ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ

ପଞ୍ଚାୟତ ନିର୍ବାଚନ ହେଲା। ମାସାଧିକ କାଳ ଭୋଟ-ରାଜନୀତିକୁ ନେଇ ଗଁା ଗଣ୍ଡା ଉଠିଲା ପଡ଼ିଲା। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୈରଭାବରେ ଆକ୍ରାନ୍ତ ହେଲା। ଠାଏ ଠାଏ ହିଂସାକାଣ୍ଡ ଘଟି ଧନଜୀବନ ବି ନଷ୍ଟ ହେଲା। ଗଁା ପରିବେଶ ଏକରକମ ଅଶାନ୍ତ ହୋଇ ପଡ଼ିଲା। ପ୍ରତିନିଧିମାନେ ନିର୍ବାଚିତ ହେଲେ। କିଏ ଭୋଟ ଦେଲା, କିଏ ନ ଦେଲା ତାକୁ ନେଇ ତର୍ଜମା ଚାଲିଲା। କଥା ଦେଇ ଯିଏ ଭୋଟ ନ ଦେଲା, ପରାଜିତ ପ୍ରାର୍ଥୀ ତା’ ଉପରେ ରାଗ ଶୁଝାଇଲେ। ପଞ୍ଚାୟତ ସମିତି ଚେୟାରମ୍ୟାନ ପଦ ପାଇଁ ସମିତି ସଭ୍ୟଙ୍କୁ ଅଜ୍ଞାତବାସରେ ରଖାଯାଇ ଘୋଡ଼ା ବେପାର ଚାଲିଲା।
ମତଦାନକୁ କେନ୍ଦ୍ର କରି ବାଲଟଚିରା, ବୁଥ୍‌ ଜବରଦଖଲ, ଭୋଟବାକ୍ସ ଲୁଟ୍‌, ସାମ୍ବାଦିକ, ପୋଲିସ, ପୋଲିଂ କର୍ମଚାରୀ ଏବଂ ଏପରିକି ନିର୍ବାଚନ ଅଧିକାରୀଙ୍କ ଉପରେ ଆକ୍ରମଣ ହେଲା। କେତେକ ସ୍ଥାନରେ ଗୋଷ୍ଠୀସଂଘର୍ଷ ହୋଇ ସାଧାରଣ ଲୋକେ ମୃତାହତ ହେଲେ। ଭୋଟରମାନଙ୍କୁ ଟଙ୍କାପଇସା ଓ ଶାଢ଼ି, ସାଲ୍‌ ବାଣ୍ଟିବା ସହିତ ମଦ-ମାଂସର ଭୋଜି ବି କରାଗଲା। ‘ସ୍ବଚ୍ଛ-ଅବାଧ-ନିରପେକ୍ଷ ନିର୍ବାଚନ’ ପୋଥି ବାଇଗଣ ହୋଇ ରହିଗଲା। ସେପଟେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଗଲା। ଉତ୍ତରପ୍ରଦେଶରେ ବାଳିକାମାନଙ୍କୁ ସ୍କୁଟି, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟ ଫୋନ୍‌ , ପ୍ରତି ପରିବାରକୁ ମାଗଣା ସିଲିଣ୍ଡର୍‌, କୃଷକମାନଙ୍କୁ ମାଗଣା ବିଜୁଳି ଦେବାକୁ ଭାଜପା ପ୍ରତିଶ୍ରୁତି ଦେଲା। ଅଟୋରିକ୍ସା ଚାଳକଙ୍କୁ ମାସିକ ୩ ଲିଟର ଓ ବାଇକ୍‌ ବ୍ୟବହାରକାରୀଙ୍କୁ ୧ ଲିଟର ପେଟ୍ରୋଲ, ଗରିବ ଲୋକଙ୍କୁ ୫ ବର୍ଷ ପାଇଁ ମାଗଣା ରାଶନ ଦେବାକୁ ସମାଜବାଦୀ ପାର୍ଟି ଘୋଷଣା କଲା। ଭୋଟରମାନଙ୍କୁ ବାଣ୍ଟିବାକୁ ଯାଉଥିବା ବେଳେ ବିପୁଳ ପରିମାଣରେ ମଦ ଓ କୋଟି କୋଟି ଟଙ୍କା ଜବତ ହେଲା।
ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ଯଦିଓ ଅଗ୍ରହଣୀୟ, ତଥାପି ଆମ ଦେଶରେ ଏହା ଏକ ପରମ୍ପରାରେ ପରିଣତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ଏସବୁ ପ୍ରଲୋଭନ ବି ସ୍ଥାନ ପାଉଛି। ଅତୀତରେ ‘ଗରିବି ହଟାଓ’ , ‘ବିଜୁଳି-ସଡ଼କ-ପାଣି’ ଓ ‘ବର୍ଷକୁ ଦୁଇ କୋଟି ବେକାରଙ୍କୁ ନିଯୁକ୍ତି’ ପରି ଆକର୍ଷଣୀୟ ସ୍ଲୋଗାନ ନିର୍ବାଚନ ବେଳେ ବି ଦିଆଯାଇଛି। ଟିଭି, ଲାପ୍‌ଟପ୍‌, ମଙ୍ଗଳସୂତ୍ର ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ତାମିଲନାଡ଼ୁ ବିଧାନସଭା ନିର୍ବାଚନ ବେଳେ ଜଣେ ପ୍ରାର୍ଥୀ ନିର୍ବାଚିତ ହେଲେ ଭୋଟରମାନଙ୍କୁ ଚନ୍ଦ୍ରପୃ୍‌ଷ୍ଠକୁ ମାଗଣା ବୁଲାଇ ନେବାକୁ ସ୍ପର୍ଦ୍ଧା ବି ଦେଖାଇଥିଲେ।
ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ଏ ଦୁଇଟି ଏକା କଥା ନୁହେଁ। ପ୍ରତିବଦ୍ଧତା ନ ଥିଲେ ପ୍ରତିଶ୍ରୁତି ଖାଲି ପାଣିର ଗାର ପରି ମିଳେଇ ଯାଏ। ଦୀର୍ଘ ୭୫ ବର୍ଷ ଭିତରେ ଆମେ ଅନେକ ପ୍ରତିଶ୍ରୁତି ପାଇଛୁ। ଅଥଚ ପ୍ରତିବଦ୍ଧତା ଅଭାବରୁ ଜନଗଣଙ୍କ ମୌଳିକ ସମସ୍ୟା ଏ ଯାବତ୍‌ ସମାଧାନ ହୋଇପାରି ନାହିଁ। ତା’ ସତ୍ତ୍ୱେ ନିର୍ବାଚନ ଆସିଲେ ପୁଣି ପ୍ରତିଶ୍ରୁତିର ପେଡ଼ି ଧରି ରାଜନୈତିକ ଦଳମାନେ ଚାଲିଆସନ୍ତି। ନିର୍ବାଚନ ସରିଗଲେ କାଶିଆ କିଏ ନା କପିଳା କିଏ।
ଆମ ଭିତରୁ ଶତକଡ଼ା ପାଞ୍ଚ ଭାଗ ଲୋକ ରାଜନୈତିକ ଭାବେ ସଚେତନ ବୋଲି ପଶ୍ଚିମବଙ୍ଗର ଏକ ସଂସ୍ଥା ସର୍ବେକ୍ଷଣ କରି ତା’ର ରିପୋର୍ଟରେ ଦର୍ଶାଇଥିଲା। କିନ୍ତୁ ନିଜ ଚତୁଃପାର୍ଶ୍ୱରେ ଥରେ ଆଖି ବୁଲାଇ ଆଣିଲେ ଏହି ସଚେତନତା ହାର ଶହକେ ପାଞ୍ଚ ନ ହୋଇ ହଜାରରେ ପ୍ରାୟ ପାଞ୍ଚ ହେବ! ନଚେତ ରାଜନୈତିକ ଦଳମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ କ’ଣ ଭୁଲାଇ ପାରନ୍ତେ?
ନିର୍ବାଚନ ବେଳେ ଭୋଟରମାନଙ୍କୁ ଦେଖାଯାଉଥିବା ପ୍ରଲୋଭନ ଲୋକପ୍ରତିନିଧି ଆଇନ-୧୯୫୧ର ଧାରା ୧୨୩(୧) (ଖ)ର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଇ ଏହା ବନ୍ଦ କରିବାକୁ ଇତିମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ କ’ଣ ରାୟ ଦେବେ ଏବଂ ତାହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ପରର କଥା। କିନ୍ତୁ ଏହା ନିର୍ଦ୍ୱନ୍ଦ୍ୱରେ କୁହାଯାଇ ପାରିବ ଯେ ଜନସାଧାରଣଙ୍କର ରାଜନୈତିକ ଅସଚେତନତାର ସୁଯୋଗ ନେଇ ବିଭିନ୍ନ ରାଜନୈତିକ ଦଳ ମିଥ୍ୟା ପ୍ରଲୋଭନ ଦେଖାଉଛନ୍ତି ଏବଂ ଅଜ୍ଞତାବଶତଃ ବିଚରା ଭୋଟର ଭକୁଆ ହୋଇ ଭୋଟ ଖଣ୍ଡେ ବାଡ଼େଇ ଦେଉଛି। ପ୍ରତିଶ୍ରୁତି ପାଳନ ନ କଲେ କିମ୍ବା ପ୍ରକାଶିତ ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାର୍ଯ୍ୟ ନ କଲେ ସେହି ଦଳ ବା ପ୍ରାର୍ଥୀ ପ୍ରତି ଶାସ୍ତି ବିଧାନର କୌଣସି ବ୍ୟବସ୍ଥା ଆମ ଲୋକପ୍ରତିନିଧି ଆଇନରେ ନାହିଁ। ଦାଗୀ ରାଜନେତାଙ୍କୁ ପ୍ରତିନିଧି ହେବାରୁ ବଞ୍ଚିତ କରିବାକୁ ଆଇନ ପ୍ରଣୟନ ନିମିତ୍ତ ପ୍ରସ୍ତାବ ଦୀର୍ଘଦିନ ହେଲା ସଂସଦରୁ ଅଦାଲତ ଏପଟ ସେପଟ ହେଉଛି। ସେହିପରି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଦିଆଯାଉଥିବା ପ୍ରତିଶ୍ରୁତି ସମ୍ପର୍କିତ ମାମଲା ଯେ କିଛି ଚମତ୍କାରିତା ଦେଖାଇବ, ଏଥିରୁ ଜଣାପଡ଼ୁ ନାହିଁ। ଯେଉଁମାନେ ଆଇନ ପ୍ରଣୟନ କରିବେ ସେମାନେ ଯଦି ନ ଚାହିଁବେ ତେବେ ପ୍ରସ୍ତାବଟି ଆଲୋଚନା-ପର୍ଯ୍ୟାଲୋଚନା ଓ ସମାଲୋଚନା ଭିତରେ ହିଁ ରହିଯିବ।
ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ଅବିଚ୍ଛିନ୍ନ ଅଙ୍ଗ। ମୁକ୍ତ ଏବଂ ଅବାଧ ନିର୍ବାଚନ ଏହି ଅଙ୍ଗଟିକୁ କ୍ରିୟାଶୀଳ କରିଥାଏ। ଯେଉଁଠି ମୁକ୍ତ ଓ ଅବାଧ ନିର୍ବାଚନ ନାହିଁ, ସେଠି ଗଣତନ୍ତ୍ର ବିପନ୍ନ ବୋଲି ଧରିନେବାକୁ ହେବ। ପଞ୍ଚାୟତଠାରୁ ପାର୍ଲାମେଣ୍ଟ ଯାଏ ଯେଉଁ ଧରଣର ନିର୍ବାଚନ ହେଉଛି ଏବଂ ପ୍ରତିନିଧିମାନେ ବିଜୟ ମୁକୁଟ ପିନ୍ଧି ଦେଶର ରାଜକୋଷକୁ ହରିଲୁଟ କରୁଛନ୍ତି, ସେଥି ଲାଗି ଦୀର୍ଘ ସାତ ଦଶନ୍ଧି ପରେ ବି ଦେଶର ବିକାଶ ଆଶାନୁରୂପ ହୋଇପାରି ନାହିଁ। ସାଧାରଣ ଲୋକେ ରାଜନୈତିକ ଭାବେ ସଚେତନ ନ ହେଲେ, ସରକାରଙ୍କର ନୀତି-ଅନୀତିର ଠିକ୍‌ ବିଶ୍ଳେଷଣ କରି ନ ପାରିଲେ ନିର୍ବାଚନ ମୁକ୍ତ-ଅବାଧ ହୋଇ ପାରିବ ନାହିଁ। ଚିରାଚରିତ ପ୍ରଥାରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସୁଥିବ, ଆମ୍ଭେମାନେ କିଛି ନ ଜାଣି, ନ ଶୁଣି ଅନ୍ଧଙ୍କ ଭଳି ଭୋଟ ଦେଉଥିବା ଏବଂ ତଥାକଥିତ ‘ଗଣତନ୍ତ୍ରର ମହାପର୍ବ’ର ଜୟ-ଜୟକାରରେ ଗଗନ-ପବନ ପ୍ରକମ୍ପିତ କରୁଥିବା।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri