ଭାଙ୍ଗିବା ପ୍ରକ୍ରିୟା ଚାଲିବ

ନୂଆ ଇତିହାସ ସୃଷ୍ଟି କରିବା ଲାଗି ଚାହୁଁଥିବା ବ୍ୟକ୍ତି ପୁରୁଣା ଇତିହାସକୁ ସମ୍ମାନ ଦେବା କଥା। କିନ୍ତୁ ଆଜିର ମୋଦି ସରକାର ଅତୀତକୁ ଭୁଲିଯାଇ ଭିନ୍ନ ଧରଣର ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପୂର୍ବସୂରୀମାନେ ଯାହା କରିଥିଲେ ତାହା ସବୁ ଭୁଲ୍‌ ଥିଲା ବୋଲି ପ୍ରମାଣ କରିବା ଲାଗି ଇତିହାସକୁ ଚୂରମାର କରିଦେବାର ପ୍ରୟାସ ଜାରି ରହିଛି। ଅନେକ ସମୟରେ ମୋଦି କହୁଛନ୍ତି, ବିଗତ ୭୦ ବର୍ଷ ଭିତରେ ଯାହା ହୋଇ ନ ଥିଲା ତାହା ଅଳ୍ପ କେଇଟା ବର୍ଷରେ ତାଙ୍କ ସରକାର କରି ଦେଖାଇଛନ୍ତି। କିନ୍ତୁ ଏଠାରେ ଯେଉଁ ୭୦ ବର୍ଷ କଥା କୁହାଯାଉଛି, ତାହା ନେହେରୁ, ଇନ୍ଦିରା କିମ୍ବା ରାଜୀବମାନେ କରିନାହାନ୍ତି। ଗରିବ ଓ ଶ୍ରମିକ ଶ୍ରେଣୀ ହିଁ ଗଢ଼ିଛନ୍ତି ସବୁକିଛି ଓ ସେମାନଙ୍କ ଦ୍ୱାରା ରଚନା କରାଯାଇଛି ଇତିହାସ। ଯୁଦ୍ଧରେ ଶ୍ରେୟ ଯାଏ ଜେନେରାଲଙ୍କୁ, କିନ୍ତୁ ଗୁଳି ଖାଇ ପ୍ରାଣ ହରାନ୍ତି ସାଧାରଣ ଅପରିଚିତ ସୈନିକ। ଆଜି ସେହିମାନଙ୍କ କାର୍ଯ୍ୟକୁ ଅସ୍ବୀକାର କରାଯିବା ଅର୍ଥ ନିଜ ପିତୃତ୍ୱକୁ ଅସ୍ବୀକାର କରିବା। ଯେଉଁ ଜାତି ନିଜ ମାତାପିତାଙ୍କୁ ସ୍ବୀକାର କରିବାକୁ ଅନିଚ୍ଛୁକ, ସେହି ଜାତିକୁ ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ। ଏହି କ୍ରମରେ ଦେଖିଲେ ଜାନୁୟାରୀ ୨୧ରେ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀର ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯାଇଛି। କୁହାଯାଉଛି ଯେ, ମୋଦି ସରକାରଙ୍କ ଦ୍ୱାରା ୨୫ ଫେବୃୟାରୀ ୨୦୧୯ରେ ସ୍ଥାପିତ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲ୍‌ ବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଖିବା ପାଇଁ କୌଣସି ଦର୍ଶକ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେଥିରେ ବିଚଳିତ ହୋଇ ଅମର ଯବାନ ଜ୍ୟୋତିକୁ ସବୁଦିନ ସକାଶେ ଲିଭାଇ ଦେବା ହୋଇଗଲା ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟ ଯେ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ୧୯୭୨ରୁ ଦୀର୍ଘ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳି ଆସୁଥିଲା। ଏହା ୧୯୭୧ ଭାରତ ଓ ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ ହୋଇଥିଲା। ମନେପକାଇ ଦିଆଯାଇପାରେ ଯେ, ଭାରତୀୟ ସେନାର ବୀରତ୍ୱ ଯୋଗୁ ପାକିସ୍ତାନକୁ ଦୁଇ ଖଣ୍ଡ କରାଯାଇ ନୂତନ ଦେଶ ବାଂଲାଦେଶ ସୃଷ୍ଟି କରାଯାଇଥିଲା। ସେହି ସମୟରେ କଂଗ୍ରେସର ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଯୁଦ୍ଧ ଇନ୍ଦିରା ଗାନ୍ଧୀ ଲଢ଼ି ନ ଥିଲେ। ହେଲେ ପ୍ରାଣବଳି ଦେଇଥିଲେ ଭାରତର ଅଧିକାଂଶ ପ୍ରାନ୍ତରର ସାଧାରଣ ନାଗରିକ। ଆଶ୍ଚର୍ଯ୍ୟର କଥା ଯେ, ଗୁଜରାଟର କୌଣସି ସୈନିକ ଏବଂ କମାଣ୍ଡର ସେହି ଯୁଦ୍ଧରେ ଯୋଗ ଦେଇଥିବାର ଐତିହାସିକ ପ୍ରମାଣ ନାହିଁ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ଶାସକଙ୍କ ଦ୍ୱାରା ନିର୍ମିତ ଇଣ୍ଡିଆ ଗେଟ୍‌ର ଦେହସାରା ସେହି ଭାରତୀୟ ସୈନିକଙ୍କ ନାମ ଲେଖାଯାଇଛି, ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ।
କୁହାଯାଉଛି ଅମର ଯବାନ ଜ୍ୟୋତିକୁ ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯିବା ଏକ ପ୍ରତୀକାତ୍ମକ ପଦକ୍ଷେପ, ଯାହାକୁ ନେଇ ବିବାଦ ସୃଷ୍ଟି ହେବା କଥା ନୁହଁ। ସରକାରଙ୍କ ଯୁକ୍ତି ହେଉଛି ସବୁ ଶହୀଦଙ୍କୁ ଗୋଟିଏ ସ୍ଥାନରେ ସମ୍ମାନ ଦିଆଯିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିରୋଧୀ ସମାଲୋଚନା କରି କହୁଛନ୍ତି, ମୋଦି ସରକାର ପୁରୁଣା ଶାସନ ସମୟରେ ରଚାଯାଇଥିବା କୀର୍ତ୍ତିକୁ ମାଟିରେ ମିଶାଇ ଦେଇ ନିଜ ଅହଂଭାବକୁ ଦେଖାଇବା ଲାଗି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିନ୍ତୁ ସେଥିରେ କିଛି ନୂତନତ୍ୱ ଥିବା ଭଳି ମନେହେଉ ନାହିଁ। କେବଳ ଇତିହାସକୁ ଲିଭାଇବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି। ଯୁଦ୍ଧ ଲଢ଼ିଥିବା ଅନେକ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଅନ୍ୟ ଦେଶଗୁଡ଼ିକରେ ମୃତ ସୈନିକଙ୍କ ନିମନ୍ତେ ଏକରୁ ଅଧିକ ସ୍ମାରକୀ ରହିଛି, ଯେଉଁଥିରେ ସର୍ବଦା ଜ୍ୟୋତି ଜଳୁଛି। ବାଂଲାଦେଶ ଯୁଦ୍ଧକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଯେ କାର୍‌ଗିଲ ଶହୀଦଙ୍କୁ ଅସମ୍ମାନିତ କରାଯାଉଛି। ସେହିଭଳି ଗଲ୍‌ଓ୍ବାନ ଶହୀଦଙ୍କୁ ସମ୍ମାନିତ କରିବାର ଅର୍ଥ ନୁହେଁ, ୧୯୬୨ ଭାରତ-ଚାଇନା ଯୁଦ୍ଧର ଭାରତୀୟ ବୀରମାନଙ୍କୁ ଅସମ୍ମାନିତ କରାଯିବ। ଗଣତାନ୍ତ୍ରିକ ଦେଶରେ ରାଜନୈତିକ ନେତୃତ୍ୱର ପରିବର୍ତ୍ତନ ଘଟିବା ଅବଶ୍ୟମ୍ଭାବୀ। ପୂର୍ବରୁ ଯେଉଁ ଦଳ ଭୋଟ୍‌ ପାଉଥିଲା, ଆଜି ସେ ପରାଜିତ। ଆଜି ଯିଏ ଭୋଟ୍‌ ପାଉଛନ୍ତି, ସିଏ ଆସନ୍ତାକାଲି ପରାଜିତ ହେବେ ନାହିଁ ବୋଲି କେହି କହିପାରିବେ ନାହିଁ। ଭାରତର ସାଧାରଣ ନାଗରିକ ହିଁ ସବୁବେଳେ ରହିଛି। ସେହି ଭୋଟର ହାତରେ ସାମ୍ବିଧାନିକ କ୍ଷମତା ରହିଛି, ଯାହାଦ୍ୱାରା ରାଜନୈତିକ ପଟ ପରିବର୍ତ୍ତନ ସମ୍ଭବ ହେଉଛି। ଦୁର୍ଭାଗ୍ୟର ବିଷୟ, ଯେକୌଣସି ନେତା ବା ଦଳ କ୍ଷମତାକୁ ଆସୁଛନ୍ତି, ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିଯାଉଛି। ସମସ୍ତେ ନିଜକୁ ଦୀର୍ଘାୟୁ ବା ଅମର ଭାବି ସବୁବେଳେ କ୍ଷମତାରେ ରହିବେ ବୋଲି ଚିନ୍ତା କରନ୍ତି। ସେଥିପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଏବଂ ଅସତ୍ୟ କହି ବାଟବଣା କରିବାକୁ ଚେଷ୍ଟା କରନ୍ତି।
ଏକ କୃତଜ୍ଞ ଦେଶ ତା’ର ଶହୀଦଙ୍କୁ ଯଥାମାନ୍ୟ ଦେବା ଉତ୍ତମ ପଦକ୍ଷେପ। କିନ୍ତୁ ଇତିହାସ ବଦଳାଇ ଓ ଗୋଟିଏ ଜ୍ୟୋତିକୁ ଲିଭାଇ ଆଉ ଏକ ଜ୍ୟୋତିକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଇତିହାସକୁ ଗୋଡ଼ରେ ଦଳି ଦେଲା ଭଳି ପ୍ରତୀୟମାନ ହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଯେଉଁ ନୂତନ ଇତିହାସ ସୃଷ୍ଟି କରାଯାଉଛି, ତାହା ମଧ୍ୟ ଚିରସ୍ଥାୟୀ ରହିବ ନାହିଁ। ଆଗାମୀ ଦିନରେ ଯେଉଁମାନେ କ୍ଷମତାକୁ ଆସିବେ ସେମାନେ ବାସ୍ତବ ଇତିହାସକୁ ଦଳିମକଚି ନିଜ ଇତିହାସକୁ ସର୍ବୋଚ୍ଚରେ ରଖିବାକୁ ଚେଷ୍ଟା କରିବେ। ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଯାଉଛି, ଯାହା ଏହି ଜାତି ସକାଶେ ଅତ୍ୟନ୍ତ କ୍ଷତିକାରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri