ଅକାଳ ମୃତ୍ୟୁ

ଇଂ. ମୁରଲୀଧର ହୋତା

ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ ସୃଷ୍ଟି କରିବାରେ ସମର୍ଥ ହୁଏ ତାହା ବସ୍ତୁନିଷ୍ଠ ପ୍ରବନ୍ଧ ଭାବେ ଗଣାଯାଏ। ବ୍ୟକ୍ତିନିଷ୍ଠ ପ୍ରବନ୍ଧଗୁଡ଼ିକ ସାଧାରଣତଃ ଭାବାବେଗ ସମନ୍ବିତ ଏବଂ ଏହା ହୃଦୟସ୍ପର୍ଶୀ। ଏଥିରେ ପାଣ୍ଡିତ୍ୟ ଅପେକ୍ଷା ଉଚ୍ଚକୋଟୀର ଭାବନା ଅଧିକ ପ୍ରାଧାନ୍ୟ ଲାଭ କରିଥାଏ। ଅତଏବ ସଂକ୍ଷେପରେ କହିବାକୁ ଗଲେ ଯେକୌଣସି ପ୍ରବନ୍ଧ ହେଉନା କାହିଁକି ତାହା ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ସୁଚିନ୍ତିତ ଆଲୋଚନା। ସେହିଭଳି ଏହି ଆଲୋଚନାକୁ ଆଗେଇ ନେବାପାଇଁ ପ୍ରଥମେ ଦୁଇଟି ଘଟଣାର ଅବତାରଣା କରୁଛି।
ଗୋଟିଏ ପଢ଼ିଥିବା ଖବରରୁ କଥାଟା ଆରମ୍ଭ କରୁଛି। ଆମେରିକାର ଗୋଟିଏ ଡାକ୍ତରଖାନାରୁ ଜଣେ କରୋନା ରୋଗୀ ରୋଗମୁକ୍ତ ହୋଇ ବିଦାୟ ନେଇଯିବାକୁ ବାହାରିଥାନ୍ତି। ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ଗୋଟାଏ ମୋଟାଅଙ୍କର ବିଲ୍‌ ଧରାଇ ଦିଆଗଲା। ଭଦ୍ରଲୋକ ଭୋ ଭୋ ହୋଇ କାନ୍ଦିଉଠିଲେ। ତାଙ୍କ କାନ୍ଦିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ଭାବିଲେ ବୋଧହୁଏ ମୋଟାଅଙ୍କର ବିଲ୍‌ଟି ପୈଠ କରିବାକୁ ତାଙ୍କ ପାଖରେ ଅର୍ଥର ଅଭାବ। ତେଣୁ ଦୟାଳୁ କର୍ତ୍ତୃପକ୍ଷ କହିଲେ, ଆପଣ ଗୋଟିଏ ଦିନର ଦେୟ ବାବଦକୁ ୫ହଜାର ଡଲାର ଦିଅନ୍ତୁ, ଆଉ କାନ୍ଦନ୍ତୁ ନାହିଁ। ଭଦ୍ରଲୋକ ଉତ୍ତର ଦେଲେ ମୁଁ ଦେଇପାରିବି ନାହିଁ ବୋଲି କାନ୍ଦୁନାହିଁ। ମୁଁ ଭାବୁଛି ଗୋଟିଏ ଦିନ ସ୍ବଚ୍ଛନ୍ଦ ଭାବରେ ପ୍ରଶ୍ୱାସ ନେବାକୁ ଯଦି ଅମ୍ଳଜାନର ମୂଲ୍ୟ ବାବଦକୁ ୫ହଜାର ଡଲାର ଦେବାକୁ ପଡୁଛି ତେବେ ଜୀବନସାରା ମୁଁ ଗ୍ରହଣ କରିଥିବା ଅମ୍ଳଜାନର ମୂଲ୍ୟ କେତେ? କେବେହେଲେ ଦିନେ ମୁଁ ସେକଥା ଭାବିନାହିଁ। ପ୍ରକୃତିର ଏହି ବଦାନ୍ୟତାକୁ ହୃଦୟରେ ସ୍ବୀକାର କରି ଦିନେହେଲେ ପ୍ରକୃତି ନିକଟରେ ମୋର କୃତଜ୍ଞତା ଜ୍ଞାପନ କରିନାହିଁ ଅଥବା ପ୍ରକୃତିର ଏହି ଉତ୍ସକୁ ପ୍ରଦୂଷିତ ନ ହେବା ପାଇଁ ଦିନେହେଲେ କିଛି ଚିନ୍ତନ, କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଏବଂ ସେହି କାର୍ଯ୍ୟାନ୍ବୟନରେ ଅଂଶଗ୍ରହଣ କରିନାହିଁ ବରଂ ପ୍ରକୃତି ଉପରେ ଆମେ ଦିନକୁ ଦିନ ଅଧିକ ଅତ୍ୟାଚାର କରି ଚାଲିଛୁ। ପ୍ରକୃତିର ଏହି ନିଃସର୍ତ୍ତ ଦାନର ଗୁରୁତ୍ୱ କେବେହେଲେ ମୁଁ ମନରେ ବିଚାର ମଧ୍ୟ କରିନାହିଁ।
ଦ୍ୱିତୀୟରେ ‘କ୍ଲାଇମେଟ୍‌ ଇମର୍ଜେନ୍ସୀ-୨୦୧୯’ ଶବ୍ଦଟିକୁ ‘ୱାର୍ଡ ଅଫ୍‌ ଦି ଇୟର’ ଭାବେ ବିଶ୍ୱବିଖ୍ୟାତ ଅକ୍ସଫୋର୍ଡ ଡିକ୍‌ସନାରି ମନୋନୀତ କରିଛି। ଏଠାରେ ଦୁଇଟି ଶବ୍ଦକୁ ଏକାଠି କରି ଗୋଟିଏ ଶବ୍ଦ ରୂପେ ବ୍ୟବହାର କରାଯାଇଛି। ଇଂଲିଶ ଭାଷାରେ ଏହା ପ୍ରଚଳନ ଆଗରୁ ରହି ଆସିଛି। ଦୃଷ୍ଟାନ୍ତ ସ୍ବରୂପ ‘ହାର୍ଟ ଆଟାକ୍‌’ ଶବ୍ଦଟିର ଇଂଲିଶ ଭାଷାରେ ବ୍ୟବହାର। ‘କ୍ଲାଇମେଟ୍‌ ଇମର୍ଜେନ୍ସୀ’, ଏହି ଶବ୍ଦଟିର ଗୁରୁତ୍ୱ, ଜନପ୍ରିୟତା ଏବଂ ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି ୨୦୧୮ରୁ। ୨୦୧୮ ପରେ ଏହି ଶବ୍ଦଟିର ବ୍ୟବହାର ପ୍ରାୟ ବୃଦ୍ଧି ପାଇଛି ଶହେଗୁଣ। ମାତ୍ର ଆମ ଦେଶରେ ଏହାର ବ୍ୟବହାର ଏତେ ବ୍ୟାପକ ନୁହେଁ। ଜଳବାୟୁ ପରିବର୍ତ୍ତନ ‘କ୍ଲାଇମେଟ୍‌ ଚେଞ୍ଜ୍‌’ର ଭୟାବହତା ଧୀରେ ଧୀରେ ସମସ୍ୟା, ସଙ୍କଟ, ନିରାକରଣରେ ଶିଥିଳତା ଇତ୍ୟାଦିର ଲକ୍ଷ୍ମଣରେଖା ଟପି ବର୍ତ୍ତମାନ ଇମର୍ଜେନ୍ସୀ (ଜରୁରିକାଳୀନ ପରିସ୍ଥିତି)ରେ ପହଞ୍ଚତ୍ଛି। ଏହା ହିଁ ପ୍ରତିପାଦିତ କରୁଛି ‘ୱାର୍ଡ୍‌ ଅଫ୍‌ ଦି ଇୟର’ ଭାବେ ମନୋନୀତ ଶବ୍ଦର ସଂଜ୍ଞା। ଯେତେବେଳେ ସାରା ବିଶ୍ୱର ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଣିଷ ସମାଜ ପାଇଁ ମହାବିପତ୍ତି ବୋଲି ଘୋଷଣା କରୁଛନ୍ତି, ସେତେବେଳେ ପରିବର୍ତ୍ତନ ଶବ୍ଦ ପରିବର୍ତ୍ତେ ‘ଜରୁରୀ ପରିସ୍ଥିତି’ (ଇମର୍ଜେନ୍ସୀ) ଶବ୍ଦଟି ପ୍ରସଙ୍ଗର ଗମ୍ଭୀରତା ବା ଭୟାବହତାକୁ ଠିକ୍‌ ଭାବେ ପ୍ରତିପାଦିତ କରୁଥିବା ମନେହୁଏ।
ପ୍ରଥମ ପ୍ରସଙ୍ଗଟି ସ୍ବଚ୍ଛ ଅମ୍ଳଜାନର ଆବଶ୍ୟକତା ଏବଂ ଦ୍ୱିତୀୟ ପ୍ରସଙ୍ଗଟି ଏକ ଚମକତ୍ାରୀ ଶବ୍ଦ ମାଧ୍ୟମରେ ପରିବେଶ ପ୍ରଦୂଷଣଜନିତ ଗମ୍ଭୀର ପରିସ୍ଥିତିର ସୂଚନା ପ୍ରଦାନ କରୁଛି ଏବଂ ଏହାର ନିରାକରଣ ପାଇଁ ସମାଜର ସାମୂହିକ ଉଦ୍ୟମର ଅପେକ୍ଷା ରଖୁଛି। ମଣିଷ ବଞ୍ଚତ୍ବାପାଇଁ ତିନୋଟି ମୁଖ୍ୟ ଉପାଦାନ ବାୟୁ (ଅମ୍ଳଜାନ), ଜଳ ଏବଂ ଖାଦ୍ୟ। ବାୟୁ (ଅମ୍ଳଜାନ) ବିନା ଆମେ ପ୍ରାୟ ୧ ମିନିଟ୍‌ରୁ ଅଧିକ ସମୟ ବଞ୍ଚତ୍ପାରିବା ନାହିଁ। ଜଳ ବିନା ୧ସପ୍ତାହରୁ ଅଧିକ ସମୟ ବଞ୍ଚତ୍ବା ଅସମ୍ଭବ। ସେହିପରି ଖାଦ୍ୟ ବିନା ୧ ମାସରୁ ଅଧିକ ସମୟ ବଞ୍ଚତ୍ବା କଷ୍ଟକର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଙ୍ଗଲ (ବୃକ୍ଷ) ହିଁ ଏସବୁ ଉପାଦାନର ଆଧାର। ସୁତରାଂ ଜଙ୍ଗଲ ଅବକ୍ଷୟ ମନୁଷ୍ୟର ବିଲୁପ୍ତି ପଥରେ ପ୍ରଥମ ପଦକ୍ଷେପ। ଉଇକ୍ଲିପିଡିଆର ତଥ୍ୟ ଅନୁସାରେ ଜଣେ ଲୋକ ନିଃଶ୍ୱାସ ପ୍ରଶ୍ୱାସ ଦ୍ୱାରା ଦିନକୁ ପ୍ରାୟ ୧କି.ଗ୍ରା. ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ। ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ପ୍ରାୟ ୭୨୬ କୋଟି। ତେଣୁ କେବଳ ମଣିଷର ଶ୍ୱାସକ୍ରିୟା ଯୋଗୁ ବର୍ଷକୁ ପ୍ରାୟ ୨୬୫ କୋଟି ଟନ୍‌ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଉତ୍ସର୍ଜିତ ହେଉଛି। ଏହି ବିଷାକ୍ତ ଗ୍ୟାସକୁ ଶୋଷଣ କରି ବୃକ୍ଷ ଆମକୁ ଅମ୍ଳଜାନ ଯୋଗାଉଛି। ଗୋଟିଏ ଗଛ ବର୍ଷକୁ ହାରାହାରି ୧୧୮ କି.ଗ୍ରା. ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ। ଦୁଇଟି ପୂର୍ଣ୍ଣବୟସ ଗଛ ଗୋଟିଏ ଚାରିଜଣ ସଦସ୍ୟ ବିଶିଷ୍ଟ ପରିବାର ପାଇଁ ବର୍ଷସାରା ଆବଶ୍ୟକ ଅମ୍ଳଜାନ ଉପଲବ୍ଧ କରାଇପାରିବେ। ତେଣୁ ପରିବେଶ ପ୍ରଦୂଷଣର ନିରାକରଣ କଥା ଚିନ୍ତା କଲାବେଳେ ବାୟୁ ପ୍ରଦୂଷଣର ନିରାକରଣକୁ ଆମେ ପ୍ରାଥମିକତା ଦେବାକୁ ବାଧ୍ୟ। ରାମାୟଣର ଗୋଟିଏ ଶ୍ଳୋକ କହେ-
ଶରୀରଂ ହି ବିନାବାୟୁଂ ସମତାଂ ଯାତି ଦାରୁଭିଃ।
ବାୟୁଂ ପ୍ରାଣଃ ସୁଖଂ ବାୟୁର୍ବାୟୁଃ ସର୍ବମିଦଂ ଜଗତ। ଅର୍ଥାତ୍‌ ବାୟୁ ବିନା ଦେହ କାଠ ସଦୃଶ (ଚେତନା ରହିତ) ହୋଇଯାଇଥାଏ। ଏଥିପାଇଁ ବାୟୁ ହିଁ ଶରୀରର ପ୍ରାଣ ଅର୍ଥାତ୍‌ ଜୀବନ, ସଂକ୍ଷେପରେ ସବୁକିଛି ।
ସିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତିନୀତି ଅନୁଷ୍ଠାନର ଗବେଷଣା ତଥ୍ୟ ଅନୁଯାୟୀ ପୃଥିବୀର ୨୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ୧୩ଟି ସହର ଭାରତରେ ଅବସ୍ଥିତ। ଅନ୍ୟପକ୍ଷରେ ଭାରତର ରାଜଧାନୀ ଦିଲ୍ଲୀ ପୃଥିବୀର ସର୍ବାପେକ୍ଷା ଅଧିକ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହା ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଆମ ଦେଶପାଇଁ ଏକ ଭୟାବହ ଏବଂ ଲଜ୍ଜାଜନକ ପରିସ୍ଥିତି ଆଣିଦେଇଛି। ଏହାର ମୁଖ୍ୟ କାରଣ ହେଉଛି, କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବା ଯାନବାହନଗୁଡ଼ିକରୁ ନିର୍ଗତ ଧୂଆଁ, ବିଭିନ୍ନ ନିର୍ମାଣ ପ୍ରକଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ଧୂଳି, ତାପଜ ବିଦ୍ୟୁତ୍‌ କେନ୍ଦ୍ର, ଡିଜେଲ୍‌ ଜେନେରେଟର୍‌ ଓ ଅନ୍ୟାନ୍ୟ କଳକାରଖାନାରୁ ନିର୍ଗତ ହେଉଥିବା ପ୍ରଦୂଷିତ ପଦାର୍ଥ। ଏହା ସହିତ କାଠ, ଘସି, କୋଇଲା ଚୁଲିରୁ ନିର୍ଗତ ଧୂଆଁ ଏବଂ ଧୂମପାନ ପରିସ୍ଥିତିକୁ ଅଧିକ ଜଟିଳ କରିଥାଏ। ଫଳରେ ଦିନକୁ ଦିନ ବଢ଼ିଚାଲିଛି ହୃଦ୍‌ଘାତ, ଫୁସ୍‌ଫୁସ୍‌ ରୋଗସମୂହ, ନିମ୍ନ ଶ୍ୱାସତନ୍ତ୍ର ସଂକ୍ରମଣ, ଶ୍ୱାସ, ଚକ୍ଷୁରୋଗ ତଥା ଅନ୍ୟାନ୍ୟ ଶ୍ୱାସକ୍ରିୟାଜନିତ ରୋଗବ୍ୟାଧି। ବିଶେଷକରି ଶିଶୁ, ରୋଗୀ, ବୟସ୍କ ଲୋକ ଓ ଶ୍ରମଜୀବୀ ଏହାଦ୍ୱାରା ଅଧିକ ମାତ୍ରାରେ ପୀଡ଼ିତ ହେଉଛନ୍ତି। ପରିବେଶ ବିଜ୍ଞାନୀମାନଙ୍କ ମତରେ ଏ ଦିଗରେ ନିମ୍ନୋକ୍ତ ପଦକ୍ଷେପମାନ ଗ୍ରହଣ କଲେ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିବ। ୧-ସାଧାରଣ ଗମନାଗମନ ବ୍ୟବସ୍ଥାର ଉନ୍ନତୀକରଣ। ସାଇକେଲ୍‌ ଚାଳନାକୁ ଉତ୍ସାହିତ, ପ୍ରୋତ୍ସାହିତ କରିବା। ୨- ଗୃହନିର୍ମାଣ, ଡିଜେଲ୍‌ ଜେନେରେଟର୍‌ ଓ ଅନ୍ୟାନ୍ୟ ଇଂଜିନ୍‌ର ବ୍ୟବହାରରେ ସଂଯମତା ଆଚରଣ କରିବା। ୩- ବସ୍ତିଗୁଡ଼ିକ ସଂଖ୍ୟା ବୃଦ୍ଧି ଏବଂ ବସ୍ତିବାସିନ୍ଦାଙ୍କ ଦ୍ୱାରା ଖୋଲାଚୁଲିରେ ଜୈବଇନ୍ଧନର ଦହନ ବାୟୁ ପ୍ରଦୂଷଣର ଅନ୍ୟ ଏକ କାରଣ। ଏହା କମ୍‌ କରାଯିବା ଉଚିତ। ୪- ଯାନବାହନରେ ଡିଜେଲ୍‌ ପରିବର୍ତ୍ତେ ସିଏନ୍‌ଜିର ବ୍ୟବହାର, ବିଦ୍ୟୁତ୍‌ ଚାଳିତ ଯାନର ବହୁଳ ବ୍ୟବହାର ଏବଂ ସୌରଶକ୍ତି, ବାୟୁଶକ୍ତି ଭଳି ନିର୍ମଳ ଶକ୍ତିଉତ୍ସର ଅଧିକ ବିନିଯୋଗ ବାୟୁପ୍ରଦୂଷଣକୁ ଅନେକାଂଶରେ ପ୍ରତିହତ କରିପାରନ୍ତା। ୫- ପର୍ବପର୍ବାଣି ଅବସରରେ ଆନନ୍ଦଦାୟକ ବାଜା ଓ ବାଣର ବ୍ୟବହାର ଜନସଚେତନତା ତଥା ଆଇନ ପ୍ରଣୟନ ମାଧ୍ୟମରେ ନିଶିଦ୍ଧ କରାଗଲେ ବାୟୁ ପ୍ରଦୂଷଣକୁ ରୋକିବା ସମ୍ଭବ ହୁଅନ୍ତା। ଶେଷରେ, ପ୍ରଦୂଷଣକାରୀ କାର୍ଯ୍ୟକଳାପ ଉପରେ ଅଧିକ ମାତ୍ରାରେ ଟିକସ ବସାଇ ତାହାକୁ ନିରୁତ୍ସାହିତ କରିବା ଦରକାର।
ବାୟୁ ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ଏତିକି କହିଲେ ଯଥେଷ୍ଟ ହେବ ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୭ରେ ଆମ ଦେଶରେ ୧୨ଲକ୍ଷ ୧୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁନଶ୍ଚ ୨୦୧୯ରେ ମୃତ୍ୟୁସଂଖ୍ୟା ଥିଲା ୧୬ଲକ୍ଷ ୬୭ ହଜାର। ଏମିତି କି ଏହି କାରଣରୁ ୧ଲକ୍ଷ ୧୨ହଜାର ଶିଶୁ ଜନ୍ମହେବାର ମାସକ ମଧ୍ୟରେ ପ୍ରାଣ ହରାଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଭୟାବହ କରୋନା ମହାମାରୀଠାରୁ ଯଥେଷ୍ଟ ଅଧିକ।
ଆମେ ସଭ୍ୟତା ଏବଂ ବିକାଶ କ୍ଷେତ୍ରରେ ଅନେକ ଉନ୍ନତି କରିଛୁ। ଏଥିରେ ଦ୍ୱିମତ ନାହିଁ। ମାନବବିହୀନ ବିମାନ, କ୍ରାଓଜେନିକ୍‌ ଇଞ୍ଜିନ୍‌ର ନିର୍ମାଣ, ଅନ୍ତରୀକ୍ଷରେ ଉପଗ୍ରହ ସ୍ଥାପନ, ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ନିର୍ମାଣ, ପରମାଣୁବୋମାର ପ୍ରସ୍ତୁତି, ଚନ୍ଦ୍ରପୃଷ୍ଠକୁ ମହାକାଶ ଯାନ ପ୍ରେରଣ ଇତ୍ୟାଦି ସବୁଥିରେ ଆମକୁ ସଫଳତା ମିଳିଛି। କିନ୍ତୁ ଗୋଟିଏ ଗୁରୁତର କଥା, ଯେଉଁଥିରେ ଆମେ ବିଫଳ ହୋଇଛୁ ତାହା ହେଲା ଆମର ଉତ୍ତରପୁରୁଷମାନଙ୍କର ଜୀବନରକ୍ଷା କରିବାରେ ଆମେ ଅସମର୍ଥ। ଯେଉଁ ଧରିତ୍ରୀ ମାଆ ପ୍ରତି ମୁହୂର୍ତ୍ତରେ ତା’ର ସକଳ ଐଶ୍ୱର୍ଯ୍ୟ, ଶକ୍ତି, ପ୍ରାଣପ୍ରାଚୁର୍ଯ୍ୟ, ଅସରନ୍ତି ଭଲପାଇବା ଦେଇ ଏ ସୃଷ୍ଟିକୁ ଜୀବନ ଦେଇଛି, ଜୀବନର ବିକାଶକୁ ତ୍ୱରାନ୍ବିତ କରିଛି, ଲାଳନପାଳନ କରିଛି ଶେଷରେ ତା’ କୋଳରେ ଆଶ୍ରୟ ଦେଇଛି, ସେହି ପୃଥିବୀ ମାତାର ସ୍ବଚ୍ଛ ବାୟୁମଣ୍ଡଳରେ ବିଷ ଭରିଦେଇ ଆମେ ଯେଉଁ ବିକାଶ କରୁଛୁ ତାହା ଆମ ଉତ୍ତରପୁରୁଷଙ୍କର ଜୀବନ ବିନିମୟରେ। ଏହି ଅକାଳ ମୃତ୍ୟୁପାଇଁ ଆମେ ହିଁ ଦାୟୀ। ମଣିଷର ଜୀବନ ବିନିମୟରେ ବିକାଶର ଧାରା କଦାପି ଗ୍ରହଣୀୟ ନୁହେଁ।
ମହାନଦୀବିହାର, କଟକ
ମୋ:୯୮୬୧୧୪୦୧୬୯


Enter your email to get our daily news in your inbox.

All Right Reserved By Dharitri.Com

ଭଲ ଖବର

ରଞ୍ଜନ କୁମାର ଦାସ ଫିରିଙ୍ଗୀ ଅର୍ଥନୀତିଜ୍ଞ ଥୋମାସ୍‌ ଗ୍ରେସାମ୍‌ ଆଜକୁ ଚାରିଶହ ବର୍ଷ ତଳେ କହିଥିଲେ ଯେ, ଯେତେବେଳେ ବଜାରକୁ ଖରାପ ଶକ୍ତିମାନେ ପ୍ରବେଶ କରନ୍ତି...

ଏଇ ଭାରତରେ

ପ୍ରାଣୀଙ୍କ ସେବା ମହତ୍‌ କାର୍ଯ୍ୟ- ଏକଥା ଅନୁଭବ କରିଛନ୍ତି ରାଜସ୍ଥାନର ଗଜରାଜ ସିଂ କଚ୍ଛଓ୍ବା। ସେଥିପାଇଁ ସେ ଜୟପୁରରେ ‘ବେଜୁବାନ୍‌ କି ରୋଷେଇ’ ବା ‘କିଚେନ୍‌...

ଓଡ଼ିଶାରେ ପୂର୍ବସୂରୀ ସ୍ମରଣ

ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୂର୍ବସୂରୀ ସ୍ମରଣ ହେଉଛି ସଭ୍ୟତା ଓ ସଂସ୍କୃତିର ପରିମାପକ। କିନ୍ତୁ ଓଡ଼ିଶାରେ ବହୁ ଐତିହାସିକ ପ୍ରବାଦପୁରୁଷ ବିସ୍ମୃତ ହେବାକୁ ବସିଲେଣି। ଯେଉଁ...

ବିଦ୍ୱେଷର ବିଷ ଓ ଶାନ୍ତିର ପାରିଜାତ

ଡ.ପ୍ରଫୁଲ୍ଲ କୁମାର ସାହୁ   ପ୍ରତିଟି ଦେଶର ସୁରକ୍ଷା ହିଁ ବିଶ୍ବର ସୁରକ୍ଷା। ଘୋଷାପଦ ପରି ଏକଥା ବାରମ୍ବାର କହିହୁଅନ୍ତି ବୃହତ୍‌ ଶକ୍ତିମାନେ, ଯେଉଁମାନଙ୍କ ଅହଂ...

ଆଉ ଏକ ଅଭିଯାନ

ଗତ ବର୍ଷ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ତାଙ୍କ ପ୍ରକାଶିତ ପୁସ୍ତକ‘ ଇଣ୍ଡିଆ ଅନ୍‌ଲିମିଟେଡ୍‌-ରିକ୍ଲେମିଂ ଦିଲଷ୍ଟ ଗ୍ଲୋରି’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ...

ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ...

ଅନ୍ତରୀକ୍ଷ ପରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ପିଲାଟିଏ କାନ୍ଦିଲେ ମାତାପିତା ତାକୁ ଆକାଶ ଦେଖାଇଥାଆନ୍ତି। ଜହ୍ନ ମାମୁ ଓ ପରି ରାଇଜର କଥା କୁହାଯାଇ ତାକୁ ତୁନି କରାଯାଇଥାଏ।...

ତାଲିବାନଙ୍କ ସଦ୍‌ବୁଦ୍ଧି

ତାଲିବାନ ସରକାର ଆଫଗାନିସ୍ତାନରେ ଅଫିମ ଚାଷ ଉପରେ କଟକଣା ଲଗାଇଛନ୍ତି। ଫଳରେ ଅଫିମ ଅମଳକୁ ନେଇ ସମ୍ପ୍ରତି ଆଫଗାନ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଫିମ କ୍ଷେତରେ...

Advertisement
Archives

Model This Week