ଫେକ୍‌ ଭିଡିଓର ବିପଜ୍ଜନକ ଖେଳ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ରଜନୀତିରେ ଫେକ୍‌ ବା ନକଲି ଭିଡ଼ିଓର ଉପଯୋଗ କୌଣସି ନୂଆ ନୁହେଁ। ଦେଶର ଉଣା ଅଧିକ ସବୁ ପ୍ରମୁଖ ନେତାଙ୍କ ନକଲି ଭିଡ଼ିଓ ତିଆରି କରି ତାକୁ ଭାଇରାଲ କରାଯାଉଛି। ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଇନଷ୍ଟ୍ରାଗ୍ରାମ୍‌, ହ୍ବାଟ୍‌ସଆପ୍‌ ପରି ସାମାଜିକ ଗଣମାଧ୍ୟମର ପ୍ରଚଳନ ପରେ ଏଭଳି ନକଲି ଭିଡ଼ିଓର ପ୍ରାଦୁର୍ଭାବ ବଢ଼ିଯାଇଛି। ବିଶେଷ କରି ହ୍ବାଟ୍‌ସଆପ୍‌ ଓ ୟୁଟ୍ୟୁବ୍‌ ତ ଏବେ ମିଥ୍ୟା ଖବର, ଗୁଜବ ଓ ମିଥ୍ୟା ଭିଡ଼ିଓର ସବୁଠାରୁ ବଡ଼ ଓ ସହଜ ମାଧ୍ୟମ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ସକ୍ରିୟ କିଛି ଅସାମାଜିକ ବ୍ୟକ୍ତି ବା ସମୂହ ଏସବୁ ଜରିଆରେ ଅନ୍ୟକୁ ବଦନାମ୍‌ କରିବା, କାହାକୁ ବ୍ଲାକ୍‌ମେଲ କରିବା କିମ୍ବା ସମାଜର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରିବା ଦେଖିବାକୁ ମିଳିଛି। ବିଶେଷ କରି ଧର୍ମାନ୍ଧ ଓ ସାମ୍ପ୍ରଦାୟିକ ଶକ୍ତିମାନେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ମନଗଢ଼ା ଖବର ଓ ଭିଡ଼ିଓକୁ ଭାଇରାଲ କରି ସମାଜରେ ବିଭିନ୍ନ ସମୁଦାୟ ଭିତରେ ଘୃଣା ଓ ବିଦ୍ୱେଷ ବଢ଼ାଇବାକୁ ଚେଷ୍ଟା କରିଥାନ୍ତି।
ଉଦ୍‌ବେଗର ବିଷୟ ହେଲା, ରାଜନୈତିକ ସ୍ବାର୍ଥରେ ବୃହତ୍‌ ରାଜନୈତିକ ଦଳର ଆଇଟି ସେଲ୍‌ମାନେ ମିଥ୍ୟା ଖବରର ବଡ଼ ସୂତ୍ର। ସେମାନେ ବିରୋଧୀ ରାଜନୈତିକ ଦଳର ନେତା ଏବଂ ସରକାର ବିରୋଧରେ ମିଥ୍ୟା ଓ ମନଗଢ଼ା ଖବରକୁ ଭାଇରାଲ କରିଥାନ୍ତି। ତେବେ ବଡ଼ କଥା ହେଲା ବହୁଚର୍ଚ୍ଚିତ ‘ପୋଷ୍ଟ ଟ୍ରୁଥ୍‌’ର ଯୁଗରେ ସାମାଜିକ ଗଣମାଧ୍ୟମରେ ପରଷା ଯାଉଥିବା ଏଭଳି ମିଥ୍ୟା ଖବରଗୁଡ଼ିକୁ ଲୋକେ ବିନା ଦ୍ୱିଧାରେ ଅନ୍ତିମ ସତ୍ୟ ବୋଲି ଭାବି ନେଇଥାନ୍ତି। ତେବେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପ୍ରାୟୋଜିତ ଏଭଳି ମିଛ ଖବରର ପରିଣତି କେତେ ଗମ୍ଭୀର ହୋଇପାରେ, ତାହା ନିକଟରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଗତ କିଛି ସପ୍ତାହ ଧରି ଦେଶର ଗଣମାଧ୍ୟମରେ ତାମିଲନାଡ଼ୁରେ ବିହାରୀ ଶ୍ରମିକମାନଙ୍କ ଉପରେ ଆକ୍ରମଣ ଏବଂ ଆତଙ୍କିତ ହୋଇ ସେମାନଙ୍କ ସାମୂହିକ ପଳାୟନର ଖବର ବ୍ୟାପକ ଭାବେ ପ୍ରସାରିତ ହୋଇଛି। ଶ୍ରମିକମାନଙ୍କ ନିର୍ଯାତନା ଓ ପଳାୟନର ଭିଡ଼ିଓ ସବୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ବିଶେଷ କରି ୟୁଟ୍ୟୁବରେ ପ୍ରସାରିତ ହେବା ପରେ ବିହାରରେ ଏକରକମ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଭାଇରାଲ ଭିଡ଼ିଓ ଦେଖି ହଜାର ହଜାର ବିହାରୀ ଶ୍ରମିକ ରେଳ ଯୋଗେ ନିଜ ରାଜ୍ୟକୁ ଫେରିବା ଦେଖାଗଲା। ଯଦିଓ ଏହି ଶ୍ରମିକମାନଙ୍କ ଘରକୁ ଫେରିବା ପଛରେ ହୋଲି ଉତ୍ସବ ଏକ ବଡ଼ କାରଣ ଥିଲା, କିନ୍ତୁ ଆକ୍ରମଣର ଭୟ ବି ଏକ କାରଣ ଥିବା ଜଣାପଡ଼ିଛି।
ବିଡ଼ମ୍ବନାର କଥା ହେଲା, ସାମାଜିକ ଗଣମାଧ୍ୟମରେ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ତାକୁ ତାଳଦେଇ ଭାଜପା ନେତାମାନଙ୍କ ସକ୍ରିୟତା ଦେଖିବାକୁ ମିଳିଥିଲା। ଛୋଟ ବଡ଼ ଅନେକ ଭାଜପା ନେତା ବିନା ଯାଞ୍ଚରେ ଏଭଳି ଭିଡ଼ିଓଗୁଡ଼ିକୁ ନିଜର ଟୁଇଟର ଓ ଫେସ୍‌ବୁକ୍‌ରେ ଶେୟାର କରି ବିହାରର ନୀତୀଶ-ତେଜସ୍ବୀଙ୍କ ସରକାର ଉପରେ ଆକ୍ରମଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଏହା ଜରିଆରେ ବିହାରୀମାନଙ୍କ ମଧ୍ୟରେ ଜନତା ଦଳ (ୟୁ) ଓ ଆର୍‌ଜେଡିର ମେଣ୍ଟ ସରକାର ବିରୋଧରେ ଘୃଣାର ପରିବେଶ ତିଆରି କରିବା। ଏହିକ୍ରମରେ ବିହାର ବିଧାନସଭାର ଭାଜପା ବିଧାୟକ ଦଳର ନେତା ବିଜୟ ସିହ୍ନା ଏହିସବୁ ଭିଡ଼ିଓକୁ ସତ୍ୟ ବୋଲି କହିବା ସହିତ ଯଦି ଭୁଲ୍‌ ହୋଇଥାଏ ତାହେଲେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ବାହୁସ୍ଫୋଟ ମାରିଥିଲେ। ବିଧାନ ପରିଷଦର ବିରୋଧୀ ଦଳର ନେତା ସମ୍ରାଟ ଚୌଧୁରୀ ବି ତାମିଲନାଡ଼ୁରେ ଶ୍ରମିକଙ୍କ ଉପରେ ଆକ୍ରମଣକୁ ନେଇ ବିହାର ସରକାର ରାଜ୍ୟବାସୀକୁ ମିଛ କହି ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ। ଭାଜପା ଦଳର ଅନ୍ୟତମ ସହଯୋଗୀ ଚିରାଗ ପାଶ୍ୱାନ ତୁରନ୍ତ ଚେନ୍ନାଇରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟି ବିହାରୀ ଶ୍ରମିକଙ୍କ ଉପରେ ହେଉଥିବା ତଥାକଥିତ ଅତ୍ୟାଚାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅବସ୍ଥା ଏପରି ହେଲା, ବିହାର ସରକାର ମଧ୍ୟ ଶେଷରେ ଚାପରେ ପଡ଼ି ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳକୁ ତାମିଲନାଡ଼ୁ ପଠାଇଥିଲେ। ସେମାନେ ସେଠାରେ ତିନି ଚାରି ଦିନ ରହି ସ୍ଥାନୀୟ ଅଫିସର ଏବଂ ପ୍ରବାସୀ ବିହାରୀ ଶ୍ରମିକମାନଙ୍କ ସହ ଆଲୋଚନା କରି ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣକୁ ଭିତ୍ତିହୀନ ବୋଲି ଜାଣିବା ସହିତ ଏ ସଂକ୍ରାନ୍ତରେ ପ୍ରକାଶିତ ଭିଡ଼ିଓଗୁଡ଼ିକୁ ମିଥ୍ୟା ବୋଲି ସ୍ପଷ୍ଟ କଲେ।
ବିହାର ସରକାର ଇତିମଧ୍ୟରେ ମିଥ୍ୟା ଭିଡ଼ିଓ ପ୍ରସାର କରିଥିବା ଲୋକମାନଙ୍କ ବିରୋଧରେ ମକଦ୍ଦମା ରୁଜ୍ଜୁ କରିବା ସହ ଏ ସଂକ୍ରାନ୍ତରେ ମୋଟ ୩୦ଟି ଭିଡ଼ିଓ ପ୍ରସାରିତ ହୋଇଥିବା କହିଛନ୍ତି। ତେବେ ଚାଞ୍ଚଲ୍ୟକର କଥାଟି ହେଲା, ଏଭଳି ଫେକ୍‌ ଭିଡ଼ିଓର ପ୍ରସାର ପଛରେ ଏକ ସୁନିୟୋଜିତ ଷଡ଼ଯନ୍ତ୍ରର ଉଜାଗର ହୋଇଛି। ଉପରୋକ୍ତ ଭିଡ଼ିଓଗୁଡ଼ିକ କୌଣସି ସତ ଘଟଣା ନ ଥିଲା ବରଂ ବିହାରୀ ଲୋକଙ୍କ ଭିତରେ ତାମିଲ ବିରୋଧୀ ବିଦ୍ୱେଷ ଓ ଉନ୍ମାଦ ସୃଷ୍ଟି କରିବାକୁ ପାଟନାର ବଙ୍ଗାଳୀଟୋଲାରେ କିଛି ବ୍ୟକ୍ତି ବିଧିବଦ୍ଧ ଭାବେ ସେସବୁକୁ ଶୁଟିଂ କରି ପ୍ରସ୍ତୁତ କରିଥିଲେ। ଏ ସଂକ୍ରାନ୍ତରେ ଯେଉଁ ୧୧ ଜଣଙ୍କ ନାଁରେ ଏତଲା ଦାୟର କରାଯାଇଛି, ସେମାନଙ୍କ ଭିତରେ କେତେଜଣ ୟୁଟ୍ୟୁବର ଓ ତଥାକଥିତ ସାମ୍ବାଦିକ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ସେମାନଙ୍କ ୪୨ଟି ଆକାଉଣ୍ଟକୁ ବି ନୋଟିସ୍‌ ଜାରି କରାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ୍‌ ମନୀଷ କଶ୍ୟପ ଏଭଳି ଭିଡ଼ିଓ ପାଇଁ ହିଂସାର ଦୃଶ୍ୟ ସୃଷ୍ଟି କରିବାକୁ କିଛି କଳାକାର ଓ ଛୋଟ ଅପରାଧୀଙ୍କୁ ଭଡ଼ାରେ ଆଣିଥିବା ଜଣାପଡ଼ିଛି। ମିଥ୍ୟା ଭିଡ଼ିଓ ଜରିଆରେ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରି ସ୍ଥାନୀୟ ସରକାରକୁ ନିକମ୍ମା ଓ ବିହାରୀଙ୍କ ସ୍ବାର୍ଥରକ୍ଷା କରିବାରେ ଅସଫଳ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି। ଯଦି ଉଭୟ ବିହାର ଓ ତାମିଲନାଡ଼ୁର ପୋଲିସ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ନେଇନଥାନ୍ତେ, ତା’ହେଲେ ଦୁଇ ରାଜ୍ୟରେ ଭୟଙ୍କର ଉତ୍ତେଜନା ଓ ହିଂସା ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ତେବେ ଏହି ଫେକ୍‌ ଭିଡ଼ିଓ କାଣ୍ଡର ଅଭିଯୁକ୍ତମାନଙ୍କ ସହ ଭାଜପା ଦଳର ଘନିଷ୍ଠତା ତଥା ଏଭଳି ଘଟଣାରେ ତୁରନ୍ତ ଭାଜପା ନେତାମାନଙ୍କ ସକ୍ରିୟ ଭୂମିକାରୁ ପ୍ରମାଣିତ ଯେ ରାଜନୈତିକ ସ୍ବାର୍ଥ ପାଇଁ ଏକ ସୁନିୟୋଜିତ ଷଡ଼ଯନ୍ତ୍ରର ଅଂଶବିଶେଷ ଭାବେ ଏଭଳି ଫେକ୍‌ ଭିଡ଼ିଓଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା। ବିଶେଷକରି ନିକଟରେ ଚେନ୍ନାଇରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କ ଜନ୍ମ ଦିବସ ପାଳନ ଉତ୍ସବରେ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କ ଯୋଗଦାନ ପରେ ଏଭଳି ଭିଡ଼ିଓ ଓ ଗୁଜବର ପ୍ରସାର କରାଯିବା କୌଣସି ସଂଯୋଗ ନୁହେଁ ବରଂ ଦୁଇ ରାଜ୍ୟରେ ସରକାରରେ ଥିବା ଦଳଗୁଡ଼ିକୁ ବଦନାମ୍‌ କରିବାକୁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ।
ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣର ଫେକ୍‌ ଭିଡ଼ିଓ ପ୍ରସାରଣ କେବଳ ଏକ ଜଘନ୍ୟ ସାମ୍ପ୍ରଦାୟିକ ଅପରାଧ ନୁହେଁ ବରଂ ଆମ ଦେଶ ଓ ଜନଗଣଙ୍କ ବିରୋଧରେ ଏକ ଗମ୍ଭୀର ଷଡ଼ଯନ୍ତ୍ର। ଲଜ୍ଜାଜନକ କଥା ହେଲା, ଗତ ପନ୍ଦର ଦିନ ଧରି ବିହାର ଘଟଣା ନେଇ ଏତେ ସବୁ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ରର ଭାଜପା ସରକାର ନୀରବ ରହିବା ସନ୍ଦେହଜନକ ମନେହେଉଛି।
ଏକ ସଭ୍ୟ ଓ ଗଣତାନ୍ତ୍ରିକ ସମାଜ ପାଇଁ ଫେକ୍‌ ନିଉଜ୍‌ର ପ୍ରସାରଣ ଅତ୍ୟନ୍ତ ବିପଜ୍ଜନକ। ଏହା ସର୍ବଦା ସମାଜରେ ଭୟ, ଅଶାନ୍ତି, ଭୁଲ ବୁଝାମଣା, ବିଦ୍ୱେଷ ଓ ହିଂସାକୁ ଜନ୍ମ ଦେଇଥାଏ। ରାଜନୈତିକ ସ୍ବାର୍ଥରେ ଏହାର ପ୍ରସାରଣ ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ଏବଂ ଜୀବନହାନିର ସମ୍ଭାବନା ରହିଥାଏ। ତେବେ ଯେଉଁ ଗଣମାଧ୍ୟମ ଓ ରାଜନୈତିକ ନେତାମାନେ ଏଭଳି ଫେକ୍‌ ଭିଡ଼ିଓକୁ ବିନା ଯାଞ୍ଚରେ ଜନଗଣଙ୍କ ପାଖରେ ପହଞ୍ଚାଇବାର କାମ କରିଛନ୍ତି, ସେମାନେ ଅକ୍ଷମଣୀୟ ଭୁଲ୍‌ କରିଛନ୍ତି।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri