ଭାଙ୍ଗିବା ପ୍ରକ୍ରିୟା ଚାଲିବ

ନୂଆ ଇତିହାସ ସୃଷ୍ଟି କରିବା ଲାଗି ଚାହୁଁଥିବା ବ୍ୟକ୍ତି ପୁରୁଣା ଇତିହାସକୁ ସମ୍ମାନ ଦେବା କଥା। କିନ୍ତୁ ଆଜିର ମୋଦି ସରକାର ଅତୀତକୁ ଭୁଲିଯାଇ ଭିନ୍ନ ଧରଣର ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପୂର୍ବସୂରୀମାନେ ଯାହା କରିଥିଲେ ତାହା ସବୁ ଭୁଲ୍‌ ଥିଲା ବୋଲି ପ୍ରମାଣ କରିବା ଲାଗି ଇତିହାସକୁ ଚୂରମାର କରିଦେବାର ପ୍ରୟାସ ଜାରି ରହିଛି। ଅନେକ ସମୟରେ ମୋଦି କହୁଛନ୍ତି, ବିଗତ ୭୦ ବର୍ଷ ଭିତରେ ଯାହା ହୋଇ ନ ଥିଲା ତାହା ଅଳ୍ପ କେଇଟା ବର୍ଷରେ ତାଙ୍କ ସରକାର କରି ଦେଖାଇଛନ୍ତି। କିନ୍ତୁ ଏଠାରେ ଯେଉଁ ୭୦ ବର୍ଷ କଥା କୁହାଯାଉଛି, ତାହା ନେହେରୁ, ଇନ୍ଦିରା କିମ୍ବା ରାଜୀବମାନେ କରିନାହାନ୍ତି। ଗରିବ ଓ ଶ୍ରମିକ ଶ୍ରେଣୀ ହିଁ ଗଢ଼ିଛନ୍ତି ସବୁକିଛି ଓ ସେମାନଙ୍କ ଦ୍ୱାରା ରଚନା କରାଯାଇଛି ଇତିହାସ। ଯୁଦ୍ଧରେ ଶ୍ରେୟ ଯାଏ ଜେନେରାଲଙ୍କୁ, କିନ୍ତୁ ଗୁଳି ଖାଇ ପ୍ରାଣ ହରାନ୍ତି ସାଧାରଣ ଅପରିଚିତ ସୈନିକ। ଆଜି ସେହିମାନଙ୍କ କାର୍ଯ୍ୟକୁ ଅସ୍ବୀକାର କରାଯିବା ଅର୍ଥ ନିଜ ପିତୃତ୍ୱକୁ ଅସ୍ବୀକାର କରିବା। ଯେଉଁ ଜାତି ନିଜ ମାତାପିତାଙ୍କୁ ସ୍ବୀକାର କରିବାକୁ ଅନିଚ୍ଛୁକ, ସେହି ଜାତିକୁ ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ। ଏହି କ୍ରମରେ ଦେଖିଲେ ଜାନୁୟାରୀ ୨୧ରେ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀର ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯାଇଛି। କୁହାଯାଉଛି ଯେ, ମୋଦି ସରକାରଙ୍କ ଦ୍ୱାରା ୨୫ ଫେବୃୟାରୀ ୨୦୧୯ରେ ସ୍ଥାପିତ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲ୍‌ ବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଖିବା ପାଇଁ କୌଣସି ଦର୍ଶକ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେଥିରେ ବିଚଳିତ ହୋଇ ଅମର ଯବାନ ଜ୍ୟୋତିକୁ ସବୁଦିନ ସକାଶେ ଲିଭାଇ ଦେବା ହୋଇଗଲା ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟ ଯେ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ୧୯୭୨ରୁ ଦୀର୍ଘ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳି ଆସୁଥିଲା। ଏହା ୧୯୭୧ ଭାରତ ଓ ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ ହୋଇଥିଲା। ମନେପକାଇ ଦିଆଯାଇପାରେ ଯେ, ଭାରତୀୟ ସେନାର ବୀରତ୍ୱ ଯୋଗୁ ପାକିସ୍ତାନକୁ ଦୁଇ ଖଣ୍ଡ କରାଯାଇ ନୂତନ ଦେଶ ବାଂଲାଦେଶ ସୃଷ୍ଟି କରାଯାଇଥିଲା। ସେହି ସମୟରେ କଂଗ୍ରେସର ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଯୁଦ୍ଧ ଇନ୍ଦିରା ଗାନ୍ଧୀ ଲଢ଼ି ନ ଥିଲେ। ହେଲେ ପ୍ରାଣବଳି ଦେଇଥିଲେ ଭାରତର ଅଧିକାଂଶ ପ୍ରାନ୍ତରର ସାଧାରଣ ନାଗରିକ। ଆଶ୍ଚର୍ଯ୍ୟର କଥା ଯେ, ଗୁଜରାଟର କୌଣସି ସୈନିକ ଏବଂ କମାଣ୍ଡର ସେହି ଯୁଦ୍ଧରେ ଯୋଗ ଦେଇଥିବାର ଐତିହାସିକ ପ୍ରମାଣ ନାହିଁ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ଶାସକଙ୍କ ଦ୍ୱାରା ନିର୍ମିତ ଇଣ୍ଡିଆ ଗେଟ୍‌ର ଦେହସାରା ସେହି ଭାରତୀୟ ସୈନିକଙ୍କ ନାମ ଲେଖାଯାଇଛି, ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ।
କୁହାଯାଉଛି ଅମର ଯବାନ ଜ୍ୟୋତିକୁ ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯିବା ଏକ ପ୍ରତୀକାତ୍ମକ ପଦକ୍ଷେପ, ଯାହାକୁ ନେଇ ବିବାଦ ସୃଷ୍ଟି ହେବା କଥା ନୁହଁ। ସରକାରଙ୍କ ଯୁକ୍ତି ହେଉଛି ସବୁ ଶହୀଦଙ୍କୁ ଗୋଟିଏ ସ୍ଥାନରେ ସମ୍ମାନ ଦିଆଯିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିରୋଧୀ ସମାଲୋଚନା କରି କହୁଛନ୍ତି, ମୋଦି ସରକାର ପୁରୁଣା ଶାସନ ସମୟରେ ରଚାଯାଇଥିବା କୀର୍ତ୍ତିକୁ ମାଟିରେ ମିଶାଇ ଦେଇ ନିଜ ଅହଂଭାବକୁ ଦେଖାଇବା ଲାଗି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିନ୍ତୁ ସେଥିରେ କିଛି ନୂତନତ୍ୱ ଥିବା ଭଳି ମନେହେଉ ନାହିଁ। କେବଳ ଇତିହାସକୁ ଲିଭାଇବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି। ଯୁଦ୍ଧ ଲଢ଼ିଥିବା ଅନେକ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଅନ୍ୟ ଦେଶଗୁଡ଼ିକରେ ମୃତ ସୈନିକଙ୍କ ନିମନ୍ତେ ଏକରୁ ଅଧିକ ସ୍ମାରକୀ ରହିଛି, ଯେଉଁଥିରେ ସର୍ବଦା ଜ୍ୟୋତି ଜଳୁଛି। ବାଂଲାଦେଶ ଯୁଦ୍ଧକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଯେ କାର୍‌ଗିଲ ଶହୀଦଙ୍କୁ ଅସମ୍ମାନିତ କରାଯାଉଛି। ସେହିଭଳି ଗଲ୍‌ଓ୍ବାନ ଶହୀଦଙ୍କୁ ସମ୍ମାନିତ କରିବାର ଅର୍ଥ ନୁହେଁ, ୧୯୬୨ ଭାରତ-ଚାଇନା ଯୁଦ୍ଧର ଭାରତୀୟ ବୀରମାନଙ୍କୁ ଅସମ୍ମାନିତ କରାଯିବ। ଗଣତାନ୍ତ୍ରିକ ଦେଶରେ ରାଜନୈତିକ ନେତୃତ୍ୱର ପରିବର୍ତ୍ତନ ଘଟିବା ଅବଶ୍ୟମ୍ଭାବୀ। ପୂର୍ବରୁ ଯେଉଁ ଦଳ ଭୋଟ୍‌ ପାଉଥିଲା, ଆଜି ସେ ପରାଜିତ। ଆଜି ଯିଏ ଭୋଟ୍‌ ପାଉଛନ୍ତି, ସିଏ ଆସନ୍ତାକାଲି ପରାଜିତ ହେବେ ନାହିଁ ବୋଲି କେହି କହିପାରିବେ ନାହିଁ। ଭାରତର ସାଧାରଣ ନାଗରିକ ହିଁ ସବୁବେଳେ ରହିଛି। ସେହି ଭୋଟର ହାତରେ ସାମ୍ବିଧାନିକ କ୍ଷମତା ରହିଛି, ଯାହାଦ୍ୱାରା ରାଜନୈତିକ ପଟ ପରିବର୍ତ୍ତନ ସମ୍ଭବ ହେଉଛି। ଦୁର୍ଭାଗ୍ୟର ବିଷୟ, ଯେକୌଣସି ନେତା ବା ଦଳ କ୍ଷମତାକୁ ଆସୁଛନ୍ତି, ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିଯାଉଛି। ସମସ୍ତେ ନିଜକୁ ଦୀର୍ଘାୟୁ ବା ଅମର ଭାବି ସବୁବେଳେ କ୍ଷମତାରେ ରହିବେ ବୋଲି ଚିନ୍ତା କରନ୍ତି। ସେଥିପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଏବଂ ଅସତ୍ୟ କହି ବାଟବଣା କରିବାକୁ ଚେଷ୍ଟା କରନ୍ତି।
ଏକ କୃତଜ୍ଞ ଦେଶ ତା’ର ଶହୀଦଙ୍କୁ ଯଥାମାନ୍ୟ ଦେବା ଉତ୍ତମ ପଦକ୍ଷେପ। କିନ୍ତୁ ଇତିହାସ ବଦଳାଇ ଓ ଗୋଟିଏ ଜ୍ୟୋତିକୁ ଲିଭାଇ ଆଉ ଏକ ଜ୍ୟୋତିକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଇତିହାସକୁ ଗୋଡ଼ରେ ଦଳି ଦେଲା ଭଳି ପ୍ରତୀୟମାନ ହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଯେଉଁ ନୂତନ ଇତିହାସ ସୃଷ୍ଟି କରାଯାଉଛି, ତାହା ମଧ୍ୟ ଚିରସ୍ଥାୟୀ ରହିବ ନାହିଁ। ଆଗାମୀ ଦିନରେ ଯେଉଁମାନେ କ୍ଷମତାକୁ ଆସିବେ ସେମାନେ ବାସ୍ତବ ଇତିହାସକୁ ଦଳିମକଚି ନିଜ ଇତିହାସକୁ ସର୍ବୋଚ୍ଚରେ ରଖିବାକୁ ଚେଷ୍ଟା କରିବେ। ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଯାଉଛି, ଯାହା ଏହି ଜାତି ସକାଶେ ଅତ୍ୟନ୍ତ କ୍ଷତିକାରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri