିଭି , ଖବରକାଗଜବାଲାଙ୍କ ରାତି ଅନିଦ୍ରା ଖବର ପରିବେଷଣ ଦେଖିଲେ ଲାଗିବ ଯେମିତି ଏହି ଏକମାତ୍ର କଳଙ୍କର ସମାପ୍ତି ପରେ ଦେଶରେ ଏବେ ରାମରାଜ୍ୟ ଆସିବାକୁ ଆଉ ଡେରି ନାହିଁ । ଏହାକୁ ଦେଖି କିଛି ବିରୋଧୀଙ୍କ ମତ ହେଲା ଦେଶର ନେତା ଡିଜିଟାଲ ଭାରତ କଥା କହୁଛନ୍ତି । ପାଠପଢ଼ା, ଦେଣନେଣଠାରୁ ନେଇ ଦେଶର ଯାବତୀୟ କାରବାର ଅନ୍‌ଲାଇନରେ ହେଉଥିବା ବେଳେ ଏପ୍ରକାର ଅଫ୍‌ଲାଇନ ଚଢ଼ାଉ ଆଦୌ ଗ୍ରହଣୀୟ ନୁହେଁ । ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ । ଏପରି ଅନ୍ୟାୟ ବିରୋଧରେ ଆନ୍ଦୋଳନ କରିବାର ଅଛି । ପିଲା ପାଠପଢ଼ିବେ ଅନ୍‌ଲାଇନ ପରୀକ୍ଷା କରିବ ଅଫ୍‌ଲାଇନ। କାହିଁକି? ଲୋକଙ୍କଠାରୁ ଟିକସ ନେବ ଅନ୍‌ଲାଇନ କିନ୍ତୁ ଧରପଗଡ଼ କରିବ ଅଫ୍‌ଲାଇନ। କ’ଣ ପାଇଁ ? ଏ ଜନବିରୋଧୀ କାମକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏ ସରକାର ଶୀଘ୍ର ଇସ୍ତଫା ଦେଇଦେବା ଉଚିତ ।

ସଦ୍ୟ ଦଳବଦଳ କରିଥିବା ଜଣେ ରାଜନୈତିକ ନେତା ଏକ ନିର୍ବାଚନୀ ଭାଷଣରେ କହିଲେ, ଭାଇ ଓ ଭଉଣୀମାନେ ସୁନାର ଭାରତ ଦେଖିଲ, ଇଣ୍ଡିଆ ସାଇନିଂ ବି ଦେଖିଲ, ସ୍ବଚ୍ଛ ଭାରତ ଦେଖିଲ କିଛି ପରିବର୍ତ୍ତନ ହେଇଛି କି? କିଛି ହେଇନି କି ଏମାନେ ସେମିତି କିଛି କରିପାରିବେନି । କାରଣ ପରିବର୍ତ୍ତନର ଚିନ୍ତାଧାରା ରଖୁଥିବା ଲୋକ ହିଁ କେବଳ ଦେଶକୁ ପରିବର୍ତ୍ତନ କରିପାରିବ । ଆମ ଦଳରେ ଥିବା ଅଧିକାଂଶ ନେତାଙ୍କ ଦଳ ପରିବର୍ତ୍ତନର ଅଭିଜ୍ଞତା ଅନ୍ୟ ସବୁ ଦଳର ନେତାମାନଙ୍କଠାରୁ ଅଧିକ ।

ସ୍ବୟଂ ମୁଁ ଜାତି ଧର୍ମ କର୍ମ ଆଦର୍ଶ ନିର୍ବିଶେଷରେ ରାଜନୈତିକ ଜୀବକାଳ ଭିତରେ ଯେତିକି ଥର ଦଳ ପରିବର୍ତ୍ତନ କରିସାରିଲିଣି ଦେଶର ଆଉ କେଉଁ ନେତାଙ୍କର ସେତିକି ଅଭିଜ୍ଞତା ନ ଥିବ। ବିଜ୍ଞାନ କହୁଛି କେବଳ ଜୀବନ ଥିବା ପ୍ରାଣୀ ହେଲା ପରିର୍ତ୍ତନଶୀଳ । ମଲା ଲୋକ କି ଜଡ଼ ବସ୍ତୁର ପରିବର୍ତ୍ତନ ହୁଏନି । ତେଣୁ ମୋତେ ଭୋଟ ଦେବେ କି ଜଣେ ମୁର୍ଦ୍ଦାରକୁ ଭୋଟ ଦେବେ ସେ ନିଷ୍ପତ୍ତି ଆପଣଙ୍କର । ମୁଁ କଥା ଦେଉଛି ଯଦି ଜିତିଲି ତେବେ ଦେଶ ବଦଳେଇ ଦେବି ନଚେତ ଏ ଦଳ। ଶେଷରେ ଏତିକି କହିବି କଥାରେ ଅଛି ଦେଇଥିଲେ ପାଇ । ଆପଣ ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୋ ରାସ୍ତା ଖୋଲିଦିଅନ୍ତୁ ପ୍ରତିବଦଳରେ ଆପଣମାନଙ୍କ ରୋଜଗାରର ପନ୍ଥା ମୁଁ ପରିଷ୍କାର ଦେଖେଇଦେବି । ଆପଣମାନେ ଆପଣଙ୍କ ବାପ ଅଜା ଚଉଦ ପୁରୁଷରେ କେବେ ଶୁଣିଥିଲେ କି ଜଣେ ପିଅନଙ୍କ ପାଖରୁ କୋଟି କୋଟି ଟଙ୍କା ମିଳିବା ? ଏହା ଯଦି ଆଜି ସମ୍ଭବ ହୋଇଛି ତାହା କେବଳ ଆମ ନେତାଙ୍କ ମାର୍ଗଦର୍ଶନ ଯୋଗୁ । ଯିଏ ସବୁ ବେଳେ କୁହନ୍ତି ଦେଶର ତଳସ୍ତରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ସମସ୍ତଙ୍କ ସହଯୋଗରେ ସମସ୍ତଙ୍କ ବିକାଶ ହେଲା ଆମର ଉଦ୍ଦେଶ୍ୟ । ଯଦି ଅଫିସ୍‌ର ତଳସ୍ତରର ଜଣେ କର୍ମଚାରୀଙ୍କ ଏତେ ଉନ୍ନତି ହୋଇଛି ତେବେ ସେହି ଅନୁପାତରେ ଉପରସ୍ତରରେ ଥିବା ଲୋକମାନଙ୍କ କେଉଁଭଳି ଉନ୍ନତି ହୋଇଥିବ ତାହା ଆପଣମାନେ ଅନ୍ଦାଜ ଲଗାଇପାରନ୍ତି । ବିରୋଧୀ କହୁଛନ୍ତି କାଳେ ବିକାଶ ହୋଇନି । ଆଉ କେତେ ବିକାଶ ସେମାନଙ୍କୁ ଦରକାର ! ସବୁ କ୍ଷେତ୍ରରେ ବିକାଶ ହୋଇଛି। ସବୁଠୁ ଅଧିକ ବିକାଶ ହୋଇଛି ଶିକ୍ଷା କ୍ଷେତ୍ରରେ ।

ଅ , ଆ ଶିକ୍ଷା କରି ନ ଥିବା ଲୋକ ଶିକ୍ଷାମନ୍ତ୍ରୀ, ମାଟ୍ରିକ ଛଅ ଥରରେ ପାସ୍‌ କରିଥିବା ଲୋକ କଲେଜ ପ୍ରିନ୍ସିପାଲ , ନବମ ଶ୍ରେଣୀ ଦେଖି ନ ଥିବା ଲୋକ ଦି’ ଦିଟା ଇଂଲିଶ ମାଧ୍ୟମ ସ୍କୁଲର ମାଲିକ ହେବା କ’ଣ ସୂଚେଇ ଦେଉନି ଯେ ବିଶ୍ୱର ଯେକୌଣସି ଦେଶର ଶିକ୍ଷା କ୍ଷେତ୍ରରେ ହେଉଥିବା ବିକାଶଠାରୁ ଆମ ଦେଶରେ ହେଉଥିବା ବିକାଶ କେତେ କ୍ଷିପ୍ର ଓ ଉନ୍ନତମାନର ? ଏହି ଭଳି ଆମ ଦେଶର ସବୁ ବିଭାଗରେ ହେଉଥିବା ଅତି ଉନ୍ନତମାନର ତୀବ୍ର ବିକାଶକୁ ଆଜି ବିଶ୍ୱର ବଡ଼ ବଡ଼ ଦେଶ ହାତଯୋଡି ନମସ୍କାର କରୁଛନ୍ତି । ଏତେ ସବୁ ପ୍ରତିକୂଳ ପରିସ୍ଥିତି ଥାଇବି ଆଜି ଆମ ଦେଶ ବିକାଶ କ୍ଷେତ୍ରରେ ବିଶ୍ୱଗୁରୁ ହୋଇପାରିଛି, ତାହା ବିଶ୍ୱବାସୀଙ୍କୁ ଚକିତ କରିଛି। ଖାସ୍‌ ସେଇଥିପାଇଁ ଆଜି ୟୁନେସ୍କୋ ସଂସ୍ଥା ଦେଶର ସବୁ ନେତାଙ୍କୁ ବିଶ୍ୱର ଶ୍ରେଷ୍ଠ ନେତାର ମାନପତ୍ର ଦେଇଛି ।

ଏତିକି କହି ମୋ ବକ୍ତବ୍ୟ ଶେଷ କରିବି, ମୋତେ ଭୋଟ ଦେଇ ମୋ ବିକାଶ କଥା ଚିନ୍ତା କଲେ ମୁଁ ଆପଣମାନଙ୍କ ବିକାଶ କଥା ଚିନ୍ତା କରିବି । ମୋର ବିଶ୍ୱାସ ଆପଣମାନେ ମୋ କଥାକୁ ହୃଦୟଙ୍ଗମ କରି ଦେଶର ବିକାଶର ଧାରାକୁ ଆଗେଇନେବାକୁ ମୋତେ ଅଧିକରୁ ଅଧିକ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବେ । ଜୟ ହିନ୍ଦ୍‌ । ଭାରତ ମାତାକୀ ଜୟ ।

-ବନମାଳୀ ଭବନ, ଖାନନଗର, କଟକ
ମୋ- ୯୪୩୭୦୧୦୭୫୮

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?