ଆଧୁନିକ ଶିକ୍ଷା ଓ ସାହିତ୍ୟର ଜନକ

ଡ. ନାରାୟଣ ବାରିକ୍‌

କର୍ମମୟ ଜୀବନରେ ଜୀବିକା ନିର୍ବାହ ପାଇଁ ଶିକ୍ଷକତାକୁ ଆଦରି ନେଇଥିବା କବିବର ରାଧାନାଥ ରାୟ ନିଜର ଜ୍ଞାନ, ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତା ଯୋଗୁ ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଓଡ଼ିଶା ଶିକ୍ଷା ବିଭାଗର ପ୍ରଧାନ କର୍ମଚାରୀରୂପେ ନିଜକୁ ଅବସ୍ଥାପିତ କରି ପାରିଥିଲେ। ମାତ୍ର ଏହା ପୂର୍ବରୁ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାବାସୀଙ୍କ କଙ୍କାଳକୁ ଯେମିତି ଭାଙ୍ଗି ପକାଇଥିଲା, ସେହିପରି କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ରଚିତ ‘ଓଡ଼ିଆ ସ୍ବତନ୍ତ୍ର ଭାଷା ନୟ’ ପୁସ୍ତକ ଓଡ଼ିଆ ଭାଷାର ମୂଳ ଭିତ୍ତିକୁ ଦୋହଲାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ସାରସ୍ବତ ସାଧକ ରାଧାନାଥଙ୍କ ସୃଜନୀଶୀଳ କବି ମାନସ ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାରକୁ ଯେଉଁ ଅମୂଲ୍ୟ କାବ୍ୟରାଶି ଅର୍ପଣ କରି ଉତ୍କଳ ଭାରତୀଙ୍କ ପଦ ବନ୍ଦନା କରିବା ସହ ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଗଲା ଓ ଯୁଗସ୍ରଷ୍ଟାର ଆଖ୍ୟାରେ ଆପ୍ୟାୟିତ କଲା; ପରେ ଏହି ଯଶସ୍ବୀ ସାଧକ କବିବର ଭାବେ ଓଡ଼ିଆ ଜାତିର ଜନ ମାନସରେ ଯୁଗଯୁଗକୁ ସ୍ମରଣୀୟ ହୋଇ ରହିଗଲେ।
ମାତ୍ର ପରିତାପର ବିଷୟ, ସବୁ ସତ୍ତ୍ୱେ ଶିକ୍ଷକ ଓ ପ୍ରଶାସକ ରାଧାନାଥ ବଡ଼ ସରକାରୀ ହାକିମଭାବେ ବ୍ରିଟିଶ ଶାସକଙ୍କ ସମୟରେ ନିଜକୁ ଶୀର୍ଷସ୍ଥାନରେ ଅବସ୍ଥାପିତ କରି ଓଡ଼ିଶାର ଉଭୟ ଶିକ୍ଷା ଓ ସାହିତ୍ୟ ପାଇଁ ନିଜର ଦୀର୍ଘ କର୍ମମୟ ଜୀବନର ନିର୍ଯାସକୁ ଏ ମାଟି ପାଇଁ ଉତ୍ସର୍ଗ କରିଗଲେ, ତାହା ଗବେଷଣା ଅଭାବରୁ ଅନାଲୋଚିତ ହୋଇ ରହିଗଲା। କବିବର ରାଧାନାଥ ନିଜ ପ୍ରତିଭାର ପ୍ରତିଟି ସ୍ଫୁରଣକୁ ବେଶ୍‌ ସହଜରେ ଗ୍ରହଣ କରି ନେଇ ଅବଶେଷରେ ସ୍କୁଲ୍‌ ଇନ୍ସପେକ୍ଟର ଭାବେ ଶିକ୍ଷା ବିଭାଗର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବା, ଏ ଜାତି ପକ୍ଷରେ କମ୍‌ ଗୌରବର ବିଷୟ ନୁହେଁ।
ରାଧାନାଥ ରାୟ ବାଲେଶ୍ୱର ଜିଲା ହେଡ୍‌କ୍ୱାର୍ଟର୍ସଠାରୁ ୪୦ କିଲୋମିଟର ଦୂର ଦକ୍ଷିଣକୁ ସୋରଠାରୁ ୭ କିଲୋମିଟର କେଦାରପୁର ଗ୍ରାମରେ ୧୮୪୮ ସେପ୍ଟେମ୍ବର ୨୮ରେ ଏକ ସଂସ୍କୃତିସମ୍ପନ୍ନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗଁା ଘରୋଇ ପାଠଶାଳାରୁ ପାଠପଢ଼ା ଆରମ୍ଭ କରି ୩ ବର୍ଷରେ ଅକ୍ଷର ଶିକ୍ଷା, ଗଣିତ ଓ ଛନ୍ଦଗାନ ଶେଷ କରି ରାଧାନାଥ ୨ ବର୍ଷ ସୋର ଭର୍ଣ୍ଣାକୁଲାର ସ୍କୁଲରେ ଶିକ୍ଷାଲାଭ କରିଥିଲେ। ତା’ ପରେ ବାଲେଶ୍ୱର ଜିଲା ସ୍କୁଲରେ ୧୮୫୮ ଫେବୃୟାରୀରେ ନାମ ଲେଖାଇ ୧୮୬୩ରେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଏଣ୍ଟ୍ରାନ୍‌ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଣ୍ଟ୍ରାନ୍‌ସ ପରେ ରାଧାନାଥ ୧୪ ଟଙ୍କା ସରକାରୀ ବୃତ୍ତି ପାଇ ୧୮୬୪ରେ କଲିକତା ଯାଇ ପ୍ରେସିଡେନ୍‌ସି କଲେଜରେ ଏଫ୍‌.ଏ. ଶ୍ରେଣୀରେ ନାମ ଲେଖାଇଲେ। ମାତ୍ର ସ୍ବାସ୍ଥ୍ୟଭଙ୍ଗ ହେତୁ ମାସକ ପରେ ଓଡ଼ିଶା ଫେରି ଆସି ପାରିବାରିକ ଅସ୍ବଚ୍ଛଳତା ପାଇଁ ଚାକିରି ଅନୁସନ୍ଧାନରେ ଲାଗି ପଡ଼ିଲେ।
ଜ୍ଞାନ ପିପାସୁ ରାଧାନାଥ ଶିକ୍ଷାର୍ଜନ ଉଚ୍ଚାଭିଳାଷ ତ୍ୟାଗକରି ନ ଥିଲେ। ତେଣୁ ପୁରୀରେ ଶିକ୍ଷକତା କରୁଥିବା ସମୟରେ ଘରୋଇ ଛାତ୍ର ଭାବେ ଏଫ୍‌.ଏ. ପାସ୍‌ କରିଥିଲେ। କଲିକତାରୁ ଫେରି ରାଧାନାଥ ୩୦ ଟଙ୍କା ବେତନରେ ବାଲେଶ୍ୱର ଜିଲା ସ୍କୁଲରେ ତୃତୀୟ ଶିକ୍ଷକଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ତା’ ପରେ ପ୍ରମୋଶନ ପାଇ ଦ୍ୱିତୀୟ ଶିକ୍ଷକ ଭାବେ ପୁରୀ ଜିଲା ସ୍କୁଲରେ ଯୋଗ ଦେଇଥିଲେ। ପରେ ବାଙ୍କୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛଅ ମାସ ଛାତ୍ର୍ର ବତ୍ସଳ ଓ ପ୍ରତିଭାବନ୍ତ ଶିକ୍ଷକଭାବେ ନିଜର ଶିକ୍ଷକତା ଜୀବନ ସମାହିତ କରିଥିଲେ। ଶିକ୍ଷକ ରାଧାନାଥଙ୍କ ପରବର୍ତ୍ତୀ ଜୀବନ ଶିକ୍ଷକ-ପ୍ରଶାସକ ଭାବେ ଅତିବାହିତ ହୋଇଥିଲା। ଏହି ଯଶ୍ୱସୀ ପୁରୁଷଙ୍କ ୧୯୦୮ ଏପ୍ରିଲ ୧୭ରେ ଦେହାନ୍ତ ହୋଇଥିଲା।
କମିଶନର ଜନ୍‌ବିମ୍‌ସଙ୍କ ଅନୁମୋଦନରେ ରାଧାନାଥ ରାୟ ୧୮୭୭ରେ ଜଏଣ୍ଟ୍‌ ଇନ୍ସପେକ୍ଟରଭାବେ ଯୋଗଦାନ କରି ଓଡ଼ିଶା ଶିକ୍ଷା ବିଭାଗରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇଥିଲେ। ଏହି ସମୟରେ ୧୮୬୫-୬୬ରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ, ତା’ସହ ଓଡ଼ିଶାର ଚିର ସହଚର ବନ୍ୟା, ବାତ୍ୟା, ମହାମାରୀ ଓଡ଼ିଶାବାସୀଙ୍କ ଅଣ୍ଟା ଭାଙ୍ଗି ଦେଇଥିଲା। ସମ୍ମୁଖରେ ପାହାଡ଼ ପରି ପ୍ରତୀତ ହେଉଥିବା ଭାଷା ଆନ୍ଦୋଳନ ରାଧାନାଥଙ୍କ ମନ ଓ ପ୍ରାଣକୁ ଦୋହଲାଇ ଦେଇଥିଲା।
ସରକାର ଯେତେବେଳେ ବଙ୍ଗଳା ପାଠ୍ୟପୁସ୍ତକ ବଦଳରେ ଓଡ଼ିଶାରେ ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଚଳନ ନିୟମ ଲାଗୁକଲେ, ସେତେବେଳେ ଓଡ଼ିଆ ପାଠ୍ୟ ପୁସ୍ତକର ଘୋର ଅଭାବ ପରିଦୃଷ୍ଟ ହେଲା। ଏହାର ସୁଯୋଗ ନେଇ ବଙ୍ଗାଳୀ କର୍ମଚାରୀମାନେ ପୁଣି ଓଡ଼ିଶାରେ ବଙ୍ଗଳା ପୁସ୍ତକ ପ୍ରଚଳନ ପାଇଁ ପ୍ରସ୍ତାବ ଦେଲେ। ଏହାର ତୀବ୍ର ବିରୋଧ କରି ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏବଂ ବିଚିତ୍ରାନନ୍ଦ ଦାସ ପ୍ର୍ରମୁଖ ଏହି ପ୍ରସ୍ତାବକୁ ବାତିଲ କରି ଦେଇଥିଲେ। ପରିସ୍ଥିତିର ଗୁରୁତ୍ୱକୁ ହୃଦୟଙ୍ଗମ କରି ରାଧାନାଥ ନିଜେ ଫକୀର ମୋହନ ସେନାପତି ଓ ମଧୁସୂଦନ ରାଓଙ୍କ ସହ ମିଶି ଆବଶ୍ୟକୀୟ ଓଡ଼ିଆ ପାଠ୍ୟପୁସ୍ତକ ପ୍ରତିଟି ଶ୍ରେଣୀ ଉପଯୋଗୀ ରଚନା କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ଟାଳି ଦେଇଥିଲେ।
ଜଏଣ୍ଟ୍‌ ଇନ୍ସପେକ୍ଟର ରାଧାନାଥ ଥିଲେ କର୍ମବୀର ଓ ପ୍ରଶସ୍ତ ହୃଦୟର ଅଧିକାରୀ। ପରିଦର୍ଶନ ପାଇଁ ଓଡ଼ିଶାର ମୋଗଲ ବନ୍ଦୀ ଓ ଗଡ଼ଜାତ ଅଞ୍ଚଳକୁ ଯାନ ବାହନ, ରାସ୍ତାଘାଟର ଅସୁବିଧା ସତ୍ତ୍ୱେ ବଳଦ ଗାଡ଼ି, ସବାରି, ହାତୀ, ଘୋଡ଼ା ପୃଷ୍ଠରେ ଏପରି କି ପାଦରେ ଚାଲିଚାଲି ଦୁର୍ଗମ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ଗସ୍ତ କରୁଥିଲେ। କଟକରୁ ବାହାରି ବଡ଼ମ୍ବା, ନରସିଂହପୁର, ଆଠମଲ୍ଲିକ, ତାଳଚେର, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ୨- ୩ ମାସ ପରେ କଟକ ମୁଖ୍ୟ ଅଫିସକୁ ଫେରୁଥିଲେ। ନମ୍ରତା ଓ ବିନୟର ଅବତାର ତଥା ବିଜ୍ଞତାର ଗରିମାରେ ଗରିୟାନ ରାଧାନାଥ କାହାର ଦୋଷ ଦେଖିଲେ କଦାପି ନୀରବ ରହୁ ନ ଥିଲେ। ଶିକ୍ଷକ ଓ ଛାତ୍ରମାନଙ୍କର ଦୋଷ ଦୃଷ୍ଟିକୁ ଆସିଲେ ତା’ ଉପରେ ସେ କଡ଼ାକଡ଼ିଭାବେ ତାଙ୍କର ପରିଦର୍ଶନ ମନ୍ତବ୍ୟ ଖାତାରେ ଟିପ୍ପଣୀମାନ ଦେଉଥିଲେ।
ରାଧାନାଥ ଏକାଧାରାରେ ଥିଲେ ଆଧୁନିକ ଶିକ୍ଷା ଓ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ। ତାଙ୍କର ନୈସର୍ଗିକ କାବ୍ୟଗୁଡ଼ିକ ମଧ୍ୟରେ କେଦାର ଗୌରୀ, ଚନ୍ଦ୍ରଭାଗା, ନନ୍ଦକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତିକେଶରୀ ଓ ଦରବାର ଇତ୍ୟାଦି ତାଙ୍କ ରଚନାଶୈଳୀର ଭାବାବେଗ ଏବଂ ହୃଦୟସ୍ପର୍ଶୀ ଶବ୍ଦାଳଙ୍କାରର ପ୍ରୟୋଗ ବିଧିରେ ଓଡ଼ିଆ ସାହିତ୍ୟକୁ କରିଛି ଋଦ୍ଧିମନ୍ତ ଏବଂ ପ୍ରାଣବନ୍ତ। ପ୍ରଥିତଯଶା ସାହିତି୍ୟକ ରାଧାନାଥ ଓଡ଼ିଶାର ଶିକ୍ଷା ବିଭାଗରେ ଦୀର୍ଘଦିନ ନିଜର କର୍ମମୟ ଜୀବନକୁ ଅତିବାହିତ କରି ଉଭୟ ଶିକ୍ଷା ଓ ସାହିତ୍ୟରେ ନିଜର ଉଲ୍ଲେଖନୀୟ କୃତିକୁ ଯୁଗ ବକ୍ଷରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ଯାଇଛନ୍ତି।
୮-ରୟାଲଗାର୍ଡନ, ଆଇଗିଣିଆ,
ଭୁବନେଶ୍ୱର, ମୋ: ୯୮୫୩୧୭୨୦୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri