ଶ୍ରେଣୀ ଶିକ୍ଷକର ବିଡ଼ମ୍ବନା

ଓଡ଼ିଶାରେ କାର୍ଯ୍ୟରତ ସବୁ ଶିକ୍ଷକ ଶ୍ରେଣୀ ଶିକ୍ଷକ ନୁହନ୍ତି। ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ କିସମର ଶିକ୍ଷକ ଅଛନ୍ତି-ଯେମିତି ପ୍ରଶାସକ ଶିକ୍ଷକ, ସଂଗଠକ ଶିକ୍ଷକ, ନେତା ଶିକ୍ଷକ, ଗବେଷଣା ଶିକ୍ଷକ, ଗବେଷକ ଶିକ୍ଷକ, ପରୀକ୍ଷା ଶିକ୍ଷକ ଓ ଅଫିସ ଶିକ୍ଷକ ଇତ୍ୟାଦି। ଏମାନେ ପ୍ରାୟତଃ ପରଜୀବୀ ଏବଂ ବ୍ୟବସ୍ଥା ଦୃଷ୍ଟିରୁ ଦେଖିଲେ ଏମାନେ ‘ଫ୍ୟାସିଲିଟେଟର’ ଗୋଷ୍ଠୀର। ହୁଏତ ଏମାନେ ବ୍ୟବସ୍ଥା ସହ ଜଡ଼ିତ କିଛି କାମକୁ ସୁଗମ କରିପାରନ୍ତି କିନ୍ତୁ ପ୍ରତ୍ୟକ୍ଷ ଶିକ୍ଷାଦାନ ସହ ଏମାନଙ୍କର ସମ୍ପର୍କ ନାହିଁ କହିଲେ ଚଳେ। ତେଣୁ ଏମାନଙ୍କୁ ଯେତେବେଳେ ପ୍ରତ୍ୟକ୍ଷ ଶିକ୍ଷାଦାନ କ୍ଷେତ୍ରକୁ ବଦଳି କରାଯାଏ, ଏମାନଙ୍କର ମୁଣ୍ଡ ଫାଟେ କାରଣ ବହୁ ଦିନରୁ ଏମାନେ ଚକ୍‌ଖଡ଼ି ଧରିବା ଛାଡ଼ି ଦେଇଛନ୍ତି ଏବଂ ବହି ସହ ଏକ ‘ଶାନ୍ତିଚୁକ୍ତି’ ସ୍ବାକ୍ଷର କରିଛନ୍ତି। ଝାଳନାଳ ହୋଇ ଚକ୍‌ଗୁଣ୍ଡରେ ଗାଧୋଇ ଯିଏ ପାଠକୁ ବିଦ୍ୟାର୍ଥୀଙ୍କ ମସ୍ତିଷ୍କରେ ପ୍ରବେଶ କରେଇବା ସହ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟାକୁ ଏକ ଆନନ୍ଦଦାୟକ ଅନୁଭୂତିରେ ପରିଗଣିତ କରେ, ସେ ହିଁ ଶ୍ରେଣୀ ଶିକ୍ଷକ। ଦୁଃଖର କଥା, ଶ୍ରେଣୀ ଶିକ୍ଷକମାନଙ୍କ ସ୍ଥିତି ଆଜି ବିପର୍ଯ୍ୟସ୍ତ। ଶିକ୍ଷାଦାନ ଭଳି ଏକ ମହତ୍‌କାର୍ଯ୍ୟ, ସେମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ କେତେବେଳେ କେତେବେଳେ ସେମାନଙ୍କୁ ଅପମାନ ମୁଖକୁ ଠେଲି ଦେଉଛି। ବ୍ୟବସ୍ଥାଗତ କେତେକ ଅନିବାର୍ଯ୍ୟ କାରଣ ଯୋଗୁ ସେମାନେ ଛାତ୍ରୀଛାତ୍ରଙ୍କ ଆଗରେ କେତେବେଳେ କ୍ଷମାପ୍ରାର୍ଥୀ ହେଉଛନ୍ତି ତ ଆଉ କେତେବେଳେ ସେମାନେ ଛାତ୍ରୀଛାତ୍ରଙ୍କ ଆଖିରେ ଗଳି ପଡୁଛନ୍ତି। ସେମିତି କିଛି କାରଣ ଉପରେ ଆଖି ପକାଯାଇପାରେ।
ଗୋଟିଏ ଶ୍ରେଣୀର ଗଠନ, ଶିକ୍ଷାଦାନ ଉପରେ ପ୍ରଭାବ ପକାଏ। ସତୁରି ଦଶକ ପର୍ଯ୍ୟନ୍ତ ସ୍କୁଲ ବା କଲେଜର କୌଣସି ଏକ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ହାରାହାରି ମେଧାସ୍ତର ବେଶ୍‌ ଗ୍ରହଣୀୟ ଥିଲା। ତା’ର କାରଣ, ଟିଉସନର ଅନୁପସ୍ଥିତି, କମ୍‌ ଛାତ୍ରୀଛାତ୍ରଙ୍କ ଶ୍ରେଣୀରେ ଭର୍ତ୍ତିହେବା, ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କର ଉଚ୍ଚଶିକ୍ଷାର ଅଭାବ। ଅର୍ଥାତ୍‌ ସ୍କୁଲ ବା କଲେଜକୁ ଯେତିକି ପିଲା ଆସୁଥିଲେ ସମସ୍ତଙ୍କ ପୃଷ୍ଠଭୂମି ପ୍ରାୟତଃ ସମାନ ଥିଲା। ୮୦ ଦଶକ ପରେ ବହୁ ଅନୁଷ୍ଠାନ ଖୋଲିଲା, ସମାଜର ଦୁର୍ବଳ ଶ୍ରେଣୀ ଅବା କେତେକ ଜାତି ଓ ଗୋଷ୍ଠୀର ପିଲା ଯେଉଁମାନେ ଆଗରୁ ସ୍କୁଲ କଲେଜ ଆସୁ ନ ଥିଲେ, ସେମାନେ ଶ୍ରେଣୀରେ ଭର୍ତ୍ତିହେଲେ। ତା’ ଛଡ଼ା ଘରୋଇ ଟିଉସନ ବ୍ୟାପକ ଭାବରେ ପ୍ରଚଳିତ ହେବାକୁ ଲାଗିଲା ଏବଂ ଅଭିଭାବକମାନଙ୍କର ଶିକ୍ଷାସ୍ତର ଉନ୍ନୀତ ହେବା ଲକ୍ଷ୍ୟ କରାଗଲା। ଏହି ଘଟଣାସମୂହ ହାରାହାରି ମେଧାସ୍ତରକୁ ପ୍ରଭାବିତ କଲା ଏବଂ ଛାତ୍ର-ଛାତ୍ର ମଧ୍ୟରେ ଏକ ଭୟଙ୍କର ଅସମତା ପରିଲକ୍ଷିତ ହେଲା। ସବୁଠୁ ଭଲ ପଢୁଥିବା ପିଲା ଏବଂ ସବୁଠୁ ଦୁର୍ବଳତମ ପିଲା ମଧ୍ୟରେ ମେଧା-ବ୍ୟବଧାନ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଏହା ଶ୍ରେଣୀ ଶିକ୍ଷାକୁ ମଧ୍ୟ ପ୍ରଭାବିତ କଲା। ଶ୍ରେଣୀ ଶିକ୍ଷକ ଏହି ବିଷୟରେ ସଚେତନ ଥିଲେ ବି, ବେଳେବେଳେ ଶ୍ରେଣୀକକ୍ଷରେ ସେ ଅସହାୟ ଅନୁଭବ କଲେ। ଏହି ଅସହାୟତା ବେଶି ଦେଖାଗଲା ଉଚ୍ଚ ମାଧ୍ୟମିକ ଓ କଲେଜ ସ୍ତରରେ। ଶିକ୍ଷକଜଣକ ଶ୍ରେଣୀକକ୍ଷରେ ପ୍ରବେଶ କରି ନିଜକୁ ପଚାରିଲା ସେ କାହାକୁ ଆଖିରେ ରଖି ପାଠ ପଢ଼ାଇବ ବେଶ୍‌ କିଛି ଭଲପିଲା ଯେଉଁମାନେ ଗୋଟିଏ ବିଷୟ ପାଇଁ ଏକାଧିକ ଟିଉସନ ପଢ଼ି ସେଇ ଦିନର ପାଠ୍ୟ ଠୁ ବହୁତ ଆଗକୁ ଗଲେଣି ନା ଶ୍ରେଣୀକକ୍ଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ତଥା ସାମାଜିକ, ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଢେର ପିଲା ଯେଉଁମାନେ ଏତେ ସବଳ କି ଏତେ ଦୁର୍ବଳ ନୁହନ୍ତି। ଦୁର୍ବଳ ପିଲାଙ୍କୁ ନଜର ରଖି ପାଠ ପଢ଼ାଇଲେ ସବଳ ପିଲାମାନେ ଝରକା ବାହାରକୁ ବା ଛାତକୁ ଅନେଇବେ, କାରଣ ଏ ପାଠ ତାଙ୍କ ଟିଉସନରେ ସରିଯାଇଛି, ତେଣୁ ଆଉ କିଛି ଜାଣିବାର ଅନୁସନ୍ଧିତ୍ସା ନାହିଁ। ଏଣେ ସବଳ ପିଲାଙ୍କୁ ଧ୍ୟାନ ଦେଲେ ଦୁର୍ବଳ ପିଲାମାନେ କ’ଣ ପଢ଼ାଯାଉଛି ଜାଣିପାରିବେ ନାହିଁ। ଏହାର ପ୍ରତିକାର ହେଉଛି ଦୁର୍ବଳ ପିଲାମାନଙ୍କୁ ‘ରିମେଡିଆଲ କୋଚିଂ’ ମାଧ୍ୟମରେ ଭଲପିଲାମାନଙ୍କ ସହ ସମକକ୍ଷ କରି ଉଭୟଙ୍କୁ ଗୋଟିଏ ସ୍ତରକୁ ଆଣିବା ଅବା ଅଳ୍ପସଂଖ୍ୟକ ପିଲାଙ୍କୁ ନେଇ ଶ୍ରେଣୀ ଗଠନ କରି ସମସ୍ତଙ୍କ ଶୈକ୍ଷିକ ସ୍ବାର୍ଥ ପ୍ରତି ଧ୍ୟାନ ଦେବା। ଉଚ୍ଚମାଧ୍ୟମିକ ଓ କଲେଜ ସ୍ତରରେ ଯେହେତୁ ଗୋଟିଏ ଗୋଟିଏ ଶ୍ରେଣୀରେ ୧୫୦ରୁ ଊଦ୍ଧର୍‌ବ ପିଲା ବସନ୍ତି, ସେଠି ସମସ୍ତ ମହନୀୟ ଉଦ୍ୟମ ସତ୍ତ୍ୱେ ସବୁପିଲାଙ୍କୁ ଜ୍ଞାନାଲୋକ ପ୍ରଦାନ କରିବା, ଏପରି କି ଜଣେ ସଫଳତମ ଶିକ୍ଷକ ପକ୍ଷରେ ସମ୍ଭବ ହୁଏ ନାହିଁ।
ଜଣେ ଶ୍ରେଣୀ ଶିକ୍ଷକଙ୍କ ସଫଳତା ନିର୍ଭର କରେ ସେ କେତେ ସଫଳ ଭାବରେ ପାଠ୍ୟପୁସ୍ତକ ଅବା ସିଲାବସର ଚାରିକାନ୍ଥ ବାହାରକୁ ଯାଇ ଆବଣ୍ଟିତ ପାଠ୍ୟକୁ ଆନ୍ତବିଷୟକ କରିପାରୁଛନ୍ତି। ଅର୍ଥାତ୍‌ ଜଣେ ବିଜ୍ଞାନ ଷ୍ଟ୍ରିମ୍‌ର ଶିକ୍ଷକ କେତେ ମାତ୍ରାରେ କଳା ଅବା ବାଣିଜ୍ୟ ବିଷୟକ ପାଠକୁ ଉଦାହରଣ ଛଳରେ ନିଜର ଶିକ୍ଷାଦାନ କ୍ଷେତ୍ରକୁ ଟାଣି ଆଣି ପାରୁଛନ୍ତି ଅବା ପାଠକୁ ବାହ୍ୟ ପୃଥିବୀ, ପ୍ରକୃତି, ଜନସମାଜ ସହିତ ସଂଶ୍ଳିଷ୍ଟ କରି ଦେଖେଇ ପାରୁଛନ୍ତି ଯେ ଶ୍ରେଣୀକକ୍ଷରେ ପଢ଼ା ଯାଉଥିବା ବା ବହିରେ ଲେଖା ଯାଇଥିବା ପାଠ, ବାହ୍ୟ ପୃଥିବୀରୁ ଆନୀତ ଅବା ତା’ ସହ ଜଡି଼ତ। ଅର୍ଥାତ୍‌ ଚକ୍କର କାଟି କାଟି ଫୁଲ ଉପରେ ପ୍ରଜାପତି ବସି ପଡ଼ିବା ଏବଂ ଚକ୍କର କାଟି ହେଲିକପ୍ଟର ଓହ୍ଲେଇବା ଭିତରେ ଏକ ସମାନ ତତ୍ତ୍ୱ ନିହିତ। ଦୁଃଖର କଥା କୋର୍ସ ସାରିବା ତାଡ଼ନାରେ ଅବା ଆସନ୍ନ ପରୀକ୍ଷାର ଚାବୁକ ମାଡ଼ରେ, ଶ୍ରେଣୀ ଶିକ୍ଷକଟିଏ ପାଠକୁ ଯେମିତି ବ୍ୟାପକ ଭଙ୍ଗୀରେ ପଢ଼େଇବାକୁ ଚାହୁଁଥାଏ, ତାକୁ ସେ ସୁଯୋଗ ମିଳେ ନାହିଁ। ଯନ୍ତ୍ରବତ୍‌ ଏକ ଏକ୍ସପ୍ରେସ ଟ୍ରେନ ପରି ସେ ଖାଲି ଦୌଡ଼ି଼ ଚାଲେ। ପିଲାମାନଙ୍କ ବୋଧଗମ୍ୟତା ପ୍ରତି ଦୃଷ୍ଟି ଦେଇହୁଏ ନାହିଁ କି ପାଠକୁ ଉଭୟ ନିଜ ପାଇଁ ଏବଂ ଛାତ୍ରୀଛାତ୍ରଙ୍କ ଲାଗି ଏକ ଉପଭୋଗ୍ୟ ବସ୍ତୁ ହିସାବରେ ଉପସ୍ଥାପିତ କରିହୁଏ ନାହିଁ। କୋର୍ସ ସାରିବା, ଆଗାମୀ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ ହେଲାଭଳି ପାଠ ଅମଳ କରିଦେବା, ଶିକ୍ଷକମାନଙ୍କୁ ଖାଲି କର୍ତ୍ତବ୍ୟ ସମାପନ କରୁଥିବା ଏକ ଯନ୍ତ୍ର ରୂପରେ ଉପସ୍ଥାପନ କରେ ତାହା ନୁହେଁ, ବିଭିନ୍ନ ଅଣଶୈକ୍ଷିକ କର୍ମରେ ଶିକ୍ଷକମାନେ ଲିପ୍ତ ହେବାରୁ ସେମାନେ ସାଧାରଣତଃ ‘ଧ୍ୟାନଚ୍ୟୁତ’ ଅବା ‘କକ୍ଷଚ୍ୟୁତ’ ହୋଇଯାଆନ୍ତି; ଯାହା ସେମାନଙ୍କର ଶିକ୍ଷାଦାନର ଗୁଣବତ୍ତାକୁ ପ୍ରଭାବିତ କରେ। ଶିକ୍ଷାଦାନ ସମୟ ମଧ୍ୟରେ ବିଭିନ୍ନ ବୈଠକରେ ଯୋଗଦେବା, ବୈଠକ ଅଧାରୁ ଉଠିଆସି କ୍ଲାସନେଇ ପୁଣି ଯାଇ ବୈଠକରେ ବସି ପଡ଼ିବା; କ୍ଲାସ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ରିପୋର୍ଟ ଲେଖିବା; ବିଶ୍ୱବ୍ୟାଙ୍କ ପ୍ରତିନିଧିଦଳ ଅବା ୟୁଜିସି ସଦସ୍ୟଙ୍କ ଅନୁଷ୍ଠାନ ପରିଦର୍ଶନ ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଯାଇ ଶିକ୍ଷକମାନେ ସେମାନଙ୍କ ମୂଳକାର୍ଯ୍ୟଟିକୁ ଗୌଣ କରି ତୋଳନ୍ତି। ସେମାନଙ୍କୁ କୁହାଯାଇଥାଏ ଉପରଲିଖିତ କାର୍ଯ୍ୟଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି! କହିବା ବାହୁଲ୍ୟ ଏହି ପ୍ରକାର କାମରେ ନିୟୋଜିତ ହୋଇ ଶିକ୍ଷକଟିଏ ସାଙ୍କେତିକ ଭାବରେ ଛାତ୍ରୀଛାତ୍ର ଆଗରେ କ୍ଷମାପ୍ରାର୍ଥୀ ହୁଏ, ନିଜ ବିବେକ ଆଗରେ ହାତଯୋଡ଼ି ଛିଡ଼ା ହୁଏ କାରଣ ସେ ଜାଣେ ଠିକ୍‌ ପାଠ ପଢ଼ା ହେଉନାହିଁ। ଶିକ୍ଷାଦାନ ନାମରେ ଗୁଣବତ୍ତା ରକ୍ଷା କରିବା ପରିବର୍ତ୍ତେ ସେ ଚତୁରତା ଅବଲମ୍ବନ କରୁଛନ୍ତି।
ଶ୍ରେଣୀ ଶିକ୍ଷା ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ଆନନ୍ଦମୟ ଅନୁଭୂତି; ଟିକିଏ ଉନ୍ନୀତ ସ୍ତରରେ ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ମଧ୍ୟ। ଜଣେ ଜ୍ଞାନୀ, ସଫଳ ଶିକ୍ଷକ କଠିନତମ ପାଠକୁ ସୁକୋମଳ କରି ତୋଳନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଶିକ୍ଷକ ଓ ଛାତ୍ର ଏକ ଭିନ୍ନ ସ୍ତରକୁ ଚାଲିଯାଆନ୍ତି। ଘଣ୍ଟା ବାଜିଲା ପରେ ଦୁହେଁ ପ୍ରକୃତିସ୍ଥ ହୁଅନ୍ତି, କିନ୍ତୁ ଏ ଅନୁଭୂତି ଉଭୟଙ୍କ ମଧ୍ୟରେ ତଥାପି ଅନୁରଣୀତ ହଉଥାଏ। ଶିକ୍ଷାଦାନର ତିନି ପର୍ଯ୍ୟାୟ-କ୍ଲାସପୂର୍ବ, କ୍ଲାସ ଭିତର ଏବଂ କ୍ଲାସପରର ସୁଖଦ ଅନୁଭୂତିରୁ ଶ୍ରେଣୀଶିକ୍ଷକଟି ଆଜି ବଞ୍ଚିତ। କୋର୍ସ ସାରିବାକୁ ଏବଂ ପରୀକ୍ଷାରେ ପିଲା କେମିତି ବେଶି ନମ୍ବର ରଖିବେ, ସେ ‘ବ୍ୟବସ୍ଥା’ କରିବାକୁ ତାଙ୍କୁ କୁହାଯାଇଛି।

ଡ. ସୁବାସ ଚନ୍ଦ୍ର ପାତ୍ର

ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ :୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?