Posted inଜାତୀୟ

ସହଜ ହେବନି ଭାଗବଣ୍ଟା

ନୂଆଦିଲ୍ଲୀ,୧୯ା୭: କେନ୍ଦ୍ରରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ମଙ୍ଗଳବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ମଧ୍ୟ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇନାହିଁ। ନୂଆଦିଲ୍ଲୀର ଅଶୋକା ହୋଟେଲରେ ଭାଜପା ପକ୍ଷରୁ ଡକାଯାଇଥିବା ଏନ୍‌ଡିଏ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ନେତା କେ. ପାଲାନିସ୍ବାମୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଏବଂ ଅନ୍ୟ ନେତାମାନଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ଏକାଠି ହେବା ଅତ୍ୟନ୍ତ ଖୁସିର ବିଷୟ। ଆମ ମେଣ୍ଟ ଆଗକୁ ମଧ୍ୟ ଜାତୀୟ ପ୍ରଗତି ଓ ଆଞ୍ଚଳିକ ଆକାଂକ୍ଷାଗୁଡ଼ିକୁ ସାକାର କରିବାକୁ ଉଦ୍ୟମ କରିବ। ୨୦୨୪ ଲୋକ ସଭା ନିର୍ବାଚନକୁ ପ୍ରାୟ ୮ ମାସ ବାକି ଥିବାେଳେ ବିରୋଧୀ ମହାମେଳିକୁ ପ୍ରତିହତ କରିବା ପାଇଁ ଶାସକ ଦଳ ଏହି ଯୋଜନା କରିଥିବା କୁହାଯାଉଛି। ତେବେ କେତେକ ରାଜ୍ୟରେ ଆସନ ବୁଝାମଣାକୁ ନେଇ ଏନ୍‌ଡିଏରେ ମତଭେଦ ରହିଥିବାରୁ ଏଥିରେ ଶାସକ ମେଣ୍ଟ କେତେ ସଫଳ ହେବ ତାହା ଏବେଠୁ କହିହେବ ନାହିଁ।
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ୨୪ ଦଳ ଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହି ସଂଖ୍ୟା ୩୮କୁ ବୃଦ୍ଧି ପାଇଲାଣି। କିନ୍ତୁ ଆଗାମୀ ଲୋକ ସଭା ନିର୍ବାଚନରେ ଏହି ୩୮ ଦଳ କିପରି ଭାବେ ମିଳିତ ହୋଇ ଲଢ଼ିବେ ତାହା ଏବେ ବଡ଼ ପ୍ରଶ୍ନ। ବିଶେଷକରି ବିହାର ଓ ମହାରାଷ୍ଟ୍ରରେ କେଉଁ ଦଳ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାକୁ ନେଇ ହିସାବକିତାବ ଏତେ ସହଜରେ ଛିଣ୍ଡି ନ ପାରେ।
ବିହାର: ୨୦୧୯ରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାଜପା ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମଧ୍ୟ ଏନ୍‌ଡିଏରେ ରହିଥିଲା। ଭାଜପା, ଜେଡିୟୁ ୧୭ଟି ଲେଖାଏ ଆସନରେ ଲଢ଼ିଥିବାବେଳେ ଏଲ୍‌ଜେପିକୁ ୬ ଆସନ ମିଳିଥିଲା। ପାଶ୍ୱାନଙ୍କ ଦଳ ରାଜ୍ୟ ସଭା ପାଇଁ ମଧ୍ୟ ଏକ ଆସନ ପାଇଥିଲା। ପାଶ୍ୱାନ ରାଜ୍ୟ ସଭାକୁ ଯାଇଥିଲେ। ଏନ୍‌ଡିଏ ବିହାରର ୪୦ରୁ ୩୯ ଆସନ ଦଖଲ କରିଥିଲା। ସେଥିରୁ ଭାଜପା ୧୭, ଜେଡିୟୁ ୧୬ ଏବଂ ଏଲ୍‌ଜେପିର ୬ ଆସନ ରହିଥିଲା। ସେବେଠୁ ରାଜନୀତିର ସ୍ରୋତରେ ଅନେକ ପାଣି ବହିଗଲାଣି। ଜେଡିୟୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ କଂଗ୍ରେସକୁ ନେଇ ମହାମେଣ୍ଟ ଗଢ଼ିଛି। ୨୦୨୦ରେ ପାଶ୍ୱାନଙ୍କ ପରଲୋକ ପରେ ଏଲ୍‌ଜେପିରେ ବିଭାଜନ ଘଟିଛି। ପାଶ୍ୱାନଙ୍କ ଭାଇ ପଶୁପତି ପାରସଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀର ଏମ୍‌ପି ଥିବାବେଳେ ପୁଅ ଚିରାଗ ଅନ୍ୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ଭାଜପା ବର୍ତ୍ତମାନ ଦୁଇଗୋଷ୍ଠୀର ମିଶ୍ରଣ ଚାହୁଁଛି। କିନ୍ତୁ ପୁତୁରା ଚିରାଗ ପାଶ୍ୱାନଙ୍କ ସହ ମିଶିବାକୁ କେନ୍ଦ୍ରମନ୍ତ୍ରୀ ପଶୁପତି ଅନିଚ୍ଛୁକ। ଅନ୍ୟପକ୍ଷେ ଚିରାଗ ୨୦୧୯ ଭଳି ୬ ଲୋକ ସଭା ଓ ଗୋଟିଏ ରାଜ୍ୟ ସଭା ଆସନ ମାଗୁଛନ୍ତି। ଏହାର ସମାଧାନ କରିବା ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ଉପେନ୍ଦ୍ର କୁଶଓ୍ବାହ ଓ ଜିତନ୍‌ରାମ ମାଞ୍ଝିଙ୍କ ଭଳି ଆଞ୍ଚଳିକ ପ୍ଲେୟାର ମଧ୍ୟ ସିଟ୍‌ ବୁଝାମଣା ବେଳେ ଭଲ ଶେୟାର ଚାହୁଁଛନ୍ତି। ଭାଜପା ମଧ୍ୟ ସର୍ବାଧିକ ଆସନରେ ଲଢ଼ିବାକୁ ଉଦ୍ୟମ କରିବ।
ମହାରାଷ୍ଟ୍ର: ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏବଂ ଶିବସେନା ଏକାଠି ଲଢ଼ିଥିଲେ। ରାଜ୍ୟର ୪୮ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୫ ଆସନରେ ଲଢ଼ି ୨୩ରେ ଜିତିଥିଲା। ଶିବସେନା ୨୩ରେ ଲଢ଼ି ୧୮ ଆସନ ଦଖଲ କରିଥିଲା। ସେହିବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଶିବସେନା ଭାଜପା ସହ ଦୀର୍ଘ ୨୫ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟ ସରକାର ଚଳାଇଲା। ପରବର୍ତ୍ତୀ ସମୟରେ ଏକନାଥ ଶିନ୍ଦେ ଗୋଷ୍ଠୀ ବିଦ୍ରୋହ କରି ଭାଜପା ସହ ହାତ ମିଳାଇଲେ। ୨୦୧୯ରେ ଉଦ୍ଧବଙ୍କ ଶିବସେନା ଲଢ଼ିଥିବା ସମସ୍ତ ୧୮ ଆସନରେ ୨୦୨୪ରେ ଶିନ୍ଦେଙ୍କ ଶିବସେନା ପ୍ରାର୍ଥୀ ଦେବାକୁ ଚାହୁଁଛି। ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଗୋଷ୍ଠୀ ଶିନ୍ଦେ-ଭାଜପା ମେଣ୍ଟରେ ସାମିଲ ହୋଇଛି। ୨୦୨୪ରେ ସହଯୋଗୀଙ୍କ ସହ ୪୮ ଆସନକୁ ନେଇ ଭାଗବଣ୍ଟା ଭାଜପା ପାଇଁ କାଠିକର ହେବ।
ଉତ୍ତର ପ୍ରଦେଶ: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳ ଭାଜପାଠାରୁ ପାଇଥିବା ଦୁଇଟିଯାକ ଆସନରେ ବିଜୟୀ ହୋଇଥିଲା। ବର୍ତ୍ତମାନ ଓମ୍‌ପ୍ରକାଶ ରାଜଭରଙ୍କ ସୁହେଲଦେବ ସମାଜ ପାର୍ଟି ଏବଂ ନିଷାଦ ପାର୍ଟି ଏନ୍‌ଡିଏରେ ସାମିଲ ହୋଇଛନ୍ତି। ଏହି ଦୁଇଦଳ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରରେ ମଧ୍ୟ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଜୟନ୍ତ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହ ମଧ୍ୟ ଭାଜପା ଆଲୋଚନା ଜାରି ରଖିଛି। ଆର୍‌ଏଲ୍‌ଡିକୁ ଭାଜପା ସହ ମିଶ୍ରଣ ଉଦ୍ୟମ ଜାରି ରହିଥିବାବେଳେ ଜୟନ୍ତ ମଙ୍ଗୁନାହାନ୍ତି। ଯଦି ଆର୍‌ଏଲ୍‌ଡି ଏନ୍‌ଡିଏରେ ସାମିଲ ହୁଏ ତେବେ ଜୟନ୍ତ ଅଧିକ ଆସନ ଦାବି କରିପାରନ୍ତି।
ତାମିଲନାଡୁ: ତାମିଲନାଡୁରେ ଭାଜପା ଏଆଇଏଡିଏମ୍‌କେ ସମେତ କେତେକ ଛୋଟ ଦଳ ସହ ମେଣ୍ଟ କରିଛି। ୨୦୧୯ରେ ଏଆଇଏଡିଏମ୍‌କେ ରାଜ୍ୟର ୩୦ ଆସନ ମଧ୍ୟରୁ ୨୦ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ପିଏମ୍‌କେ ୭, ଭାଜପା ୫, ଡିଏମ୍‌ଡିକେ ୪, ତାମିଲ ମାନିଲା କଂଗ୍ରେସ ୧, ପୁଥିୟା ତାମିଳଗାମ୍‌ ୧ ଏବଂ ପିଏନ୍‌କେ ଗୋଟିଏ ଆସନରେ ଲଢ଼ିଥିଲା। ଏଥର ଭାଜପା ସହ ଆହୁରି କେତେକ ଦଳ ହାତ ମିଳାଇଥିବାରୁ ଆସନ ଭାଗବଣ୍ଟା ହିସାବ ଛିଣ୍ଡାଇବା ସହଜ ହେବ ନାହିଁ।
ହରିୟାଣା:ହରିୟାଣାରେ ଭାଜପା ଏବଂ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ସରକାର ଚାଲିଛି। ଏଥର ଭାଜପା ରାଜ୍ୟର ସମସ୍ତ ୧୦ ଲୋକ ସଭା ଆସନରେ ଲଢ଼ିବା ନେଇ ସ୍ପଷ୍ଟ କରିଛି। ଏପରି ହେଲେ ଜେଜେପି ମଧ୍ୟ ଏକାକୀ ଲଢ଼ିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା-ଜେଜେପି ପରସ୍ପରକୁ ଛାଡ଼ପତ୍ର ଦେଇପାରନ୍ତି ବୋଲି କୁହାଯାଉଛି।
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ (ଏଜେଏସ୍‌ୟୁ) ସହ ମିଶି ୨୦୧୯ ନିର୍ବାଚନ ଲଢ଼ିଥିଲା ଭାଜପା। ସେତେବେଳେ ଭାଜପାକୁ ରାଜ୍ୟର ୧୪ରୁ ୧୧ ଲୋକ ସଭା ଆସନରେ ସଫଳତା ମିଳିଥିବାବେଳେ ଏଜେଏସ୍‌ୟୁ ୧ରେ ସୀମିତ ରହିଥିଲା। ଆସନ୍ତା ନିର୍ବାଚନରେ ଦୁଇଦଳ ଏକାଠି ଲଢ଼ିପାରନ୍ତି।
ଆସାମ:୨୦୧୯ରେ ଭାଜପାର ସହଯୋଗୀ ଥିଲେ ଆସୋମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌)। ଭାଜପା ରାଜ୍ୟର ୧୪ ଆସନରୁ ୧୦ରେ ଲଢ଼ି ୯ଟିରେ ଜିତିଥିଲା। ଏଜିପି ୩ ଏବଂ ବିପିଏଫ୍‌ ଗୋଟିଏରେ ଲଢ଼ି ହାରିଯାଇଥିଲେ। ଆସାମ ସମେତ ଉତ୍ତର-ପୂର୍ବରେ ଭାଜପାର ମୂଲଚାଲ କ୍ଷମତା ହ୍ରାସ ସହ ଆଞ୍ଚଳିକ ଦଳଗୁଡ଼ିକର ବଳ ବୃଦ୍ଧି ଘଟିଥିବାରୁ ଏଥରର ରଣନୀତି ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri