ହିମାଳୟର ନାଗପୁଷ୍ପ

କିଛିଦିନ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆଲୋକଚିତ୍ର ବିଦ୍ୟୁତ ବେଗରେ ପ୍ରସାରିତ କରାଯାଇ ଦାବି କରାଯାଉଥିଲା ଯେ ସେହି ଚିତ୍ରଟି ହିମାଳୟର ମାନସ ସରୋବରରେ ପ୍ରତି ୩୬ ବର୍ଷରେ ଫୁଟୁଥିବା ବିରଳ ନାଗପୁଷ୍ପ ଅଟେ। ଚିତ୍ରଟି ଶେୟାର କରିବା ସଙ୍ଗେ ସଙ୍ଗେ ବାର୍ତ୍ତାରେ ଲେଖାଥିଲା ଯେ ଯେଉଁମାନେ ଏହାକୁ ଅଧିକରୁ ଅଧିକ ଫରୱାର୍ଡ ମାରିବେ, ସେମାନେ ଶେଷନାଗଙ୍କର ଆଶୀର୍ବାଦ ଓ ପୁଣ୍ୟଲାଭ କରିବେ। ପ୍ରଥମେ ଜାନୁୟାରୀ ୨୦୧୬, ପରେ ଜୁଲାଇ ୨୦୧୯ ଓ ୨୦୨୦ ଶେଷ ଆଡକୁ ଏହା ପୁନଃ ପ୍ରସାରିତ ହୋଇଥିଲା ଓ ଲକ୍ଷାଧିକ ଲୋକ ଏହାକୁ ଦେଖି ଫରୱାର୍ଡ ମାରିଥିଲେ। ୨୫ ଜାନୁୟାରୀ ୨୦୧୬ ମସିହାରେ ପ୍ରସାରିତ ଏହି ଜନରବକୁ ଆନ୍ତର୍ଜାତିକ ତଥ୍ୟ ସନ୍ଧାନକାରୀ ସଂସ୍ଥା ‘ସ୍ନୋପସ’ ନକଲି ଓ ଅତିରଞ୍ଜିତ ବୋଲି କହିଥିଲା। ସେହିପରି ଜୁଲାଇ ୨୦୧୯ ମସିହାରେ ଇଣ୍ଡିଆ ଟୁଡେ ପକ୍ଷରୁ ଏହି ଗୁଜବକୁ ମିଥ୍ୟା ପ୍ରମାଣ କରାଯାଇଥିଲା। ବାସ୍ତବରେ ସେହି ଆଲୋକଚିତ୍ରଟି ବିରଳ ନାଗପୁଷ୍ପର ନୁହେଁ ବରଂ ଏକ ସାମୁଦ୍ରିକ ମେରୁଦଣ୍ଡ ବିହୀନ ପ୍ରାଣୀ; ଯାହାର ନାମ ‘ସମୁଦ୍ର କଲମ’। ଏହି ଫଟୋଟିକୁ ୨୦୧୩ ମସିହାରେ ଫଟୋଗ୍ରାଫର ଗୋର୍ଡନ ଜେ ବୋବୃକ ଉଠାଇଥିଲେ। ଉଦ୍ଭିଦ ବିଜ୍ଞାନରେ ନାଗପୁଷ୍ପ ଏକ ଚିରଶ୍ୟାମଳ ବୃକ୍ଷର ନାମ; ଯାହାର ଇଂଲିଶ ନାମ ସିଲନ ଆଇରନ ଉଡ, ଅନ୍ୟ ନାମ କୋବ୍ରା ସାଫରନ ଓ ବୈଜ୍ଞାନିକ ନାମ ହେଉଛି ମେସୁଆ ଫେରିଏ। ଏହାର ଫୁଲ ପ୍ରତିବର୍ଷ ଶୁଖିଲା ମାସରେ ଭୋର ତିନିରୁ ଚାରିଟା ପାଖାପାଖି ଫୁଟିଥାଏ। ଏହି ଗଛର କାଠ ଲୁହା ଭଳି ବହୁତ ଶକ୍ତ ଓ ଦୀର୍ଘସ୍ଥାୟୀ। ମେସୁଆ ଫେରିଏ ଗଛକୁ ହିନ୍ଦୀ ଓ ବେଙ୍ଗଲୀ ଭାଷାରେ ନାଗେସର, ଶ୍ରୀଲଙ୍କାର ସିଂହଳ ଭାଷାରେ ‘ନା’, କଙ୍କଣୀ ଭାଷାରେ ନାଗଚମ୍ପୋ, ଓଡ଼ିଆ, କନ୍ନଡ଼, ଗୁଜରାଟୀ, ମରାଠୀ, ନେପାଳୀ ଓ ସଂସ୍କୃତ ଭାଷାରେ ନାଗକେଶର, ମାଲୟାଲମରେ ନାଗକେଶରମ ଓ ଇଣ୍ଡୋନେସିଆ ଦେଶର ଭାଷାରେ ନାଗସାରୀ ମଧ୍ୟ କୁହନ୍ତି। ଏହି ବୃକ୍ଷ ଶ୍ରୀଲଙ୍କା ଦେଶର ରାଷ୍ଟ୍ରୀୟ ବୃକ୍ଷ, ମିଜୋରାମ ରାଜ୍ୟର ପ୍ରାଦେଶିକ ବୃକ୍ଷ ଓ ଏହାର ପୁଷ୍ପ ତ୍ରିପୁରା ରାଜ୍ୟର ପ୍ରାଦେଶିକ ପୁଷ୍ପ ମଧ୍ୟ।
ପ୍ରାୟ ୧୫ ମିଟର ଲମ୍ବା ନାଗକେଶର ବୃକ୍ଷ ଏକ ଔଷଧୀୟ ବୃକ୍ଷ ଓ ଏହାର ଚେରକୁ ସାପ କାମୁଡ଼ିଲେ ବ୍ୟବହାର କରାଯାଏ। ଆଉ ଏକ ପ୍ରକାର ଗଛ ଅଛି, ଯାହାର ପତ୍ର ନାଗସାପର ଫଣା ଭଳି ଦେଖାଯାଏ। ସେହି ଗଛର ନାମ ହେଲା ଡାର୍ଲିଂଗଟୋନିଆ କାଲିଫୋରନିକା। ଏହି ଗଛକୁ ୧୮୪୧ ମସିହାରେ ଉଇଲିୟମ ଡି’ ବ୍ରାକେନରିଜ ଯୁକ୍ତରାଷ୍ଟ୍ର ଆମେରିକା ଦେଶର କାଲିଫର୍ନିଆ ରାଜ୍ୟର ଶାସ୍ତା ପାର୍ବତ୍ୟାଞ୍ଚଳରେ ଖୋଜି ପାଇଥିଲେ। ଏହି ଗଛ ସାରାସେନିଆସିଏ ପରିବାରର ଓ ଏରିକାଲେସ କ୍ରମର ଏକ ମାଂସାଶୀ ଉଦ୍ଭିଦ। ଏହାକୁ କାଲିଫର୍ନିଆ କମଣ୍ଡଳୁ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଉତ୍ତର କାଲିଫର୍ନିଆ ଓ ଦକ୍ଷିଣ ଓରେଗନ ରାଜ୍ୟର ସନ୍ତସନ୍ତିଆ ଅଞ୍ଚଳରେ ମିଳିଥାଏ। ଏହି ଗଛର ନଳାକାର ଓ କଣ୍ଟା ପରି ଶାଖା ଥିବା ପତ୍ରକୁ ଦେଖିଲେ ଲାଗିବ ଯେପରି ଏକ ନାଗସାପ ନିଜ ପ୍ରସାରିତ ଫଣା ଟେକି ଛିଡ଼ା ହୋଇଛି। ସେହିପରି ଆଉ ଏକ ଗଛ ଅଛି; ଯାହାର ପତ୍ର ନାଗଫଣା ପରି ତାହାର ନାମ ହେଉଛି ଗ୍ରିଫିଥିଙ୍କ ନାଗ କଇଁ। ଏହି ଗଛର ବୈଜ୍ଞାନିକ ନାମ ହେଉଛି ଆରିସାଏମା ଗ୍ରିଫିଥି। ଏହା ଏକ କିମ୍ଭୂତ ଓ ବିସ୍ମୟକର ଗଛ। ଏହାର ଦୁଇଟି ବଡ଼ ବଡ଼ ସବୁଜ ପତ୍ର ଥାଏ, ଯାହା ତିନିଅଂଶଯୁକ୍ତ ଓ ତଳ ପାଖରେ ଗାଢ଼ ଶିରାଯୁକ୍ତ ହୋଇଥାଏ। ଏହି ଗଛ କେନ୍ଦ୍ରୀୟ ନେପାଳ, ଭୁଟାନ, ସିକିମ , ନୀଳଗିରି ପାର୍ବତ୍ୟାଞ୍ଚଳରେ ମିଳିଥାଏ ଓ ଯାହାର ଫୁଲ ମେ ଓ ଜୁନ ମାସରେ ଫୁଟିଥାଏ। କୋବ୍ରା ଲିଲି ପ୍ରଥମେ ୧୯୩୨ ମସିହାରେ ନୀଳଗିରି ପର୍ବତରେ ଫୁଟିଥିଲା ଓ ପରେ ଦୀର୍ଘ ୮୪ ବର୍ଷ ପରେ ପୁଣି ସେହି ଅଞ୍ଚଳରେ ଦେଖିବାକୁ ମିଳିଲା। ବିବିଧତାପୂର୍ଣ୍ଣ ବିଶ୍ୱରେ ଲକ୍ଷ ଲକ୍ଷ ପ୍ରକାର ଜୀବଜନ୍ତୁ ଓ ଗଛଲତା ଅଛନ୍ତି। ସେଥିମଧ୍ୟରୁ ନାଗପୁଷ୍ପ ଭଳି ଦେଖାଯାଉଥିବା ସାମୁଦ୍ରିକ ପରକଲମ ପ୍ରାଣୀ ହେଉଛି ସୃଜକଙ୍କ ଅନୁପମ ସର୍ଜନା।
ଗଭୀର ସମୁଦ୍ର ତଳେ ଦେଖାଯାଉଥିବା ରାତ୍ରିକାଳୀନ ଅମେରୁଦଣ୍ଡୀ ପ୍ରାଣୀ ହେଉଛନ୍ତି ସମୁଦ୍ର କଲମ। ପରକଲମ।
ସେମାନେ ଆନିମଲିଆ ପ୍ରାକୃତିକ ଜଗତର, ନୀଡ଼ରିଆ ଫାଇଲମର, ଆନ୍ଥୋଜୋଆ ଶ୍ରେଣୀର,ଅକ୍ଟୋକୋରାଲ ଉପଶ୍ରେଣୀର ଓ ପେନାଟୁଲାସିଏ କ୍ରମର ରାତିରେ ସକ୍ରିୟ ଥିବା ପ୍ରାଣୀ। ସେମାନଙ୍କର ୨୦୦ରୁ ଅଧିକ ପ୍ରଜାତି ରହିଥାନ୍ତି। ସମସ୍ତେ ପରକଲମ ଭଳି ନ ହୋଇ କିଏ ଛତା ଭଳିଆ ତ, କିଏ ହୃଦୟ ଭଳି, କିଏ ଚାବୁକ ଭଳି ହୋଇପାରନ୍ତି। ସେମାନେ ଉପନିବେଶ କରି ଏକାଠି ରୁହନ୍ତି।
ସେମାନେ ବିଶ୍ୱର ପ୍ରାୟ ସମସ୍ତ ସମୁଦ୍ର ତଳି ଅଞ୍ଚଳରେ ମିଳନ୍ତି। ଗ୍ରୀଷ୍ମ ମଣ୍ଡଳୀୟ ସମୁଦ୍ର ହେଉ କିବା ନାତିଶୀତୋଷ୍ଣ ସମୁଦ୍ର, କିବା ଧୃବୀୟ ସମୁଦ୍ର ତଳି ଅଞ୍ଚଳ, ସବୁ ଜାଗାରେ ସେମାନେ ମିଳନ୍ତି। ଆଲାସ୍କା ଉପସାଗରୀୟ ଅଞ୍ଚଳ, ଦକ୍ଷିଣ କାଲିଫର୍ନିଆ ଓ ବ୍ରିଟେନ ସମୁଦ୍ର ତଳ ଇତ୍ୟାଦି ବିଶ୍ୱର ଅନେକ ସମୁଦ୍ର ତଳି ଅଞ୍ଚଳରେ ରହିଥାଏ, ସେମାନଙ୍କ ଚାରୁତା ଭରା କମନୀୟ ସଂସାର। କେତେକ ଅଳ୍ପ ଗଭୀର ସମୁଦ୍ର ତଳେ ମିଳନ୍ତି ତ କେତେକ ୬୧୦୦ ମିଟର ଗଭୀରତମ ସମୁଦ୍ରତଳେ ମିଳନ୍ତି। ସେମାନଙ୍କ ଶରୀରର ମୁଖ୍ୟ କେନ୍ଦ୍ରୀୟ ଅକ୍ଷ ପତ୍ରର ଡେମ୍ଫ ଭଳି ଦେଖିବାକୁ ହୋଇଥାଏ, ଯାହାର ତଳ ଦୋଳକ ଭଳି ହୋଇଥାଏ ଓ ଉପରୁ ବହୁବିଧ ମୁଖଥିବା ପୋଲା ଶାଖାବୃନ୍ତସବୁ (ପଲିପ )ବାହାରିଥାଏ। ତଳ ଦୋଳକ ସମୁଦ୍ରର ବାଲିଆ କିମ୍ବା କାଦୁଆ ଅଞ୍ଚଳରେ ଲଙ୍ଗର ପକାଇ ତିଷ୍ଠି ରହିଥାଏ। ପ୍ରତ୍ୟେକ ପଲିପରୁ ଆଠଟି ପତଳା ନମନୀୟ ଅଙ୍ଗ।
ଟେଣ୍ଟାକଲ ବାହାରିଥାଏ, ସେଥିପାଇଁ ସେମାନଙ୍କୁ ଅକ୍ଟୋକୋରାଲ ମଧ୍ୟ କୁହାଯାଏ। ସେମାନଙ୍କ ଉଚ୍ଚତା ୫ ସେଣ୍ଟିମିଟରରୁ ୨ ମିଟର ଲମ୍ବା ପର୍ଯ୍ୟନ୍ତ ହୋଇ ପାରେ। ସେମାନଙ୍କର ରଙ୍ଗ ଗାଢ଼ କମଳା ରଙ୍ଗ, ହଳଦିଆ କିମ୍ବା ଧଳା ରଙ୍ଗର ମଧ୍ୟ ହୋଇପାରେ। ସେମାନଙ୍କୁ ଛୁଇଁଲେ ସେମାନେ ଅଗ୍ନି ଶିଖା ନ ଥାଇ ଉଜ୍ଜ୍ୱଳ ସବୁଜ ସ୍ଥିର ଆଲୋକ ପ୍ରଦାନ କରନ୍ତି। ସେମାନେ ସେମାନଙ୍କର ପତଳା ନମନୀୟ ଟେଣ୍ଟାକଲ ଅଙ୍ଗ ବ୍ୟବହାର କରି ଜଳରେ ଭାସମାନ କ୍ଷୁଦ୍ର ଜୀବ ଖାଇଥାନ୍ତି। ସେମାନେ ରାତିରେ ଟେଣ୍ଟାକଲ ସାହାଯ୍ୟରେ ଜଳ ପାନ କରି ସିଧା ଓ ସକ୍ରିୟ ରୁହନ୍ତି ତ ଦିନରେ ଫୁ ଫୁ କରି ସେହି ଜଳକୁ ବାହାର କରନ୍ତି।
ସାମୁଦ୍ରିକ ପରକଲମମାନଙ୍କର ଶତ୍ରୁ ହେଉଛନ୍ତି ରେଡ଼ ଷ୍ଟାର, ଲେଦର ଷ୍ଟାର, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ଜଳର ଅମ୍ଳୀକରଣ ଓ ବିଶ୍ୱ ଉଷ୍ଣତା। ରସୁଣ ଓ ଗନ୍ଧକ ଭଳି ଗନ୍ଧାଉଥିବା ଲେଦର ଷ୍ଟାର ସମୁଦ୍ର କଲମ ଜୀବକୁ ଖାଇଥାନ୍ତି।
ଜଳବାୟୁ ପରିବର୍ତ୍ତନ ହେଲେ ସମୁଦ୍ର ଜଳର ରାସାୟନିକ ଗୁଣବତ୍ତାରେ ମଧ୍ୟ ପରିବର୍ତ୍ତନ ଆସିବ, ଯାହା ପରକଲମ ଜୀବମାନଙ୍କ ଜୀବନରେ ସଙ୍କଟ ଆଣିବ।
ବିଶ୍ୱର ହାରାହାରି ତାପମାତ୍ରାରେ ପରିବର୍ତ୍ତନ ଆସିଲେ ସମୁଦ୍ର ଜଳର ତାପମାତ୍ରାରେ ପରିବର୍ତ୍ତନ ଆସି ସେମାନଙ୍କ ଜୀବନ ପ୍ରତି ବିପଦ ଆସିବ।
ସେହିପରି ସମୁଦ୍ରଜଳରେ ଅମ୍ଳ ଭାଗ ବୃଦ୍ଧି ହେଲେ ସାମୁଦ୍ରିକ ପରକଲମ ଜୀବମାନେ ଖାପ ଖୁଆଇ ପରିସଂସ୍ଥାରେ ଚଳିପାରିବେ ନାହିଁ। କେବଳ ପରକଲମ ସାମୁଦ୍ରିକ ଜୀବ ନୁହନ୍ତି ସମଗ୍ର ଜୈବବିବିଧତା ଆଜି ସ୍ବାର୍ଥାନ୍ଧ ମଣିଷ ପାଇଁ ବିପଦରେ। ପରିବେଶର ସୁରକ୍ଷା ଓ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସାବଧାନତା ଅବଲମ୍ବନ କରିବା ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ହେବା ଉଚିତ।
ବର୍ତ୍ତମାନର ସ୍ମାର୍ଟ ଫୋନ ଯୁଗରେ ଇଣ୍ଟରନେଟ ଡାଟାର ବ୍ୟବହାର ବୃଦ୍ଧି ସଙ୍ଗେ ସଙ୍ଗେ ନକଲି ଜନରବ ଦ୍ରୁତ ଗତିରେ ବଢ଼ୁଛି, ତେଣୁ ସବୁ ଖବରକୁ ସତର୍କତା ଓ ସଂଯମତାର ସହିତ ତନଖିବା ପରେ ଆଗକୁ ବଢାଇବା ଉଚ୍ଚିତ।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
– ଅଧ୍ୟାପକ, ରସାୟନ ବିଜ୍ଞାନ
ବିଭାଗ, ସରକାରୀ ମହିଳା କନିଷ୍ଠ
ମହାବିଦ୍ୟାଳୟ, ସୁନ୍ଦରଗଡ଼
ମୋ : ୯୯୩୮୭୮୩୦୫୧


Enter your email to get our daily news in your inbox.

All Right Reserved By Dharitri.Com

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri