ମହିମାଗାଦିର ମହାମେଳା

ଡ. ଉଦ୍ଧବ ଚରଣ ନାୟକ

ମହିମାଗାଦି ହେଉଛି ଓଡ଼ିଶାର ନିଜସ୍ବ ଧର୍ମ ମହିମାଧର୍ମର ପୁଣ୍ୟପୀଠ। ଏହି ଧର୍ମର ପ୍ରାଣପ୍ରତିଷ୍ଠାତା ମହିମା ଗୋସେଇଁ ଦୀର୍ଘ ୧୪ବର୍ଷକାଳ ପଦବ୍ରଜରେ ଭ୍ରମଣ ପୂର୍ବକ ମହିମାଧର୍ମର ଶାଶ୍ୱତବାଣୀ ପ୍ରଚାରକରି ପରିଶେଷରେ ଢେଙ୍କାନାଳର ଯୋରନ୍ଦା ମହିମା ଆଶ୍ରମଠାରେ ୧୮୭୬ ଫାଲ୍‌ଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ବ୍ରହ୍ମଲୀନ ହୋଇଥିଲେ। ସ୍ବାମୀ ଯୋରନ୍ଦାର ଯେଉଁ ସ୍ଥାନରେ ବ୍ରହ୍ମଲୀନ ହୋଇଥିଲେ ସେଠାରେ ତାଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏକ ମନ୍ଦିର ପ୍ରତିଷ୍ଠା ହୋଇଛି। ତାଙ୍କର ନଶ୍ୱର ଶରୀରକୁ ଯେଉଁଠାରେ ଭୂ-ସମାଧି କରାଯାଇଥିଲା, ସେଠାରେ ବିରାଟ ମନ୍ଦିର ନିର୍ମାଣ କରାଯାଇଛି। ଏହା ମହିମାଗାଦି ମନ୍ଦିର ଭାବରେ ଖ୍ୟାତ। ପ୍ରତିବର୍ଷ ଏଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବିରାଟ ମହିମା ମେଳା ମହା ଆଡ଼ମ୍ବର ସହକାରେ ପାଳିତ ହୁଏ। ଯୋରନ୍ଦାସ୍ଥିତ ମହିମାଧର୍ମ ସମାଜର ସମସ୍ତ ମଠମନ୍ଦିର ମହିମାଗାଦି ଭାବରେ ସୁପ୍ରସିଦ୍ଧ।
ମହିମା ଗୋସେଇଁ ବା ମହିମାସ୍ବାମୀ ଓଡ଼ିଶାର ବହୁ ସ୍ଥାନରେ ମହିମା ଆଶ୍ରମ ବା ମହିମାଟୁଙ୍ଗି ସ୍ଥାପନ କରିଥିଲେ। ତନ୍ମଧ୍ୟରେ ବାଙ୍କୀର ମାଳବେହାରପୁର, ଆଠଗଡ଼ର ଖୁଣ୍ଟୁଣୀ, ଖୋର୍ଦ୍ଧାର ଅନ୍ଧାରୁଆ, ଦାରୁଠେଙ୍ଗ, ଡାଳିଯୋଡ଼ାର ମଙ୍ଗରାଜପୁର, ଆଗ୍ରାହାଟ, ଢେଙ୍କାନାଳର ଜକା ଯୋରନ୍ଦା ଓ ମଢ଼ି (କାମାକ୍ଷାନଗର) ଏବଂ ଅନୁଗୋଳର ଅଙ୍ଗାରବନ୍ଧ ଆଦି ଅନ୍ୟତମ। ଏହିସବୁ ମହିମାଟୁଙ୍ଗିରେ ସ୍ବାମିଜୀ ସ୍ବହସ୍ତରେ ଧୁନି ସ୍ଥାପନ କରିଥିଲେ। ପ୍ରତ୍ୟେକ ମହିମା ଟୁଙ୍ଗିରେ ସେ ମହିମାମେଳା ଅନୁଷ୍ଠିତ କରୁଥିଲେ। ଜଗତ ଭଗତଙ୍କୁ ମହିମାଧର୍ମର ଶାଶ୍ୱତବାଣୀ ଶୁଣାଉଥିଲେ। ଏହିସବୁ ଆଶ୍ରମ ବା ଟୁଙ୍ଗି ଥିଲା ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ର। ମହିମା ସ୍ବାମୀ ଯୋରନ୍ଦାଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମେଳା ଅନୁଷ୍ଠିତ କରିଥିବାରୁ ବ୍ରହ୍ମଲୀନ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯୋରନ୍ଦାଠାରେ ପ୍ରତିବର୍ଷ ମହିମାମେଳା ଅନୁଷ୍ଠିତ ହୋଇଆସୁଛି। ଏହି ମେଳା ମହିମାଧର୍ମର ବାର୍ଷିକ ଉତ୍ସବ ଭାବରେ ପରିଚିତ।
ମହିମା ସ୍ବାମୀଙ୍କ ମହାପ୍ରୟାଣ ପରେ ତାଙ୍କର ପ୍ରିୟ କୌପୀନଧାରୀ ସିଦ୍ଧ ସନ୍ନ୍ୟାସୀ ଶିଷ୍ୟ ପରମାନନ୍ଦ ବାବା ସମାଧି ଉପରେ ସର୍ବପ୍ରଥମେ ଏକ ୫ ହାତିଆ ମନ୍ଦିର ନିର୍ମାଣ କରି ନୀତି-ସେବା କରୁଥିଲେ। ଏହି ନୀତି କାର୍ଯ୍ୟରେ ତାଙ୍କୁ ତତ୍‌କାଳୀନ କୌପୀନଧାରୀ ସିଦ୍ଧ ସନ୍ନ୍ୟାସୀ ଘାସିରାମ ବାବା, ମସ୍ତରାମ ବାବା ଓ ଚନ୍ଦ୍ରମଣି ବାବା ଓଗେର ସହାୟତା କରୁଥିଲେ। ମହିମା ସ୍ବାମୀଙ୍କ ଗହଣିଆ ଭକ୍ତ ଯୋରନ୍ଦା ଗ୍ରାମ ନିବାସୀ ଦାମ ବେହେରା ମଧ୍ୟ ସହାୟତା କରୁଥିଲେ। ଏହାପରେ ୧୮୮୧ରେ ମହିମା ସ୍ବାମୀଙ୍କ ଅନ୍ୟ ସିଦ୍ଧ ଶିଷ୍ୟ ଯଥା ସିଦ୍ଧ କୌପୀନଧାରୀ ବିଦ୍ୟାଧର ବାବା, ସିଦ୍ଧ ବଳ୍କଳଧାରୀ ବଡ଼ କୃପାସିନ୍ଧୁ ବାବା ଓ ନୀଳାଦ୍ରି ବାବା ପ୍ରମୁଖ ସନ୍ନ୍ୟାସୀମାନେ ମିଳିତ ହୋଇ ନୀତି ସେବା କାର୍ଯ୍ୟରେ ଯୋଗଦେଇଥିଲେ। ତତ୍‌ପରେ ଭକ୍ତମାନଙ୍କ ଅର୍ଥ ଦାନରେ ପରମାନନ୍ଦ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିମାଗାଦି ମନ୍ଦିର ଓ ମଠ, ଧର୍ମଶାଳା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଲା। ପରମାନନ୍ଦ ବାବାଙ୍କ ନିର୍ମିତ ୫ ହାତିଆ ସମାଧି ମନ୍ଦିରଟି ବର୍ତ୍ତମାନର ବିରାଟ ମହିମା ମନ୍ଦିର ଗର୍ଭଗୃହରେ ବିଦ୍ୟମାନ। କ୍ରମେ ମହିମାଗାଦିର ପରିସର ବୃଦ୍ଧିପାଇବାରେ ଲାଗିଛି। ବତ୍ତର୍ମାନ ଏଠାରେ ଅନେକ ମଠମନ୍ଦିର ରହିଛି। ସେଗୁଡ଼ିକ ହେଲା- ଶୂନ୍ୟମନ୍ଦିର, ଧୁନିମନ୍ଦିର, କୌପୀନଧାରୀ ମହିମା ସମାଜର ଅଖଣ୍ଡବତି ମନ୍ଦିର, ପଶ୍ଚିମାଞ୍ଚଳ ମହିମାଶ୍ରମ କୃତାମୂଳ ଆଶ୍ରମ, ଜଟିଆ ବାବାଙ୍କ ଆଶ୍ରମମଣ୍ଡଳ, ଯାମୁଶାର ମଠ, ପଣସମୂଳ ମଠ, ବର୍ଣ୍ଣାଢ଼୍ୟ ପଟଣା ମଠ, ଆମ୍ବମୂଳ ସିଦ୍ଧାଶ୍ରମ ଓ ପୋଖରୀ ତଳ କାଶୀନାଥ ବାବାଙ୍କ ଆଶ୍ରମ ମଣ୍ଡଳ ଇତ୍ୟାଦି।
ମହିମାମେଳାକୁ ଉପଭୋଗ କରିବା ପାଇଁ ତଥା ମହିମା ମହୋତ୍ସବ ଦର୍ଶନ ନିମନ୍ତେ ମେଳା ପୂର୍ବରୁ ସମବେତ ହୁଅନ୍ତି ଓଡ଼ିଶା, ଆସାମ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ତିବ୍ବତ, ନେପାଳ ଓ ବାଂଲାଦେଶର ଉକ୍ତ ଓ ସନ୍ନ୍ୟାସୀମାନେ। ମହିମାମେଳା ଦିବସରେ ଏହି ଭକ୍ତ ଓ ସନ୍ନ୍ୟାସୀମାନଙ୍କର ଅପୂର୍ବ ସମାବେଶ ଘଟେ। ‘ଅଲେଖ ମହିମା ବ୍ରହ୍ମମନ୍ତ୍ର ନିନାଦରେ ବେଢ଼ା ପରିସର ପ୍ରକମ୍ପିତ ହୁଏ। ମନ୍ଦିର ପରିସରରେ ବିଭିନ୍ନ ବାଦ୍ୟଯନ୍ତ୍ରର ନିନାଦ ଓ ଜନ କୋଳାହଳ ମଧ୍ୟରେ ମୁହୁର୍ମୁହୁ ‘ଅଲେଖ’ ଡାକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏପରି ଆଧ୍ୟାତ୍ମିକ ଦୃଶ୍ୟପଟକୁ ସନ୍ଦର୍ଶନ କରି ଧାର୍ମିକ ଜନତା ମନରେ ଅଫୁରନ୍ତ ଧର୍ମଭାବ ଉଦ୍ରେକ ହେବା ସ୍ବାଭାବିକ। ଆକାଶର ପୂର୍ଣ୍ଣଚନ୍ଦ୍ର କିରଣ ଓ ଘୃତଦୀପାଳିଗୁଡ଼ିକର ଜ୍ୟୋତିଶିଖା ଏକତ୍ରିତ ହୋଇ ମହିମା ସ୍ବାମୀଙ୍କ ସ୍ମୃତିକୁ ଅବଲୋକନ କରୁଥିବା ପରି ମନେହୁଏ। ଏହି ମେଳାରେ ଦୀପଶିଖା ବା ଦୀପାଳିଗୁଡ଼ିକରେ ମହଣ ମହଣ ଘୃତ ଆହୂତି ହୋଇଥାଏ। ଏପରି ଦୃଶ୍ୟ ଅନ୍ୟତ୍ର ଦେଖିବାକୁ ବିରଳ। ଏହା ସହିତ ସନ୍ଥକବିଙ୍କ ଭଜନ ଜଣାଣ ଗାୟନକରି ସାଧୁଭକ୍ତମାନେ ନାଚି ନାଚି ଆନନ୍ଦରେ ଗଡ଼ିଯାଆନ୍ତି। ସେମାନଙ୍କ ମୁହଁରୁ ସ୍ବତଃ ନିସୃତ ହୋଇଥାଏ ”ଗୁରୁ ଅଲେଖ ମହିମା ରଖ, ତିନି ଭୁବନରୁ ପଡ଼ୁଛି ଡାକ। ଗୁରୁ ଅନାଦି ମହିମାଗାଦି ତିନି ଭୁବନକୁ ଯାଉଛି ଭେଦି।“ ଏହି ମେଳା ପରିସରକୁ ଜାତି, ବର୍ଣ୍ଣ , ଧର୍ମ ନିର୍ବିଶେଷରେ ଭକ୍ତମାନେ ପ୍ରବେଶ କରିଥାଆନ୍ତି। କୌଣସି ବାରଣ ନ ଥାଏ- ଏହା ହେଉଛି ମହିମାଧର୍ମର ଆଦର୍ଶ ଓ ପରମ୍ପରା। ମହିମାଧର୍ମ ଓ ମହିମାମେଳା ସାର୍ବଜନୀନ ଧର୍ମ ଓ ମହୋତ୍ସବ ଭାବରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଏହାର ମୂଳମନ୍ତ୍ର ହେଲା –
”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ।“
ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri