ଚିପ୍‌କୋ ଆନ୍ଦୋଳନ ଓ ପ୍ରକୃତିର ତାଣ୍ଡବ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଫେବୃୟାରୀ ୭, ୨୦୨୧ ଦିନ ପ୍ରାୟ ୧୦ଟା। ସବୁଦିନ ଭଳି ସେଦିନ ମଧ୍ୟ ଉତ୍ତରାଖଣ୍ଡର ଚାମୋଲି ଅଞ୍ଚଳର ତପୋଭୂମି ହସୁଥିଲା ସୂର୍ଯ୍ୟକିରଣରେ । ହଠାତ୍‌ ମାଡ଼ି ଆସିଲା ଖଣ୍ଡପ୍ରଳୟ, ଋଷିଗଙ୍ଗା ଏବଂ ଧଉଳି ଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ରୂପେ। ଉତ୍ତୁଙ୍ଗ ଜଳର ଲହରି ସାଥିରେ ହିମବାହଗୁଡ଼ିକରୁ ବିଚ୍ୟୁତ ବିଶାଳ ବରଫଖଣ୍ଡମାନ ଭସାଇ ନେଲା ବିସ୍ତୃତ ଜନବସତି, ନିର୍ମାଣାଧୀନ ଆନିକଟ ତଥା ଅନ୍ୟାନ୍ୟ ପ୍ରକଳ୍ପ ଏବଂ ତହିଁରେ କାର୍ଯ୍ୟରତ ଶ୍ରମିକମାନଙ୍କୁ। ସୁଡ଼ଙ୍ଗଗୁଡ଼ିକରେ ବନ୍ଦୀ ହୋଇଗଲେ ଶହ ଶହ ଲୋକ, ଯେଉଁମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ଙ୍କୁ ମୃତ କିମ୍ବା ଜୀବିତ ଅବସ୍ଥାରେ ଉଦ୍ଧାର କରିବା ସମ୍ଭବ ହେଲା। କିଛିବର୍ଷ ପୂର୍ବେ ୨୦୧୩ରେ ଏହାର ଅନତି ଦୂରରେ ଏହି ହିମାଳୟ-ଗରଓ୍ବାଲ ଅଞ୍ଚଳରେ ଘଟିଥିଲା ତହିଁରୁ ବଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ; ଯାହାର ସ୍ମୃତି ଏବେ ମଧ୍ୟ ଜନ ମାନସରୁ ଲିଭି ନାହିଁ। ଏଣୁ ଅନେକେ ପ୍ରଶ୍ନ କରୁଛନ୍ତି ଯେ, ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି। ପରିବେଶବିତ୍‌ ଓ ବୈଜ୍ଞାନିକମାନେ ଏକ ସ୍ବରରେ କହୁଛନ୍ତି, ଏହାର କାରଣ ହେଲା ଏହି ପରିସଂସ୍ଥା-ସମ୍ବେଦନଶୀଳ ତଥା ଭୂକମ୍ପପ୍ରବଣ ଅଞ୍ଚଳରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଏବଂ ତଜ୍ଜନିତ ଉଷ୍ମତା ବୃଦ୍ଧି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିବେଶ ସୁରକ୍ଷା ସମ୍ପର୍କରେ କେବଳ ଆମ ଦେଶ କାହିଁକି ସମଗ୍ର ପୃଥିବୀରେ ସଚେତନତା ସୃଷ୍ଟି କରିଥିବା ଚିପ୍‌କୋ ଆନ୍ଦୋଳନ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା ଏଠାର ଚାମେଲି ଗ୍ରାମରୁ; ଯେଉଁଠାରୁ କି ଏବେ ଆରମ୍ଭ ହୋଇଛି ପ୍ରକୃତିର ତାଣ୍ଡବ। ସେତେବେଳେ ଏଠାର କିଛି ମହିଳା ଠିକାଦାରଙ୍କ କୁରାଢ଼ି ଚୋଟରୁ ବଞ୍ଚାଇବା ପାଇଁ ଗଛଗୁଡ଼ିକୁ ଆଲିଙ୍ଗନ କରି ଆମତ୍ବଳି ଦେଇଥିଲେ। ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେଲେ ଗାନ୍ଧିବାଦୀ ସୁନ୍ଦରଲାଲ ବହୁଗୁଣା। ହେଲେ ତାଙ୍କ ପରେ ସ୍ଥାନୀୟ ଜନସାଧାରଣ, ପରିବେଶବିତ୍‌ ଏବଂ ବୈଜ୍ଞାନିକମାନଙ୍କ ପ୍ରତିବାଦ ସତ୍ତ୍ୱେ ବି ଅନ୍ଧ ଭାବେ ଏଠାରେ ଚାଲିଲା ତଥାକଥିତ ‘ବିକାଶମୂଳକ କାର୍ଯ୍ୟକ୍ରମ’- ନଦୀଗୁଡ଼ିକରେ ଗଢ଼ା ହେଲା ଜଳବିଦ୍ୟୁତ୍‌ ଉତ୍ପାଦନ ଲାଗି ବହୁ ସଂଖ୍ୟକ ଆନ୍ନିକଟ, ନିର୍ମିତ ହେଲା ପ୍ରଶସ୍ତ ରାସ୍ତାଘାଟ ଏବଂ ସ୍ଥାପିତ ଜନବସତି। ସେଥିପାଇଁ ଚାଲିଲା ବ୍ୟାପକ ବୃକ୍ଷଛେଦନ ଏବଂ ଭୂମି ଖନନ। ଏକ ସମ୍ବେଦନଶୀଳ ସ୍ଥାନର ପରିସଂସ୍ଥା ଓ ପରିବେଶ କିପରି ସୁସ୍ଥ ଓ ସହନୀୟ ରହିବ ସେଥି ସମ୍ପର୍କରେ ଯୁଗ ଯୁଗ ଧରି ବିକଶିତ ହୋଇଥିବା ସ୍ଥାନୀୟ ଲୋକଙ୍କ ଜ୍ଞାନ ହିଁ ସର୍ବଶ୍ରେଷ୍ଠ। କିନ୍ତୁ ଏ ସମସ୍ତ କାର୍ଯ୍ୟକଳାପରେ ସେମାନଙ୍କୁ ଅଣଦେଖା କରାଗଲା।
ବର୍ତ୍ତମାନ ଉତ୍ତରାଖଣ୍ଡରେ ରହିଛି ୭୫ଟି ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର। ଯୋଜନା ଅଛି, ଏହାକୁ ୧୭୧କୁ ବୃଦ୍ଧି କରିବା ପାଇଁ। ତାହା ହେଲେ ସେଠାର ହିମାଳୟରୁ ପ୍ରବାହିତ ସମସ୍ତ ନଦୀ, ଝରଣା ବା କ୍ଷୁଦ୍ର ନଦୀର ପ୍ରାକୃତିକ ଜଳ ପ୍ରବାହକୁ ରୋକିବାକୁ ପଡ଼ିବ। କେଦାରନାଥ ମହାବିପତ୍ତି (୨୦୧୩) ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହାର କାରଣ ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହା ୨୦୧୪ ମସିହାରେ ଦେଇଥିବା ରିପୋର୍ଟରେ ସୂଚିତ କରିଥିଲା ଯେ, ଅତ୍ୟଧିକ ଆନ୍ନିକଟ ନିର୍ମାଣ ହିଁ ଏହାର ମୁଖ୍ୟ କାରଣ। ଏଣୁ ରାଜ୍ୟର ହିମବାହ ସହିତ ସଂପୃକ୍ତ କୌଣସିଠାରେ ତାହା କିମ୍ବା ଅନ୍ୟ କିଛି ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ତହିଁରେ ସୁପାରିସ କରିଥିଲା। ହେଲେ, ସରକାର ଏଥିପ୍ରତି ଦୃଷ୍ଟିପାତ ନ କରିବାରୁ ଏହାକୁ ନେଇ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଅନେକ ସର୍ବସାଧାରଣ ସ୍ବାର୍ଥ ମାମଲା ଦାଏର ହୋଇଛି। ତାହା ସତ୍ତ୍ୱେ ବି ଏବେ ଚାରିଧାମ ରାଜପଥ ଏବଂ ବିବିଧ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତହିଁରୁ ଅନେକ କରାଯାଉଛି ଉପଯୁକ୍ତ ପରିବେଶ ଆକଳନ ବିନା। ଏହାର ଏକ ପରିଣାମ ରୂପେ ପ୍ରକଟିତ ହୋଇଛି ବର୍ତ୍ତମାନର ଏହି ଖଣ୍ଡପ୍ରଳୟ। କୁହାଯାଉଛି ଯେ, ଏ ଘଟଣା ଘଟିଥିଲା ସମ୍ଭବତଃ ନନ୍ଦା ଦେବୀ ପର୍ବତରେ ଥିବା ଚାମେଲି ଗ୍ରାମ ନିକଟସ୍ଥ ଏକ ହିମବାହର ପ୍ରାଚୀର ହଠାତ୍‌ ଭାଙ୍ଗିପଡ଼ିବା ହେତୁ। ଫଳରେ ଋଷିଗଙ୍ଗା ଓ ଧଉଳି ଗଙ୍ଗା ନଦୀରେ ଆସିଗଲା ବନ୍ୟା। ଏହି ନଦୀ ଦୁଇଟି ମିଳିତ ହୋଇ ଉତ୍ପନ୍ନ କରିଛନ୍ତି ଗଙ୍ଗାନଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପନଦୀ ଅଳକାନନ୍ଦା। ତେବେ ଏହି ହିମବାହଟି ଏ ଅସମୟରେ କାହିଁକି ଭାଙ୍ଗି ପଡ଼ିଲା ତାହା କହି ହେଉ ନାହିଁ, କାରଣ ସାଧାରଣତଃ ଶୀତଋତୁରେ ଏହାର ବରଫ ପ୍ରାଚୀର ସୁଦୃଢ ରହିବାର କଥା। ଏହାର ବିପରୀତ ଘଟିଲା କିପରି ? ପରିବେଶବିତ୍‌ ଏଥିପାଇଁ ଦାୟୀ କରୁଛନ୍ତି ବନ ବିଧ୍ୱଂସ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁ ଉତ୍ତପ୍ତ ହୋଇ ଉଠୁଥିବା ପରିବେଶକୁ ।
ସେମାନଙ୍କ ମତରେ ‘କାରଣ ଓ ପରିଣାମ’ ତତ୍ତ୍ୱ ଅତି ସୁସ୍ପଷ୍ଟ। ପ୍ରତ୍ୟେକ କାର୍ଯ୍ୟର ଏକ ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି। ଅତଏବ ପରିବେଶ ବିଧ୍ୱଂସୀ କାର୍ଯ୍ୟକଳାପର ଏହା ଏକ ପରିଣାମ। ଏହାରି ମାଧ୍ୟମରେ ଦେବଭୂମି ହିମାଳୟ ଯେଉଁ ବାର୍ତ୍ତା ପ୍ରେରଣ କରିଛି ତାହା ବେଶ୍‌ ତୀବ୍ର ଏବଂ ପରିଷ୍କାର- ଏତାଦୃଶ ଅପରିଣାମଦର୍ଶୀ ଲଗାମହୀନ କାର୍ଯ୍ୟକଳାପର ପରିଣାମ କେବଳ ଧ୍ୱଂସାମତ୍କ ହିଁ ହେବ। ଏ ସଂକେତକୁ ଏହା ବାରମ୍ବାର ଦୋହରାଉଛି- କେବଳ ତାହା ବେଶ୍‌ ତୀବ୍ର ହେଉଛି ତ ଆଉ କେବେ କମ୍‌। ଏଣୁ କେଦାରନାଥ ଦୁର୍ବିପାକ (୨୦୧୩) ପରେ ଆମର ଚେତନା ପଶିବାର ଥିଲା। କିନ୍ତୁ ତାହା ହେଲା ନାହିଁ। ଏବେ ପୁଣି ତା’ର ପୁନରାବୃତ୍ତି ଘଟିଛି। ତେବେ ଏହି ସମୟ ବ୍ୟବଧାନ ମଧ୍ୟରେ ସେ ନୀରବ ହୋଇ ବସି ନାହିଁ। ପ୍ରତିବର୍ଷ ଫେବୃୟାରୀରୁ ମେ ମାସ ମଧ୍ୟରେ ବାରମ୍ବାର ଘଟୁଥିବା ବାଡ଼ବାଗ୍ନି, ଜୁନ୍‌ରୁ ଅକ୍ଟୋବର ବର୍ଷାକାଳରେ ହେଉଥିବା ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ମାଧ୍ୟମରେ ସେ ଏହାର ସୂଚନା ଦେଇ ଚାଲିଛି। ଏହାର ପରିଣାମସ୍ବରୂପ ବିଗତ ଦୁଇ ଦଶକ ମଧ୍ୟରେ ଏ ପ୍ରକାର ଛୋଟ ବଡ଼ ଘଟଣାରେ ଉତ୍ତରାଖଣ୍ଡର ପ୍ରାୟ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଅନୁମାନ କରାଯାଏ। ଅନ୍ୟପକ୍ଷରେ ଏହାର ଶିକାର ହୋଇଥିବା ସୁସ୍ଥ ପରିସଂସ୍ଥା ପାଇଁ ଅତ୍ୟାବଶ୍ୟକ ବନ୍ୟ ଜୀବଜନ୍ତୁ, ବୃକ୍ଷଲତା ଏବଂ କୀଟପତଙ୍ଗଙ୍କ ସଂଖ୍ୟା ଆକଳନ ହୋଇପାରିବ ନାହିଁ। ତେବେ ଏ ସବୁ ଫଳରେ ଏହି ପରିସଂସ୍ଥା- ସମ୍ବେଦନଶୀଳ ତଥା ଭୂକମ୍ପ ସକ୍ରିୟ ଅଞ୍ଚଳ ଘୋର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଚାଲିବ । ଏଣୁ ରାଜ୍ୟ ସରକାର ଏହା ପ୍ରତି ସଚେତନ ହୋଇ ଏହାର ସୁରକ୍ଷା ପ୍ରତି ଧ୍ୟାନ ନ ଦେଲେ ଏବଂ ଅନ୍ଧ ଭାବେ ପ୍ରକୃତିର ଅବକ୍ଷୟ ଘଟାଇ ଚାଲିଲେ ପରିଣାମ ଅଧିକରୁ ଅଧିକ ଭୟାବହ ତଥା ବ୍ୟାପକ ହେବାକୁ ଲାଗିବ। କେବଳ ଯେ ଏହା ଉତ୍ତରାଖଣ୍ଡ ପାଇଁ ପ୍ରଯୁଜ୍ୟ ତା’ ନୁହେଁ, ସମଗ୍ର ଦେଶ ଏବଂ ଏପରି କି ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ହେବା ଉଚିତ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri