ଚିପ୍‌କୋ ଆନ୍ଦୋଳନ ଓ ପ୍ରକୃତିର ତାଣ୍ଡବ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଫେବୃୟାରୀ ୭, ୨୦୨୧ ଦିନ ପ୍ରାୟ ୧୦ଟା। ସବୁଦିନ ଭଳି ସେଦିନ ମଧ୍ୟ ଉତ୍ତରାଖଣ୍ଡର ଚାମୋଲି ଅଞ୍ଚଳର ତପୋଭୂମି ହସୁଥିଲା ସୂର୍ଯ୍ୟକିରଣରେ । ହଠାତ୍‌ ମାଡ଼ି ଆସିଲା ଖଣ୍ଡପ୍ରଳୟ, ଋଷିଗଙ୍ଗା ଏବଂ ଧଉଳି ଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ରୂପେ। ଉତ୍ତୁଙ୍ଗ ଜଳର ଲହରି ସାଥିରେ ହିମବାହଗୁଡ଼ିକରୁ ବିଚ୍ୟୁତ ବିଶାଳ ବରଫଖଣ୍ଡମାନ ଭସାଇ ନେଲା ବିସ୍ତୃତ ଜନବସତି, ନିର୍ମାଣାଧୀନ ଆନିକଟ ତଥା ଅନ୍ୟାନ୍ୟ ପ୍ରକଳ୍ପ ଏବଂ ତହିଁରେ କାର୍ଯ୍ୟରତ ଶ୍ରମିକମାନଙ୍କୁ। ସୁଡ଼ଙ୍ଗଗୁଡ଼ିକରେ ବନ୍ଦୀ ହୋଇଗଲେ ଶହ ଶହ ଲୋକ, ଯେଉଁମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ଙ୍କୁ ମୃତ କିମ୍ବା ଜୀବିତ ଅବସ୍ଥାରେ ଉଦ୍ଧାର କରିବା ସମ୍ଭବ ହେଲା। କିଛିବର୍ଷ ପୂର୍ବେ ୨୦୧୩ରେ ଏହାର ଅନତି ଦୂରରେ ଏହି ହିମାଳୟ-ଗରଓ୍ବାଲ ଅଞ୍ଚଳରେ ଘଟିଥିଲା ତହିଁରୁ ବଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ; ଯାହାର ସ୍ମୃତି ଏବେ ମଧ୍ୟ ଜନ ମାନସରୁ ଲିଭି ନାହିଁ। ଏଣୁ ଅନେକେ ପ୍ରଶ୍ନ କରୁଛନ୍ତି ଯେ, ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି। ପରିବେଶବିତ୍‌ ଓ ବୈଜ୍ଞାନିକମାନେ ଏକ ସ୍ବରରେ କହୁଛନ୍ତି, ଏହାର କାରଣ ହେଲା ଏହି ପରିସଂସ୍ଥା-ସମ୍ବେଦନଶୀଳ ତଥା ଭୂକମ୍ପପ୍ରବଣ ଅଞ୍ଚଳରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଏବଂ ତଜ୍ଜନିତ ଉଷ୍ମତା ବୃଦ୍ଧି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିବେଶ ସୁରକ୍ଷା ସମ୍ପର୍କରେ କେବଳ ଆମ ଦେଶ କାହିଁକି ସମଗ୍ର ପୃଥିବୀରେ ସଚେତନତା ସୃଷ୍ଟି କରିଥିବା ଚିପ୍‌କୋ ଆନ୍ଦୋଳନ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା ଏଠାର ଚାମେଲି ଗ୍ରାମରୁ; ଯେଉଁଠାରୁ କି ଏବେ ଆରମ୍ଭ ହୋଇଛି ପ୍ରକୃତିର ତାଣ୍ଡବ। ସେତେବେଳେ ଏଠାର କିଛି ମହିଳା ଠିକାଦାରଙ୍କ କୁରାଢ଼ି ଚୋଟରୁ ବଞ୍ଚାଇବା ପାଇଁ ଗଛଗୁଡ଼ିକୁ ଆଲିଙ୍ଗନ କରି ଆମତ୍ବଳି ଦେଇଥିଲେ। ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେଲେ ଗାନ୍ଧିବାଦୀ ସୁନ୍ଦରଲାଲ ବହୁଗୁଣା। ହେଲେ ତାଙ୍କ ପରେ ସ୍ଥାନୀୟ ଜନସାଧାରଣ, ପରିବେଶବିତ୍‌ ଏବଂ ବୈଜ୍ଞାନିକମାନଙ୍କ ପ୍ରତିବାଦ ସତ୍ତ୍ୱେ ବି ଅନ୍ଧ ଭାବେ ଏଠାରେ ଚାଲିଲା ତଥାକଥିତ ‘ବିକାଶମୂଳକ କାର୍ଯ୍ୟକ୍ରମ’- ନଦୀଗୁଡ଼ିକରେ ଗଢ଼ା ହେଲା ଜଳବିଦ୍ୟୁତ୍‌ ଉତ୍ପାଦନ ଲାଗି ବହୁ ସଂଖ୍ୟକ ଆନ୍ନିକଟ, ନିର୍ମିତ ହେଲା ପ୍ରଶସ୍ତ ରାସ୍ତାଘାଟ ଏବଂ ସ୍ଥାପିତ ଜନବସତି। ସେଥିପାଇଁ ଚାଲିଲା ବ୍ୟାପକ ବୃକ୍ଷଛେଦନ ଏବଂ ଭୂମି ଖନନ। ଏକ ସମ୍ବେଦନଶୀଳ ସ୍ଥାନର ପରିସଂସ୍ଥା ଓ ପରିବେଶ କିପରି ସୁସ୍ଥ ଓ ସହନୀୟ ରହିବ ସେଥି ସମ୍ପର୍କରେ ଯୁଗ ଯୁଗ ଧରି ବିକଶିତ ହୋଇଥିବା ସ୍ଥାନୀୟ ଲୋକଙ୍କ ଜ୍ଞାନ ହିଁ ସର୍ବଶ୍ରେଷ୍ଠ। କିନ୍ତୁ ଏ ସମସ୍ତ କାର୍ଯ୍ୟକଳାପରେ ସେମାନଙ୍କୁ ଅଣଦେଖା କରାଗଲା।
ବର୍ତ୍ତମାନ ଉତ୍ତରାଖଣ୍ଡରେ ରହିଛି ୭୫ଟି ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର। ଯୋଜନା ଅଛି, ଏହାକୁ ୧୭୧କୁ ବୃଦ୍ଧି କରିବା ପାଇଁ। ତାହା ହେଲେ ସେଠାର ହିମାଳୟରୁ ପ୍ରବାହିତ ସମସ୍ତ ନଦୀ, ଝରଣା ବା କ୍ଷୁଦ୍ର ନଦୀର ପ୍ରାକୃତିକ ଜଳ ପ୍ରବାହକୁ ରୋକିବାକୁ ପଡ଼ିବ। କେଦାରନାଥ ମହାବିପତ୍ତି (୨୦୧୩) ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହାର କାରଣ ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହା ୨୦୧୪ ମସିହାରେ ଦେଇଥିବା ରିପୋର୍ଟରେ ସୂଚିତ କରିଥିଲା ଯେ, ଅତ୍ୟଧିକ ଆନ୍ନିକଟ ନିର୍ମାଣ ହିଁ ଏହାର ମୁଖ୍ୟ କାରଣ। ଏଣୁ ରାଜ୍ୟର ହିମବାହ ସହିତ ସଂପୃକ୍ତ କୌଣସିଠାରେ ତାହା କିମ୍ବା ଅନ୍ୟ କିଛି ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ତହିଁରେ ସୁପାରିସ କରିଥିଲା। ହେଲେ, ସରକାର ଏଥିପ୍ରତି ଦୃଷ୍ଟିପାତ ନ କରିବାରୁ ଏହାକୁ ନେଇ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଅନେକ ସର୍ବସାଧାରଣ ସ୍ବାର୍ଥ ମାମଲା ଦାଏର ହୋଇଛି। ତାହା ସତ୍ତ୍ୱେ ବି ଏବେ ଚାରିଧାମ ରାଜପଥ ଏବଂ ବିବିଧ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତହିଁରୁ ଅନେକ କରାଯାଉଛି ଉପଯୁକ୍ତ ପରିବେଶ ଆକଳନ ବିନା। ଏହାର ଏକ ପରିଣାମ ରୂପେ ପ୍ରକଟିତ ହୋଇଛି ବର୍ତ୍ତମାନର ଏହି ଖଣ୍ଡପ୍ରଳୟ। କୁହାଯାଉଛି ଯେ, ଏ ଘଟଣା ଘଟିଥିଲା ସମ୍ଭବତଃ ନନ୍ଦା ଦେବୀ ପର୍ବତରେ ଥିବା ଚାମେଲି ଗ୍ରାମ ନିକଟସ୍ଥ ଏକ ହିମବାହର ପ୍ରାଚୀର ହଠାତ୍‌ ଭାଙ୍ଗିପଡ଼ିବା ହେତୁ। ଫଳରେ ଋଷିଗଙ୍ଗା ଓ ଧଉଳି ଗଙ୍ଗା ନଦୀରେ ଆସିଗଲା ବନ୍ୟା। ଏହି ନଦୀ ଦୁଇଟି ମିଳିତ ହୋଇ ଉତ୍ପନ୍ନ କରିଛନ୍ତି ଗଙ୍ଗାନଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପନଦୀ ଅଳକାନନ୍ଦା। ତେବେ ଏହି ହିମବାହଟି ଏ ଅସମୟରେ କାହିଁକି ଭାଙ୍ଗି ପଡ଼ିଲା ତାହା କହି ହେଉ ନାହିଁ, କାରଣ ସାଧାରଣତଃ ଶୀତଋତୁରେ ଏହାର ବରଫ ପ୍ରାଚୀର ସୁଦୃଢ ରହିବାର କଥା। ଏହାର ବିପରୀତ ଘଟିଲା କିପରି ? ପରିବେଶବିତ୍‌ ଏଥିପାଇଁ ଦାୟୀ କରୁଛନ୍ତି ବନ ବିଧ୍ୱଂସ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁ ଉତ୍ତପ୍ତ ହୋଇ ଉଠୁଥିବା ପରିବେଶକୁ ।
ସେମାନଙ୍କ ମତରେ ‘କାରଣ ଓ ପରିଣାମ’ ତତ୍ତ୍ୱ ଅତି ସୁସ୍ପଷ୍ଟ। ପ୍ରତ୍ୟେକ କାର୍ଯ୍ୟର ଏକ ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି। ଅତଏବ ପରିବେଶ ବିଧ୍ୱଂସୀ କାର୍ଯ୍ୟକଳାପର ଏହା ଏକ ପରିଣାମ। ଏହାରି ମାଧ୍ୟମରେ ଦେବଭୂମି ହିମାଳୟ ଯେଉଁ ବାର୍ତ୍ତା ପ୍ରେରଣ କରିଛି ତାହା ବେଶ୍‌ ତୀବ୍ର ଏବଂ ପରିଷ୍କାର- ଏତାଦୃଶ ଅପରିଣାମଦର୍ଶୀ ଲଗାମହୀନ କାର୍ଯ୍ୟକଳାପର ପରିଣାମ କେବଳ ଧ୍ୱଂସାମତ୍କ ହିଁ ହେବ। ଏ ସଂକେତକୁ ଏହା ବାରମ୍ବାର ଦୋହରାଉଛି- କେବଳ ତାହା ବେଶ୍‌ ତୀବ୍ର ହେଉଛି ତ ଆଉ କେବେ କମ୍‌। ଏଣୁ କେଦାରନାଥ ଦୁର୍ବିପାକ (୨୦୧୩) ପରେ ଆମର ଚେତନା ପଶିବାର ଥିଲା। କିନ୍ତୁ ତାହା ହେଲା ନାହିଁ। ଏବେ ପୁଣି ତା’ର ପୁନରାବୃତ୍ତି ଘଟିଛି। ତେବେ ଏହି ସମୟ ବ୍ୟବଧାନ ମଧ୍ୟରେ ସେ ନୀରବ ହୋଇ ବସି ନାହିଁ। ପ୍ରତିବର୍ଷ ଫେବୃୟାରୀରୁ ମେ ମାସ ମଧ୍ୟରେ ବାରମ୍ବାର ଘଟୁଥିବା ବାଡ଼ବାଗ୍ନି, ଜୁନ୍‌ରୁ ଅକ୍ଟୋବର ବର୍ଷାକାଳରେ ହେଉଥିବା ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ମାଧ୍ୟମରେ ସେ ଏହାର ସୂଚନା ଦେଇ ଚାଲିଛି। ଏହାର ପରିଣାମସ୍ବରୂପ ବିଗତ ଦୁଇ ଦଶକ ମଧ୍ୟରେ ଏ ପ୍ରକାର ଛୋଟ ବଡ଼ ଘଟଣାରେ ଉତ୍ତରାଖଣ୍ଡର ପ୍ରାୟ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଅନୁମାନ କରାଯାଏ। ଅନ୍ୟପକ୍ଷରେ ଏହାର ଶିକାର ହୋଇଥିବା ସୁସ୍ଥ ପରିସଂସ୍ଥା ପାଇଁ ଅତ୍ୟାବଶ୍ୟକ ବନ୍ୟ ଜୀବଜନ୍ତୁ, ବୃକ୍ଷଲତା ଏବଂ କୀଟପତଙ୍ଗଙ୍କ ସଂଖ୍ୟା ଆକଳନ ହୋଇପାରିବ ନାହିଁ। ତେବେ ଏ ସବୁ ଫଳରେ ଏହି ପରିସଂସ୍ଥା- ସମ୍ବେଦନଶୀଳ ତଥା ଭୂକମ୍ପ ସକ୍ରିୟ ଅଞ୍ଚଳ ଘୋର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଚାଲିବ । ଏଣୁ ରାଜ୍ୟ ସରକାର ଏହା ପ୍ରତି ସଚେତନ ହୋଇ ଏହାର ସୁରକ୍ଷା ପ୍ରତି ଧ୍ୟାନ ନ ଦେଲେ ଏବଂ ଅନ୍ଧ ଭାବେ ପ୍ରକୃତିର ଅବକ୍ଷୟ ଘଟାଇ ଚାଲିଲେ ପରିଣାମ ଅଧିକରୁ ଅଧିକ ଭୟାବହ ତଥା ବ୍ୟାପକ ହେବାକୁ ଲାଗିବ। କେବଳ ଯେ ଏହା ଉତ୍ତରାଖଣ୍ଡ ପାଇଁ ପ୍ରଯୁଜ୍ୟ ତା’ ନୁହେଁ, ସମଗ୍ର ଦେଶ ଏବଂ ଏପରି କି ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ହେବା ଉଚିତ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri