ରତ୍ନଭଣ୍ଡାର ଅଳଙ୍କାର ଗଣତି ହେବ

ପୁରୀ,୧ା୩(ଅଜିତ୍‌ ମହାନ୍ତି):ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନଅଳଙ୍କାର ଗଣତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗୁରୁବାର ରତ୍ନ ଅଳଙ୍କାର ଗଣତିମଣତି ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଫଳରେ ଦୀର୍ଘ ୪୬ ବର୍ଷ ପରେ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଅଳଙ୍କାର ଗଣତିମଣତି ହୋଇଥିଲା। ତା’ ପରଠାରୁ ଆଉ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ହୋଇନାହିଁ। ସେହିପରି ଭିତର ରତ୍ନଭଣ୍ଡାରରେ ୫୯୭ ଓ ବାହାର ରତ୍ନଭଣ୍ଡାରରେ ୩୧ ପ୍ରକାରର ଦୁର୍ମୂଲ୍ୟ ହୀରା, ମୋତି ମାଣିକ୍ୟ, ସୁନା, ରୁପା ଆଦି ରତ୍ନଅଳଙ୍କାର ରହିଥିବା କୁହାଯାଉଛି।
ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାରଗୁଡ଼ିକୁ ଗଣତିମଣତି କରିବା ପ୍ରସଙ୍ଗରେ ରାଜ୍ୟ ସରକାର ଅବହେଳା କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିଲା। ଏପରିକି ବିରୋଧୀ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ସମାଲୋଚନା କରାଯାଉଥିଲା। ତେବେ ବିଭିନ୍ନ ମହଲରେ ବାରମ୍ବାର ଦାବି ହେବା ସହ ହାଇକୋର୍ଟରେ ଏ ନେଇ ଆବେଦନ ଦାଖଲ କରାଯାଇଥିଲା। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ଅନ୍ତରୀଣ ଆବେଦନ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଶାଣି କରି ରତ୍ନଭଣ୍ଡାର ଖୋଲି ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ସହ ହାଇକୋର୍ଟ ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଗତବର୍ଷ ଅଗଷ୍ଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଫଳରେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରତ୍ନଅଳଙ୍କାର ଗଣତିମଣତି ପାଇଁ ସରକାର ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ କରିଛନ୍ତି। ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବ। କମିଟିରେ ଅଧ୍ୟକ୍ଷଙ୍କ ସମେତ ୧୨ଜଣ ସଦସ୍ୟ ରହିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍‌ ପଶାୟତ ଏହି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ତିନିଜଣ ସଦସ୍ୟ ଦୁର୍ଗାଦାସ ମହାପାତ୍ର, ମାଧବ ମହାପାତ୍ର ଏବଂ ଜଗନ୍ନାଥ କର ସ୍ଥାନ ପାଇଛନ୍ତି। ସେହିପରି ପ୍ରସିଦ୍ଧ ହୃଦ୍‌ରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡା, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଡ. ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ପୁରୀ ଜିଲାପାଳ, ଏଏସ୍‌ଆଇ ଅଧିକାରୀ, ଭଣ୍ଡାର ମେକାପ, ଗଣେଶ ମେକାପ କମିଟିରେ ରହିଛନ୍ତି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛୁ। ରତ୍ନଭଣ୍ଡାରର ସୁରକ୍ଷା ପାଇଁ ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ଗ୍ରହଣୀୟ ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗାମୀ ଦିନରେ କମିଟିର ବୈଠକ ବସି କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତେବେ ଆଗାମୀ ଦିନରେ ମହାପ୍ରଭୁଙ୍କ ଯାନିଯାତ୍ରା ଥିବାରୁ ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହେବନାହିଁ। ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ୧୩ ଦିନ ସମୟ ମିଳିଥାଏ। ତେଣୁ ସେହି ସମୟରେ ଖୋଲିବା ଓ କାର୍ଯ୍ୟ କରିବା ପାଇଁ ପୂର୍ବରୁ ଏଏସ୍‌ଆଇକୁ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ଏଏସ୍‌ଆଇ ଗ୍ରହଣ କରିଥିଲା। ତେଣୁ ପରବର୍ତ୍ତୀ ବୈଠକ ପରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କର ପ୍ରକାଶ କରିଛନ୍ତି। ସେହିପରି ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ସରକାରଙ୍କ ଚିଠି ପହଞ୍ଚତ୍ ନାହିଁ। ଚିଠି ପହଞ୍ଚତ୍ବା ପରେ ଯାହାକିଛି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସରକାର ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି, ଯାହା କେବଳ ନିର୍ବାଚନୀ ଚାଲ୍‌। କମିଟି ଗଠନ କରାଗଲା ସତ, ହେଲେ ଏହା କେବେ କାର୍ଯ୍ୟକାରୀ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ଏପ୍ରିଲ ୪ରେ ୧୫ ଜଣିଆ କମିଟି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲା। ତେବେ ଚାବିକାଠି ହଜିଯାଇଥିବାରୁ କେବଳ ବାହାରପଟୁ ସ୍ଥିତି ଅନୁଧ୍ୟାନ କରି ଫେରିଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri