ବଢ଼ିଲା ଝିଅର ଚିନ୍ତା

ଦ୍ୱିତୀ ଚନ୍ଦ୍ର ସାହୁ

ଅପରାହ୍ଣ ସମୟ। ବିଦ୍ୟାଳୟ ସମୟ ଶେଷ ହୋଇଯାଇଛି। ଅଫିସରେ ବସିଥାଏ। ଜଣେ ଅଳ୍ପବୟସ୍କା କାଖରେ ପିଲାଟିକୁ ଧରି ଆସଲା। ତା’ର ଟିସି ମାଗିବା ଉଦ୍ଦେଶ୍ୟରେ ଆସିଥିବା ସୂଚନା ଦେଲା। ନିଜର ପରିଚୟ ଦେଲା। ସପ୍ତମ ଶ୍ରେଣୀଯାଏ ପଢ଼ିଥିବା କହିଲା। ବିଦ୍ୟାଳୟ ଛାଡ଼ିବାର ଛଅ ସାତ ବର୍ଷ ହୋଇଥିବ। ଏତେ କୁନି ପିଲାଟି ମାଆ ହୋଇଗଲା। ଚକିତ ହୋଇ ପଚାରିଲି, ‘ଏତେ ଛୋଟ ବୟସରେ ବିଭା ହେଲୁ କିମିତି?’ ସେ କହିଲା, ‘ଦି’ ବର୍ଷ ହେଲା ଘରେ ବିଭା କରିଦେଲେ ସାର। ଏବେ ଆଶାକର୍ମୀ ପୋଷ୍ଟ ବାହାରିଛି ସାର। ସେଥିପାଇଁ ସାର୍ଟିଫିକେଟ ଲୁଡ଼ା ପଡୁଛି।’ ମୋଟାମୋଟି ଭାବେ ସେ ମାତ୍ର ୧୬ ବର୍ଷରେ ବାହା ହୋଇଯାଇଛି। ପୁଣି ଗୋଟେ ଛୁଆର ମାଆ। ଏସବୁ ଭାବି ଭାବି ବିସ୍ମିତ ହେଲି। ତାକୁ କିଛି ବି କହିପାରିଲିନି। ତା’ର ଭୁଲ୍‌ କେଉଁଠି ରହିଲା ତର୍ଜମା ଆରମ୍ଭ କରିବାକୁ ଲାଗିଲି। ସାର୍ଟିଫିକେଟ ଧରି ଚାଲିଗଲା ସେ। ଭାବିବାକୁ ଅନେକ ଛାଡ଼ି ଦେଇଗଲା।
ଆଦିବାସୀ ସମ୍ପ୍ରଦାୟରେ ଏମିତି ବହୁ ଝିଅ କମ ବୟସରେ ବାହା ହେଉଛନ୍ତି। ବାଲ୍ୟବିବାହ ଆଦିବାସୀ ସମ୍ପ୍ରଦାୟରେ ଏକ ବଡ଼ ସମସ୍ୟା। ବୟସ ମାନେନି। ଆଇନକାନୁନକୁ ଡରଭୟ ନାହିଁ। ସେ ସମ୍ପର୍କରେ ଧାରଣା ବି ନାହିଁ। ପୁଅଝିଅ ମନ ମାନିଲା ତ ବିଭାଘର ହେଲା। ନ ହେଲେ ଝିଙ୍କି ନେଇ ବିଭାଘର ପାଇଁ ଆକଟ କିଛି ନାହିଁା ସେହିପରି ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଝିଅମାନେ ଅନେକ ସମୟରେ ଛୁଟିରେ ଘରକୁ ଯାଇ ଆଉ ହଷ୍ଟେଲକୁ ଫେରନ୍ତିନି। ଖବର ସଂଗ୍ରହ ବେଳକୁ ଜଣାପଡ଼େ ତା’ର ବାହାଘର ସରିଯାଇଥାଏ। ତା’ପରେ ଚାଇଲ୍‌ଡଲାଇନର କର୍ମକର୍ତ୍ତାମାନେ ପହଞ୍ଚତ୍ କାଉନସେଲିଂ କରନ୍ତି। ପୋଲିସ, ସାମାଜିକ କର୍ମକର୍ତ୍ତା, ବିଦ୍ୟାଳୟ କର୍ତ୍ତୃପକ୍ଷ, ଗଣମାଧ୍ୟମ, ଅଫିସର ଏ ସମସ୍ତଙ୍କ ସମାଗମରେ ଗାଁ ଚର୍ଚ୍ଚିତ ହୁଏ। ଝିଅଟି ଅନେକ ବଦନାମ ମୁଣ୍ଡାଏ। ଶେଷରେ ହୁଏତ ଆପୋସ ଆଲୋଚନାକ୍ରମରେ ଝିଅକୁ ବୟସ ନହେବା ଯାଏ ଶାଶୁଘରକୁ ଛାଡ଼ିବାକୁ ବାପା ରାଜିହୁଏ। କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତବତା କିଛି ଅଲଗା ହୁଏ। ଆଦିବାସୀ ଇଲାକାରେ ବାଲ୍ୟ ବିବାହକୁ ରୋକିବା ସମ୍ଭବ ହୋଇପାରିନି। କେବଳ ଆଦିବାସୀ ସମାଜରେ ନୁହେଁ, ଶିକ୍ଷିତ ସମାଜର ମାତାପିତା ବି ଅନେକ କ୍ଷେତ୍ରରେ ଝିଅକୁ ଭଲ ବର ଦେଖି ବାହା ଦେବାକୁ ବ୍ୟଗ୍ର ହୋଇପଡିଥା’ନ୍ତି। ଝିଅର ବାହାଘର ପରେ ମୁକ୍ତି ବୋଲି ବିଚାର କରନ୍ତି। ସେଠି ଝିଅର ବୟସ ଓ ଶିକ୍ଷାଗତ ଯୋଗ୍ୟତା ପ୍ରତି ନଜର ଦିଅନ୍ତିନି।
ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଶିଶୁ ଓ ମାତୃ ମୃତ୍ୟୁହାର ଏବେ ମଧ୍ୟ ଆଶାନୁଜନକ ହ୍ରାସ ପାଇପାରିନି। ବିଭିନ୍ନ କାରଣ ଭିତରୁ ଅଳ୍ପ ବୟସରେ ବାହା ହେବା ମୃତ୍ୟୁ ହାର ବୃଦ୍ଧିର ଅନ୍ୟତମ କାରଣ । ଏଇକ୍ରମରେ ସମ୍ପ୍ରତି କେନ୍ଦ୍ର ସରକାର ମହିଳାମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧କୁ ବୃଦ୍ଧି କରିଛନ୍ତି। ଏହାକୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ପଟେ ସାଧାରଣତଃ ୧୮ ବର୍ଷ ବେଳକୁ ଜଣେ ଝିଅ ନିରବଚ୍ଛିନ୍ନ ଶିକ୍ଷା ଗ୍ରହଣ କଲେ ଡିଗ୍ରୀ ପ୍ରଥମ ବର୍ଷ ପଢ଼ିବା କଥା। ଏଇ ସମୟରେ ପାରିବାରିକ ଦାୟିତ୍ୱ ବହନ କରି ଘର ସଂସାର କରିବା ସଠିକ ସମୟ ହୋଇ ନପାରେ। ଏଇ ସମୟରେ ବାହା ହେଲେ ଶିକ୍ଷା ଅଧ୍ୟୟନରେ ଗୁରୁତର ବ୍ୟାଘାତ ସୃଷ୍ଟି ହୁଏ। ୨୧ ବର୍ଷ ବେଳକୁ ହୁଏତ ଜଣେ ଡିଗ୍ରୀ ସଫଳତାର ସହ ଶେଷ କରି ସାରିଥିବ। ମାନସିକତା ଅଧିକ ପରିପୁଷ୍ଟ ହୋଇଥିବ। ସାମାଜିକ ଦାୟିତ୍ୱବୋଧ କିଛି ମାତ୍ରାରେ ସୃଷ୍ଟି ହୋଇଥିବ। ପ୍ରତିଯୋଗିତାମୟ ଦୁନିଆରେ ଅର୍ଜିତ ଡିଗ୍ରୀକୁ ନେଇ ନିଜ ପାଇଁ ବୃତ୍ତି ଖୋଜିବାରେ ସକ୍ଷମ ହୋଇପାରିବ। କିନ୍ତୁ ଆରପାଖର ସ୍ଥିତି ବଡ଼ କରୁଣ।
ଗ୍ରାମାଞ୍ଚଳ ବହୁଳ ଆମ ଦେଶରେ ଝିଅମାନଙ୍କୁ ନେଇ ଆମ ସମାଜ ଅଧିକ ସମ୍ବେଦନଶୀଳ। ଅତୀତରେ ଝିଅଟି ନବମ କିମ୍ବା ଦଶମ ପଢ଼ିଲାବେଳକୁ କୁମାରୀତ୍ୱ ପ୍ରାପ୍ତ କରୁଥିଲା। ଏବେ କିନ୍ତୁ ପାରିପାର୍ଶ୍ୱିକ ପରିବେଶ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହେଉ କି ଅନ୍ୟ ବହୁ କାରଣରୁ ହେଉ ଝିଅମାନଙ୍କ କୁମାରୀତ୍ୱ ପ୍ରାପ୍ତିର ସମୟ ଶୀଘ୍ର ହୋଇଯାଉଛି। ଝିଅଟି ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀ ବେଳକୁ କୁମାରୀତ୍ୱ ଲାଭ କରୁଛି। ଶୈଶବର ମାନସିକତା ଭିତରେ ଏଇ ପରିସ୍ଥିତି ଝିଅମାନଙ୍କୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା ପ୍ରଦାନପୂର୍ବକ ନୂତନ ପରିସ୍ଥିତି ଓ ନୂଆ ଆହ୍ବାନ ସମ୍ପର୍କରେ ସଚେତନତା ସତ୍ତ୍ୱେ ଝିଅଟି ସମାଜରେ ବିଷମ ପରିସ୍ଥିତି ଦେଇ ଗତି କରୁଛି। ନିଜର ଶାରୀରିକ ପରିବର୍ତ୍ତନକୁ ନେଇ ସାଙ୍ଗସାଥୀ, ସମ୍ପର୍କୀୟମାନଙ୍କଠାରୁ ଆରମ୍ଭ କରି ଇତର ଜନଙ୍କଠାରୁ ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରୁଛି। ଅନେକ ସମୟରେ ଘରେ ଓ ବାହାରେ ନିଜକୁ ସୁରକ୍ଷିତ ମଣିପାରୁନି ସେ। ଭୟ, ଶଙ୍କାକୁଳ ବାତାବରଣ ଭିତରେ ଜୀବନ ନିର୍ବାହ କରୁଛି। ନିକଟରେ ଚେନାଇର ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ତା’ ଉପରିସ୍ଥ ଛାତ୍ରଠାରୁ ଯୌନ ନିର୍ଯାତନା ଭୋଗିବା ପରେ ମାନସିକ ତାଡ଼ନା ସହି ନପାରି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚିଠି ସମଗ୍ର ଶିକ୍ଷିତ ସମାଜ ସର୍ବୋପରି ବଢ଼ିଲା ଝିଅର ବାପାମାନଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି। ସେ ଲେଖିଛି- ‘ଦୁନିଆରେ ଝିଅମାନଙ୍କ ପାଇଁ କେବଳ ମାତୃଗର୍ଭ ଓ ଶ୍ମଶାନ ହିଁ ସୁରକ୍ଷିତ ସ୍ଥାନ।’ ଏହାର ଅର୍ଥ ଭୂମିଷ୍ଠ ହେବା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଝିଅଟି ସମ୍ଭବତଃ ସୁରକ୍ଷିତ ନୁହେଁ। କେଉଁଠି ନା କେଉଁଠି ତାକୁ ନିର୍ଯାତନା, ତାଡ଼ନା ଓ ଲାଞ୍ଛନା ପାଇବାର ସମ୍ଭାବନାଟି ଭରପୂର ଥାଏ। ୮ ମାସର ପ୍ରେମରେ ଶାରୀରିକ ସମ୍ପର୍କ। ତା’ପରେ ତା’ର ଆତ୍ମହତ୍ୟା। କେବଳ ତାମିଲନାଡୁରେ ଗତ କିଛି ସପ୍ତାହ ଭିତରେ ୪ ଜଣ ପାଠପଢ଼ୁଆ ଝିଅ ଯୌନ ଶୋଷଣର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଦେଶର ଏ ହାର ବିଷୟରେ ଚିନ୍ତା କରିବା ନିଶ୍ଚିତ ପକ୍ଷେ ଯନ୍ତ୍ରଣାଦାୟକ। ବର୍ତ୍ତମାନ ପ୍ରତି ପିଲା ହାତରେ ମୋବାଇଲ। ପିଲାଙ୍କ ହାତରେ ନେଟ୍‌ ସୁବିଧା ଏଣ୍ଡ୍ରୋଏଡ୍‌ ମୋବାଇଲ ଥିବ, ତେବେ ସେ କେଉଁ ଦୁନିଆରୁ ଯାଇ କେଉଁ ଦୁନିଆରେ ପହଞ୍ଚତ୍ ଯାଇଥିବ ସେ ନିଜେ ମଧ୍ୟ ଜାଣି ନଥିବ। ଅଭିଭାବକ ପାଇଁ ତ ଜାଣିବା ଭାରି କଷ୍ଟ। ଆଉ ଆଜିର ସୋସିଆଲ ମିଡିଆ ଯୁଗରେ ପ୍ରତିଟି ସମୟ ଝିଅ ପାଇଁ ଆହ୍ବାନଭରା। ଏହି କାରଣରୁ ବଢ଼ିଲା ଝିଅର ବାପାମାନେ ପ୍ରତି ମୁହୂର୍ତ୍ତରେ ଦ୍ୱିଧାମୟ ଜୀବନ ନିର୍ବାହ କରୁଛନ୍ତି। ସମାଜ ପ୍ରତି ଝିଅର ଓ ଝିଅ ପ୍ରତି ଅଭିଭାବକଙ୍କ ବିଶ୍ୱାସର ନୂଆ ସଂସ୍କରଣ ପ୍ରସ୍ତୁତ ହୋଇଛି। ଏଭଳି ସ୍ଥିତିରେ ବିବାହ ସମୟର ପରିବର୍ଦ୍ଧନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବୟସର ସୀମା ପରିବର୍ତ୍ତନ ପରେ ଶିଶୁର ଆକ୍ଷରିକ ସଂଜ୍ଞା ଓ ବୟସ ସୀମା ଆଦି ନିର୍ଣ୍ଣୟ ଦିଗରେ ବି ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ଏଥିନେଇ ମତ ମତାନ୍ତର ପ୍ରତିବାଦ ବି ଉଠିବାକୁ ଲାଗିଲାଣି। ତଥାପି ମହିଳାଙ୍କ ବିବାହ ବୟସ ୧୮ରୁ ୨୧କୁ ବଢ଼ିବା ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ଭଲ କଥା ଓ ଯୁଗୋପଯୋଗୀ। କିନ୍ତୁ ବାସ୍ତବତାକୁ ପରଖି କ୍ଷେତ୍ରସ୍ଥଳରେ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ ସହ ସମାଧାନ ଦିଗରେ କଠୋର ପଦକ୍ଷେପ ଗ୍ରହଣ ନ କରି କେବଳ ଆଇନ ପ୍ରଣୟନ ଭିତରେ ସୀମିତ ରହିଲେ ସମ୍ଭବତଃ ଏହା କେବଳ କାଗଜ ବାଘ ହୋଇ ରହିବ। ବରଂ ବଢ଼ିଲା ଝିଅର ଚିନ୍ତା ସମାଜର ଗଣ୍ଡିକୁ ଖାଇବ ଏବଂ ବଢ଼ିଲା ଝିଅର ବାପାମାନଙ୍କ ଜୀବନ ଅଧିକ ଦୁର୍ବିଷହ ହୋଇପଡ଼ିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri