ସାଧୁତାର ମହତ୍ତ୍ୱ

ପ୍ରକାଶ ତ୍ରିପାଠୀ

 

ସାଧୁତା ଓ ସଚ୍ଚୋଟତା ବିନା କୌଣସି ମଣିଷ ଶ୍ରେଷ୍ଠ ହୋଇପାରିନାହାନ୍ତି। ଏହାର ଲକ୍ଷ ଲକ୍ଷ ଉଦାହରଣ ଆମ ସମ୍ମୁଖରେ ଅଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମଣିଷଙ୍କ ଜୀବନୀରୁ ଏହା ସୁସ୍ପଷ୍ଟ। ବିଶିଷ୍ଟ ବିଦ୍ବାନ୍‌ ମାର୍ଟିନ ଲୁଥରଙ୍କ ଭାଷାରେ ଗୋଟିଏ ରାଷ୍ଟ୍ରର ସମୃଦ୍ଧି ନିର୍ଭର କରେ ନାହିଁ ସେ ଦେଶର ଥିବା ସମ୍ପଦ, ଅଟ୍ଟାଳିକା ବା ସୌନ୍ଦର୍ଯ୍ୟର ଶିଳା ଉପରେ ବରଂ ନିର୍ଭର କରେ ସେ ଦେଶର ଜନ ମାନସିକତା, ଶିକ୍ଷା, ସଂସ୍କାର, ସଭ୍ୟସଂସ୍କୃତି ମଣିଷମାନଙ୍କ ଉପରେ ଓ ସେମାନଙ୍କ ସାଧୁତା ଉପରେ। ମନେପଡ଼େ ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ରଚିତ ଏକ ପୁସ୍ତକରେ ବର୍ଣିତ ଏକ ଅଙ୍ଗେ ନିଭା କଥା। ଲଣ୍ଡନରେ ପଢୁଥିବା ବେଳେ କଲେଜ ଲାଇବ୍ରେରିରୁ ବହିଟିଏ ଆଣି ଟ୍ରେନରେ ଘରକୁ ଫେରୁଥିବା ବେଳେ ବାଟରେ କେଉଁଠି ବହିଟି ହଜିଗଲା। ଡରିଗଲେ ସେ। ଭାବିଲେ,ସହଜେ ବ୍ରିଟେନ ନାଗରିକମାନେ ଭାରତୀୟଙ୍କୁ ଘୃଣା କରନ୍ତି, ପୁଣି ବହି ହଜିଯିବା କଥା କହିଲେ ସେମାନେ ନିଶ୍ଚିତ ଭାବିବେ ଯେ ଭାରତୀୟମାନେ କେବଳ ଠକ ନୁହନ୍ତି, ମିଥ୍ୟାବାଦୀ ମଧ୍ୟ। ଯାହା ହେଉ କାଲି ସେ କଲେଜ ଲାଇବ୍ରେରିକୁ ଯାଇ ସବୁ ସତକଥା କହିବେ ବୋଲି ନିଷ୍ପତ୍ତି ନେଲେ। ତା’ ପରଦିନ ସେ ଯେତେବେଳେ ଲାଇବ୍ରେରିଆନଙ୍କୁ ବହି ହଜିଯିବା କଥା କହିବା ଆରମ୍ଭ କଲେ, ଲାଇବ୍ରେରିଆନ ତୁରନ୍ତ ସହାସ୍ୟ ବଦନରେ ସେହି ବହିଟି ସେ ଫେରିପାଇଥିବା ଜଣାଇ ଦେଲେ। ଏହି ଘଟଣାଟିର ପଛ କଥା ହେଲା ବହିଟି ବାଟରେ ପଡ଼ିଗଲା ପରେ ଯେଉଁ ଭଦ୍ରବ୍ୟକ୍ତି ସେ ବହିଟି ପାଇଲେ, ସେ ବହିରେ ଲଗାଯାଇଥିବା ମୋହରରୁ ଜାଣିପାରି ଥିଲେ ଯେ ବହିଟି ସେହି ଲାଇବ୍ରେରିର। ତେଣୁ ସେ ତୁରନ୍ତ ବହିଟିକୁ ଲାଇବ୍ରେରିରେ ଫେରାଇ ଦେଇଥିଲେ। ଏହାହିଁ ଗୋଟିଏ ମହାନ ଜାତିର ମହାନ ଚରିତ୍ର। ଉକ୍ତ ବ୍ୟକ୍ତିଙ୍କ ସାଧୁତାକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଊଣାହେବ।
ସାଧୁତାକୁ ଜୀବନର ଏକ ଶ୍ରେଷ୍ଠ ଗୁଣ ଭାବେ ଗ୍ରହଣ କରାଯାଏ। ଦାର୍ଶନିକ ଥୋମାସ ଜେଫରସନଙ୍କ ଭାଷାରେ ବିଜ୍ଞତାର ପ୍ରଥମ ଅଧ୍ୟାୟ ହେଉଛି ସାଧୁତା। ଦାର୍ଶନିକ ବବ୍‌ ମର୍ଲେଙ୍କ ଭାଷାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଧନ ସମ୍ପତ୍ତି ଆଧାରରେ ମହାନ୍‌ କୁହାଯାଇ ପାରିବ ନାହିଁ , ବରଂ ତାଙ୍କ ନିକଟରେ ଥିବା ସାଧୁତା ଓ ସଚ୍ଚୋଟତା ଅଧାରେରେ ମହାନ କୁହାଯାଇ ପାରିବ। ବିଭିନ୍ନ ସମୟରେ ହଜିଯାଇଥିବା ଟଙ୍କା ବା ଅଳଙ୍କାର ଫେରିପାଇବା ସମ୍ପର୍କରେ ଖବରକାଗଜରେ ଖବର ପ୍ରକାଶ ପାଏ। ଯାତ୍ରା ସମୟରେ ବସ, କାର, ଅବା ରିକ୍‌ସାରେ ଯାତ୍ରୀ ନିଜର ମୂଲ୍ୟବାନ ବ୍ୟାଗ ଭୁଲରେ ଛାଡିଦେଇ ଯାଇଥାନ୍ତି। କିଛି ସାଧୁତା ସମ୍ପନ୍ନ ଲୋକ ତାହା ପାଇ ଫେରାଇଦେବାକୁ ଉଦ୍ୟମ କରି ସଫଳ ହୁଅନ୍ତି। ବଜାର ହାଟରେ ସଉଦାପତ୍ର କିଣିଲା ବେଳେ କେତେବେଳେ ଦୋକାନୀର ଭୁଲ ହୋଇଯାଏ ତ କେତେବେଳେ ଗରାଖର। ବେଳେବେଳେ ତ ତରବରରେ ଅଧିକ ଟଙ୍କା ଦୋକାନୀକୁ ଗରାଖ ଦେଇଦେଲେ ବି ଦୋକାନୀ ଉଚିତ ପ୍ରାପ୍ୟ ରଖି ଅବଶିଷ୍ଟ ଟଙ୍କା ଗରାଖକୁ ଫେରାଇଦେବାର ଅନୁଭବ ପ୍ରାୟ ସମସ୍ତଙ୍କ ପାଖରେ ଥାଏ। ସେହିପରି ଦୋକାନୀ ବି ଭୁଲବଶତଃ ଅଧିକ ଟଙ୍କା ଫେରାଇଥିଲେ ବି କିଛି ଗରାଖ ତାହା ଦୋକାନୀକୁ ଫେରାଇ ଦେଇ ନିଜର ସାଧୁତା ଓ ସଚ୍ଚୋଟତାର ପ୍ରମାଣ ଦେଇଥାନ୍ତି। ଏହି ପ୍ରସଙ୍ଗରେ ସ୍କୁଲରେ ପଢିବା ବେଳେ ଘଟିଥିବା ଗୋଟିଏ ଘଟଣା ମନେପଡ଼େ। ପରୀକ୍ଷା ଖାତା ଦେଖିସାରିବା ପରେ ଆମ୍ଭମାନଙ୍କୁ ଖାତା ଦେଖିବାକୁ ଦିଆଯାଏ। ସେଦିନ ଗଣିତ ସାର୍‌ ଆମ୍ଭମାନଙ୍କୁ ଗଣିତ ପରୀକ୍ଷାର ଖାତା ଦେଖାଇଥିଲେ। ସମସ୍ତଙ୍କ ମନରେ ବ୍ୟଗ୍ରତା ଥାଏ କାହାର କେତେ ନମ୍ବର ରହିଛି ଜାଣିବାକୁ। ସମସ୍ତେ ପ୍ରଥମେ ଖାତାର ବାମ ପଟରେ ଥିବା ନମ୍ବରକୁ ମିଶାଇ ମୋଟ ନମ୍ବର ସହ ମିଳାଉଥାନ୍ତି। ୩୦ ନମ୍ବରରୁ କମ୍‌ ନମ୍ବର ରଖି ଫେଲ ହୋଇଥିବା ପିଲାମାନଙ୍କ ମନ ଶୁଖିଯାଉଥାଏ। କିଛି ସମୟ ପରେ ସବୁପିଲା ନିଜ ନିଜର ପରୀକ୍ଷା ଖାତା ଶିକ୍ଷକଙ୍କୁ ଫେରାଇବାକୁ ଲାଗିଲେ। ଜଣେ ପିଲା ନିଜ ଖାତା ଫେରାଇବା ବେଳେ ଶିକ୍ଷକଙ୍କୁ କହିଥିଲା ଯେ, ତା’ର ମୋଟ ନମ୍ବର ମିଶାଇବାରେ ଭୁଲ ରହିଛି। ତା’ ପରୀକ୍ଷା ଖାତାର ଉପରେ ନାଲି ଅକ୍ଷରରେ ୩୩/୧୦୦ ଲେଖା ହୋଇଥିଲା। କିନ୍ତୁ ପ୍ରତି ପୃଷ୍ଠାରେ ଦିଆଯାଇଥିବା ନମ୍ବରକୁ ମିଶାଇଲେ ୨୮ ହେଉଥିଲା। ପିଲାଟି ଶିକ୍ଷକଙ୍କୁ ଏହା କହିବା ପରେ ଶିକ୍ଷକ ପୁଣି ଥରେ ନମ୍ବର ମିଶାଇ ଭୁଲ ଥିବା ଜାଣିପାରିଥିଲେ ଓ ସଂଶୋଧନ ବି କରିଦେଇଥିଲେ। ଫଳରେ ପିଲାଟି ୨୮ ନମ୍ବର ରଖି ଗଣିତରେ ଫେଲ ହୋଇଯାଇଥିଲା। ଅନ୍ୟ ପିଲାମାନେ ଆଶ୍ଚର୍ଯ୍ୟ ହୋଇଥିଲେ ପିଲାଟିର ଏପରି ଆଚରଣରେ। ପାସ୍‌ ନମ୍ବରରୁ ଫେଲ ନମ୍ବରକୁ ଆସି ପିଲାଟି କିନ୍ତୁ ମନ ଦୁଃଖ କରିନଥିଲା। ଶିକ୍ଷକ ପିଲାଟିକୁ ସାବାସୀ ଦେଇଥିଲେ ଓ କହିଥିଲେ ଗଣିତରେ ସିନା ତୁମେ ପାସ୍‌ ନମ୍ବର ରଖିପାରିଲନି, କିନ୍ତୁ ଜୀବନ ପରୀକ୍ଷାରେ ତୁମେ ସବୁଠାରୁ ଅଧିକ ନମ୍ବର ରଖିପାରିଛ। ନମ୍ବର କମ୍‌ ବେଶି ରଖିବାଟା ବଡ଼ କଥା ନୁହେଁ, ମାତ୍ର ଜୀବନରେ ସାଧୁତାକୁ ଆପଣେଇବା ସର୍ବଶ୍ରେଷ୍ଠ ଉପଲବ୍ଧି।
ଏହିଭଳି ଘଟଣାଟିଏ ଘଟିଥିଲା ନୋବେଲ ପୁରସ୍କାର ବିଜେତା ପ୍ରଫେସର ସୁବ୍ରମଣିୟନ ଚନ୍ଦ୍ରଶେଖରଙ୍କ ଜୀବନରେ। ତାଙ୍କର ସାଧୁତା ଓ ସଚ୍ଚୋଟତା ଆଚରଣକୁ ନେଇ ଛୋଟିଆ ଘଟଣା କିପରି ଟଙ୍କା ଜୀବନର ଗତିପଥକୁ ବଦଳାଇ ଦେଇଥିଲା ତାହା ବର୍ଣ୍ଣନା କରିଛନ୍ତି ତାଙ୍କ ଆତ୍ମଜୀବନୀରେ। ନୋବେଲ ବିଜେତା ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସି. ଭି. ରମଣ ନିଜର ବାଙ୍ଗାଲୋର ସ୍ଥିତ ଗବେଷଣାଗାରରେ ତିନିଜଣ ଯୁବ ବିଜ୍ଞାନୀଙ୍କୁ ନିଯୁକ୍ତି କରିବା ପାଇଁ ଖବରକାଗଜରେ ବିଜ୍ଞାପନଟିଏ ଦେଇଥିଲେ। ଅନେକ ଯୁବ ବିଜ୍ଞାନୀ ଏଥିପାଇଁ ଦରଖାସ୍ତ କଲେ। ଚନ୍ଦ୍ରଶେଖର ବି ଦରଖାସ୍ତ କରିଥିଲେ। ପ୍ରସିଦ୍ଧି ଲାଭ କରିଥିବା ପ୍ରଫେସରଙ୍କ ନିକଟରେ କିଏ ବା କାମ ନ କରିବାକୁ ଚାହିଁବ। ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଜଣ ପରୀକ୍ଷାର୍ଥୀଙ୍କୁ ବଛାଯିବା ପରେ ସେମାନଙ୍କୁ ନିଜେ ରମଣ ଇଣ୍ଟରଭିୟୁ କରିଥିଲେ। ତିନିଜଣ ଶ୍ରେଷ୍ଠ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ପାଇଁ ବଛା ଯାଇଥିଲା।ପରଦିନ ସି. ଭି. ରମଣ ନିଜ କାର୍ଯ୍ୟାଳୟ ସମ୍ମୁଖରେ ବୁଲୁଥିବା ବେଳେ ଚନ୍ଦ୍ରଶେଖରଙ୍କୁ ବୁଲୁଥିବା ଦେଖିବାକୁ ପାଇଲେ ଓ ଚିହ୍ନିପାରିଲେ ଯେ ସେ ଗତକାଲି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ରମଣ ତାଙ୍କ ନିକଟକୁ ଯାଇ ପଚାରିଥିଲେ ଯେ, କିଛି ଅସୁବିଧା ହୋଇଛି କି ? ଇଣ୍ଟରଭିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନି ଯୁବ ବିଜ୍ଞାନୀଙ୍କୁ ନିଯୁକ୍ତି ମିଳି ସାରିଛି। ଆଉ କିଛି କରିହେବନାହିଁ। କିନ୍ତୁ ଚନ୍ଦ୍ରଶେଖର ସ୍ମିତ ହସି କହିଥିଲେ ଯେ, ସେ ଏହା ଜାଣନ୍ତି। ମାତ୍ର ସେ ଅନ୍ୟ କାମରେ ଏଠାକୁ ଆସିଛନ୍ତି। ଗତକାଲି ଇଣ୍ଟରଭିୟୁ ଦେଇ ସାରିବା ପରେ ତାଙ୍କୁ ପ୍ରାପ୍ୟଠାରୁ ଅଧିକ ସାତ ଟଙ୍କା ଦିଆଯାଇଥିବାରୁ ତାହା ସେ ଫେରାଇବାକୁ ଆସିଛନ୍ତି। କିନ୍ତୁ କାଉଣ୍ଟର ବନ୍ଦ ହୋଇଯାଇଥିବାରୁ ସେ ଫେରାଇ ପାରି ନ ଥିଲେ। ପ୍ରତିବଦଳରେ ତାଙ୍କୁ କୁହାଯାଇଥିଲା ଯେ ଟଙ୍କା ଫେରାଇବାର ଆବଶ୍ୟକତା ନାହିଁ ଓ ତାହା ସେ ଖର୍ଚ୍ଚ କରିପାରନ୍ତି, ଯାହାକି ଠିକ୍‌ ନୁହେଁ। ଯାହା ତାଙ୍କର ପ୍ରାପ୍ୟ ନୁହେଁ,ତାହା ସେ ଗ୍ରହଣ କରିପାରିବେନି। ସି. ଭି. ରମଣ ସଙ୍ଗେ ସଙ୍ଗେ ଚନ୍ଦ୍ରଶେଖରଙ୍କଠାରୁ ସାତ ଟଙ୍କା ଗ୍ରହଣ କରିଥିଲେ। ଚନ୍ଦ୍ରଶେଖର ଫେରି ଆସୁଥିବା ବେଳେ ପଛରୁ ଡାକିଥିଲେ ସି. ଭି. ରମଣ। କହିଥିଲେ, ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ କାର୍ଯ୍ୟାଳୟରେ ଭେଟିବାକୁ। ପରଦିନ ଯେତେବେଳେ ନିର୍ଦ୍ଦିଷ୍ଟ ସମୟରେ ଚନ୍ଦ୍ରଶେଖର ରମଣଙ୍କୁ ଭେଟିଲେ, ସେତେବେଳେ ରମଣ କହିଥିଲେ , ତୁମେ କାଲି ପଦାର୍ଥ ବିଜ୍ଞାନରେ ଫେଲ ହୋଇଥିଲ, ହେଲେ ସାଧୁତା ପରୀକ୍ଷାରେ କୃତକାର୍ଯ୍ୟ ହୋଇଗଲ। ସେଥିପାଇଁ ମୁଁ ତୁମ ପାଇଁ ଆଉ ଗୋଟିଏ ପଦବୀ ସୃଷ୍ଟି କରି ତୁମକୁ ନିଯୁକ୍ତି ଦେଉଛି। ଚନ୍ଦ୍ରଶେଖର ବିଶ୍ୱାସ କରିପାରି ନ ଥିଲେ ରମଣଙ୍କ କଥାକୁ। ତୁରନ୍ତ ସେ ଯୋଗ ଦେଇଥିଲେ ରମଣଙ୍କ ଗବେଷଣାଗାରରେ। ମାତ୍ର ସାତ ଟଙ୍କା କିପରି ତାଙ୍କ ଜୀବନପଥକୁ ସଫଳତାର ଶୀର୍ଷ ସ୍ଥାନକୁ ନେଇଯାଇଥିଲା ତାହା ସେ ବର୍ଣ୍ଣନା କରିଛନ୍ତି ନିଜ ପୁସ୍ତକରେ। ସାଧୁତା ଓ ସଚ୍ଚୋଟତା ବାଲ୍ୟକାଳରୁ ମଣିଷ ଶିକ୍ଷାଲାଭ କରିବା ଉଚିତ। ନିଜ ପରିବାରରୁ ଏହା ପରିପୁଷ୍ଟ ହୋଇ କ୍ରମେ ସମାଜ ଓ ରାଷ୍ଟ୍ରକୁ ପରିବ୍ୟାପ୍ତ ହେଲେ ସାମୂହିକ ବିକାଶ ସହ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ।
ମୋ-୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri