ଜଣେ ଅନ୍ତରଙ୍ଗ ବନ୍ଧୁର ଅପମୃତ୍ୟୁ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ମଧୁସୂଦନ ରାଓଙ୍କ ଷଡ଼ଋତୁ ବର୍ଣ୍ଣନାରେ ବର୍ଷ ସାରା ବିଭିନ୍ନ ଋତୁ ଓ ମାସ ସମ୍ପର୍କରେ ଯାହା କ୍ରମାନ୍ବୟରେ ବ୍ୟକ୍ତ କରାଯାଇଛି, ତାହା ବାସ୍ତବ ଏବଂ ମନୋରମ। ଆବାଳବୃଦ୍ଧବନିତା ସମସ୍ତେ ଏହାର ସାରାଂଶ ମର୍ମେ ମର୍ମେ ଉପଲବ୍‌ଧି କରି ଆସୁଛନ୍ତି। ତେବେ ଋତୁଭିତ୍ତିକ ବିଚାର ବିଭିନ୍ନ କବିଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବ ଓ ବର୍ଣ୍ଣନା ଉଦ୍ରେକ କରିଥାଏ। ଶ୍ରୀମଦ୍‌ ଭାଗବତ ରଚୟିତା ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଋତୁ ସମ୍ପର୍କିତ ବ୍ୟାଖ୍ୟା ମଧ୍ୟରେ ଆଧ୍ୟାତ୍ମିକତାର ସ୍ପର୍ଶ ସ୍ପଷ୍ଟ ପ୍ରତୀତ ହୁଏ:
ଭୂମିରେ ଯେତେ ଜଳ ଥିଲା,
ଶରତେ ନିର୍ମଳ ହୋଇଲା।
ଭ୍ରଷ୍ଟଯୋଗୀଙ୍କ ଚିତ୍ତ ଯେହ୍ନେ,
ପୁଣି ନିର୍ମଳ ଯୋଗାସନେ।
ଏଥିରେ ଶ୍ରୀକୃଷ୍ଣଙ୍କ ମହିମାକୁ ଲକ୍ଷ୍ୟ କରି କବି ନିଜ ମନର ପବିତ୍ର ଭାବ ପ୍ରକଟ କରିଛନ୍ତି।
ତେବେ ପଦ୍ମଶ୍ରୀ ଉପାଧିରେ ଭୂଷିତ ମାୟାଧର ମାନସିଂଙ୍କୁ ପ୍ରେମିକ -କବି ଭାବେ କେହି କେହି ବିଚାର କରନ୍ତି। ସେ ‘ମହାନଦୀରେ ଜ୍ୟୋତ୍ସ୍ନା ବିହାର’ ରଚନା କରିବା ବେଳେ ଭ୍ରମଣକାଳୀନ ଅନୁଭୂତି ବର୍ଣ୍ଣନା କରିଛନ୍ତି।
”ଏ ମହା ନୀରବ କ୍ଷଣେ, ଏ ଜ୍ୟୋଚ୍ଛନା ତଳେ
ମୁଗ୍ଧ ମୁଁ ଅନାଇ ଏହି ବିପୁଳ ଶୋଭାରେ, ଅନୁଭବ ଆହା କାର ସ୍ପର୍ଶ ଏ ଅନ୍ତରେ
ବଚନୁ ଅତୀତ, ମୁହିଁ ପ୍ରଣମେ ତାହାରେ।“
ଜ୍ୟୋତ୍ସ୍ନା -ଉଦ୍‌ଭାସିତ ରଜନୀରେ ମହାନଦୀର ଉତ୍କର୍ଷ ଶୋଭା ତାଙ୍କୁ ଯେମିତି ଆହ୍ଲାଦିତ କରିଛି, ତାଙ୍କ ମନରେ ତତ୍କାଳୀନ ହତଶ୍ରୀ ମାତୃଭୂମିର ଦୁଃଖ-ଦୁର୍ଦ୍ଦଶା ସେମିତି ଗ୍ଲାନିରେ ବିଷାଦଗ୍ରସ୍ତ କରିଛି। ତେଣୁ ଏହି ପୃଷ୍ଠଭୂମିରେ ସେ ଉଲ୍ଲେଖ କରିଛନ୍ତି-
ହାୟ ଲୋ ଉତ୍କଳ ଭୂମି, ପ୍ରକୃତି ସୁନ୍ଦରୀ,
ମନ୍ଦାକିନୀ ସମନଦୀ, ମାରକତ ଗିରି,
କାନନେ କେଦାରେ ଲକ୍ଷ ଶୋଭାର ବହର
ଥାଉଁ ତୋର, କହ କିପାଁ ଏତେ ହତଶିରି?
ମେଘମୁକ୍ତ ଆକାଶରେ ଚନ୍ଦ୍ରର ଅବସ୍ଥିତି ଚନ୍ଦ୍ରିକା ରଞ୍ଜିତ କୋମଳ ସ୍ପର୍ଶରେ ଯେମିତି ମନକୁ ପ୍ରଫୁଲ୍ଲ କରେ, ସେଥିରେ ଜଣେ ଭାବୁକ ଆତ୍ମବିସ୍ମୃତ ନ ହୋଇ, ଅତୀତ ଉତ୍କଳର ଗୌରବମୟ ଗାଥା ଭୁଲି ନ ଯାଇ ଖେଦ ପ୍ରକଟ କରିପାରେ। ମାନସିଂ ଏକକାଳୀନ ଏହା ଅନୁଭବ କରିଛନ୍ତି।
ତେବେ ବୈଜ୍ଞାନିକଙ୍କ ମତରେ ଋତୁ ପରିବର୍ତ୍ତନର ହେତୁ ହେଉଛି ଚନ୍ଦ୍ରର ଅବସ୍ଥିତି। ଚନ୍ଦ୍ରର ଅନୁପସ୍ଥିତିରେ ମାନବ ସମାଜ ତ ଚନ୍ଦ୍ରକିରଣରେ ବିଭୋର ହେବା ଅସମ୍ଭବ। ତତ୍‌ ସହିତ ପୃଥିବୀରେ ଆମର ସ୍ଥିତି ବିପର୍ଯ୍ୟସ୍ତ ହୋଇଯିବ; ଯେମିତି ଆମେ ବିଭିନ୍ନ ଋତୁ ସହ ଖାପଖୁଆଇ ଆଜି ପର୍ଯ୍ୟନ୍ତ ବଞ୍ଚତ୍ ଆସିଛନ୍ତି, ସେମିତି ଜୀବନ ଶୈଳୀ ଦୁପ୍ରାପ୍ୟ ହେବା ନିଧାର୍ଯ୍ୟ। ଏପରି କି ମଣିଷ ସମେତ ସମଗ୍ର ଜୀବଜଗତ ଏହା ଦ୍ୱାରା ଅତିଶୟ ପ୍ରଭାବିତ ହେବେ। ତେବେ କ’ଣ ଚନ୍ଦ୍ରର ସ୍ଥିତି ବିପନ୍ନ ହେବା ଆଶଙ୍କା ରହିଛି? ଉଦ୍‌ବେଗର ବିଷୟ , ଆମ ସୌରଜଗତରେ ବିଭିନ୍ନ କ୍ରିୟା ପ୍ରତିକ୍ରିୟା ଅହରହ ଚାଲୁ ରହିଛି। ତେଣୁ ସାଂପ୍ରତିକ ସୌରମଣ୍ଡଳ ଯେ ଚିରଦିନ ଏମିତି ସ୍ଥିତିରେ ରହିବ, ଏହା ଭାବିବା ପ୍ରମାଦପୂର୍ଣ୍ଣ।
ଏହି ଦୃଷ୍ଟିରୁ ପ୍ରୋଟୋପ୍ଲାନେଟ ବିଷୟ ଚିନ୍ତା କରାଯାଇପାରେ। ଏହା ଏକ ଖଗୋଳୀୟ ପିଣ୍ଡ; ଯାହାର ଆକାର ବର୍ତ୍ତୁଳାକାର ହୋଇ ନ ଥାଏ। ସୌରଜଗତ ସୃଷ୍ଟି ହେବା ସମୟରୁ ଆକାଶରେ ବିଦ୍ୟମାନ କିଛି ମୁକ୍ତ ସୌରକଣିକା ମାଧ୍ୟାକର୍ଷଣଜନିତ ପାରସ୍ପରିକ ଆକର୍ଷଣରୁ ଏକତ୍ରିତ ହୋଇଯାଆନ୍ତି। ଏଥିରେ ଉପାଦାନ ଭାବେ ରହିଥାଏ ଧୂଳିକଣା ଓ ଗ୍ୟାସ- ଅଣୁ। ଏହି ପିଣ୍ଡଟି ସୂର୍ଯ୍ୟ ଚାରିପଟେ ଘୂରେ। ଜଣାଯାଏ ଯେ, ଆମ ସୌରଜଗତରେ ଯେଉଁ ଗ୍ରହମାନ ଅବସ୍ଥିତ, ସେମାନେ ଏହି ପ୍ରୋଟୋପ୍ଲାନେଟରୁ ଜାତ। ସଂପ୍ରତି ବିଦ୍ୟମାନ ପ୍ରୋଟୋପ୍ଲାନେଟମାନେ ଅଧାରୁ ଅଧିକ ମୁକ୍ତ ଅଣୁକୁ ନିଜ ଆଡ଼କୁ ଟାଣି ବାନ୍ଧି ରଖୁଛନ୍ତି। ଉଦାହରଣ ହେଉଛି ସେରେସ ପଲ୍ଲାସ ଓ ଭେଷ୍ଟ (ଗ୍ରହାଣୁପୁଞ୍ଜ ଆଷ୍ଟେରୋଇଡ)। ଏମାନଙ୍କ ଭବିଷ୍ୟତ ବ୍ୟବହାର ଅନିଶ୍ଚିତ। ଅନୁମାନ କରାଯାଏ ଯେ, ପୃଥିବୀ ସହ ଏମିତି ଏକ ପ୍ରୋଟୋପ୍ଲାନେଟର ଧକ୍କା (କଲିଜନ) ଫଳରେ ପ୍ରାୟ ୪୫୦୦ ନିୟୁତ ବର୍ଷ ପୂର୍ବେ ଚନ୍ଦ୍ରର ସୃଷ୍ଟି। କେହି କେହି ଆଶଙ୍କା କରନ୍ତି ଯେ, ସୁଦୂର ଭବିଷ୍ୟତରେ ଚନ୍ଦ୍ର ଏତାଦୃଶ ପ୍ରୋଟୋପ୍ଲାନେଟ ସହ ଦିନେ ସଂଘାତ ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇ ଯିବନି ତ ? ଅବଶ୍ୟ ଏହା ଏକ ଦୈବୀ ଅଘଟଣ। ତଥାପି ବିଚାର୍ଯ୍ୟ। ଏମିତି ଏକ ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ପର୍କରେ ସମ୍ୟକ୍‌ ଧାରଣା ପାଇବା ପାଇଁ ମନୁଷ୍ୟକୃତ ଏକ ଅତୀତ ଯୋଜନା ସମ୍ପର୍କରେ କିଛି ବିବରଣୀ ପ୍ରଣିଧାନଯୋଗ୍ୟ।
୧୯୫୯ ମସିହାର ଘଟଣା। ସେତେବେଳେ ସୋଭିଏଟ୍‌ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଲାଗିଥିଲା। ‘ଏ ଷ୍ଟର୍ଟ ଅଫ ଲୁନାର ରିସର୍ଚ୍ଚ ଫ୍ଲାଇଟ୍ସ’ ନାମକ ଏହି ଯୋଜନା ଅନୁସାରେ ବୋମା ଦ୍ୱାରା ଚନ୍ଦ୍ରକୁ ଆକ୍ରମଣ କରିବା ବିଷୟ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଏପରି କି ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ କାର୍ଲ ସାଗାନ ଏହାର ରୂପରେଖ ପ୍ରସ୍ତୁତିିରେ ସଂପୃକ୍ତ ଥିଲେ ବୋଲି ଶୁଣାଯାଏ। କିନ୍ତୁ ସେମାନେ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହା ଏକ ଉଦ୍ଭଟ ପରିକଳ୍ପନା ବୋଲି ହୃଦୟଙ୍ଗମ କଲେ। ହିସାବରୁ ଜଣାଗଲା ଯେ, ତିରିଶ ଟ୍ରିଲିୟନ (ଅର୍ଥାତ୍‌ ଏକ ଲକ୍ଷ କୋଟି, ଯାହା କି ଏକରେ ବାରଟି ଶୂନ) ମେଗାଟନ ସମ୍ପନ୍ନ ଟିଏନ୍‌ଟି ଏଥିପାଇଁ ଆବଶ୍ୟକ। ପ୍ରକାଶଥାଉ କି ରୁଷିଆ ଶକ୍ତିଶାଳୀ କିଙ୍ଗ ବମ୍‌ ପଚାଶ ମେଗାଟନ ଶକ୍ତିସମ୍ପନ୍ନ। ତେଣୁ ଚନ୍ଦ୍ର ଧ୍ୱଂସ ପାଇଁ କେତେ ସଂଖ୍ୟାରେ ବମ୍‌ ଏବଂ ଏହାକୁ ନିକ୍ଷେପ କରିବାକୁ କେତେ ଅଗଣିତ ମଲ୍‌ଟି ଷ୍ଟେଟ ରକେଟ ଆବଶ୍ୟକ, ଏହା ଅନୁମେୟ। ପରିଶେଷରେ ଆମେରିକା ଏହି ଯୋଜନାରୁ କ୍ଷାନ୍ତ ରହି ସୋଭିଏଟ୍‌ର ଚନ୍ଦ୍ର ଅଭିଯାନ ସହ ପ୍ରତିଯୋଗିତାରେ ଲିପ୍ତ ରହିଲା।
ବର୍ତ୍ତମାନ ଦୈବୀ ଦୁର୍ବିପାକ ଉପରେ ଦୃଷ୍ଟି ନିବଦ୍ଧ କରି ଅବଗତ ହେଲେ ଯେ, ଆମ ସୌର ମଣ୍ଡଳର ସର୍ବବୃହତ୍‌ ଗ୍ରହାଣୁ ହେଉଛି ସେରେସା । ଧରାଯାଉ, ଏହି ଗ୍ରହାଣୁଟି ମୁକ୍ତ ହୋଇ ଚନ୍ଦ୍ର ଦେହରେ ପିଟି ହୋଇଯିବ। ତଥାପି ଚନ୍ଦ୍ର ବଞ୍ଚତ୍ ରହିବ। କାରଣ ଚନ୍ଦ୍ରର ବସ୍ତୁତ୍ୱ ତୁଳନାରେ ଏହା ଯଥେଷ୍ଟ କମ୍‌ (ମୋଟେ ଶତକଡା ୧.୩ ଭାଗ)। ଚନ୍ଦ୍ର ଧ୍ୱଂସ ହେବା ପାଇଁ ଚନ୍ଦ୍ର ସହ ପ୍ରାୟ ସମାନ ଓଜନ ଥିବା ଏକ ସୌରପିଣ୍ଡ ଆବଶ୍ୟକ। ଅବଶ୍ୟ ମହାଜାଗତିକ ବିଚିତ୍ର ଘଟଣା ମାନ ଦେଖାଯାଏ। ତେଣୁ ଏକ ବୃହତ୍‌ ଅଜଣା ସୌରପିଣ୍ଡ ଏହି କାମ କରିପାରେ। ସମ୍ଭାବନା ନଗଣ୍ୟ ହେଲେ ମଧ୍ୟ ସମ୍ଭବପର।
ଯଦି ଏମିତି ଦୁର୍ବିପାକ ଘଟେ, ତେବେ ଚନ୍ଦ୍ର ଖଣ୍ଡ ବିଖଣ୍ଡିତ ହେବ। ସେମାନଙ୍କ ମଧ୍ୟରେ ଯେଉଁ ଖଣ୍ଡଗୁଡ଼ିକର ବେଗ ଏସ୍କେପ ଭେଲୋସିଟି (ପଳାୟନ-ପରିବେଗ)ଠାରୁ ଅଧିକ, ସେମାନେ ଖସି ଚାଲିଯିବେ। କିନ୍ତୁ ଯେଉଁ ଖଣ୍ଡଗୁଡ଼ିକର ଗତି ମନ୍ଥର, ସେମାନେ ପାରସ୍ପରିକ ମାଧ୍ୟାକର୍ଷଣରୁ ଏକତ୍ର ମିଶି ପୁଣି ଏକ କ୍ଷୁଦ୍ର ଚନ୍ଦ୍ର ଗଢ଼ିପାରନ୍ତି। ଏହା ଗୋଲାକାର ନ ହୋଇ ବେଢ଼ଙ୍ଗିଆ କୁତ୍ସିତ ରୂପ ନେବ। (ଦ୍ରଷ୍ଟବ୍ୟ: ଖ୍ରୀଷ୍ଟୋଫର ହେଲମାନ, ଫୋର୍ବସ ଡଟ କମ୍‌ ୨୬ ନଭେମ୍ବର ୨୦୧୨)।
ଏମିତି ଏକ କଦର୍ଯ୍ୟ ଚନ୍ଦ୍ର ନାମକ ସୃଷ୍ଟ ପିଣ୍ଡଟି କବି ମାନସିଂ ବା ଜଗନ୍ନାଥ ଦାସଙ୍କୁ ଅନୁପ୍ରାଣିତ କରିଥାନ୍ତା କି ? ଶରତଚନ୍ଦ୍ରଙ୍କ ଉପନ୍ୟାସ ଦେବଦାସ (୧୯୧୭)ରେ ଯେଉଁ ରୂପବତୀ ଗଣିକା ଚରିତ୍ର ବର୍ଣ୍ଣିତ, ତାକୁ ସେ ନାମକରଣ କରିଥିଲେ ଚନ୍ଦ୍ରମୁଖୀ (ସୁନ୍ଦରୀ ଚନ୍ଦ୍ରର ଅବତାର ଭାବେ)। ଏହାର ନିର୍ଦ୍ଦେଶକ ବିମଳ ରାୟ ଏକ ରୂପସୀ ଅଭିନେତ୍ରୀକୁ ଏହି ଭୂମିକା ପାଇଁ ବାଛିବା ଅଭିପ୍ରାୟରେ ନର୍ଗିସ, ସୁରୋୟା, ବୀଣା ରାୟ, ବୈଜୟନ୍ତୀମାଳା ଆଦିଙ୍କ ସହ ସାକ୍ଷାତ କରି ପରିଶେଷରେ ବୈଜୟନ୍ତୀମାଳାଙ୍କୁ ବାଛିଥିଲେ। ସର୍ବୋପରି ସାରା ବିଶ୍ୱବାସୀ ଜାଣନ୍ତୁ ଯେ, ଚନ୍ଦ୍ର ଯୋଗୁ ଋତୁ ପରିବର୍ତ୍ତନ ହୁଏ, ପୃଥିବୀ ଟଳମଳ ହୁଏ ନାହିଁ। ଦିନରାତି, ଜୁଆର ଭଟ୍ଟା ଇତ୍ୟାଦିର ସୃଷ୍ଟି। ଦୈବାତ୍‌ ଏହା ଧ୍ୱଂସପ୍ରାପ୍ତ ବା ବିକୃତ ହେଲେ, ପୃଥିବୀ ତା’ର ଅନ୍ତରଙ୍ଗ ବିଶ୍ୱସ୍ତ ସାଥୀକୁ ହରାଇବ।
ମୋ:୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri